ଶ୍ରୀକ୍ଷେତ୍ର ଆକାଶରେ ଉଡ଼ିବେ ପର୍ଯ୍ୟଟକ; 2499 ଟଙ୍କାରେ ମିଳିବ ରୋମାଞ୍ଚକର ଅନୁଭୂତି, ଓଡ଼ିଶାରେ ପ୍ରଥମ ଥର ପାରା ମୋଟର ରାଇଡ୍
ପୁରୀ ବେଳାଭୂମିରେ ଆରମ୍ଭ ହେଲା ପାରା ମୋଟର ରାଇଡ୍, ପର୍ଯ୍ୟଟକଙ୍କୁ ମିଳିବ ନୂଆ ଅନୁଭୂତି । ଆକାଶରୁ ଦେଖିବେ ନୀଳ ସମୁଦ୍ର ଓ ଶ୍ରୀମନ୍ଦିର । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର

Published : October 11, 2026 at 8:33 PM IST
|Updated : October 11, 2026 at 9:15 PM IST
ପୁରୀ: ଓଡ଼ିଶାରେ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ଥର ଆରମ୍ଭ ହେଲା ପାରା ମୋଟର ରାଇଡ । ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ମିଳିବ ନୂଆ ଅନୁଭୂତି । ଲାଇଟ୍ ହାଉସ୍ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାରା ମୋଟର ରାଇଡର ରହିଛି ବ୍ୟବସ୍ଥା । ଆକାଶ ମାର୍ଗରୁ ଜଗନ୍ନାଥ ମନ୍ଦିରର ଭବ୍ୟ ଦୃଶ୍ୟ ସମେତ ସମୁଦ୍ର ନୀଳ ଜଳରାଶିର ଦୃଶ୍ୟ ଉପୋଭୋଗ କରିପାରିବେ ପର୍ଯ୍ୟଟକ ।
ପୁରୀରେ ପ୍ରଥମ ଥର ପାଇଁ ପାରା ମୋଟର ରାଇଡ୍ :
ଶ୍ରୀକ୍ଷେତ୍ର ପୁରୀରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ଯେଭଳି ଏକ ନିଆରା ଅନୁଭୂତି ନେଇ ଫେରିବେ ଏବଂ ଅଧିକ ଦିନ ପୁରୀରେ ରହିବେ, ସେଥି ପାଇଁ ଓଡ଼ିଶା ସରକାର ପୁରୀ ବେଳାଭୂମିରେ ଆଡଭେଞ୍ଚର୍ ଟୁରିଜିମ ଆରମ୍ଭ କରିଛନ୍ତି । ଏଣିକି ପୁରୀ ଆସୁଥିବା ପର୍ଯ୍ୟଟକ ମାନେ କେବଳ ସମୁଦ୍ର ସ୍ନାନ ମଜା ନେବେ ତାହା ସହିତ ପାରା ମୋଟର ରାଇଡର ମଧ୍ୟ ମଜା ନେଇ ପାରିବେ ।

