ଶେଷ ପର୍ଯ୍ୟାୟରେ ପୁରୀ ମହାନଗର ନିଗମ ଗଠନ ପ୍ରକ୍ରିୟା, ଏହି ୯ଟି ପଞ୍ଚାୟତ ହେବେ ସାମିଲ
ମହାନଗର ନିଗମ ଗଠନ କରି ପୁରୀକୁ ଗ୍ରେଟର ପୁରୀରେ ରୂପାନ୍ତରିତ କରିବାକୁ ସରକାରଙ୍କ ନିଷ୍ପତ୍ତି । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ୩୪ଟି ଗାଁ ସାମିଲ ହେବ ।

Published : December 29, 2025 at 4:07 PM IST
Puri into Greater Puri ପୁରୀ: ପୁରୀକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ବୃହତ୍ ପୁରୀ ସହର ତଥା ଗ୍ରେଟର ପୁରୀ ସିଟି ନେଇ ରାଜ୍ୟ ସରକାର ପରିକଳ୍ପନା କରିଛନ୍ତି । ସିଙ୍ଗାପୁର ଭଳି ଗ୍ରେଟର ପୁରୀ ସିଟିର ଭିତ୍ତିଭୂମିର ବିକାଶ କରାଯିବ । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ । ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ଅଛି ।
ପ୍ରସ୍ତାବିତ ପୁରୀ ମହାନଗର ନିଗମରେ ସହର ଉପକଣ୍ଠରେ ଥିବା ପୁରୀ ସଦରବ୍ଳକ ଓ ବ୍ରହ୍ମଗିରି ବ୍ଲକର ମୋଟ ୯ଟି ପଞ୍ଚୟତର ୩୧ଟି ରାଜସ୍ୱ ଗ୍ରାମ ସାମିଲ ହେବେ । ଏଥିରେ କାହାର କିଛି ଆପତ୍ତି ଅବା ପ୍ରସ୍ତାବ ଥିଲେ ତାହାକୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରିବା ପାଇଁ ଡିସେମ୍ବର ୨୯ ତାରିଖ ଅର୍ଥାତ ଆଜି (ସୋମବାର) ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଖୁବଶୀଘ୍ର ପୁରୀ ମହାନଗର ନିଗମ ନେଇ ଗେଜେଟରେ ପ୍ରକାଶ ପାଇବ ।

ପୁରୀ ମହାନଗର ନିଗମରେ ପୁରୀ ସଦର ବ୍ଳକର ବାଲିଗୁଆଳି, ସମଙ୍ଗରା, ବେଲଦଳ, ଗୋପିନାଥପୁର, କାଶୀହରିପୁର, ବୀରହରେକୃଷ୍ଣପୁର, ସମଙ୍ଗ, ଶାସନ ଦାମୋଦରପୁର ୮ଟି ପଞ୍ଚାୟତ ରହିବ । ବ୍ରହ୍ମଗିରି ବ୍ଲକର ଏକ ମାତ୍ର ପଞ୍ଚୟତ ଗୋରୁଆଳ ରହିଛି । ଏହି ୯ଟି ପଞ୍ଚାୟତର ୩୧ଟି ରାଜସ୍ୱ ଗ୍ରାମ ପୁରୀ ମହାନଗର ନିଗମ ତଥା ଗ୍ରେଟର ପୁରୀରେ ସାମିଲ ହେବ । ଆଗାମୀ ଦିନରେ ପୁରୀ ସହର ସମ୍ପ୍ରସାରଣ ହେବାକୁ ଥିବା ବେଳେ ସିଙ୍ଗାପୁର ଢାଞ୍ଚାରେ ଭିତ୍ତିଭୂମି ବିକାଶ ହେବ । ନୂଆ ଟାଉନ ପ୍ଲାନିଂ ସ୍ଲିମ ମଧ୍ୟ କାର୍ଯ୍ୟକାରୀ କରାଯିବ । ବୃହତ୍ ପୁରୀ ସହର ଗଠନ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି ।

ପୁରୀ ସଦର ବ୍ଳକ କାଶୀ ହରିପୁର ପଞ୍ଚାୟତର ସମିତି ସଭ୍ୟ ପ୍ରଦୀପ୍ତଭାନୁ ଘଟୁଆରି କହିଛନ୍ତି, "ଭକ୍ତ ଓ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ପୁରୀକୁ ମହାନଗର ନିଗମ କରାଗଲେ ଭଲ ହେବ । ମହାନଗର ନିଗମରେ ସାମିଲ ହେବାକୁ ଥିବା ପଞ୍ଚାୟତ ଗୁଡ଼ିକର ବିକାଶ ହେବା ଦରକାର । ଆଜି ପର୍ଯ୍ୟନ୍ତ ଆମେ ଭଲ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା ଠିକରେ ପାଇପାରିଲୁ ନାହିଁ । ମହାନଗର ନିଗମ ହେଲେ ଗ୍ରାମାଞ୍ଚଳରେ ରାସ୍ତାଘାଟର ବିକାଶ ସହିତ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ସୁଦୃଢ ହୋଇପାରିବ । ଏହା ଦ୍ଵାରା ଲୋକମାନେ ଉପକୃତ ହେବା ସହ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ସୁବିଧା ପାଇବେ ।"

