ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ନିଆରା ଅଭିଯାନ; ଚିରାଫଟା ତ୍ରିରଙ୍ଗାକୁ ସଂଗ୍ରହ କରି ମାଟି ତଳେ ଦେଉଛନ୍ତି ସମାଧି
ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ନିଆରା ସଚେତନତା । ତ୍ରିରଙ୍ଗାର ସୁରକ୍ଷା ପାଇଁ ଘର ଘର ବୁଲି କରୁଛନ୍ତି ସଚେତନତା । ଚିରାଫଟା ତ୍ରିରଙ୍ଗାକୁ ସଂଗ୍ରହ କରି ମାଟି ତଳେ ଦେଉଛନ୍ତି ସମାଧି ।

Published : February 26, 2026 at 3:07 PM IST
ସ୍ପେଶାଲ ଷ୍ଟୋରୀ: ଶକ୍ତିପ୍ରସାଦ ମିଶ୍ର
Tiranga Awareness ପୁରୀ: ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକା ବା ତ୍ରିରଙ୍ଗା । ଏହା କେବଳ ଏକ କପଡ଼ାର ଖଣ୍ଡ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଆବେଗ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମାରକୀ । ଆଉ ଏହି ତ୍ରିରଙ୍ଗାର ସୁରକ୍ଷା ଓ ସମ୍ମାନ ପାଇଁ ପୁରୀ ସହରର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସଚେତନତା ସୃଷ୍ଟି ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି । ଜାତୀୟ ପତାକାର କିଭଳି ସମ୍ମାନ କରାଯାଇପାରିବ, ଦେଶ ମାତୃକା ସେବାରେ ଜାତୀୟ ପତାକାର କଣ ମହତ୍ତ୍ଵ ରହିଛି ଏବଂ ତ୍ରିରଙ୍ଗାକୁ କିଭଳି ସସମ୍ମାନରେ ରଖାଯାଇପାରିବ ଏ ସମ୍ପର୍କରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଭାରତୀୟ ସେନାରୁ ଅବସରପ୍ରାପ୍ତ ସୁବେଦାର ମେଜର ଭାସ୍କର ପରିଡ଼ା ।
ପୁରୀର ଅବସରପ୍ରାପ୍ତ ସେନା ଅଧିକାରୀ ସୁବେଦାର ମେଜର ଭାସ୍କର ପରିଡ଼ା (୬୧) ଭାରତୀୟ ସେନାରେ ୧୯୮୭ ମସିହାରେ ଯୋଗ ଦେଇଥିଲେ । ସେ ଭାରତୀୟ ସେନାରେ ଦୂର ସଂଚାର ବିଭାଗରେ କାର୍ଯ୍ଯ କରିଛନ୍ତି । ୨୦୧୫ ଏପ୍ରିଲରେ ସେ ସେନାରୁ ଅବସର ନେଇଥିଲେ । ଦୀର୍ଘ ୨୮ ବର୍ଷ ଧରି ସେନାରେ କାର୍ଯ୍ୟ କରି ଦେଶ ମାତୃକା ସେବାରେ ଲାଗିଥିଲେ । ଚାକିରିରୁ ଅବସର ପରେ ଲୋକଙ୍କ ମଧ୍ୟରେ ଦେଶପ୍ରେମ ନେଇ ସଚେତନତା କାର୍ଯ୍ଯ କରୁଛନ୍ତି । ଏଥି ସହିତ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି । ସେ ଏବେ ପୁରୀ ଜିଲ୍ଲା ପୂର୍ବତନ ସୈନିକ ସଂଘର ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି । ଚିରା ଫଟା କିମ୍ବା ରଙ୍ଗ ଛାଡ଼ି ଯାଇଥିବା ଜାତୀୟ ପତାକାକୁ କାଢି ଏହାକୁ ମାଟି ତଳେ ସମାଧି ଦେବାକୁ ଲୋକଙ୍କୁ ସଚେତନ କରୁଛନ୍ତି । ଯଦି କେହି ଏହା କରିବାକୁ ଅସମର୍ଥ ଜାହିର କରୁଛନ୍ତି, ସେ ନିଜେ ସେମାନଙ୍କଠାରୁ ଜାତୀୟ ପତାକା ଆଣି ମାଟି ଖୋଳି ଏହାକୁ ଭାଙ୍ଗି ଅଶୋକ ଚକ୍ରକୁ ଉପର ପାର୍ଶ୍ଵକୁ ରଖି ପୋତି ଦେଉଛନ୍ତି । କେବଳ ଘରେ ନୁହେଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନରେ ପହଞ୍ଚି ଏହି ବାର୍ତ୍ତାକୁ ପ୍ରଚାର କରୁଛନ୍ତି ।

