ବଜ୍ରପାତରୁ ବଞ୍ଚାଇବ ତାଳଗଛ; ପୁରୀ ତାଳବଣିଆରେ ଲାଗିଲା 5 ହଜାର ଚାରା
ତାଳବଣିଆର ପୂର୍ବ ଗୌରବ ଫେରାଇ ଆଣିବାକୁ ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ ନିଆରା ପ୍ରୟାସ ।5 ହଜାର ତାଳ ଚାରା ରୋପଣ । ବଜ୍ରଘାତ ପାଇଁ ସାଜିବ ରକ୍ଷା କବଚ। ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର

Published : August 31, 2026 at 9:05 PM IST
ପୁରୀ: ଦିନେ ହଜାର ହଜାର ବିଶାଳ ତାଳ ଗଛରେ ଭରି ରହୁଥିଲା ପୁରୀର ତାଳବଣିଆ । ଦୂରରୁ ଦେଖିଲେ ଲାଗୁଥିଲା ଯେମିତି ଏକ ବିଶାଳ ତାଳ ବଣ । କିନ୍ତୁ ସମୟ ବଦଳିବା ସହ ତାଳବଣିଆରୁ ଧୀରେ ଧୀରେ ହଜିଗଲା ତାଳଗଛ । ପ୍ରାକୃତିକ ବିପର୍ଯ୍ୟୟ, ବ୍ୟାପକ ଗଛ କଟା ଏବଂ ଦ୍ରୁତ ସହରୀକରଣ ଯୋଗୁଁ ଆଜି ତାଳବଣିଆ ପ୍ରାୟ ତାଳଗଛ ଶୂନ୍ୟ । ଏବେ ପୁଣି ତାଳବଣିଆର ପୁରୁଣା ଗୌରବ ଫେରାଇବାକୁ ଆରମ୍ଭ ହୋଇଛି ଏକ ନିଆରା ଅଭିଯାନ ।
5 ହଜାର ତାଳ ଚାରା ରୋପଣ:
ପୁରୀର ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ ତାଳବଣିଆ ଜଙ୍ଗଲରେ ରୋପଣ କରାଯାଇଛି 5 ହଜାର ତାଳଗଛ ଚାରା । ପୁରୀ ବନ ବିଭାଗର ସହଯୋଗରେ ଏହି ଚାରାରୋପଣ କାର୍ଯ୍ୟକ୍ରମ ହୋଇଛି । କେବଳ ତାଳବଣିଆ ନୁହେଁ, ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ଆହୁରି ହଜାର ହଜାର ତାଳଗଛ ଚାରା ରୋପଣ କରାଯିବ ବୋଲି ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ କୁହାଯାଇଛି ।

ରକ୍ଷା କବଚ ସାଜିବ ତାଳ ଗଛ:
ରାଜ୍ୟରେ ଦିନକୁ ଦିନ ବଜ୍ରଘାତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ତାଳ ଗଛ ଥିଲେ ମଣିଷକୁ ବଜ୍ରଘାତ ହୋଇନଥାଏ । ଏହା ଅଧିକ ଉଚ୍ଚତା ବିଶିଷ୍ଟ ହୋଇଥିବା ଯୋଗୁଁ ବଜ୍ରପାତ ସମୟରେ ରକ୍ଷା କବଚ ସାଜି ଥାଏ । ଲୋକଙ୍କ ଜୀବନହାନୀ କମ୍ ହୁଏ । ଏଣୁ ତାଳଗଛକୁ ବଜ୍ରପାତର ସୁରକ୍ଷା କବଚ ବୋଲି କୁହାଯାଏ । ବଜ୍ରଘାତରୁ ରକ୍ଷା ପାଇବା ପାଇଁ ବ୍ୟାପକ ଭାବରେ ତାଳ ଗଛ ଲଗାଇବା ଆବଶ୍ୟକତା ବୋଲି ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ କୁହାଯାଇଛି ।
ଏହି ତାଳ ଗଛ ଚାରା ରୋପଣ କାର୍ଯ୍ୟକ୍ରମରେ ପୁରୀ ବନ ବିଭାଗ ସମେତ ପରିବେଶ ପ୍ରେମୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଆଗାମୀ ଦିନରେ କିଭଳି ଅଧିକ ତାଳ ଗଛ ଚାରା ଲଗାଯାଇ ପାରିବ ଏବଂ ତାଳ ଗଛର ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ଲକ୍ଷ୍ୟ ରଖିଛି ଶ୍ରୀକ୍ଷେତ୍ର ଦୋରା ସମାଜ ।

