କୋର୍ଟ ରୁମ ଛାଡି ରାସ୍ତାରେ ଓକିଲ: ଅଟକିଲା ଗାଡି, ହନ୍ତସନ୍ତ ଯାତ୍ରୀ
ପୁରୀ ଜିଲ୍ଲା କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ପୁରୀ ଓକିଲ ସଂଘ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ । ଦାବି ପୂରଣ ନହେଲେ ଆସନ୍ତା 27ରେ ଆନ୍ଦୋଳନ କରିବାକୁ ଓକିଲ ସଂଘର ଚେତାବନୀ ।

Published : February 20, 2026 at 8:07 PM IST
Puri Lawyer Strike ପୁରୀ: ମାଳତୀପାଟପୁର ଠାରେ ପୁରୀ ଓକିଲ ସଂଘ ପକ୍ଷରୁ ରାସ୍ତାରୋକ । ଅଟକି ରହିଲା ଶହ ଶହ ଗାଡ଼ି । ଶ୍ରୀକ୍ଷେତ୍ରକୁ ଆସୁଥିବା ଏବଂ ଶ୍ରୀକ୍ଷେତ୍ରରୁ ଫେରୁଥିବା ପର୍ଯ୍ୟଟକ ମାନେ ରାସ୍ତାରୋକ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଅଟକି ରହିଲେ । ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ଦିନ ୧୦ଟା ଠାରୁ ଦିନ ୩ଟା ଯାଏଁ ରାସ୍ତାରୋକ କରାଯାଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ଶହ ଶହ ଓକିଲ । ପୁରୀ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ଉଦ୍ୟମ କରୁଥିବା ବେଳେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲା ଓକିଲ ସଂଘ ।
ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ:
ପୁରୀ ଓକିଲ ସଂଘର ସମ୍ପାଦକ ଶରତ ରାୟଗୁରୁ କହିଛନ୍ତି, ‘ପୁରୀ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଓ ମଧୁରଜଳ ଅଞ୍ଚଳକୁ ସ୍ଥାନାନ୍ତର କରିବା ନିୟମ ବିରୋଧୀ । ବାଲୁଖଣ୍ଡ ଅଭୟାରଣ୍ୟ ସିଆରଜେଡରେ ହୋଇଥିବାରୁ ସେଠାରେ କୋର୍ଟ କରିବା ନିୟମ ନାହିଁ । ସେହିପରି ଦୀର୍ଘ ୧୬୦ ବର୍ଷ ହେବ ଲକ୍ଷାଧିକ ଲୋକ ଏହି କୋର୍ଟରେ ନ୍ୟାୟ ପାଇ ଆସୁଛନ୍ତି । ବର୍ତ୍ତମାନ ଯେଉଁ ସ୍ଥାନରେ କୋର୍ଟ ରହିଛି ସେଠାକୁ ଯାତାୟତ ସହ ସମସ୍ତ ପ୍ରକାର ସୁବିଧା ରହିଛି । ଏଣୁ କୋର୍ଟ ସ୍ଥାନାନ୍ତର ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରନ୍ତୁ । ନ ହେଲେ ଆଗାମୀ ଫେବୃଆରୀ ୨୭ରେ ପୁରୀ ବନ୍ଦ ପାଳନ କରାଯିବ ।’

ହଇରାଣ ହେଲେ ଯାତ୍ରୀ:
ତେବେ ଆଜି ସକାଳ ୯ଟାରୁ ପୁରୀ ଓକିଲ ସଂଘ ପକ୍ଷରୁ ମାଳତୀପାଟପୁର ଠାରେ ରାସ୍ତାରୋକ କରାଯାଇଥିଲା । ଦିନ ୩ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ କରାଯାଇଥିବା ଯୋଗୁଁ ଶହ ଶହ ଯାନବାହାନ ରାସ୍ତା ଉପରେ ଅଟକି ରହିଥିଲା । ପୁରୀକୁ ଆସୁଥିବା ଏବଂ ପୁରୀରୁ ଫେରୁଥିବା ପର୍ଯ୍ୟଟକ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ । କେବଳ ସେତିକି ନୁହେଁ ପୁରୀରୁ ଯାତାୟାତ କରୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତା ଉପରେ ଠିଆ ହୋଇରହିଥିଲା । ଫଳରେ ଯାତ୍ରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା ।

ଜରୁରୀ ସେବାକୁ ବାଦ୍:
ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, ଶବବାହକ ଗାଡ଼ି, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ଜରୁରୀକାଳୀନ ସେବା ଯେପରି ପ୍ରଭାବିତ ନହୁଅନ୍ତି ଏଥିପ୍ରତି ଧ୍ୟାନ ଦେଇଥିଲା ଓକିଲ ସଂଘ । ଓକିଲଙ୍କ ରାସ୍ତାରୋକ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ନ ଉପୁଜେ ସେନେଇ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଫୋର୍ସ ମୁତୟନ ହୋଇଥିଲେ । ପୁରୀ ଏସପି ପ୍ରତୀକ ସିଂ ରାସ୍ତାରୋକ ସ୍ଥାନକୁ ଯାଇ ଓକିଲ ମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ । ଯାତ୍ରୀ ମାନେ ଯେଭଳି ହଇରାଣ ହରକତ ନହେବେ ଏବଂ ଯାନବାହାନ କିଭଳି ବିକଳ୍ପ ରାସ୍ତାରେ ଯାଇପାରିବ ସେ ଦିଗରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ।

ସେହି ସ୍ଥାନରେ ନୂଆ କୋର୍ଟ କୋଠା କରିବାକୁ ଦାବି:

ଆଇନଜୀବୀ ଚିନ୍ମୟ କୁମାର ଦାଶ କହିଛନ୍ତି, ‘ନୂଆ କୋର୍ଟ ହେଲେ ଏହା ପୁରୀ ସହର ଠାରୁ ବହୁତ୍ ଦୂରରେ ହେବ । ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ମଧ୍ୟ ବହୁତ୍ ଦୂରରେ । କୋର୍ଟ ଦୂରରେ ହେଲେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯିବା ପାଇଁ ଲୋକେ ବହୁତ୍ ଖର୍ଚ୍ଚାନ୍ତ ହେବେ । ଅନେକ ଗରିବ ଲୋକ କୋର୍ଟ ଆସୁଛନ୍ତି । ସେମାନେ ବହୁତ୍ ଆର୍ଥିକ ସମସ୍ୟା ଭୋଗିବେ । ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ କୋର୍ଟକୁ ସ୍ଥାନାନ୍ତର କରାନଯାଇ ଏବେ ଥିବା ସ୍ଥାନରେ ନୂଆ କୋର୍ଟ କୋଠା ନିର୍ମାଣ ହେଉ ।’
ଇଟିଭି ଭାରତ, ପୁରୀ

