ରଥକାଠ ଚିହ୍ନଟ ପାଇଁ ନୟାଗଡ଼ ଗଲେ ଶ୍ରୀମନ୍ଦିର ପ୍ରଶାସନର 5 ଜଣିଆ ଟିମ
ରଥଯାତ୍ରା 2026 ପାଇଁ ଆରମ୍ଭ ହେଲା ପ୍ରାଥମିକ ପ୍ରସ୍ତୁତି । ରଥକାଠ ଚିହ୍ନଟ ପାଇଁ ନୟାଗଡ଼ ଗଲେ ଶ୍ରୀମନ୍ଦିର ପ୍ରଶାସନର 5 ଜଣିଆ ଟିମ । ସରସ୍ଵତୀ ପୂଜାରେ ହେବ ରଥକାଠ ଅନୁକୂଳ ।

Published : December 29, 2025 at 7:55 PM IST
Puri Ratha Yatra 2026 ପୁରୀ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ସରସ୍ବତୀ ପୂଜାରେ ଅନୁକୂଳ ହେବ ରଥକାଠ । ରଥକାଠ ଚିହ୍ନଟ ପାଇଁ ଆଜି(ସୋମବାର) ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି । ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିଛନ୍ତି । ଏହି ଟିମରେ ରଥ ନିର୍ମାଣର ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ମଧ୍ୟ ରହିଛନ୍ତି ।
ମା’ଙ୍କଠୁ ଅନୁମତି ପରେ ଚିହ୍ନଟ ହେବ ରଥକାଠ:
ତେବେ ଆସନ୍ତାକାଲି(ମଙ୍ଗଳବାର) ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ମୋଟ ୮୬୫ କାଠର ଆବଶ୍ୟକତା ରହିଛି । ୪୭ ଖଣ୍ଡ କାଠ ପୂର୍ବବର୍ଷର ବଳକା ରହିଥିବା ବେଳେ ମୋଟ ୮୧୮ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠ ଆବଶ୍ୟକତା ରହିଛି । ତେବେ ଆସନ୍ତା ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ ହେବାସହ ଆସନ୍ତା ଅକ୍ଷୟ ତୃତୀୟାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ମହାପ୍ରଭୁଙ୍କ ଆଶୀର୍ବାଦରେ କାର୍ଯ୍ୟ ସୁରୁଖୁରୁ ହେବ ବୋଲି ଆଶା..
ରଥର ତତ୍ତ୍ଵବଧାରକ ଚିତ୍ତରଞ୍ଜନ ମହାପାତ୍ର କହିଛନ୍ତି, ‘ମହାପ୍ରଭୁଙ୍କ ରଥକାଠ ଚିହ୍ନଟ ପାଇଁ ମତେ ପ୍ରଥମ ଥର ପାଇଁ ସୁଯୋଗ ମିଳିଥିବାରୁ ଧନ୍ୟ ମନେ କରୁଛି । ମୁଁ ସମ୍ପୂର୍ଣ୍ଣ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପି ଦେଇଛି । ତାଙ୍କରି ଆଶୀର୍ବାଦରୁ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ କାର୍ଯ୍ୟ ସୁରୁଖୁରରେ ହେବ ବୋଲି ଆମର ବିଶ୍ୱାସ ରହିଛି ।’

ନୟାଗଡ ଅଭିମୁଖେ 5 ଜଣିଆ ଟିମ୍:

ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ‘୨୦୨୬ ରଥଯାତ୍ରା ନିମନ୍ତେ ରଥ କାଠ ଚିହ୍ନଟ ପାଇଁ ଆଜି ଆମେ ପୁରୀରୁ ୫ ଜଣିଆ ଟିମ୍ ନୟାଗଡ଼ ବଡମୂଳ ରାଉଳ ଠାକୁରାଣୀଙ୍କ ପାଖକୁ ବାହାରିଛୁ । ଆସନ୍ତାକାଲି ପୂଜାର୍ଚ୍ଚନା ପରେ ରଥକାଠ ଚିହ୍ନଟ କାର୍ଯ୍ୟ ଆରମ୍ଭ କରିବୁ । ବିଧି ଅନୁଯାୟୀ ଆସନ୍ତା ସରସ୍ଵତୀ ପୂଜା ଦିନ ୩ଟି ଧଉରା କାଠ ପୂଜା ହେବାର ବିଧି ରହିଛି । ଏହି କାଠ ପୁରୀକୁ ପଠାଇବୁ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ ପୁରୀକୁ କାଠ ପ୍ରେରଣ କରିବୁ ।’
ଇଟିଭି ଭାରତ, ପୁରୀ