୨୪୯୯ ଟଙ୍କାରେ ମିଳିବ ନୂଆ ଅନୁଭୂତି :
ଗତ ସେପ୍ଟେମ୍ୱର ୨୮ ତାରିଖରୁ ପୁରୀ ବେଳାଭୂମିରେ ଆରମ୍ଭ ହୋଇଛି ଆଡଭେଞ୍ଚର୍ ଟୁରିଜିମ । ପର୍ଯ୍ୟଟନ ବିଭାଗର ଅନୁମତି କ୍ରମେ 'ସ୍କାଏ ଡ୍ରାଇଭ୍ ୱାଟର ସ୍ପୋର୍ଟସ ପୁରୀ ' ନାମକ ଏକ ସଂସ୍ଥା ବେଳାଭୂମିରେ ଆରମ୍ଭ କରିଛି ପାରା ମୋଟର ରାଇଡ । ଯାହାକି ଧିରେ ଧିରେ ପର୍ଯ୍ୟଟକଙ୍କ ଦ୍ଵାରା ଆଦୃତ ହେବାରେ ଲାଗିଛି । ଜଣେ ବ୍ୟକ୍ତି ପାରା ମୋଟର ରାଇଡ କଲେ ୨୪୯୯ ଟଙ୍କା ଦାମ୍ ରହିଛି । ଏହି ରାଇଡରେ ୪ରୁ ୫ କିଲୋମିଟର ପାଖାପାଖି ୧୫ ମିନିଟ୍ ଧରି ଜଣେ ପର୍ଯ୍ୟଟକ ପୁରୀ ବେଳାଭୂମିର ଆକାଶ ଉପରେ ଭ୍ରମଣ କରିବେ । ଏହ ସହ ଜଗନ୍ନାଥ ମନ୍ଦିରର ଭବ୍ୟ ଦୃଶ୍ୟ ଏବଂ ବେଳାଭୂମିର ଦୃଶ୍ୟ ଆକାଶ ମାର୍ଗରୁ ଦେଖିପାରିବେ । ଯାହାକି ବହୁତ୍ ମନୋରମ ଏବଂ ମନମୁଗ୍ଧକର । ତେବେ ଏହି ରୋମାଞ୍ଚକର ପାରା ମୋଟର ରାଇଡ ପାଇଁ ପର୍ଯ୍ୟଟକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଥିବାରୁ ପାରା ମୋଟର ରାଇଡକୁ ନେଇ ବ୍ୟବସାୟ କରୁଥିବା ସଂସ୍ଥା ମଧ୍ୟ ବହୁତ୍ ଉତ୍ସାହିତ ଅଛନ୍ତି । ଆଗାମୀ ଦିନରେ କୋଣାର୍କ, ସାତପଡ଼ାରେ ମଧ୍ୟ ପାରା ମୋଟର ରାଇଡ ସେବା ଆରମ୍ଭ ପାଇଁ 'ସ୍କାଏ ଡ୍ରାଇଭ୍ ୱାଟର ସ୍ପୋର୍ଟସ ପୁରୀ ' ଲକ୍ଷ୍ୟ ରଖିଛି ।

ନିଜର ଅନୁଭୂତି ବଖାଣିଲେ ପର୍ଯ୍ୟଟକ:
ଝାରଖଣ୍ଡ ରାଞ୍ଚିରୁ ଆସିଥିବା ଜଣେ ପର୍ଯ୍ୟଟକ ପୂଜା କୁମାରୀ କହିଛନ୍ତି," ପୁରୀ ବେଳାଭୂମିରେ ପାରା ମୋଟର ରାଇଡ କରିବା ମୋ ଏକ ଅଭୁଲା ସ୍ମୃତି ହୋଇ ରହିବ । ମୁଁ ପ୍ରଥମ ଥର ପାଇଁ ପୁରୀ ବୁଲିବାକୁ ଆସିଥିବା ବେଳେ ଏକ ଭଲ ଅନୁଭୂତି ନେଇ ଫେରୁଛି । ପୂର୍ବରୁ ପୁରୀ ଆସୁଥିବା ପର୍ଯ୍ୟଟକ ମାନେ କେବଳ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହିତ ବେଳାଭୂମିରେ ବୁଲାବୁଲି କରି ସମୟ ବିତାଉଥିଲେ । ଅନ୍ୟ କୌଣସି ମନୋରଞ୍ଜନର ବ୍ୟବସ୍ଥା ନଥିଲା। ହେଲେ ବେଳାଭୂମିରେ ପାରା ମୋଟର ରାଇଡ ଭଳି ଆଡ଼ଭେଞ୍ଚର ସ୍ପୋର୍ଟସ ସୁବିଧା ରହିବା ବହୁତ୍ ଭଲ କଥା । ପୁରୀ ଆସୁଥିବା ପର୍ଯ୍ୟଟକ ମାନେ ବହୁତ୍ ଏହାର ମଜା ନେବେ । ଅଧିକ ଦିନ ପୁରୀ ରେ ରହିବେ । ଅଧିକ ପର୍ଯ୍ୟଟକ ମାନେ ମଧ୍ୟ ଏଥିପାଇଁ ଆକୃଷ୍ଟ ହୋଇ ପୁରୀ କୁ ଆସିବେ । "

