ETV Bharat / state

ରଥଯାତ୍ରା ପାଇଁ ହ୍ରାସ ପାଇବ କର୍ଡନ ପାସ୍‌, ଘୋଷଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା

ରଥଟଣା ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ ହେବାରେ ସମସ୍ୟା ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତିରେ ମଧ୍ୟ ବିଳମ୍ବ ଘଟୁଛି । ଏନେଇ ହ୍ରାସ ପାଇପାଇବ କର୍ଡନ ସଂଖ୍ୟା । ରିପୋର୍ଟ: ଭବାନୀ ଶଙ୍କର ଦାସ

Anu garg hosts Preparatory Review Meeting for Ratha Yatra no curden passes will decrease
ଚଳିତବର୍ଷ ରଥଯାତ୍ରା ପାଇଁ ହ୍ରାସ ପାଇବ କର୍ଡନ ପାସ୍‌ସଂଖ୍ୟା, ଘୋଷଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ଅନୁ ଗର୍ଗ (ETV Bharat Odisha)
author img

By ETV Bharat Odisha Team

Published : April 26, 2026 at 7:56 AM IST

3 Min Read
Choose ETV Bharat

ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରାରେ ହ୍ରାସ ପାଇବ କର୍ଡନ ପାସ୍ ସଂଖ୍ୟା । ରଥ କର୍ଡନ ଭିତରକୁ ଅଧିକ ସଂଖ୍ୟକ ପାସ୍‌ଧାରୀଙ୍କ ପ୍ରବେଶ ଯୋଗୁଁ ଅଘଟଣ ଘଟୁଥିବାରୁ ଏପରି ପଦକ୍ଷେପ ନିଆଯିବ । କର୍ଡନ ମଧ୍ୟରେ ବେଶି ଭିଡ଼ ଯୋଗୁଁ ରଥଯାତ୍ରା ସମୟରେ ଦଳାଚକଟା ପରିସ୍ଥିତି ଉପୁଜୁଛି । ଏହା ସହିତ ରଥଟଣା ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ ହେବାରେ ସମସ୍ୟା ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତିରେ ମଧ୍ୟ ବିଳମ୍ବ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଯାଇଛି । ରଥଯାତ୍ରାର ଯଥେଷ୍ଟ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Anu Garg reviews preparations for Ghosh Yatra
ଘୋଷଯାତ୍ରା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ଅନୁ ଗର୍ଗ (ETV Bharat Odisha)

କମିବ କର୍ଡନ ପାସ୍ ସଂଖ୍ୟା:
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା- ୨୦୨୬ ପାଇଁ ୪ର୍ଥ ପ୍ରସ୍ତୁତି ବୈଠକ ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବୈଠକଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକ କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା ହୋଇଥିଲା । ଆଗାମୀ ପ୍ରସ୍ତୁତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି । ରଥଯାତ୍ରାରେ ଶୃଙ୍ଖଳିତ ରଥଟଣା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ରଥ କର୍ଡନ ଭିତରକୁ ପାସ୍‌ଧାରୀଙ୍କ ପ୍ରବେଶ ଅଧିକ ରହୁଥିବାରୁ ରଥଟଣାରେ ଅସୁବିଧା ଉପୁଜୁଛି । ଏଥିପାଇଁ ଚଳିତଥର କର୍ଡନ ପାସ୍ ସଂଖ୍ୟା ବହୁ ସଂଖ୍ୟାରେ କମାଇବା ପାଇଁ ଆଲୋଚନା କରାଯାଇଛି ।

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ:
ଏହି ବୈଠକରେ ରଥ ନିର୍ମାଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ ସୂଚନା ଦେଇଛନ୍ତି । ଏପ୍ରିଲ ୨୦ ତାରିଖ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ଅନୁକୂଳ ହୋଇଛି । ରଥ ନିର୍ମାଣ ଅଗ୍ରଗତି ତଦାରଖ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟ ନିୟମିତ ଅନୁଧ୍ୟାନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ୫୭୬ ଟି ସଂଗ୍ରହ ସରିଛି । ଆବଶ୍ୟକ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି । ରଥ ଦଉଡି ସଠିକମାନଯୁକ୍ତ ଓ ମଜବୁତ ରହିବା ନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓବିସିସି ପକ୍ଷରୁ ନିର୍ମାଣାଧିନ ଜଗନ୍ନାଥ ବଲ୍ଲବ ତୀର୍ଥଯାତ୍ରୀ କେନ୍ଦ୍ର, ଆଚାର୍ଯ୍ୟ ହରିହର ଛକର ପୁନଃ ବିକାଶ, ଦିଗବାରେଣୀରେ ବହୁତଳ ପାର୍କିଂ ବ୍ୟବସ୍ଥା, ଯାତ୍ରିକା ପାର୍କିଂ-୧ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Number of cordon passes for Rath Yatra to be reduced this year
ଚଳିତବର୍ଷ ରଥଯାତ୍ରା ପାଇଁ ହ୍ରାସ ପାଇବ କର୍ଡନ ପାସ୍‌ସଂଖ୍ୟା (ETV Bharat Odisha)

