ETV Bharat / state

ବ୍ରହ୍ମପୁର ରେଳ ଷ୍ଟେସନର ହେବ ନବକଳେବର, ରେଳ ବିଭାଗ ପକ୍ଷରୁ 93 କୋଟି ମଞ୍ଜୁର

ବ୍ରହ୍ମପୁର ରେଳ ଷ୍ଟେସନ ଏକ ଆଧୁନିକ, ଯାତ୍ରୀ ଅନୁକୂଳ, ସ୍ମାର୍ଟ ଏବଂ ସ୍ଥାୟୀ ପରିବହନ ହବ୍ ଭାବେ ପରିଚୟ ପାଇବ । ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ ହେବ ।

Berhampur railway station
ବ୍ରହ୍ମପୁର ରେଳ ଷ୍ଟେସନ (ETV Bharat Odisha)
author img

By ETV Bharat Odisha Team

Published : February 21, 2026 at 3:38 PM IST

2 Min Read
Choose ETV Bharat

ବ୍ରହ୍ମପୁର: ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ରୀୟ ରେଳ ବିଭାଗ ନେବାକୁ ଯାଉଛି ବଡ଼ ପଦକ୍ଷେପ । ବ୍ରହ୍ମପୁର ରେଳ ଷ୍ଟେସନର ଆଧୁନିକୀକରଣ ଦିଗରେ ୯୩.୧୯ କୋଟି ଟଙ୍କା ରେଳବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି । ଯାହା ଫଳରେ ବ୍ରହ୍ମପୁର ରେଳ ଷ୍ଟେସନ ଏକ ଆଧୁନିକ, ଯାତ୍ରୀ ଅନୁକୂଳ, ସ୍ମାର୍ଟ ଏବଂ ସ୍ଥାୟୀ ପରିବହନର ହବ୍ ଭାବେ ପରିଚୟ ପାଇବ । ଦକ୍ଷିଣ ଓଡ଼ିଶାର ଏକ ମୁଖ୍ୟ ରେଳ ଷ୍ଟେସନ ଭାବେ ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ ହେବ ।


୫,୦୦୦ରୁ ଅଧିକ ଯାତ୍ରୀ ଭିଡ଼ ପରିଚାଳନା ଲକ୍ଷ୍ୟ:
ରେଶମ ସହର ଭାବେ ପରିଚିତ ବ୍ରହ୍ମପୁର ସହର । ଏହା ସହିତ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଛି । ଏଠାରେ ଗୋପାଳପୁର ସମୁଦ୍ର ବେଳାଭୂମି ଏବଂ ପ୍ରସିଦ୍ଧ ମା' ତାରାତାରିଣୀ ମନ୍ଦିର ଭଳି ପ୍ରସିଦ୍ଧ ସ୍ଥାନକୁ ସଂଯୋଗ କରିଥାଏ ବ୍ରହ୍ମପୁର ରେଳ ଷ୍ଟେସନ । ଏହା ଅଞ୍ଚଳର ସବୁଠାରୁ ପୁରାତନ ଏବଂ ବ୍ୟସ୍ତବହୁଳ ରେଳଷ୍ଟେସନ ମଧ୍ୟରୁ ଗୋଟିଏ । ଷ୍ଟେସନରେ ପିକ୍ ଆୱର ସମୟରେ ୫,୦୦୦ରୁ ଅଧିକ ଯାତ୍ରୀ ଭିଡ଼କୁ ସୂଚାରୁ ଭାବେ ପରିଚାଳନା କରିବା ପାଇଁ ଡିଜାଇନ୍ କରାଯାଉଛି । ଯାହା ଫଳରେ ଭିଡ଼ ସମୟ ଏବଂ ପର୍ବପର୍ବାଣୀ ଭଳି ଭିଡ଼ ସମୟରେ ମଧ୍ୟ ସୁଗମ ଏବଂ ବାଧାମୁକ୍ତ ଗତିବିଧି ସୁନିଶ୍ଚିତ ହେବ ।

Berhampur railway station
ବ୍ରହ୍ମପୁର ରେଳ ଷ୍ଟେସନ (ETV Bharat Odisha)


ବ୍ୟୟବରାଦ:
ବ୍ରହ୍ମପୁର ରେଳଷ୍ଟେସନ ପୁନଃବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 93 କୋଟି ଟଙ୍କାକୁ ଅନୁମୋଦନ କରାଯାଇଛି । ଏହି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ଭିତ୍ତିଭୂମି ଉପରେ ନଜର ପକାଇବା ।