'ଆଡଭେଞ୍ଚର ସ୍ପୋର୍ଟସ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ'
ସେହିପରି ଆଉ ଜଣେ ପର୍ଯ୍ୟଟକ ନିଶାନ୍ତ କୁମାର କହିଛନ୍ତି,"ଏଥର ପୁରୀକୁ ଆସିବା ଏକ ବହୁତ୍ ଭଲ ଅନୁଭୂତି ହୋଇ ରହିବ । ପରିବାର ସହ ଆଡଭେଞ୍ଚର୍ ସ୍ପୋର୍ଟସର ବହୁତ୍ ମଜା ନେଲୁ । ପୂର୍ବରୁ ମୁଁ ୨୦୧୩ ରେ ପୁରୀ ଆସିଥିଲି । ହେଲେ ସେତେବେଳେ ଏହି ବ୍ୟବସ୍ଥା ନଥିଲା। ପୁରୀରେ ଆଡ ଭେଞ୍ଚର୍ ସ୍ପୋର୍ଟସ ରହିବା ବହୁତ ଭଲ ପଦକ୍ଷେପ । ଏହା ଦ୍ବାରା ଆଗାମୀ ଦିନରେ ଅନେକ ପର୍ଯ୍ୟଟକ ଏହି ଆଡଭେଞ୍ଚର ସ୍ପୋର୍ଟସ ପାଇଁ ଆକୃଷ୍ଟ ହୋଇ ଆସିବେ । ଏଣୁ ବେଳାଭୂମିରେ ଅଧିକରୁ ୱାଟର ସ୍ପୋର୍ଟସ ସହିତ ଆଡଭେଞ୍ଚର ସ୍ପୋର୍ଟସ ବ୍ୟବସ୍ଥା ରହିବାର ଆବଶ୍ୟକତା ରହିଛି ।"

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ:
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଥିରେ ଏକ ପାରାଚୁଟ୍ ରହିଛି । ଯଦି କୌଣସି କାରଣରୁ ପାରା ମୋଟରର ମେସିନରେ ତ୍ରୁଟି ଆସେ ଅବା ବନ୍ଦ ହୋଇଯାଏ, ତେବେ ପାରା ମୋଟର ସହିତ ଲାଗିଥିବା ପାରାଚୁଟ ସାହାଯ୍ୟରେ ସୁରକ୍ଷିତ ଭାବେ ତଳକୁ ଆସି ହେବ । ଜଣେ ଅଭିଜ୍ଞ ପାଇଲଟ ଦ୍ୱାରା ଏହା ପାରା ମୋଟରକୁ ପରିଚାଳନା କରାଯାଏ । ଗୋଟିଏ ରାଇଡରେ କେବଳ ଦୁଇ ଜଣ ଉପରକୁ ଯାଇ ପାରିବେ । ଜଣେ ଗ୍ରାହକଙ୍କ ସହିତ ଜଣେ ପାଇଲଟ ଏହି ପାରା ମୋଟର ରାଇଡରେ ଯାଇପାରିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧିକୃତ ପାରା ମୋଟର ରାଇଡ ପ୍ରଶିକ୍ଷଣ ଅନୁଷ୍ଠାନ ଠାରୁ ପ୍ରଶିକ୍ଷଣ ପ୍ରାପ୍ତ ଏବଂ ଲାଇସେନ୍ସ ପାଇଥିବା ଅଭିଜ୍ଞ ପାଇଲଟ ଦ୍ୱାରା ପୁରୀରେ ପାରା ମୋଟର ରାଇଡ କରାଯାଉଛି । ପ୍ରଥମେ ଗ୍ରାହକଙ୍କ ଓଜନ ମାପ କରାଯାଏ । ପରେ ଉଭୟ ଗ୍ରାହକ ଓ ପାଇଲଟ ହେଲମେଟ, ଲାଇଫ ଜ୍ୟାକେଟ ପିନ୍ଧିଥାନ୍ତି । ଏହି ଭଳି ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କରାଯାଇ ପାରା ମୋଟର ରାଇଡ କରାଯାଏ । ୩୦୦ ଫୁଟ ଉଚ୍ଚ ଯାଇ ପାରା ମୋଟର ରାଇଡ ପାଇଁ ସରକାରଙ୍କ ଅନୁମତି ରହିଛି । ଏହା ଉପରକୁ ନିଆଯାଏ ନାହିଁ ।

