ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆରମ୍ଭ ହେଲା ରଥକାଠ ସଂଗ୍ରହ ପ୍ରକ୍ରିୟା
ନୟାଗଡ଼ ଗସ୍ତରେ ପୁରୀ ଶ୍ରୀମନ୍ଦିରରୁ 5 ଜଣିଆ ଦଳ ଆସି ପହଞ୍ଚିଛନ୍ତି । ବଡ଼ମୂଳର ମା' ବଡ଼ରାଉଳ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା ପରେ ରଥକାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ।

Published : December 31, 2025 at 1:48 PM IST
ନୟାଗଡ଼: ଅନୁକୂଳ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ କାଠ ସଂଗ୍ରହ ପ୍ରକ୍ରିୟା । ଆସନ୍ତା ସରସ୍ବତୀ ପୂଜାରେ ଅନୁକୂଳ ହେବ ରଥକାଠ । 2026 ମସିହାରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ନିମନ୍ତେ ରଥକାଠ ସଂଗ୍ରହ ପ୍ରକ୍ରିୟା ଚଳିତବର୍ଷ ନୟାଗଡ଼ରୁ ଆରମ୍ଭ ହୋଇଛି । ନୟାଗଡ଼ ଗସ୍ତରେ ପୁରୀ ଶ୍ରୀମନ୍ଦିରରୁ 5 ଜଣିଆ ଦଳ ଆସି ପହଞ୍ଚିଛନ୍ତି । ବଡ଼ମୂଳର ମା' ବଡ଼ରାଉଳ ଠାକୁରାଣୀଙ୍କ ପାଖରେ ମଙ୍ଗଳବାର ମହାପ୍ରଭୁଙ୍କ ଆଜ୍ଞାମାଳ ପୂଜାର୍ଚ୍ଚନା ସମ୍ପର୍ଣ୍ଣ ହେବା ପରେ ରଥକାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ରହିଥିବା ନୟାଗଡ଼ ଡିଏଫ୍ଓ ଦେବାର୍ଜନ ବେହେରା ।
ମା'ଙ୍କ ଅନୁମତି ପରେ ରଥକାଠ କଟା ଅନୁକୂଳ:
ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ମଙ୍ଗଳବାର ଠାରୁ ରଥ କାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ନୟାଗଡ଼ ବନଖଣ୍ଡ ପକ୍ଷରୁ କୁହାଯାଇଛି । ଏଥିପାଇଁ ବଡ଼ମୂଳର ମା' ବଡ଼ରାଉଳ ଠାକୁରାଣୀଙ୍କ ପାଖରେ ମହାପ୍ରଭୁଙ୍କ ଆଜ୍ଞା ମାଳ ସହ ପୂଜାର୍ଚ୍ଚନା କରାଯାଇଛି । ହୋମଯଜ୍ଞ ସମ୍ପର୍ଣ୍ଣ ହେବା ପରେ ଠାକୁରାଣୀଙ୍କ ଠାରୁ ଜଙ୍ଗଲରୁ କାଠ ସଂଗ୍ରହ ପାଇଁ ପାଇଁ ଅନୁମତି ମିଳିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ଦଶପଲ୍ଲା ଜଙ୍ଗଲରୁ ରଥ କାଠ ସଂଗ୍ରହ କରାଯିବ । ଶ୍ରୀପଞ୍ଚମୀ ପୂର୍ବରୁ ଦୁଇ ଟ୍ରକ କାଠ ପୁରୀରେ ପହଞ୍ଚାଇବା ପାଇଁ ନୟାଗଡ ବନଖଣ୍ଡ ଅଧିକାରୀଙ୍କୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ନୟାଗଡ଼ରୁ ଯିବ ରଥକାଠ:
ନୟାଗଡ଼ ଡିଏଫ୍ଓ ଦେବାର୍ଜନ ବେହେରା କହିଛନ୍ତି, "ଚଳିତବର୍ଷ ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ରହିଛି । ତେବେ ଏଥର ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗତବର୍ଷର ୪୭ ଖଣ୍ଡ କାଠ ବଳକା ରହିଥିବାରୁ ସମୁଦାୟ ୮୧୮ଖଣ୍ଡ କାଠ ଦରକାର ରହିଛି । ସେଥିମଧ୍ୟରୁ ବିଭିନ୍ନ ମାପର ଧଉରା ୪୦୩ ଖଣ୍ଡ, ଅସନ ୩୪୦ଖଣ୍ଡ, ଫାଶି ୭୨ ଖଣ୍ଡ ଏବଂ ୩ଟି ଶିମିଳି କାଠର ଆବଶ୍ୟକତା ରହିଛି । ଘୋଷଯାତ୍ରା ନିମନ୍ତେ ନୟାଗଡ଼ ବନଖଣ୍ଡ ଚଳିତ ବର୍ଷ ପାଖାପାଖି ୩୦୦ଖଣ୍ଡ କାଠ ଯୋଗାଇବେ ।" ତେବେ ଅନ୍ୟ କାଠଗୁଡ଼ିକ ଅନ୍ୟାନ୍ୟ ବନଖଣ୍ଡରୁ ଯୋଗଇବାକୁ ଆଲୋଚନା କରାଯିବ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି ।