ଜାତୀୟ ପତାକାର ସୁରକ୍ଷା ପାଇଁ ସଚେତନତା:
ଅବସରପ୍ରାପ୍ତ ସେନା ଅଧିକାରୀ ସୁବେଦାର ମେଜର ଭାସ୍କର ପରିଡ଼ାଙ୍କ କହିବା ଅନୁସାରେ, ସେ ଦୀର୍ଘ ୨୮ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟ କରି ଦେଶ ସେବା କରିଛନ୍ତି । ପ୍ରତ୍ୟେକ ସୈନିକଙ୍କ ପାଇଁ ଜାତୀୟ ପତାକା ବହୁ ଗୁରୁତ୍ଵ ବହନ କରେ । 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରାଯାଇ ରାଷ୍ଟ୍ରଧର୍ମ ପାଳନ କରି ପାଇଁ ସମସ୍ତଙ୍କୁ ସୁଯୋଗ ଦିଆଗଲା । ମାତ୍ର କିଛି ଦିନ ପରେ ଜାତୀୟ ପତାକାକୁ ନେଇ ଲୋକମାନଙ୍କ ମଧ୍ୟରେ ଅବହେଳା ଆରମ୍ଭ ହୋଇଗଲା । ଜାତୀୟ ପତାକା ୨୬ ଜାନୁଆରୀ ଓ ଅଗଷ୍ଟ ୧୫ରୁ ଲାଗାଯାଇଥିବା ବେଳେ ଏହାର ରଙ୍ଗ ଛାଡିଯିବା ପରେ ମଧ୍ୟ ସେମିତି ପତକା ଲାଗି ରହିବା ଦୃଶ୍ୟ ଦେଖି ଭାସ୍କର ପରିଡ଼ାଙ୍କୁ କଷ୍ଟ ଲାଗିଥିଲା । ପରେ ସେ ଜାତୀୟ ପତାକାର ସୁରକ୍ଷା ଓ ସମ୍ମାନ ନେଇ ଲୋକଙ୍କୁ ବୁଝାଇବା ଆରମ୍ଭ କରିଥିଲେ ।

କେବେଠୁ ଆରମ୍ଭ କଲେ ଅଭିଯାନ:
ସୁବେଦାର ମେଜର ଭାସ୍କର ପରିଡ଼ା କହିଛନ୍ତି, "ନିୟମ ରହିଛି ରଙ୍ଗହୀନ, ଚିରାଫଟା, ଅବ୍ୟସ୍ଥିତ ଭାବେ ଜାତୀୟ ପତାକାକୁ ରଖାଯାଏ ନାହିଁ । ଏହା ଜାତୀୟ ପତାକାର ଅବମାନନା । ତେଣୁ ମୁଁ ପ୍ରତ୍ୟେକ ଲୋକଙ୍କୁ ଜାତୀୟ ପତାକାକୁ ସମ୍ମାନ ଦେବା ଉପରେ ବୁଝାଇବା ଆରମ୍ଭ କଲି । ଗତ ୨୦୨୩ ମସିହା ଫେବୃଆରୀରେ ପ୍ରଥମେ ଆଦର୍ଶ ନଗର ପ୍ରାଥମିକ ବିଦ୍ୟାଳୟରୁ ଏହି ତ୍ରିରଙ୍ଗା ସଚେତନତା ଅଭିଯାନ ଆରମ୍ଭ କରିଥିଲି । ଧୀରେ ଧୀରେ ଲୋକମାନେ ବୁଝିବାରେ ସକ୍ଷମ ହେଲେଣି । ଜାତୀୟ ପତାକାକୁ ମାଟି ତଳେ ରଖି କିଭଳି ସମାଧି ଦିଆଯାଏ ସେନେଇ ଲୋକଙ୍କୁ ସଚେତନ କରୁଛି । ଦେଶର ଭବିଷ୍ୟତ ଛାତ୍ରଛାତ୍ରୀଙ୍କୁ ଏ ନେଇ ଅଧିକ ସଚେତନ କରୁଛି ।"