8 ବର୍ଷରେ 2516ଙ୍କ ଜୀବନ ନେଇଛି ବଜ୍ରପାତ:
ସାରା ଭାରତରେ ସର୍ବାଧିକ ବଜ୍ରପାତରେ ମୃତ୍ୟୁ ଓଡ଼ିଶାରେ ହେଉଛି । ଅତୀତରେ ଅନେକ ତାଳ ଗଛ ବିଭିନ୍ନ ସ୍ଥାନରେ ଥିବାରୁ ପ୍ରବଳ ବଜ୍ରପାତ ବେଳେ ଲୋକମାନେ ସୁରକ୍ଷିତ ରହିପାରୁ ଥିଲେ । ଏଣୁ ପ୍ରତ୍ୟେକ ନାଗରିକ ତାଳ ଗଛ ରୋପଣ ଏବଂ ଏହାର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉଚିତ୍ ବୋଲି ପରିବେଶ ପ୍ରେମୀ କହିଛନ୍ତି । ଓଡ଼ିଶାରେ ଗତ 8 ବର୍ଷରେ 2516ଙ୍କ ଜୀବନ ନେଇଛି ବଜ୍ରପାତ ।
| ବର୍ଷ | ବଜ୍ରଘାତ ମୃତ୍ୟୁ ସଂଖ୍ୟା |
| 2018-19 | 332 ଜଣ |
| 2019-20 | 351 ଜଣ |
| 2020-21 | 291 ଜଣ |
| 2021-22 | 281 ଜଣ |
| 2022-23 | 291 ଜଣ |
| 2023-24 | 266 ଜଣ |
| 2024-25 | 239 ଜଣ |
ଗତ 8-9 ବର୍ଷରେ ବାର୍ଷିକ ମୃତ୍ୟୁ ସଂଖ୍ୟା 300 ହାରାହାରିକୁ ଅତିକ୍ରମ କରିଥିବା ବେଳେ ଗତ 8 ବର୍ଷରେ ରାଜ୍ୟରେ ମୋଟ ବଜ୍ରପାତ ଜନିତମୃତ୍ୟୁ ସଂଖ୍ୟା ଅଢେଇ ହଜାରରେ ପହଞ୍ଚିଛି ।

ଶ୍ରୀକ୍ଷେତ୍ର ଦୋରା ସମାଜର ସମ୍ପାଦକ ଜଗନ୍ନାଥ ରାଓ କହିଛନ୍ତି," ଓଡ଼ିଶାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ 5 ଲକ୍ଷ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଆମ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି । ପୁରୀର ତାଳବଣିଆରେ ୫ ହଜାର ତାଳ ଗଛ ଚାରା ରୋପଣ ଆମ ଅନୁଷ୍ଠାନ ପକ୍ଷରୁ କରାଯାଇଛି । ବନ ବିଭାଗ ଅଧିକାରୀ, ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଆମେ ତାଳ ଗଛ ଚାରା ରୋପଣ କାର୍ଯ୍ୟକ୍ରମ କରିବୁ । ତାଳ ଗଛ ଆମର ସୁରକ୍ଷା କବଚ । ଏହା ଆମକୁ ବଜ୍ରପାତରୁ ରକ୍ଷା କରିଥାଏ । ଏନେଇ ଲୋକଙ୍କୁ ଆମେ ସଚେତନତା ବାର୍ତ୍ତା ଦେବାକୁ ଉଦ୍ୟମ କରୁଛୁ । ଏହି ଅଭିଯାନ ନିଶ୍ଚିତ ସଫଳ ହେବ ବୋଲି ଆମର ଆଶା ରହିଛି ।"

