ପର୍ଯ୍ୟଟନର ହବ୍ ପାଲଟିଛି ପୁରୀ: ବଢୁଛି ବିଦେଶୀ ପର୍ଯ୍ୟଟକ ସଂଖ୍ୟା, ଅଧିକ ବ୍ୟବସ୍ଥା ପାଇଁ ଦାବି
ପୁରୀ ସହରକୁ 2024 ସୁଦ୍ଧା ୨ କୋଟି ୪୩ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରି ଅଧିକ ଭିତ୍ତିଭୂମି ନିର୍ମାଣ କରିବାକୁ ବୁଦ୍ଧିଜୀବୀଙ୍କ ଦାବି ।

Published : February 10, 2026 at 5:03 PM IST
Puri Jagannth Dham ପୁରୀ: ପର୍ଯ୍ୟଟକଙ୍କ ମନ ପସନ୍ଦର ସ୍ଥାନ ପାଲଟିଛି ପୁରୀ । କାରଣ ଶ୍ରୀକ୍ଷେତ୍ରରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ୩ ବର୍ଷରେ ଦେଢ଼ ଗୁଣା ବୃଦ୍ଧି ପାଇଛି ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା । ଯାହାକି ଶ୍ରୀକ୍ଷେତ୍ର ପୁରୀ ରାଜ୍ୟର ପର୍ଯ୍ୟଟନର ପ୍ରମୁଖ କ୍ଷେତ୍ରରେ ପରିଣତ ହୋଇଛି । ୨୦୨୨ ମସିହାରେ ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ବେଳେ ୨୦୨୪ରେ ଏହା ୨ କୋଟି ୪୩ ଲକ୍ଷ ୧୪ ହଜାର ୪୨୫କୁ ବୃଦ୍ଧି ପାଇଛି । ଅର୍ଥାତ୍ ଦୁଇ ବର୍ଷରେ ୯୫ ଲକ୍ଷ ୭୨ ହଜାର ୧୯୭ ଜଣ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି । ତେଣୁ ଅଧିକ ଭିତ୍ତିଭୂମି ନିର୍ମାଣ ପାଇଁ ଦାବି କରିଛି ବୁଦ୍ଧିଜୀବୀ ।
ଭିତ୍ତିଭୂମିକୁ ଆହୁରି ବିକାଶ ପାଇଁ ଦାବି:
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଆଗମନ ହେଉଛି । ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପ୍ରତିଦିନ ହଜାର ହଜାର ଲୋକ ବେଳାଭୂମିର ମଜା ନେଉଛନ୍ତି । ସରକାର ପୁରୀ ସହର ଭିତ୍ତିଭୂମି ବୃଦ୍ଧି କରିଛନ୍ତି । ହେଲେ ଏହା ପର୍ଯ୍ୟାପ୍ତ ହେଉନି । ଛୁଟି ଦିନରେ ଓ ବିଭିନ୍ନ ପର୍ବ ପର୍ବାଣୀରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଗାଡ଼ି ପାର୍କିଂ ପାଇଁ ସ୍ଥାନ ଅଭାବ ଦେଖାଦେଉଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଘଣ୍ଟା ଘଣ୍ଟା ଶ୍ରଦ୍ଧାଳୁ ମାନେ ଲାଇନରେ ଠିଆ ହୋଇ ବହୁତ୍ କଷ୍ଟ ପାଉଛନ୍ତି । ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଯୋଗୁଁ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ପାଇଛି ସତ କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଭିତ୍ତିଭୂମିର ଅଭାବ ରହୁଛି ।

ପୁରୀରେ କେତେ ଅଛି ହୋଟେଲ ?
- ୨୦୨୨ ମସିହାରେ ପୁରୀରେ ହୋଟେଲ ସଂଖ୍ୟା ୬୬୭ଟି ଥିଲା
- ୧୪ ହଜାର ୬୨୮ଟି ହୋଟେଲ ରୁମ୍ ରହିଥିଲା
- ୩୨ ହଜାର ୧୬୦ଟି ବେଡ ଥିଲା
- ତେବେ ୨୦୨୪ରେ ଆଉ ୧୪୫ଟି ନୂଆ ହୋଟେଲ ଯୋଡ଼ି ହୋଇଛି
- ହୋଟେଲ ସଂଖ୍ୟା ୮୧୨ରେ ପହଞ୍ଚିଛି
- ରୁମ୍ ସଂଖ୍ୟା ୧୭,୩୬୧ ଏବଂ ବେଡ଼ ସଂଖ୍ୟା ୩୮,୭୯୮ରେ ପହଞ୍ଚିଛି