ରଥଯାତ୍ରା ପାଇଁ ସଜେଇ ହେବ ପୁରୀ:
ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସରିବା ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିସ୍ତୃତ ସୂଚନା ଦେଇଛନ୍ତି । ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ୫୦ଟି ହାଇମାଷ୍ଟ ଲାଇଟ ଲାଗିବ । ଫଳରେ ଏହା ବଡ଼ଦାଣ୍ଡକୁ ଅଧିକ ଆଲୋକିତ କରିବ । ପୁରୀ ସମୁଦ୍ରକୂଳରେ ୬ଟି ବାୟୋ-ଶୌଚାଳୟ ବ୍ଲକ ସ୍ଥାପନ ହେବ । ଯେଉଁଥିରେ ୧୮ଟି ଏକକ ଶୌଚାଳୟ ସୁବିଧା ମିଳିବ । ଏଥି ସହିତ ପୋଲିସ ଶିବିର ସ୍ଥଳ, ପାର୍କିଂ ଅଞ୍ଚଳ ଏବଂ ଜନସାଧାରଣଙ୍କ ପାଇଁ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଉଛି । ଅଧିକ ବର୍ଷା ହେଲେ ପୁରୀ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ନେଇ ଯୋଜନା ସଂପର୍କରେ ଉପସ୍ଥାପନ କରାଯାଇଛି । ଏନେଇ ୨୩ଟି ସ୍ଥାନ ଚିହ୍ନଟ ହୋଇଛି । ଯେଉଁଠାରୁ ଉଚ୍ଚ କ୍ଷମତା ବିଶିଷ୍ଟ ପମ୍ପ ସେଟ ଦ୍ୱାରା ଜଳ ନିଷ୍କାସନ ହୋଇପାରିବ ।

ସ୍ବାସ୍ଥ୍ୟ ବିଭାଗ ଫକ୍ଷରୁ ପ୍ରସ୍ତୁତି:
ରଥଟଣାକୁ ସୁଗମ କରିବା ପାଇଁ ବଡଦାଣ୍ଡରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ମେ' ମାସ ସୁଦ୍ଧା ଏହା ଶେଷ ହେବ । ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୧ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜରୁରୀ କାଳୀନ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ପୁରୀ ମୁଖ୍ୟ ଚିକିତ୍ସାଳୟ, ଟିବି ଓ ଆଇଡିଏସ ଡାକ୍ତରଖାନା ଉପରେ ନିର୍ଭରଶୀଳତା ଚାପ କମିବ । ମାଟିଆପଡାରେ ପୁରୀ-କୋଣାର୍କ ରୋଡ ଓଭର ବ୍ରିଜ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆବଶ୍ୟକ ଜରୁରୀ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ବୈଠକରେ ସୂଚନା ଦିଆଯାଇଛି । ଏହା ଦ୍ୱାରା ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ଯାତାୟତରେ ସୁବିଧା ହେବ ।

ଭିଡ଼ ପରିଚାଳନା ନେଇ ଆଲୋଚନା:
ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନା, ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି ଏବଂ ଜରୁରୀକାଳୀନ ବ୍ୟବସ୍ଥା କରାଯାଇଛି । ପୁରୀ ସହର ଭିତର ଓ ସଂଲଗ୍ନ ରାସ୍ତା ମରାମତି, ସ୍ୱାସ୍ଥ୍ୟ, ପରିମଳ, ନିୟନ୍ତ୍ରଣ କକ୍ଷ ପରିଚାଳନା, ଯଥେଷ୍ଟ ସଂଖ୍ୟକ ପୁଲିସ ମୁତୟନ, ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ୮ଟି ଅଧିକ ରେଳ ଟିକେଟ କାଉଣ୍ଟର କରାଯିବା ନେଇ ସୂଚନା ଦିଆଯାଇଛି । ବଡଦାଣ୍ଡ କଡ଼ରେ ରଥଯାତ୍ରା ସମୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବାରୁ ରଥ ଟଣା ସମୟରେ ଅସୁବିଧା ସୃଷ୍ଟି ହେଉଛି । ଏହା ଦ୍ବାରା ବଡଦାଣ୍ଡ ଅପରିଷ୍କାର ହେଉଛି । ଏହାକୁ ଦୃଷ୍ଟିରେ ରଖି ଏଥର ବଡ଼ଦାଣ୍ଡ ପାଖାପାଖି କେତେକ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପିତ ହୋଇଛି, ଯଦ୍ୱାରା ସେଠାରେ ମାଗଣା ରନ୍ଧାଖାଦ୍ୟ ବଣ୍ଚନ ସହିତ ଏହି ସମସ୍ୟା ଦୂର କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ:

ଚଳଚଞ୍ଚଳ ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ କାର୍ଯ୍ୟ

ନିହଣ ମୁନରେ କମ୍ପୁଛି ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ

ଇଟିଭି ଭାରତ, ଭୁବନେଶ୍ବର