ଏଣିକି ଚଳିବନି ମନମାନି: ବିନା ପଞ୍ଜିକରଣରେ ଚାଲୁଥିବା ହୋମ ଷ୍ଟେ-ଲଜରେ ଝୁଲିବ ତାଲା !
ପୁରୀରେ ବିନା ପଞ୍ଜିକରଣରେ ବେଆଇନ୍ ଭାବରେ ହୋମ ଷ୍ଟେ ଏବଂ ଲଜ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ 31 ଜଣଙ୍କୁ ନୋଟିସ୍ ପଠାଇଲା ପୁରୀ ପୌରପାଳିକା ।

Published : December 29, 2025 at 5:03 PM IST
ପୁରୀ: ଆଉ ଚାଲିବନି ମନମାନି । ଶ୍ରୀକ୍ଷେତ୍ରରେ ବିନା ପଞ୍ଜିକରଣ ବା ବେଆଇନ୍ ଭାବରେ ହୋମ ଷ୍ଟେ ଏବଂ ଲଜ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ । ପୁରୀ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ପ୍ରାଥମିକ ପର୍ଯ୍ୟାୟରେ ୩୧ ଜଣ ବ୍ୟକ୍ତିଙ୍କୁ ବେଆଇନ୍ ଭାବରେ ହୋମ୍ ଷ୍ଟେ ଏବଂ ଲଜିଂ ପରିଚାଳନା ନେଇ ନୋଟିସ ଜାରି କରିଛି ପୌର ପ୍ରଶାସନ । ତୁରନ୍ତ ଟ୍ରେଡ୍ ଲାଇସେନ୍ସ ସହିତ ହୋଲଡିଙ୍ଗ ଟ୍ୟାକ୍ସ ପ୍ରଦାନ କରି ବେଆଇନ୍ ଭାବରେ ଚାଲିଥିବା ହୋମ୍ ଷ୍ଟେ ଏବଂ ଲଜିଂର ପଞ୍ଜିକରଣ କରିବା ପାଇଁ ନୋଟିସ୍ରେ ଉଲ୍ଲେଖ କରାଯାଇଛି । ପଞ୍ଜିକରଣ ନକଲେ ବେଆଇନ୍ ହୋମ୍ ଷ୍ଟେ ଏବଂ ଲଜକୁ ସିଜ୍ କରାଯିବା ସହିତ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।
ଚାଲିଛି ଅନେକ ବେଆଇନ ହୋମ ଷ୍ଟେ ଓ ଲଜ୍:
ପୁରୀ ଏକ ଧାର୍ମିକ ସହ ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ହଜାର ହଜାର ପର୍ଯ୍ୟଟକ ବାହାରୁ ଆସି ବିଭିନ୍ନ ହୋମ୍ ଷ୍ଟେ ଏବଂ ଲଜରେ ରାତ୍ରୀଯାପନ କରୁଛନ୍ତି । ପୁରୀ ସହରରେ ଛୋଟବଡ଼ ହୋଟେଲ, ଲଜ୍ ଏବଂ ହୋମ୍ ଷ୍ଟେକୁ ମିଶାଇଲେ ହଜାରରୁ ଅଧିକ ହେବ । ତା ମଧ୍ୟରୁ ଅନେକ ବେଆଇନ ଭାବେ ବିନା ପଞ୍ଜିକରଣରେ ଚାଲିଛି । ଫଳରେ ଏହି ହୋମ୍ ଷ୍ଟେ ଏବଂ ଲଜ୍ରେ ରହୁଥିବା କୌଣସି ବ୍ୟକ୍ତିଙ୍କ ସୂଚନା ପୋଲିସ ନିକଟରେ ପହଞ୍ଚି ପାରୁନି ।

ପୁରୀ ପାଇଁ ସାଜିପାରେ ବିପଦ:
ତେବେ ଶ୍ରୀମନ୍ଦିର ଏବଂ ପୁରୀ ସହର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ବେଆଇନ ହୋମ୍ ଷ୍ଟେ ଏବଂ ଲଜିଂ ଏବେ ପୁରୀ ସହର ଏବେ ବିପଦ ସାଜିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଆଇନ୍ ହୋମ୍ ଷ୍ଟେ ଏବଂ ଲଜିଂକୁ କେବଳ ନୋଟିସ ନଦେଇ ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନେବାକୁ ଆଇନଜୀବୀ ଏବଂ ପୁରୀ ହୋଟେଲ ଆସୋସିଏସନ ମତ ରଖିଛନ୍ତି ।

ସରକାର ବିକଳ୍ପ ବ୍ୟବସ୍ଥା କରନ୍ତୁ: ଆଇନଜୀବୀ
ପୁରୀ ସହର ବୁଦ୍ଧିଜୀବୀ ତଥା ଆଇନଜୀବୀ ଶରତ କୁମାର ରାୟଗୁରୁ କୁହନ୍ତି, ‘ବେଆଇନ ହୋମ ଷ୍ଟେ ଏବଂ ଲଜ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛୁ । ତେବେ ପୁରୀ ପୌର ପ୍ରଶାସନ କେତେକ ବେଆଇନ ହୋମ ଷ୍ଟେ, ଲଜକୁ ନେଇ ନୋଟିସ ଜାରି କରିଛି । ହେଲେ କେବଳ ନୋଟିସ ଜାରି କରିଦେଲେ ହେବ ନାହିଁ । ଏମାନଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ସେହିପରି ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ପର୍ଯ୍ୟଟକଙ୍କ ଆଗମନ ହେଉଛି । ଏଣୁ ପୁରୀରେ ଯେତିକି ହୋଟେଲ ରହିଛିିି ତାହା ରହିବା ପାଇଁ ପର୍ଯ୍ୟାପ୍ତ ହେଉନି । ଅନେକ ଗରିବ ଲୋକ ଉଚ୍ଚ ଦର ଥିବା ହୋଟେଲ ରୁମ୍ ନେଇ ପାରୁନାହାନ୍ତି । ଏଣୁ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ରହିବା ପାଇଁ ଧର୍ମଶାଳା ନିର୍ମାଣ କରାଯାଉ । କେବଳ ବେଆଇନ ଲଜ୍, ହୋମ ଷ୍ଟେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବସିଗଲେ ହେବ ନାହିଁ । ସରକାରଙ୍କୁ ଏହାର ବିକଳ୍ପ କରିବାକୁ ପଡ଼ିବ ।’

