ETV Bharat / state

ରଥରେ ଲାଗେ ୧୨୫୦ ମିଟର କନା; ୪ଟି ରଙ୍ଗର କନାରେ ହୁଏ ରଥ ମଣ୍ଡଣି କାର୍ଯ୍ୟ, ଦୈନିକ ପାଉଣା ନେଇ ଅସନ୍ତୋଷ ଦରଜୀ ସର୍ଦ୍ଦାର

ଦରଜୀ ସର୍ଦ୍ଦାରଙ୍କ ତତ୍ୱାବଧାନରେ ରଥ କନା କାର୍ଯ୍ୟ ହୋଇଥାଏ । ତେବେ ଦରଜୀ ସର୍ଦ୍ଦାରଙ୍କୁ ମିଳୁଥିବା ପାଉଣାରେ ସେ ଅସନ୍ତୁଷ୍ଟ ଅଛନ୍ତି । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)
author img

By ETV Bharat Odisha Team

Published : July 5, 2026 at 10:42 PM IST

2 Min Read
Choose ETV Bharat

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରତିଟି ଜିନିଷର ରହିଛି ସ୍ୱତନ୍ତ୍ରତା । ରଥଠୁ ଆରମ୍ଭ କରି ପଥ ପର୍ଯ୍ୟନ୍ତ ସମସ୍ତ ଜିନିଷର ମାହାତ୍ମ ଅବର୍ଣ୍ଣନୀୟ । ତେବେ ରଥଯାତ୍ରା ପାଇଁ ସମସ୍ତଙ୍କ ନଜର ବିଶାଳକାୟ ତିନି ରଥ ଉପରେ ଥିବା ବେଳେ ରଥକୁ ଆକର୍ଷଣୀୟ କରିଥାଏ ରଙ୍ଗ ବେରଙ୍ଗର କନା । କାଳିଆ ଠାକୁରଙ୍କ ରଥଯାତ୍ରା ପାଇଁ କାଠରେ ନିର୍ମାଣ ହୁଏ ତିନି ରଥ । ହେଲେ ତିନି ରଥକୁ ଅପୂର୍ବ ଦିବ୍ୟ ରୂପ ଦିଏ କନା । ଭକ୍ତମାନେ ଦୂରରେ ଥାଇ ମଧ୍ୟ କନା ରଙ୍ଗରୁ ରଥକୁ ଚିହ୍ନି ପାରନ୍ତି । କନାକୁ ମଣ୍ଡଣି କରି ତିନି ରଥକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରନ୍ତି ମହାପ୍ରଭୁଙ୍କ ପାରମ୍ପରିକ ଦରଜୀ ସେବକ । ତେବେ ଦରଜୀ ସର୍ଦାରଙ୍କ ଅଧୀନରେ କନା କାର୍ଯ୍ୟରେ ୧୭ ଜଣ ଦରଜୀ ସେବକ ନିୟୋଜିତ ରହିଛନ୍ତି । ରଥ ପାଇଁ ଆବଶ୍ୟକ ହେଉଥବା ୧୨୫୦ ମିଟର କନା ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥାଏ ।

ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)

ଦରଜୀ ସର୍ଦାରଙ୍କ ତତ୍ୱାବଧାନରେ ନିର୍ମିତ ହୁଏ ରଥ ଘୋଡଣି ଓ ସଜା କନା । ରଥ ଅନୁଯାୟୀ ରଙ୍ଗର ପ୍ରକାର ଭେଦ କେଉଁ ଅନାଦି କାଳରୁ ସ୍ଥିରୀକୃତ ହୋଇଛି । କନା ମଣ୍ଡଣି କରି ଜରି ଜମ୍ବୁରା ଲଗାଯାଇ ରଥର ଘେର କପଡ଼ାକୁ ନେଇ କନକ ମୁଣ୍ଡି ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଏ । ଏପଟେ ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନା ସେବାରେ ୩୬୫ ଦିନ ଦରଜୀ ସେଵକମାନେ ନିୟୋଜିତ ରହିଥାନ୍ତି ।

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)

