3 ପର୍ଯ୍ୟାୟରେ ଗଣା ହେବ ରତ୍ନଭଣ୍ଡାର ଅଳଙ୍କାର, SOP ଚୁଡାନ୍ତ
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ପାଇଁ ଏସଓପି ପ୍ରସ୍ତୁତ । ମହାପ୍ରଭୁଙ୍କ ନୀତି କାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ବାଧା ନ ଉପୁଜିବା ପାଇଁ ଗୁରୁତ୍ବ ।

Published : December 28, 2025 at 7:40 AM IST
|Updated : December 28, 2025 at 7:56 AM IST
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଣତି ମଣତି ପାଇଁ SOP ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ଗଣତି ମଣତି କାର୍ଯ୍ୟ । ଗଣତି ମଣତି ସମୟରେ ବାହାର କାଠରୁ ମହାପ୍ରଭୁଙ୍କୁ ଭକ୍ତଙ୍କ ଦର୍ଶନ ଜାରି ରହିବ । ତିନୋଟି ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତି ମଣତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ଗଣତି ମଣତି ପାଇଁ ଉଚ୍ଚସ୍ତରୀୟ ବୈଠକ:
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର କିପରି ଗଣତି ମଣତି ସମ୍ପାଦନ କରାଯିବ ଏନେଇ ଏକ SOP ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି କାର୍ଯ୍ୟ କରାଯିବ । ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶନିବାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ନେଇ ଏସଓପି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନଭଣ୍ଡାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ଏହି ବୈଠକରେ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି, ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ପ୍ରାଧିକୃତ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

SOP ପ୍ରସ୍ତୁତ:
ଏହି ବୈଠକରେ ୧୧ ପୃଷ୍ଠା ସମ୍ବଳିତ ଏକ ଏସଓପି ପ୍ରସ୍ତୁତ କରାଯାଇଛି । ଏହାକୁ ପରିଚାଳନା କମିଟିରେ ଅନୁମୋଦିତ କରାଯିବା ପରେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ । ପରେ ଉକ୍ତ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ।

3ଟି ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ:
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି,"କେବେଠାରୁ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ତାହା ଏବେ କହିବା ସମ୍ଭବପର ନୁହେଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଆସିବା ପରେ ଗଣତି ମଣତି ଆରମ୍ଭ କରାଯିବ । ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ଯେଭଳି ମହାପ୍ରଭୁଙ୍କ ନୀତି କାନ୍ତି ଏବଂ ଭକ୍ତଙ୍କ ଦର୍ଶନରେ ବାଧା ନ ଉପୁଜିବ ସେନେଇ ବିଶେଷ ଗୁରୁତ୍ବ ଦିଆଯିବ । ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କେବଳ ପ୍ରାଧିକୃତ ପାଳିଆ ସେବାୟତମାନଙ୍କୁ ପ୍ରବେଶ ପାଇଁ ଅନୁମତି ସହ ପରିଚୟପତ୍ର ଦିଆଯିବ । 3ଟି ପର୍ଯ୍ୟାୟରେ ହେବ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟରେ ଦୈନନ୍ଦିନ ମହାପ୍ରଭୁଙ୍କ ଚଳନ୍ତି ରତ୍ନ ଅଳଙ୍କାର, ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଏବଂ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ।"

ଉପସ୍ଥିତ ରହିବେ RBI ଅଧିକାରୀ:
ରତ୍ନ ଅଳଙ୍କାରର ଗଣତି ମଣତି ସମୟରେ RBIର ଜଣେ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବଣିଆ ବା ସ୍ବର୍ଣ୍ଣକାରକୁ ମଧ୍ୟ ଗଣତି ମଣତି ସମୟରେ ସାମିଲ୍ କରାଯିବ । ୧୯୭୮ ମସିହାର ରତ୍ନ ଅଳଙ୍କାରର ତାଲିକା ସହିତ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ରତ୍ନ ଅଳଙ୍କାରର ମେଳକ କରାଯିବ । ରତ୍ନଭଣ୍ଡାରର ଗଣତି ମଣତି ପରେ ଚାବିକୁ ଜିଲ୍ଲା କୋଷାଗାରରେ ରଖାଯିବ । ସମସ୍ତ ଗଣତି ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଗଣତି ମଣତିରେ ସାମିଲ୍ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡ଼ା ଯାଞ୍ଚ ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ଏହି ବୈଠକ ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଚାଲିଥିଲା । ବୈଠକ ପରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: କାଳିଆ ସେବାରେ କୁଡୁଆ: କୁମ୍ଭାରପଡ଼ାକୁ କେବେ ମିଳିବ କଳାଗ୍ରାମ ମାନ୍ୟତା ? କେବଳ ବାପା-ମାଙ୍କ ଖୁସି ପାଇଁ…ଦଣ୍ଡ ପକାଇ ନୟାଗଡରୁ ପୁରୀ ଯାତ୍ରା କରୁଛନ୍ତି ସୁଶୀଲ |
ଇଟିଭି ଭାରତ, ପୁରୀ

