ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ଵର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଆସନ୍ତା ୩୦ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ସହ ୨୪ ଘଂଟାରେ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ରିପୋର୍ଟ: ଦେବସ୍ମିତା ରାଉତ

Published : August 24, 2026 at 4:59 PM IST
LOW PRESSURE RAIN IN ODISHA, ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ ପଶ୍ଚିମବଙ୍ଗ ଓ ତାର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଂଚଳରେ ସକ୍ରିୟ ରହିଛି । ଏହାସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତନଠାରୁ ୭.୬ ମିମି ପର୍ଯ୍ୟନ୍ତ ବ୍ୟାପିଛି । ପ୍ରଭାବରେ ଆସନ୍ତା ୨୪ ଘଂଟାରେ ଲଘୁଚାପ ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବ । ପ୍ରଭାବରେ ଆସନ୍ତା ୩୦ ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ସହ ୨୪ ଘଂଟାରେ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଂଟାରେ ସାରା ଓଡ଼ିଶାରେ ବର୍ଷା ହେବା ସହ ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅତି ପ୍ରବଳ ଵର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅବଶିଷ୍ଟ ୨୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ବର୍ଷା ଏବଂ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିବାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ବର୍ଷାର ପରିମାଣ ଟିକିଏ କମିବା ସହ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂପପୁର, ପୁରୀ, କଟକ, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିବାକୁ ନେନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ସହ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଥିବା ବେଳେ ୪ ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୪୭ଟି ସ୍ଥାନରେ ପ୍ରବଳ ଵର୍ଷା ରେକର୍ଡ କରାଯାଇଛି । କେନ୍ଦୁଝର ଯୋଡ଼ାରେ ୧୬୯.୪ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।
ସେପଟେ ଜୁନ୍ ୧ରୁ ଏଯାବତ ୧୦୮୦.୬ ମିମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି । କେବଳ ଗଂଜାମରେ ନିଅଣ୍ଟିଆ ବର୍ଷା ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ- ସୃଷ୍ଟି ହେଲା ଲଘୁଚାପ; ଆଜି ଅତି ଭୀଷଣ ବର୍ଷା, 5 ଜିଲ୍ଲାକୁ ରେଡ୍ ଆଲର୍ଟ
ଏହା ମଧ୍ୟ ପଢ଼ନ୍ତୁ- 24ରୁ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା, ଚେତାବନୀ ଦେଲା ପାଣିପାଗ ବିଭାଗ
ଇଟିଭି ଭାରତ, ଭୁବନେଶ୍ବର