‘ସରକାରଙ୍କ ଗାଇଡଲାଇନ ଅନୁସାରେ ଚାଲିବା ଉଚିତ୍’:
ଓଡ଼ିଶା ହୋଟେଲ ଆସୋସିଏସନର ଉପାଧ୍ୟକ୍ଷ ରାଜ କିଶୋର ପାତ୍ର କୁହନ୍ତି, ‘ପୁରୀର ସୁରକ୍ଷା ପାଇଁ ଆମେ ସବୁ ଲୋକଙ୍କ ପରିଚୟ ରଖିବାକୁ ବାଧ୍ୟ । ଏବେ ହୋମ ଷ୍ଟେର ଟ୍ରେଣ୍ଡ ଚାଲିଛି । ପୁରୀରେ ପ୍ରତ୍ୟେକ ସାହିରେ ବହୁ ହୋମ ଷ୍ଟେ ରହିଛି । ତେବେ ଏହା ସରକାରଙ୍କ ନିୟମ ଅନୁସାରେ ପଞ୍ଜିକରଣ କରାଯାଇ ବ୍ୟବସାୟ ହେବା ଉଚିତ୍ । ତେବେ ପୁରୀରେ ବେଆଇନ ଲଜ, ହୋମ ଷ୍ଟେ ବିରୁଦ୍ଧ ପ୍ରଶାସନ ଯେଉଁ ପଦକ୍ଷେପ ନେବା ଆରମ୍ଭ କରିଛି ତାହା ସ୍ବାଗତଯୋଗ୍ୟ । ପୁରୀକୁ ବହୁତ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି । ହେଲେ ପର୍ଯ୍ୟଟକଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ରୁମ୍ ନାହିଁ । ପୁରୀରେ ଅତି ବେଶୀରେ ୪୦ ରୁ ୫୦ ହଜାର ପର୍ଯ୍ୟଟକ ହୋଟେଲରେ ରହିବା ଭଳି ଆମର କ୍ଷମତା ରହିଛି । ଏଣୁ ହୋମ ଷ୍ଟେ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ଵାରା ଅନେକ ଲୋକ ରୋଜଗାର ମଧ୍ୟ ପାଇଛନ୍ତି । ତେବେ ସବୁ କିଛି ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଚାଲିବା ଉଚିତ୍ ।’

ପୁରୀ ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, ‘ପୁରୀରେ ଅନେକ ଲୋକ ନିଜ ଆବାସିକ ଘରକୁ ବେଆଇନ ଭାବେ ହୋମ ଷ୍ଟେ ଏବଂ ଲଜ କରି ବ୍ୟବସାୟ କରୁଛନ୍ତି । ବିନା ପଞ୍ଜିକରଣ ଓ ଟ୍ରେଡ ଲାଇସେନ୍ସରେ ଏହା ପରିଚାଳନା ହେଉଛି । ଯାହାକି ସରକାରୀ ନିୟମକୁ ସମ୍ପୂର୍ଣ ଉଲ୍ଲଂଘନ କରୁଛି । ଏହା ପୁରୀର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି । ଏଣୁ ବେଆଇନ ଲଜ୍, ହୋମ ଷ୍ଟେକୁ ଚିହ୍ନଟ କରାଯାଇ ନୋଟିସ୍ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୦ରୁ ଅଧିକ ଲୋକଙ୍କୁ ନୋଟିସ୍ ଦିଆଯାଇଛି । ସରକାରଙ୍କ ନିୟମ ଅନୁସାରେ ପଞ୍ଜିକରଣ କରି ହୋମ ଷ୍ଟେ, ଲଜ୍ ବ୍ୟବସାୟ ପାଇଁ ନୋଟିସ ଦିଆଯାଇଛି । ଯେଉଁ ମାନେ ପଞ୍ଜିକରଣ ନ କରିବେ ସେମାନେ ଏହି ବ୍ୟବସାୟ ନ କରିବାକୁ କୁହାଯାଇଛି । ନିୟମ ନ ଉଲ୍ଲଂଘନ କଲେ ବେଆଇନ ଲଜ୍, ହୋମ ଷ୍ଟେକୁ ସିଲ କରିଦିଆଯିବ ।’

ସଜାଗ ହେଉ ପ୍ରଶାସନ:

ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଧନଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଉଦାହରଣ ଭାବେ ପହଲଗାମକୁ ନିଆଯାଇପାରେ । ତେବେ ପୁରୀକୁ ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଆସୁଥିବା ବେଳେ ବେଆଇନ୍ ହୋମ୍ ଷ୍ଟେ ଏବଂ ଲଜିଂରେ ତାଙ୍କର ରହିବା ପୁରୀ ସହର ଏବଂ ପର୍ଯ୍ୟଟକମାନଙ୍କ ପ୍ରତି ବଡ଼ ବିପଦର ଆଶଙ୍କା ରହିଛି । ଏଣୁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ବେଆଇନ୍ ହୋମ୍ ଷ୍ଟେ ଏବଂ ଲଜ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆକ୍ସନ ନେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