4 ପ୍ରକାର ରଙ୍ଗର କନା ବ୍ୟବହାର-

ରଥ ପାଇଁ ନାଲି, ସବୁଜ, ହଳଦିଆ ଓ କଳା କନା ବ୍ଯବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ହଳଦିଆ ରଙ୍ଗର କନା, ବଳଭଦ୍ରଙ୍କ ରଥ ପାଇଁ ୪୨୫ ମିଟର ନାଲି ଓ ସବୁଜ କନା ଏବଂ ସୁଭଦ୍ରାଙ୍କ ରଥ ପାଇଁ ୪୦୦ ମିଟର ନାଲି ଓ କଳା କନା ଲାଗେ । ଏହି କନାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବେଳେ କନାକୁ ସଜାଇବା ପାଇଁ ଦରକାର ପଡୁଥିବା ଜମ୍ବୁରା, ଲେସ୍, ଚିକ୍କଣ ଫୁଲ, ଦୁବ, ଝାଲର, ନିଜେ ଦରଜୀ ସର୍ଦ୍ଦାର ଆଣିଥାନ୍ତି ।

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)

ପାରମ୍ପରିକ ପଦ୍ଧତିରେ ମାପ କାର୍ଯ୍ୟ-
ଆଜିବି ସେହି ପାରମ୍ପରିକ ପଦ୍ଧତିରେ ଦରଜୀ ସେବକମାନେ କନାକୁ ଗଜ ଓ ଗିରାରେ ମାପ କରନ୍ତି । ଏକ ଗଜ ୩ ଫୁଟ ବିଶିଷ୍ଟ ହୋଇଥିବାରୁ ସେହି ମାପରେ ରଥର ବିଭିନ୍ନ ଅଂଶ ପାଇଁ ସୁସଜ୍ଜିତ କନା ପ୍ରସ୍ତୁତ କରାଯାଏ ।

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)



ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର କହିଛନ୍ତି, "ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପରଦିନ ଠାରୁ ରଥ କନା କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି କନା କାର୍ଯ୍ୟ ୧୫ ଦିନ ଧରି ଚାଲେ । ମହାପ୍ରଭୁଙ୍କ କାମ କରିବା ପାଉଁ ଉତ୍ସୁକତା ରହିଛି । ମହାପ୍ରଭୁଙ୍କ କୃପାରୁ ସବୁ କାର୍ଯ୍ଯ ହୁଏ । ସୁସଜ୍ଜିତ ରଥ କନା ପ୍ରସ୍ତୁତି ପରେ କୋଠ ସୁଆଁସିଆ ସେବକ ମାନେ କନା ଗୁଡିକୁ ରଥର ଲଗାଇଥାଆନ୍ତି ।"

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)


ତେବେ ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଏହି କାର୍ଯ୍ୟ ପାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବହୁତ୍ ଅଳ୍ପ ପାଉଣା ମିଳିଥାଏ । କାରିଗର ମାନଙ୍କୁ ଦିନକୁ ମାତ୍ର ୨୦୦ ଟଙ୍କା ଓ ଦରଜୀ ସର୍ଦ୍ଦାରଙ୍କୁ ଦିନକୁ ମାତ୍ର ୪୦୦ ଟଙ୍କା ପାଉଣା ମିଳେ । ତେବେ ସ୍ୱଳ୍ପ ପାଉଣା ସତ୍ତ୍ୱେ ଆମେ କାମକୁ ଗୁରୁତ୍ବ ଦେଇଥାଉ ।

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)

ଦରଜୀ ସର୍ଦ୍ଦାର ପୁଣି କହିଛନ୍ତି, 6 ବର୍ଷ ଧରି ଜଗନ୍ନାଥଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି । ପାଉଣା ମିଳୁ କିମ୍ବା ନମିଳୁ ଜଗନ୍ନାଥଙ୍କ ସେବା ଆଗକୁ ଜାରି ରଖିବି ।

PURI RATH YATRA 2026
ତିନି ରଥ ପାଇଁ କନା ତିଆରି କାର୍ଯ୍ୟ ଜାରି (ETV Bharat Odisha)

ତେବେ ରଥ କାର୍ଯ୍ୟରେ ନିୟୋଜିତ ମହାରଣା ସେବକ କିମ୍ବା ଭୋଇ ସେବକଙ୍କୁ ଦୈନିକ 1500ରୁ 2000 ଟଙ୍କା ମିଳୁଥିବାରୁ ସେ ତାଙ୍କ ପାଉଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା; ମୁତୟନ ହେବେ 12000 ପୋଲିସ ଫୋର୍ସ, ସମୀକ୍ଷା କଲେ ଡିଜିପି

ଇଟିଭି ଭାରତ, ପୁରୀ