1. ୧୨ ମିଟର ଓସାର ଫୁଟ ପରିମିତ ଏକ ଓଭର ବ୍ରିଜର ନିର୍ମାଣ ଏବଂ ସମ୍ପ୍ରସାରଣ ପାଇଁ ୬.୭୦ କୋଟି ଟଙ୍କା
2. ଦ୍ରୁତ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥାପନ ୮.୨୬ କୋଟି ଟଙ୍କା
3. ଷ୍ଟେସନ ବିଲ୍ଡିଂର ଦ୍ୱିତୀୟ ପ୍ରବେଶ ଦ୍ୱାରର ବିକାଶ ସହିତ ଏକ ନୂତନ G+2 ମୁଖ୍ୟ ଷ୍ଟେସନ ବିଲ୍ଡିଂର ନିର୍ମାଣ ପାଇଁ ୯୩.୧୯ କୋଟି ଟଙ୍କା ଯୋଜନା କରାଯାଇଛି ।
4. ଏପରିକି ଭିଡ଼ ହ୍ରାସ କରିବା ପାଇଁ ପ୍ଲାଟଫର୍ମ ସମ୍ପ୍ରସାରଣ କାର୍ଯ୍ୟ ସହିତ ଦୁଇ ଲେନ ବିଶିଷ୍ଟ ବସ୍ ଡ୍ରପ୍-ଅଫ୍ ଜୋନ୍ ସହିତ ଭବିଷ୍ୟତର ପାର୍କିଂ ଏବଂ ବାଣିଜ୍ୟିକ ବିକାଶ ପାଇଁ ୧୩,୧୦୦ ବର୍ଗ ମିଟର ସ୍ଥାନର ବ୍ୟବସ୍ଥା କରାଯାଇଛି ।
Berhampur railway station
ବ୍ରହ୍ମପୁର ରେଳ ଷ୍ଟେସନ (ETV Bharat Odisha)

ଏହି ସବୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ:
ରୂଫ ପ୍ଲାଜା ସୁବିଧା ନିମନ୍ତେ ୧,୦୯୮ ବର୍ଗ ମିଟର ରଖାଯାଇଛି । ଯାତ୍ରୀ ସୁବିଧା ପାଇଁ ୫୦୦ରୁ ଅଧିକ ଯାତ୍ରୀଙ୍କ ପାଇଁ ବସିବା କ୍ଷମତା ସହିତ ଏକ ପ୍ରଶସ୍ତ ପ୍ରତୀକ୍ଷାଳୟ ଏବଂ ଆଠଟି ଟିକେଟିଂ ୱିଣ୍ଡୋର ବ୍ୟବସ୍ଥା ସହିତ ଲିଫ୍ଟ, ଏସ୍କାଲେଟର, ଦିବ୍ୟାଙ୍ଗ-ଅନୁକୂଳ ଭିତ୍ତିଭୂମିର ବିକାଶ ଲକ୍ଷ୍ୟ ରଖାଯାଇଛି । ଭବିଷ୍ୟତର ଉନ୍ନତ ଯାତାୟାତ ବୃଦ୍ଧିକୁ ଧ୍ୟାନରେ ରଖି ଉନ୍ନତ ପାର୍କିଂ ଏବଂ ଟ୍ରାଫିକ୍ ସଞ୍ଚାଳନ ବ୍ୟବସ୍ଥା କରାଯିବ । ଏଥିସହ ସ୍ମାର୍ଟ, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ବିକାଶ ସହିତ ଏହି ପୁନଃବିକଶିତ ଷ୍ଟେସନରେ ଆଧୁନିକ ଏବଂ ପରିବେଶ ଅନୁକୂଳ ବୈଶିଷ୍ଟ୍ୟଗୁଡ଼ିକ ଅନ୍ତର୍ଭୁକ୍ତ ହେବ । ଏଥିପାଇଁ ସବୁଜ ବିଲ୍ଡିଂ ମାନଦଣ୍ଡ, ଛାତ ଉପରେ ସୌର ପ୍ୟାନେଲ, ବର୍ଷାଜଳ ସଂଗ୍ରହ ଏବଂ ଏହାକୁ ପୁନଃବ୍ୟବହାର ବ୍ୟବସ୍ଥା ସହ ଉପଯୁକ୍ତ ପୃଥକୀକରଣ ସହିତ ବୈଜ୍ଞାନିକ ପଦ୍ଧତି ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଜରୁରୀକାଳୀନ ପାୱାର ବ୍ୟାକ ଅପ୍ ସହିତ ଅଗ୍ନି ନିର୍ବାପନ ବ୍ୟବସ୍ଥା କରାଯିବ ।