ବଳକା କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳର ସାକେଣି ଓ ଟାକେରା ଆଦି ଅଞ୍ଚଳରୁ ସଂଗ୍ରହ କରାଯିବ । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୭୦ରୁ ଅଧିକ କାଠ ଚିହ୍ନଟ ହୋଇସାରିଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି । ଚଢ଼େୟାପଲ୍ଲୀ, ବାଣିଗୋଛା ଜଙ୍ଗଲରୁ କାଠ ସଂଗ୍ରହ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

'47ଟି କାଠ ପୁନଃ ବିନିଯୋଗ କରାଯିବ'
ଶ୍ରୀମନ୍ଦିର ଭାରପ୍ରାପ୍ତ ଅଧିକାରୀ, ରବୀନ୍ଦ୍ର ନାଥ ଦାଶ କହିଛନ୍ତି,"ରଥକାଠ ସଂଗ୍ରହ ପାଇଁ ଆମେ ମା'ଙ୍କ ନିକଟରେ ମାଳ ମାହାର୍ଦ୍ଦ ଧରି ପହଞ୍ଚିଲୁ । ଏଠାରେ DFOଙ୍କୁ ଏହା ସମର୍ପଣ କରାଯାଇଥିଲା । ଏବଂ ସେ ମା'ଙ୍କୁ ସମର୍ପଣ କରିଥିଲେ । ଆମ ପାଖରେ 47ଟି କାଠ ରହିଛି ଯାହାକୁ ପୁନଃ ବିନିଯୋଗ କରାଯାଇପାରିବ । ଚଳିତ ବର୍ଷ 818ଟି କାଠର ଆବଶ୍ୟକତା ରହିଥିବା ଆମେ DFOଙ୍କୁ ଜଣାଇଛୁ ।"

ନୟାଗଡ଼ରେ ପହଞ୍ଚିଛନ୍ତି ପୁରୀ ଶ୍ରୀମନ୍ଦିର ପକ୍ଷରୁ ୫ ଜଣିଆ ଟିମ୍ । ଏହି ଦଳରେ ଭାରପ୍ରାପ୍ତ ଅଧିକାରୀ ନୀତି ରବୀନ୍ଦ୍ରନାଥ ଦାସଙ୍କ ନେତୃତ୍ବରେ ସହକାରୀ ପ୍ରଶାସକ ଡ. ପ୍ରଭୂ ପୀୟୂଷ ମହାପାତ୍ର, ତତ୍ତ୍ଵାବଧାରକ ଚିତ୍ତରଞ୍ଜନ ମହାପାତ୍ର, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ରଥ ସର୍ଦ୍ଦାର ରବି ଭୋଇ ଆଦି ସଦସ୍ଯ ରହିଛନ୍ତି । ଗଣିଆ ବଡ଼ମୂଳସ୍ଥିତ ମା’ ବଡ଼ରାଉଳଙ୍କ ପୀଠରେ ପୂଜାର୍ଚ୍ଚନା କରି ରଥକାଠ କଟା ଅନୁକୂଳ କରାଯାଇଛି ।

ଇଟିଭି ଭାରତ, ନୟାଗଡ଼

