ETV Bharat / state

ପୁରୀକୁ ମହାନଗର ନିଗମ ମାନ୍ୟତା; ବିକାଶ ହେବ ସହର ଭିତ୍ତିଭୂମି, ବଢ଼ିବ ରୋଜଗାର

ନୂଆବର୍ଷରେ ପୁରୀ ସହରବାସୀଙ୍କ ପାଇଁ ଖୁସି ଖବର । ମିଳିଲା ମହାନଗର ନିଗମ ମାନ୍ୟତା । ବିଭିନ୍ନ ଯୋଜନାରେ ବଢିବ ଅନୁଦାନ ରାଶି । ବିକାଶ ହେବ ପର୍ଯ୍ୟଟନ ଭିତ୍ତିଭୂମି ।

Puri Municipal Corporation
ପୁରୀକୁ ମହାନଗର ନିଗମ (ETV Bharat)
author img

By ETV Bharat Odisha Team

Published : January 5, 2026 at 8:53 PM IST

3 Min Read
Choose ETV Bharat

Puri Municipal Corporation ପୁରୀ: ରାଜ୍ୟ ସରକାର ପୁରୀ ପୌରପାଳିକାକୁ ମହାନଗରର ମାନ୍ୟତା ଦେଇଛନ୍ତି । ଏନେଇ ସରକାରୀ ସ୍ତରରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଗନ୍ନାଥ ଧାମକୁ ଏକ ବୃହତ୍ ସହର ତଥା ଗ୍ରେଟର ପୁରୀ ଗଠନ ନେଇ ରାଜ୍ୟ ସରକାରଙ୍କ ପରିକଳ୍ପନା ରହିଛି । ସହର ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ଫଳରେ ପୁରୀ ସହରବାସୀ ଉପକୃତ ହେବା ସହ ପର୍ଯ୍ୟଟକମାନେ ମଧ୍ୟ ଉପକୃତ ହୋଇପାରିବେ ।

ପୁରୀ ମହାନଗର ନିଗମ (ETV Bharat)

ପୁରୀ ମହାନଗର ନିଗମ ହେଲେ ଅଧିକ ଆର୍ଥିକ ଅନୁଦାନ ଆସିବ । ଏହାଦ୍ଵାରା ରାସ୍ତା ଘାଟ, ସ୍ୱେରେଜ୍, ପାନୀୟ ଜଳ ଯୋଗାଣ, ଆଲୋକିକରଣ ବ୍ୟବସ୍ଥା ସମେତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅଧିକ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତ ହୋଇପାରିବ । ପୁରୀ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ । ଲୋକମାନେ ଅଧିକ ରୋଜଗାର ପାଇବେ । ସରକାର ମଧ୍ୟ ଅଧିକ ରାଜସ୍ବ ପାଇବେ ।

ରାଜ୍ୟର ଷଷ୍ଠ ମହାନଗର ନିଗମ ପୁରୀ:

ରାଜ୍ୟରେ କଟକ, ଭୁବନେଶ୍ଵର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରେ ପୁରୀକୁ ମହାନଗର ନିଗମ ମାନ୍ୟତା ଦେଇଛନ୍ତି ସରକାର । ପୁରୀରେ ମଧ୍ୟ ମେୟର ନିର୍ବାଚନ ହେବ । ସବୁ ୱାର୍ଡରେ କର୍ପୋରେଟର ରହିବେ । ପୁରୀ ପୌରପାଳିକାର ୩୨ଟି ୱାର୍ଡ ସହିତ ସଦର ଉପକଣ୍ଠର ୩୪ଟି ରାଜସ୍ୱ ଗ୍ରାମକୁ ମିଶାଇ ପୁରୀ ମହାନଗର ନିଗମ ଗଠନ ହେବ । ଏହି ୩୪ଟି ଅଞ୍ଚଳରେ ମଧ୍ୟ ଉନ୍ନତ ରାସ୍ତାଘାଟ, ଡ୍ରେନଜ, ସ୍ୱେରେଜ, ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ରାସ୍ତା ଅଲୋକୀକରଣ ହେବ । ପ୍ରତ୍ୟେକ ଲୋକଙ୍କ ଘରୁ ଆବର୍ଜନା ସଂଗ୍ରହ ହେବ । ଏକ ସୁନ୍ଦର ସହର ଗଢି ଉଠିବ । ମହାନଗର ନିଗମର ବଜେଟ ବୃଦ୍ଧି ପାଇବ । ଫଳରେ ବିଭିନ୍ନ ଯୋଜନାର ଅନୁଦାନ ରାଶି ମଧ୍ୟ ବଢ଼ିବ । ଫଳରେ ସହରବାସୀଙ୍କୁ ଉନ୍ନତ ଓ ଆଧୁନିକ ସୁବିଧା ମାନ ମିଳିବ । ଯାହାକୁ ନେଇ ପୁରୀବାସୀଙ୍କ ମନରେ ନୂଆ ଖୁସି ଓ ଉନ୍ମାଦନା ଦେଖାଦେଇଛି ।