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍:
ସେପଟେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ ଅଞ୍ଚଳରେ ବହୁତଳ ଆବାସିକ ଆପାର୍ଟମେଣ୍ଟ ନିର୍ମାଣ କରାଯିବ । ପୁରୀ ଠାରୁ କୋଣାର୍କ ପର୍ଯ୍ୟନ୍ତ ପର୍ଯ୍ୟଟନ କାର୍ଯ୍ୟକଳାପ ତ୍ୱରାନ୍ୱିତ କରାଯିବ । ସମୁଦ୍ରତଟ ଆଧାରିତ ପର୍ଯ୍ୟଟନ, ଐତିହ୍ୟ ଓ ସଂସ୍କୃତିକ ପର୍ଯ୍ୟଟନ, ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ପୁରୀରେ ଥିବା ସୁଦୀର୍ଘ ବେଳାଭୂମି, ବ୍ୟାପକ ପର୍ଯ୍ୟଟନ ସମ୍ଭାବନା ରଖିଛି । କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ଉପୋଯୋଗ ହୋଇପାରୁନାହିଁ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମୁଦ୍ର ତଟରେ କିଭଳି ବିକାଶ ହୋଇପାରିବ ସେନେଇ ଏକ ଯୋଜନା ପ୍ରସ୍ତୁତ କରିବାକୁ ପୁରୀ କୋଣାର୍କ ଡେଭଲପମେଣ୍ଟ ଅଥରିଟି (ପିକେଡିଏ) ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛି । ପୁରୀକୁ ଏକ ବିଶ୍ଵସ୍ତରୀୟ ସହର ଭାବେ ବିକଶିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ... ‘ଗ୍ରୋଥ୍ ହବ୍’ ଭାବେ ବିକଶିତ ହେବ ଇକୋନୋମିକ୍ ରିଜିଅନ୍- ମୁଖ୍ୟମନ୍ତ୍ରୀ ପୁରୀରେ ବଢୁଛି ମହିଳା ବିରୋଧୀ ଅପରାଧ: 'ଅପରେସନ ଚକ୍ର'ରେ ଉଦ୍ଧାର ହେଉଛନ୍ତି ଅପହୃତା, କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ |
ପୁରୀ ସହରର ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିଂ କହିଛନ୍ତି, "ପୁରୀ ସହର ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି । ବିଗତ ୧୦ ବର୍ଷ ତଳୁ ପୁରୀ ମହାନଗର ନିଗମ ହେବାର ଆବଶ୍ୟକତା ଥିଲା । କିନ୍ତୁ ବିଗତ ସରକାର ଏହାକୁ ନଜର ଅନ୍ଦାଜ କରିଥିଲେ । ଦେଶର ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ମହାନଗର ନିଗମ ହୋଇ ସାରିଛି । ପୁରୀକୁ ଯଥାଶୀଘ୍ର ମହାନଗର ନିଗମ କରାଯିବାର ଆବଶ୍ୟକତା ରହିଛି । ମହାନଗର ନିଗମ ହେଲେ ରାସ୍ତାଘାଟର ଉନ୍ନତି ହେବ । ପୁରୀ ସହରକୁ ଯୋଗାଯୋଗ ଭିତ୍ତିଭୂମିରେ ଉନ୍ନତି ଆସିବ । ପାନୀୟ ଜଳ, ପରିମଳ ବ୍ୟବସ୍ଥା ଠିକ୍ ରହିବ । ପୁରୀ ପୌରପାଳିକାରେ ଦୀର୍ଘ ୭ ବର୍ଷ ହେବ ନିର୍ବାଚନ ହୋଇନାହିଁ । ଫଳରେ ପୁରୀର ବିକାଶ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯଥାଶୀଘ୍ର ପୁରୀକୁ ମହାନଗର କରାଯିବ ଉଚିତ । ଆଗାମୀ ଦିନକୁ ଦେଖି ପୁରୀକୁ ଏକ ବୃହତ ପୁରୀ ସହର ଭାବେ କରିବା ପାଇଁ ସରକାର କାର୍ଯ୍ୟ କରିବା ଉଚିତ ।"

୩୪ଟି ଗାଁ ସାମିଲ ହେବ:
ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, "ପୁରୀ ମହାନଗର ନିଗମରେ ପୁରୀ ଉପକଣ୍ଠରେ ଥିବା ୯ଟି ପଞ୍ଚାୟତର ୩୪ଟି ଗାଁ ସାମିଲ ହେବ । ଅନେକ ଗ୍ରାମାଞ୍ଚଳ ମହାନଗର ନିଗମରେ ସାମିଲ ହେବା ପରେ ସେଠାକୁ ରାସ୍ତା, ଲାଇଟ୍, ପାନୀୟ ଜଳ ବ୍ୟବସ୍ଥା କରାଯିବ । ଲୋକମାନେ ବେଶ ଉପକୃତ ହୋଇପାରିବେ । ମହାନଗର ନିଗମ ହେଲେ ନୂଆ ଅର୍ବାନ ପ୍ଲାନିଂ କାର୍ଯ୍ୟକାରୀ କରାଯିବ । ପୁରୀ ଯେହେତୁ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତେଣୁ ଏହାକୁ ଏକ ବିଶ୍ଵସ୍ତରୀୟ ସହରରେ ରୂପାନ୍ତରିତ କରିବା ପାଇଁ ଯାହା କିଛି ଉନ୍ନତ ଜ୍ଞାନକୌଶଳ ଆବଶ୍ୟକ ତଦନୁଯାୟୀ ସରକାର ପଦକ୍ଷେପ ନେବେ ।"