ତାଳବଣିଆର ପୂର୍ବ ଗୌରବ ଫେରିବ :
ସମାଜସେବୀ ବାବୁଲା ପ୍ରସାଦ କହିଛନ୍ତି,"ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ କରାଯାଇଛି । ପୁରୀର ତାଳବଣିଆରେ 5 ହଜାର ତାଳ ଗଛ ଚାରା ରୋପଣ କରାଯାଇଛି । ଅତୀତରେ ତାଳବଣିଆରେ ହଜାର ହଜାର ତାଳ ଗଛ ଥିଲା । ଯାହାକି ପୁରୀ ସହରକୁ ସୁରକ୍ଷା ଦେଉଥିଲା । ବଜ୍ରପାତରୁ ସୁରକ୍ଷା ଦେଉଥିଲା । ତେବେ ଦ୍ରୁତ ସହରୀ କରଣ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏବେ ତାଳ ବଣିଆରେ ତାଳ ଗଛ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ତେବେ ଶ୍ରୀକ୍ଷେତ୍ର ଦୋରା ସମାଜ ପରିବେଶ ସୁରକ୍ଷା ପାଇଁ ବନ ବିଭାଗ ସହଯୋଗରେ 5 ହଜାର ତାଳ ଗଛ ଚାରା ରୋପଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଆହୁରି ତାଳ ଗଛ ଚାରା ରୋପଣ କାର୍ଯ୍ୟକ୍ରମ କରାଯିବ । ଲୋକଙ୍କ ମଧ୍ୟରେ ତାଳ ଗଛ ଚାରା ରୋପଣ ଓ ତାଳ ଗଛ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହି ନିଆରା ଅଭିଯାନ ନିଶ୍ଚିତ ସଫଳ ହେବ ।"

ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ତାଳ ଗଛ:
ପୁରୀ ବାଲୁଖଣ୍ଡ ରେଞ୍ଜ ଅଫିସର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି," ଶ୍ରୀକ୍ଷେତ୍ର ଦୋରା ସମାଜ ପକ୍ଷରୁ ସୁନ୍ଦର କାର୍ଯ୍ୟକ୍ରମ କରାଯାଇଛି । ତାଳବଣିଆରେ 5 ହଜାର ତାଳ ଗଛ ଚାରା ରୋପଣ କରାଯାଇଛି । ଏହା ଆମ ପୁରୀର ପରିବେଶ ଉପରେ ନିଶ୍ଚିତ ବଡ ପ୍ରଭାବ ପକାଇବ । ବିଶାଳ ତାଳଗଛ ଲୋକଙ୍କୁ ବଜ୍ରପାତରୁ ସୁରକ୍ଷା ଦେବ । ଏହା ଏକ ପ୍ରାକୃତିକ ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବ । ବଜ୍ରପାତ ଜନିତ ଜୀବନ ହାନି ହ୍ରାସ କରିବାରେ ଏହି ତାଳ ଗଛ ବହୁତ୍ ବଡ଼ ଭୂମିକା ନେବ । ମୋର ସମସ୍ତଙ୍କୁ ଅନୁରୋଧ ସମସ୍ତେ ତାଳ ଗଛ ରୋପଣ କରନ୍ତୁ । ଏହାର ସୁରକ୍ଷା କରନ୍ତୁ । ଚଳିତ ବର୍ଷ 5ରୁ 6 ଲକ୍ଷ ତାଳ ଗଛ ଚାରା ରୋପଣ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ବନ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ତାଳ ଗଛ ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ଅନେକ ସାମାଜିକ ସଂଗଠନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି ।"

ଇଟିଭି ଭାରତ, ପୁରୀ