Puri Municipal Corporation
ପୁରୀ ମହାନଗର ନିଗମ (ETV Bharat)



ବାଣିଜ୍ୟିକ ପେଣ୍ଠସ୍ଥଳୀ ହେବ ପୁରୀ:

ପୁରୀ ମହାନଗର ନିଗମର ପ୍ରତିଷ୍ଠା ସଫଳ ହେଲେ ଶ୍ରୀକ୍ଷେତ୍ର ଚାରିପାର୍ଶ୍ଵରେ ଗଢି ଉଠିଥିବା ଜନବସତିର ଉନ୍ନତି ହେବ । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ । ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ବନ୍ଦର ପ୍ରତିଷ୍ଠା, ପୁରୀରୁ କୋଣାର୍କ ରେଳ ଲାଇନ, କୋଷ୍ଟାଲ ହାଇୱେ, ବିମାନ ବନ୍ଦର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ପୁରୀ ମହାନଗର ନିଗମକୁ ବାଣିଜ୍ୟିକ ପେଣ୍ଠସ୍ଥଳୀରେ ପରିଣତ କରିବ । ଫଳରେ ଧାର୍ମିକ ରାଜଧାନୀ ପୁରୀ, ପର୍ଯ୍ୟଟନ ସାଙ୍ଗକୁ ଏକ ବାଣିଜ୍ୟିକ ହବ୍‌ରେ ପରିଣତ ହେବ । ଲୋକଙ୍କୁ ଅଧିକ ନିଯୁକ୍ତି ଓ ସ୍ବାବଲମ୍ବୀ ହେବାରେ ସୁଯୋଗ ମିଳିବ । ଅଧିକ ହାଟ, ବଜାର, କମ୍ପ୍ଲେକ୍ସ, ସିନେମା ଘର, ପାର୍କର ସୁବିଧା ମିଳିବ ।

Puri Municipal Corporation
ପୁରୀ ମହାନଗର ନିଗମ (ETV Bharat)

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ:

ପୁରୀ ବାସିନ୍ଦା ତଥା ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ବହୁ ବର୍ଷ ହେବ ପୁରୀକୁ ମହାନଗର ନିଗମ ମାନ୍ୟତା ଦେବା ନେଇ ଦାବି ହେଉଥିଲା । ସରକାର ମହାନଗର ନିଗମର ମାନ୍ୟତା ଦେଇଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ସହରର ଭିତ୍ତିଭୂମି ବିକାଶ ହେବ । ଆଗାମୀ ଦିନରେ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ । ଅଧିକ ଆର୍ଥିକ ଅନୁଦାନ ଆସିବ । ସହରର ଭିତ୍ତିଭୂମି ବିକାଶ ସହ ସ୍ୱଚ୍ଛତା ବି ବଜାୟ ରହିବ ।"

Puri Municipal Corporation
ପୁରୀ ମହାନଗର ନିଗମ (ETV Bharat)