ତେବେ ଗତ ଫେବୃଆରୀ ୨୦୨୩ରୁ ୩ ବର୍ଷ ଧରି ସେ ଏହି ସଚେତନତା କାର୍ଯ୍ୟ କରିଆସୁଛନ୍ତି । ଏହା ମଧ୍ୟରେ ୨ ହଜାରରୁ ଅଧିକ ଘର ଓ ପ୍ରତିଷ୍ଠାନରେ ପହଞ୍ଚି ଜାତୀୟ ପତାକା ଉଚିତ୍ ସମ୍ମାନ ପୂର୍ବକ ରଖିଛନ୍ତି । ଫେବୃଆରୀ ୨୦୨୩ ମସିହାରେ ପ୍ରଥମେ ଆଦର୍ଶ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ସେ ଏହି ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ଦୁଇଟି ପୁରୁଣା ଜାତୀୟ ପତାକା ମାଟି ତଳେ ସମାଧି ଦେବା ସହ ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକାର ମହତ୍ତ୍ଵ ସମ୍ପର୍କରେ ସଚେତନ କରାଇଥିଲେ । ସେବେଠାରୁ ମେଜର ପରିଡ଼ା ଏହା ତାଙ୍କ ଜୀବନର ଏକ ଗୁରୁଦାୟିତ୍ଵ ଭାବେ ଗ୍ରହଣ କରି ତ୍ରିରଙ୍ଗା ସଚେତନତା ଅଭିଯାନ ଜାରି ରଖିଛନ୍ତି ।

ଆଦର୍ଶ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ର କହିଛନ୍ତି, "ତ୍ରିରଙ୍ଗାର ସୁରକ୍ଷା ଓ ସମ୍ମାନ ନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଭାସ୍କର ପରିଡ଼ାଙ୍କ ଉଦ୍ୟମ ବହୁତ ଭଲ । ସେ ଆମ ସ୍କୁଲ ଆସି ଛାତ୍ରଛାତ୍ରୀଙ୍କୁ ଦେଶ ପ୍ରେମ, ଜାତୀୟ ପତାକାର ମହତ୍ତ୍ଵ ସମ୍ପର୍କରେ ଉପଦେଶ ଦେଇଛନ୍ତି । ବିଭିନ୍ନ ସ୍କୁଲ, ବ୍ୟବସାୟ ପ୍ରତିଷ୍ଠାନକୁ ସେ ନିଜେ ଯାଇ ଜାତୀୟ ପତାକାର ମହତ୍ତ୍ଵ ଓ ସମ୍ମାନ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ଏହା ନିଶ୍ଚିତ ଆମ ସମାଜ ପାଇଁ ଭଲ ପ୍ରଭାବ ପକାଇବ । ଆମ ସ୍କୁଲରେ ଥିବା ୨ଟି ପୁରୁଣା ଜାତୀୟ ପତାକାକୁ ସେ ମାଟି ତଳେ ସମାଧି ଦେଇଛନ୍ତି । ଆମେ ତାଙ୍କର ଏହି ନିଆରା ପ୍ରୟାସକୁ ସ୍ବାଗତ କରୁଛୁ ।"

