ନୂଆବର୍ଷ ଦର୍ଶନ ବିବାଦ; ମଧ୍ୟରାତ୍ରରେ ଶ୍ରୀମନ୍ଦିର ନଖୋଲିବାକୁ ଅପିଲ୍ କଲେ SJTA ସଦସ୍ୟ, ଗଜପତିଙ୍କୁ ଲେଖିଲେ ଚିଠି
ନବବର୍ଷ ପାଇଁ ଡିସେମ୍ବର ୩୧ ତାରିଖରେ ମହାପ୍ରଭୁଙ୍କୁ ଅଧ ରାତିରୁ ଉଠା ନ ଯାଉ । ଶ୍ରୀମନ୍ଦିର ପରିଚାଳନା ସମିତିକୁ ଚିଠି ଲେଖିଲେ ପରିଚାଳନା ସମିତି ସଦସ୍ୟ ପଣ୍ଡିତ ମହେଶ ସାହୁ ।


Published : December 28, 2025 at 6:55 PM IST
Shree Jagannath Temple managing committee ପୁରୀ/ଅନୁଗୋଳ: ଇଂରାଜୀ ନବ ବର୍ଷ ପାଇଁ ଡିସେମ୍ବର 31 ତାରିଖ ମଧ୍ୟରାତ୍ରରେ ଶ୍ରୀ ମନ୍ଦିର ଖୋଲାଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି (SJTA) ସଦସ୍ୟ ମହେଶ କୁମାର ସାହୁ । ଏହି ନିଷ୍ପତ୍ତିକୁ ବନ୍ଦ ରଖିବା ପାଇଁ ସେ ଆଇନମନ୍ତ୍ରୀ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି ।
ମହାପ୍ରଭୁଙ୍କୁ ଅଧ ରାତିରୁ ଉଠା ନ ଯାଉ-
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି, ବିଧି ଓ ପରମ୍ପରା ପ୍ରାଥମିକତା ହେଉ । ତାପରେ ଭକ୍ତଙ୍କ ଦର୍ଶନ ଓ ଅନ୍ୟାନ୍ୟ ବ୍ୟବସ୍ଥା । ଏମିତି କହିଛନ୍ତି ପୁରୀ ଶ୍ରୀଜଗନ୍ନାଥ ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । କିଛି ବର୍ଷ ହେଲା ଡିସେମ୍ବର ୩୧ତାରିଖ ମଧ୍ୟ ରାତ୍ରିରୁ ଶ୍ରୀମନ୍ଦିର ଖୋଲା ଯାଉଛି । ଯାହା ଆମ ଜଗନ୍ନାଥ ସଂସ୍କୃତି ପରମ୍ପରା ଓ ନୀତି ନିୟମର ବିରୋଧୀ । ଭକ୍ତଙ୍କୁ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି ମାତ୍ର ନୀତି ନିୟମକୁ ପାଳନ କରାଯାଉ ନାହିଁ । ଯାହାକି ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ବିରୋଧ କରେ । କାରଣ ସନାତନ ଧର୍ମରେ ଜାନୁଆରୀ ୧ତାରିଖ ନୂଆ ବର୍ଷ ନୁହେଁ । ଏହା କେବଳ କ୍ୟାଲେଣ୍ଡର ବଦଳିବା ବର୍ଷ । ତେଣୁ ଏହା ଭିତରେ ମହାପ୍ରଭୁଙ୍କୁ କାହିଁକି ସାମିଲ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ମହେଶ ସାହୁ ।


Gajapati Maharaja Dibyasingha Deb, Law Minister Prithiviraj Harichandan and Srimandir Chief Administrator Arabinda Padhee ଏ ସମ୍ପର୍କରେ ମହେଶ ସାହୁ ଶ୍ରୀ ମନ୍ଦିର ପରିଚାଳନା ସମିତିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସଭାପତିର ସ୍ଥାୟୀ ସଭାପତି ଗଜପତି ମହାରାଜ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପତ୍ର ଲେଖିଛନ୍ତି । ଖାଲି ସେତିକି ନୁହେଁ ଠାକୁର ମାନକୁ ଅଧ ରାତିରୁ ନ ଉଠାଇ ନିୟମ ଅନୁଯାୟୀ ନୀତିକାନ୍ତି ଆଧାରରେ ଦର୍ଶନ କରନ୍ତୁ ବୋଲି ଭକ୍ତ ମାନକୁ ମଧ୍ୟ ନିବେଦନ କରିଛନ୍ତି ।

ଜଗନ୍ନାଥଙ୍କ ନୀତିକାନ୍ତିକୁ ପ୍ରାଥମିକତା ଦେବାକୁ ଚିଠିରେ ଉଲ୍ଲେଖ-
ମହେଶ କୁମାର ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, "ଶ୍ରୀ ଜଗନ୍ନାଥ ମହାପ୍ରଭୁ ସନାତନି ହିନ୍ଦୁ ମାନଙ୍କର ଆସ୍ଥା ତଥା ଆରାଧ୍ୟ ଦେବତା ଅଟନ୍ତି । ମହାପ୍ରଭୁଙ୍କ ସକଳ ପରମ୍ପରା ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି । କିନ୍ତୁ କିଛି ବର୍ଷ ହେବ ଜାନୁଆରୀ ୧ ପାଇଁ ଅର୍ଦ୍ଧ ରାତ୍ରୀରେ ମନ୍ଦିର ଖୋଲିବା ଏକ ନିୟମିତ କାର୍ଯ୍ୟ ହୋଇଗଲାଣି ଯାହାକି ଧାର୍ମିକ ପରମ୍ପରା ଦୃଷ୍ଟିରୁ ସମିଚୀନ ନୁହେଁ । ଯେଉଁ କାରଣରୁ ପ୍ରତିବର୍ଷ ଧର୍ମଶାସ୍ତ୍ରବିତ୍ ତଥା ପରମ୍ପରା, ସଂସ୍କୃତିକୁ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ଗୁଡ଼ିକ ନିଜର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି । ଏଣୁ ମୁଁ ଅନୁରୋଧ କରୁଛି ଉକ୍ତ ବିଷୟ ଏବେ ଧାର୍ମିକ ଦୃଷ୍ଟକୋଣରୁ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କ୍ୟାଲେଣ୍ଡର ବଦଳୁଥିବା ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କୁ ରାତ୍ରୀ ଅନିଦ୍ରା ନକରି ସ୍ଵାଭାବିକ ଭାବରେ ମହାପ୍ରଭୁଙ୍କ ଦୈନନ୍ଦିନ ନିତି ଅନୁଷ୍ଠିତ କରାଯାଉ ।"

"ସନାତନ ଧର୍ମରେ ଜାନୁଆରୀ ୧ତାରିଖ ନୂଆ ବର୍ଷ ନୁହେଁ । ଏହା କେବଳ କ୍ୟାଲେଣ୍ଡର ବଦଳିବା ବର୍ଷ । ତେଣୁ ଏହା ଭିତରେ ମହାପ୍ରଭୁଙ୍କୁ କାହିଁକି ସାମିଲ କରାଯାଉଛି । ଠାକୁର ମାନକୁ ଅଧ ରାତିରୁ ନ ଉଠାଇ ନିୟମ ଅନୁଯାୟୀ ନୀତିକାନ୍ତି ଆଧାରରେ ଦର୍ଶନ କରନ୍ତୁ," ବୋଲି ଭକ୍ତ ମାନକୁ ମଧ୍ୟ ନିବେଦନ କରିଛନ୍ତି ମହେଶ କୁମାର ସାହୁ ।
ଇଟିଭି ଭାରତ, ପୁରୀ