ଶ୍ରୀମନ୍ତ କୁମାର ଦାଶ ଆହୁରି କହିଛନ୍ତି ଯେ, କିଛି ଦିନ ତଳେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ଅନୁଷ୍ଠାନ ସହଯୋଗରେ ଜାପାନର କିଓତୋ (Kyoto)ରୁ ଏକ ଟିମ୍ ଆସି ପୁରୀ ପୌର ଅଧିକାରୀଙ୍କ ସହଆଲୋଚନା କରିଛନ୍ତି । ପୁରୀ ସହରରେ ଜାପାନ ଜ୍ଞାନକୌଶଳରେ କିଭଳି ଭିତ୍ତିଭୂମି ଉନ୍ନତି ହୋଇ ପାରିବ ସେ ନେଇ ଆଲୋଚନା ହୋଇଛି ।

ଏସବୁ ଅଞ୍ଚଳ ମହାନଗର ନିଗମରେ ହେବ ସାମିଲ:

ପୁରୀ ମହାନଗର ନିଗମର ପୂର୍ବରେ ବେଲଦଳ, ଉର ଓ ଦୋହିତାଖଣ୍ଡା, ପଶ୍ଚିମରେ ଗୋରୁଆଳ, ଉତ୍ତରରେ ମାଳତିପାଟପୁର ବସଷ୍ଟାଣ୍ଡ ଓ ଦକ୍ଷିଣରେ ବଙ୍ଗୋସାଗର ରହିବ । ପୁରୀ ସଦର ବ୍ଳକ ବଳିଗୁଆଳି ପଞ୍ଚାୟତ ଅନ୍ତର୍ଗତ ବାଲୁଖଣ୍ଡ, ସମଙ୍ଗରା ପଞ୍ଚାୟତର ସମଙ୍ଗରା, ବେଲଦଳ ପଞ୍ଚାୟତର ମୋହିନୀପୁର, ଆଳତୁଙ୍ଗା ଓ ଆଳଙ୍ଗା ପୁରୀ ମହାନଗର ନିଗମ ଅଞ୍ଚଳରେ ସାମିଲ ହେବ । ସେହିପରି ଗୋପୀନାଥପୁର ପଞ୍ଚାୟତର ଅଠରନଳା, ଆଲିଆସ ସମଙ୍ଗ, ଗୋପୀନାଥପୁର ଆଲିଆସ ରାଉତରାପୁର, କାଶୀହରିପୁର ପଞ୍ଚାୟତର କାଶୀହରିପୁର, ଶିରେଇକଣା ନାଟଣା, ଭାରତୀପୁର, କଦଳୀବାରିପାଟଣା, ଆଳିକିଆ, ଚକ୍ରବର୍ତ୍ତୀ, ଅଠରନଳା ଆଲିଆସ ଜିତିକର ମୁଦୁଲିପାଟଣା ଓ ବାସ୍ତୁ ରାଜସ୍ବ ଗ୍ରାମକୁ ଏଥିରେ ସାମିଲ କରାଯାଇଛି ।

Puri Municipal Corporation
ପୁରୀ ମହାନଗର ନିଗମ (ETV Bharat)

ସେହିପରି ବୀରହରେକୃଷ୍ଣପୁର ପଞ୍ଚାୟତର ହରେକୃଷ୍ଣପୁର, ରାହାଙ୍ଗୀରିଆ, ଜଗନ୍ନାଥପୁରବଲ୍ଲଭ, ବାଟଗାଁ, ଉତ୍ତରସରପଡ଼ା, ରେଣ୍ଡୁଅ, ପୁରୁଷୋତ୍ତମପୁର, ସମଙ୍ଗ ପଞ୍ଚାୟତର ସମଙ୍ଗ, ଖଡ଼ିପଦା, ରେବତୀରମଣ, ଶଙ୍କରପୁର, ସୁନାମୁହିଁ, କାଶୀଜଗନ୍ନାଥପୁର, ରାଜସ୍ୱଗ୍ରାମକୁ ପୁରୀ ମହାନଗର ନିଗମରେ ସାମିଲ କରାଯାଇଛି । ଶାସନଦାମୋଦରପୁର ପଞ୍ଚାୟତର ଉତ୍ତରକଣା, ସିରେଇକଣା, ଗଧିଆ ପାଟଣା, ନରସିଂହବଲ୍ଲଭ ଏବଂ ବ୍ରହ୍ମଗିରି ବ୍ଲକ୍ ଗୋରୁଆଳ ପଞ୍ଚାୟତର ସିପସରୁବାଲି ରାଜସ୍ବ ଗ୍ରାମକୁ ପୁରୀ ମହାନଗର ନିଗମ ଅଞ୍ଚଳ ଭିତରେ ସାମିଲ କରାଯାଇଛି ।