ପୁରୀ ବାସିନ୍ଦା ସୁଦର୍ଶନ ରାଉଳ କହିଛନ୍ତି, "ଅବସରପ୍ରାପ୍ତ ସେନା ଅଧିକାରୀ ଭାସ୍କର ପରିଡ଼ାଙ୍କ ଏହି ସଚେତନ କାର୍ଯ୍ୟ ସମାଜକୁ ଏକ ଭଲ ବାର୍ତ୍ତା ପ୍ରଦାନ କରୁଛି । ପ୍ରତ୍ୟେକ ଭାରତୀୟ ତ୍ରିରଙ୍ଗାକୁ ନେଇ ଗର୍ବ କରନ୍ତି । ତ୍ରିରଙ୍ଗା ହିଁ ଆମର ଏକତାର ପ୍ରତୀକ । ତେଣୁ ଏହାର ସୁରକ୍ଷା ଓ ସମ୍ମାନ କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ । ଅବସରପ୍ରାପ୍ତ ସେନା ଅଧିକାରୀ ଭାସ୍କର ପରିଡ଼ାଙ୍କ ସଚେତନ କାର୍ଯ୍ୟକ୍ରମ ବହୁତ୍ ପ୍ରଶଂସନୀୟ ।"

ଏହା ମଧ୍ୟ ପଢ଼ନ୍ତୁ... ଆରପିଏଫ୍ ଯବାନଙ୍କ ଦୁଃସାହସିକ କଳା କୌଶଳ; ଚଳନ୍ତା ବୁଲେଟ୍ ଉପରେ ପିରାମିଡ୍, ଯୋଗ ମାଟିରେ ଦେଖୁଥିଲେ ରୁଟିର ସ୍ୱପ୍ନ; ଆଜି ହାତରେ ତ୍ରିରଙ୍ଗା, ଆଖିରେ ଆକାଶରେ ଉଡିବାର ନିଶା |
ଜାତୀୟ ପତାକା ସମ୍ପର୍କରେ କିଛି ତଥ୍ୟ:
ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ରହିଛି । ଏଥିରେ ଉପରେ କେଶରୀ, ମଝିରେ ଧଳା ଏବଂ ତଳେ ଗାଢ଼ ସବୁଜ ରଙ୍ଗ ରହିଥାଏ । ଧଳା ରଙ୍ଗର ମଝିରେ ନୀଳ ରଙ୍ଗର 'ଅଶୋକ ଚକ୍ର' ଥାଏ । ଯେଉଁଥିରେ ୨୪ଟି ଅର ରହିଥାଏ । ଏହା ପ୍ରଗତିର ପ୍ରତୀକ । ଜାତୀୟ ପତାକାରେ ଥିବା ରଙ୍ଗର ମହତ୍ତ୍ୱ ରହିଚି । କେଶରୀ ରଙ୍ଗ ସାହସ, ତ୍ୟାଗ ଏବଂ ବଳିଦାନର ପ୍ରତୀକ । ଧଳା ରଙ୍ଗ ଶାନ୍ତି, ସତ୍ୟ ଏବଂ ପବିତ୍ରତାର ପ୍ରତୀକ । ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଏବଂ ଦେଶର ସବୁଜିମାର ପ୍ରତୀକ । ତେବେ ଜାତୀୟ ପତାକା ନେଇ କିଛି ନିୟମ ରହିଛି । ପତାକା ସବୁବେଳେ ସମ୍ମାନର ସହ ଉଡ଼ାଯିବା ଉଚିତ । ଯଦି ପତାକାଟି ଚିରିଯାଏ କିମ୍ବା ରଙ୍ଗ ଛାଡ଼ିଯାଏ ତେବେ ତାକୁ ଫିଙ୍ଗିବା ଅନୁଚିତ । ଏହାକୁ ସମ୍ମାନର ସହ ସମାଧି ଦିଆଯିବା ବିଧି ରହିଛି ।


