ଶ୍ରୀମନ୍ଦିରରେ ହେବକି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଉତ୍ତର, ଆଶାରେ ପୁରୀ ବାସିନ୍ଦା
ଶ୍ରୀମନ୍ଦିର ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କଲେ ପୁରୀ ବାସିନ୍ଦା ଓ ଶ୍ରୀମନ୍ଦିର ସେବାୟତ । ପୁରୁଣା ବ୍ୟବସ୍ଥା ଫେରାଇବାକୁ ଦାବି ।

Published : February 22, 2026 at 3:15 PM IST
Special Darshan ପୁରୀ: ଜଗା ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କ ପାଇଁ ହେବ କି ସ୍ବତନ୍ତ୍ର ବ୍ୟବସ୍ଥା । ରାଜ୍ୟ ସରକାର ପୁରୀ ବାସିନ୍ଦା ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ବିଚାର କରୁଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ ଉତ୍ତର ପରେ ପୁରୀବାସିଙ୍କ ମନରେ ନୂଆ ଆଶା ଜାଗ୍ରତ ହୋଇଛି । ସେପଟେ ପ୍ରତିଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଭଲରେ ମହାପ୍ରଭୁଙ୍କ ଦର୍ଶନ କରିପାରୁନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରୀକ୍ଷେତ୍ର ବାସିନ୍ଦା । ଏଥିପାଇଁ ପଦକ୍ଷେପ ନେବାକୁ ଦାବି କରି ଆସୁଛନ୍ତି ।
ପୁରୀ ବାସିନ୍ଦା ପାଇଁ ହେବକି ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ?
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇପାରେ । ଏନେଇ ସରକାର ବିଚାର କରୁଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି । ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି, ‘ଶ୍ରୀମନ୍ଦିରରେ ପୁରୀ ବାସିନ୍ଦାଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ ରହିଛି । ଏଣୁ ଏହାର ତର୍ଜମା ପରେ ପଦକ୍ଷେପ ନିଆଯିବ ।’

ଦର୍ଶନରୁ ବଞ୍ଚିତ ହେଉଛୁ:
ପୁରୀ ବାସିନ୍ଦା ମନୋଜ କୁମାର ରଥ କହିଛନ୍ତି, ‘ଶ୍ରୀମନ୍ଦିର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ହେଉ ଅବା ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ ହେଉ ପୁରୀବାସୀ ସବୁବେଳେ ସରକାରଙ୍କୁ ସହଯୋଗ କରିଆସୁଛନ୍ତି । ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଟିକେ ଭଲରେ ଦର୍ଶନ ପାଇଁ ପୁରୀ ବାସିନ୍ଦା ସରକାରଙ୍କୁ ଗୁହାରି କରୁଛନ୍ତି । ଶ୍ରୀମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ହେଉଥିବା ବେଳେ ଲମ୍ବା ଲାଇନ ଲାଗି ରହୁଛି । ଫଳରେ ପୁରୀ ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହେଲେ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସହ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରୁଛନ୍ତି । ବୟସ୍କମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ।’

ମହାପ୍ରସାଦ ପାଇଁ ବି ଘଣ୍ଟା ଘଣ୍ଟା ଲାଇନରେ...
ସେ ଆହୁରି କହିଛନ୍ତି, ‘କୌଣସି ସାମାଜିକ କାର୍ଯ୍ୟ ପାଇଁ ପୁରୀବାସୀ ମହାପ୍ରସାଦ ଟିକେ ନେବା ପାଇଁ ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରହୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଏହାର ପ୍ରତିକାର ପାଇଁ ଆଇନମନ୍ତ୍ରୀଙ୍କୁ ଅବଗତ କରିଥିଲୁ । କୋଭିଡ ମହାମାରୀ ପରେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ କେବଳ ପୁରୀ ବାସିନ୍ଦା ପ୍ରବେଶ କରୁଥିଲେ । ଏହାକୁ ବନ୍ଦ କରି ଦିଆଯାଇଛି ।’


ପୂର୍ବ ବ୍ୟବସ୍ଥା ଲାଗୁ କରିବାକୁ ଦାବି:
ଶ୍ରୀମନ୍ଦିର ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ‘୨୦୧୮ ମସିହାରେ ଶ୍ରୀମନ୍ଦିରରେ ପୁରୀ ବାସୀଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ତତ୍କାଳ ଜିଲ୍ଲାପାଳ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ସରକାରଙ୍କ ୮ଟି ପରିଚୟ ପତ୍ର ଦେଖାଇ ପୁରୀ ବାସିନ୍ଦା ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଇଥିଲା । ହେଲେ କିଛି ଦିନ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା । ଏହାର ପଛର କାରଣ କଣ ତାହା ଏବେବି ଅସ୍ପଷ୍ଟ । ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ପୁର୍ନବାର କାର୍ଯ୍ୟକାରୀ କରାଯାଉନାହିଁ । ଯାହାକୁ ନେଇ ପୁରୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ପୂର୍ବ ଭଳି ବ୍ୟବସ୍ଥା ହେଉ ।’
ଇଟିଭି ଭାରତ, ପୁରୀ