Puri Municipal Corporation
ପୁରୀ ମହାନଗର ନିଗମ (ETV Bharat)
'ଭିତ୍ତିଭୂମି ଉନ୍ନତ ହେବା ଦରକାର':

ବୁଦ୍ଧିଜୀବୀ ସିଦ୍ଧାର୍ଥ ରାୟ କହିଛନ୍ତି, "ରାଜ୍ୟ ସରକାର ପୁରୀକୁ ମହାନଗର ନିଗମର ମାନ୍ୟତା ପ୍ରଦାନ କରିବା ଆମ ପାଇଁ ଏକ ନୂଆବର୍ଷ ଉପହାର । ମହାନଗର ହେବାକୁ ହେଲେ ସେହି ଅନୁଯାୟୀ ଭିତ୍ତିଭୂମି ଉନ୍ନତ ହେବା ଦରକାର । ବିଶେଷକରି ପୁରୀ ମହାନଗର ନିଗମରେ ସାମିଲ ହୋଇଥିବା ଗ୍ରାମାଞ୍ଚଳଗୁଡ଼ିକର ବିକାଶ ମୁଖ୍ୟ ଚ୍ୟାଲେଞ୍ଜ ରହିବ । ପୁରୀକୁ ଦିନକୁ ଦିନ ପର୍ଯ୍ୟଟକ, ଭକ୍ତଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ରହିବା, ପରିମଳ, ସ୍ବାସ୍ଥ୍ୟ ସେବା ମୁଖ୍ୟ ଚ୍ୟାଲେଞ୍ଜ ରହିବ । ଏସବୁକୁ ଦୃଷ୍ଟି ଦିଆଯିବା ଦରକାର ।"

Puri Municipal Corporation
ପୁରୀ ମହାନଗର ନିଗମ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ଶେଷ ପର୍ଯ୍ୟାୟରେ ପୁରୀ ମହାନଗର ନିଗମ ଗଠନ ପ୍ରକ୍ରିୟା, ଏହି ୯ଟି ପଞ୍ଚାୟତ ହେବେ ସାମିଲ

ଏଣିକି ଚଳିବନି ମନମାନି: ବିନା ପଞ୍ଜିକରଣରେ ଚାଲୁଥିବା ହୋମ ଷ୍ଟେ-ଲଜରେ ଝୁଲିବ ତାଲା !


ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, "ପୁରୀ ପୌରପାଳିକାକୁ ମହାନଗର ନିଗମ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀର ୩୨ଟି ୱାର୍ଡ ଏବଂ ପୁରୀ ଉପକଣ୍ଠରେ ଥିବା ୯ଟି ପଞ୍ଚାୟତର ୩୪ଟି ରାଜସ୍ୱ ଗ୍ରାମକୁ ପୁରୀ ମହାନଗର ନିଗମରେ ସାମିଲ କରାଯାଇଛି । ସରକାରଙ୍କ ଗାଇଡଲାଇନ ଆସିବା ପରେ ସର୍ଭେ କରାଯାଇ କେତେ ଜନସଂଖ୍ୟାକୁ ନିଆଯାଇ କେତେ ୱାର୍ଡ ଗଠନ ହେବ ସେନେଇ କାର୍ଯ୍ୟ ଆରମ୍ଭ ହେବ । ଯେଉଁ ନୂଆ ଗାଁଗୁଡ଼ିକ ମହାନଗର ନିଗମରେ ସାମିଲ ହୋଇଛନ୍ତି ସେହି ଅଞ୍ଚଳରେ ରାସ୍ତା ଘାଟ ଉନ୍ନତି, ପାନୀୟଜଳ ଯୋଗାଣ, ଆଲୋକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯିବ ।"

ଇଟିଭି ଭାରତ, ପୁରୀ