Railway Ministry approves 93 crore rupees for berhampur station redevelopment process
ବ୍ରହ୍ମପୁରରେ ହେବ ଅତ୍ୟାଧୁନିକ ରେଳ ଷ୍ଟେସନ, ରେଳ ବିଭାଗ ପକ୍ଷରୁ 93 କୋଟି ଟଙ୍କା ମଞ୍ଜୁରୀ (ETV Bharat Odisha)

ସାଂସ୍କୃତିକ ପରିଚୟ ବହନ କରିବ:
ବ୍ରହ୍ମପୁର ନିଜର କଳା ଓ ଐତିହ୍ୟ ପାଇଁ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଏହାର ପ୍ରଚାର ଓ ପ୍ରସାର ପାଇଁ ଷ୍ଟେସନ୍‌ର ବାହ୍ୟ ଭାଗ ଏବଂ ଆଭ୍ୟନ୍ତରୀଣ ସ୍ଥାନ ଗୁଡ଼ିକରେ ବ୍ରହ୍ମପୁରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସ୍ଥାନିତ କରାଯିବ । ଏଠାରେ ରେଶମ ସହରର ଅନେକ କଳାକୃତି ସ୍ଥାନ ପାଇବ । ଏକ ପରିବହନ କେନ୍ଦ୍ର ସ୍ଥଳ ନୁହେଁ, ବରଂ ଏକ ଐତିହାସିକ ସ୍ଥାନ ଭାବରେ ଝଲସିବ ।

Railway Ministry approves 93 crore rupees for berhampur station redevelopment process
ବ୍ରହ୍ମପୁରରେ ହେବ ଅତ୍ୟାଧୁନିକ ରେଳ ଷ୍ଟେସନ, ରେଳ ବିଭାଗ ପକ୍ଷରୁ 93 କୋଟି ଟଙ୍କା ମଞ୍ଜୁରୀ (ETV Bharat Odisha)

ଦୀର୍ଘମିଆଦୀ ଲକ୍ଷ୍ୟ:

ବ୍ରହ୍ମପୁର ରେଳଷ୍ଟେସନ ଦେଇ ଦୈନିକ ପ୍ରାୟ ୧୬୨ଟି ଟ୍ରେନ୍‌ ଚଳାଚଳ କରିଥାଏ । ଏହି ଷ୍ଟେସନ ଗଞ୍ଜାମ, କନ୍ଧମାଳ, ରାୟଗଡା, କଳାହାଣ୍ଡି ଓ ବଲାଙ୍ଗୀର ଭଳି ନିକଟବର୍ତ୍ତୀ ଜିଲ୍ଲା ଗୁଡ଼ିକର ଯାତ୍ରୀମାନଙ୍କୁ ସେବା ଯୋଗାଇଥାଏ । ଏହା ଦକ୍ଷିଣ ଓଡ଼ିଶାର ଆର୍ଥିକ ଓ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରି ଆସୁଛି । ଏହି ପୁନଃବିକାଶ ପ୍ରକଳ୍ପ ଦ୍ବାରା ଭିଡ଼ ହ୍ରାସ ପାଇବ, ସୁରକ୍ଷା ବୃଦ୍ଧି ହେବ, ଯାତ୍ରୀ ସୁବିଧାରେ ଉନ୍ନତି ଆସିବ ଏବଂ ସହର ଏକ ପ୍ରମୁଖ ବାଣିଜ୍ୟିକ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବରେ ନିଜର ସ୍ଥାନ ସୁଦୃଢ କରିବ ବୋଲି ରେଳ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ସଉରା ଆର୍ଟ ସାଜିବ ରୋଜଗାରର ମାଧ୍ୟମ, କଳାକୁ ନୂଆ ରୂପଦେବା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରୟାସ

ବ୍ରହ୍ମପୁରରେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ


ଇଟିଭି ଭାରତ, ବ୍ରହ୍ମପୁର