ହୋଟେଲ ରୁମ ପାଇଁ ହଇରାଣ:
୩ ବର୍ଷରେ ବୃଦ୍ଧି ପାଇଥିବା ୧ କୋଟି ପର୍ଯ୍ୟଟକଙ୍କ ତୁଳନାରେ ମାତ୍ର ୧୪୫ଟି ହୋଟେଲ ସଂଖ୍ୟା ବୃଦ୍ଧି ଯଥେଷ୍ଟ ହେଉନାହିଁ । ଫଳରେ ପୁରୀରେ ପର୍ଯ୍ୟଟକଙ୍କୁ କୌଣସି ହୋଟେଲ ରୁମ୍ ମିଳିବାରେ ବହୁତ୍ ସମସ୍ୟା ହେଉଛି । ୬ ମାସ ପୂର୍ବରୁ ବଡ ବଡ ହୋଟେଲ ଗୁଡ଼ିକରେ ଆଗୁଆ ଆଡଭାନ୍ସ ରୁମ୍ ଵୁକିଂ ହୋଇଯାଉଛି । ରଥଯାତ୍ରା ସମୟରେ ରୁମ୍ ମିଳିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି ।

କେତେ ଆସିଛନ୍ତି ପର୍ଯ୍ୟଟକ ?
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ-
| ବର୍ଷ | ସ୍ଥାନ | ପର୍ଯ୍ୟଟକଙ୍କ ଆଗମନ |
| ୨୦୨୨ | ପୁରୀ | ୧,୪୭,୪୭, ୩୭୦ |
| ୨୦୨୩ | ପୁରୀ | ୨,୦୬,୫୮,୧୭୯ |
| ୨୦୨୪ | ପୁରୀ | ୨, ୪୩, ୨୪, ୪୨୫ |
ବଢିଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା:
କୋଭିଡ ମହାମାରୀ ପରେ ପୁରୀକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି । ୨୦୨୨ ମସିହାରେ ପୁରୀ ସହରକୁ ୫୧୪୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ଏହା ୨୦୨୪ରେ ୧୦,୨୭୫ରେ ପହଞ୍ଚିଛି । ୨୦୨୨ରୁ ୨୦୨୪ ମଧ୍ୟରେ ୩ ବର୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ପୁରୀରେ ଇକୋ ଟୁରିଜିମ୍, ନେଚର୍ କ୍ୟାମ୍ପ, ଜଳକ୍ରୀଡା, ଐତିହ୍ୟ ଭିତ୍ତିଭୂମି ବୃଦ୍ଧି, ବିଭିନ୍ନ ପର୍ବପର୍ବାଣୀ ସମେତ ପାରମ୍ପରିକ କଳା ପ୍ରୋତ୍ସାହନ ଯୋଗୁଁ ପର୍ଯ୍ୟଟକଙ୍କ ଭିତରେ ବୁଲିବାର ଉତ୍ସୁକତା ଯଥେଷ୍ଟ ବୃଦ୍ଧି ପାଇଛି । ପର୍ଯ୍ୟଟନ ବିଭାଗର ପରିସଂଖ୍ୟାନ ଅନୁସାରେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନରେ ଜଗନ୍ନାଥ ଧାମ ପୁରୀ ସର୍ବାଗ୍ରେ ରହିଛି । ପ୍ରତିବର୍ଷ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଥିବାରୁ ପୁରୀର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ବୃଦ୍ଧି ହେବାରେ ଲାଗିଛି ।
ପୁରୀରେ ଏସବୁ ବ୍ୟବସ୍ଥା କରିବାକୁ ଦାବି:
ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ‘ପୁରୀକୁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ବହୁତ୍ ଖୁସିର ଖବର । ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ଭିତ୍ତିଭୂମି ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଯେତିକି ହୋଟେଲ ରହିଛି ତାହା ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ହେଉନି । ଏଣୁ ପୁରୀରେ ଆହୁରି ଅଧିକ ହୋଟେଲ ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଏଥିସହ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ଉନ୍ନତି ହେବାର ଆବଶ୍ୟକତା ରହିଛି । ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକ ବୁଡି ଯାଇ ମୃତ୍ୟୁ ବରଣ କରୁଛନ୍ତି । ସୁରକ୍ଷିତ ସମୁଦ୍ର ସ୍ନାନ ନେଇ ପ୍ରଶାସନ ବ୍ୟବସ୍ଥା କରିବା ଦରକାର । ପୁରୀରେ ପାର୍କିଂକୁ ନେଇ ବହୁତ ବଡ ସମସ୍ୟା ହେଉଛି । ଏଣୁ ପାର୍କିଂ ଉପରେ କାର୍ଯ୍ୟ ହେବାର ଆବଶ୍ୟକତା ରହିଛି ।’

ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ:
ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ କହିଛନ୍ତି, ‘ଧୀରେ ଧୀରେ ପୁଣି ବିଦେଶୀ ପର୍ଯ୍ୟଟକ ପୁରୀ ମୁହାଁ ହେଲେଣି । ଏହାକୁ ଦୃଷ୍ଟିରେ ରଖାଯାଇ ଅଧିକ ସୁବିଧା କରାଗଲେ ଆଗାମୀ ଦିନରେ ଅଧିକ ପର୍ଯ୍ୟଟକ ନିଶ୍ଚିତ ଆସିବେ । ବିଚରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଠିକ୍ ରହିବା ଦରକାର୍ । କୌଣସି ପ୍ରକାର ଠକେଇ ତାଙ୍କ ପ୍ରତି ନହେଉ । ପୁରୀ ସହରରେ ଥିବା ବିଭିନ୍ନ ବିଚର ଉନ୍ନତି କରଣ ହେବାର ଆବଶ୍ୟକତା ରହିଛି । ବିଚରେ ୱାଟର ସ୍ପୋର୍ଟସ, ସ୍କାଏ ରାଇଡିଙ୍ଗ ଭଳି ରୋମାଞ୍ଚକର କ୍ରୀଡା ହେବା ଉଚିତ୍ । ଏହା ଦ୍ଵାରା ଅଧିକ ପର୍ଯ୍ୟଟକ ପୁରୀ ଆସିବାକୁ ପସନ୍ଦ କରିବେ।’

ମନୋରଞ୍ଜନ ପାଇଁ ବ୍ୟବସ୍ଥା ହେଉ:
ବୁଦ୍ଧିଜୀବି ସିଦ୍ଧାର୍ଥ ରାୟ କହିଛନ୍ତି, ‘ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବ ଅପେକ୍ଷା କମ ରହିଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏ ପର୍ଯ୍ୟନ୍ତ ପୁରୀରେ ସେଭଳି ଭିତ୍ତିଭୂମି ନାହିଁ । ବିଚରେ ସେଭଳି କିଛି ବ୍ୟବସ୍ଥା ନାହିଁ ଯାହା ଫଳରେ ବିଦେଶୀ ପର୍ଯ୍ୟଟକ ମାନେ ଆସିଲେ କିଛି ମନୋରଞ୍ଜନ କରିପାରିବେ । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନାହିଁ । ଫଳରେ ଛୁଟି ଦିନ ଓ ବିଭିନ୍ନ ପର୍ବପର୍ବାଣୀରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ବେଳେ ଉଭୟ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।’

ସରକାର ପଦକ୍ଷେପ ନେଉଛନ୍ତି:

ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କହିଛନ୍ତି, ‘୨୦୨୨ରୁ ୨୦୨୪ ପରିସଂଖ୍ୟାନ ଦେଖିଲେ ପୁରୀକୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଏହା ଦ୍ଵାରା ପର୍ଯ୍ୟଟନ ଶିଳ୍ପ ଲାଭବାନ ହେବ । ପୁରୀ ସହର ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରିବେ । ଅଧିକ ବିଦେଶୀ ପର୍ଯ୍ୟଟକ ମାନେ ଓଡ଼ିଶାକୁ ଆସିବା ପାଇଁ ରାଜ୍ଯ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯାହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ପୁରୀ ସହିତ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିଭିନ୍ନ ଭିତ୍ତିଭୂମି ଉନ୍ନତି ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।’
ଇଟିଭି ଭାରତ, ପୁରୀ