ହିମାଚଳ ପ୍ରଦେଶରୁ ଆସିଥିବା ପାରା ମୋଟର ପାଇଲଟ ଅଜୟ କହିଛନ୍ତି," ପୁରୀରେ ପ୍ରଥମ ପାଇଁ ପାରା ମୋଟର ରାଇଡ ତଥା ଆଡଭେଞ୍ଚର୍ ସ୍ପୋର୍ଟସ ଆରମ୍ଭ ହୋଇଛି । ଓଡ଼ିଶାରେ ପର୍ଯ୍ୟଟନକୁ ନେଇ ବହୁତ୍ ସମ୍ଭାବନା ରହିଛି । ଏହାକୁ ଉପଲବ୍ଧି କରି ଓଡ଼ିଶା ସରକାର ପୁରୀରେ ଆଡଭେଞ୍ଚର ସ୍ପୋଟର୍ସ ପାଇଁ ଅନୁମତି ଦେଇଛନ୍ତି । ଏହା ବହୁତ୍ ଭଲ ପଦକ୍ଷେପ ଓଡ଼ିଶା ପର୍ଯ୍ୟଟନ ପାଇଁ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ରାଜ୍ୟରେ ପାରା ମୋଟର ରାଇଡ ବହୁତ୍ ଲୋକପ୍ରିୟତା ହାସଲ କରିଛି । ପୁରୀ ବେଳାଭୂମିରେ ପାରା ମୋଟର ରାଇଡର ଅନୁଭୂତି ଅଦ୍ଭୁତ ଓ ରୋମାଞ୍ଚକର । ଆପଣ ଆକାଶ ମାର୍ଗରେ ଗୋଟେପଟେ ଭବ୍ୟ ଜଗନ୍ନାଥ ମନ୍ଦିରର ଦୃଶ୍ୟ ଓ ଅନ୍ୟପଟେ ନୀଳ ସମୁଦ୍ରର ଦୃଶ୍ୟ ଦେଖି ପାରିବେ । ଦେଖିଲା ଲୋକ ହିଁ ଏହା କେବଳ ଅନୁଭବ କରିପାରିବେ ।"

କୋଣାର୍କ ଏବଂ ସାତପଡ଼ାରେ ବି ଆରମ୍ଭ ହେବ...
ସ୍କାଏ ଡ୍ରାଇଭ୍ ୱାଟର ସ୍ପୋର୍ଟସ ପୁରୀ, ସଂସ୍ଥାର ପରିଚାଳକ ପୃଥ୍ୱୀରାଜ ଛୁଆଳସିଂ କହିଛନ୍ତି ଯେ, ପାରା ମୋଟର ରାଇଡ କଲେ ନିଶ୍ଚିତ ଏକ ନିଆରା ଅନୁଭୂତି ମିଳିବ । ଶତାଧିକ ପର୍ଯ୍ୟଟକ ପାରା ମୋଟର ରାଇଡ କରି ବହୁତ୍ ଖୁସି ପ୍ରକଟ କରୁଛନ୍ତି । ମୁଁ ମୋର ଓଡ଼ିଶାବାସୀଙ୍କୁ ଅନୁରୋଧ କରିବି, ପୁରୀ ଆସିଲେ ନିଶ୍ଚିତ ପାରା ମୋଟର ରାଇଡର ଆନନ୍ଦ ନିଅନ୍ତୁ । ନୂଆ ଅଭୂଲା ଅନୁଭୂତି ନେଇ ଫେରିବେ । ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି ପାରା ମୋଟର ରାଇଡ ପାଇଁ ଆମକୁ ଅନୁମତି ଦେଇଛନ୍ତି । ଆଗାମୀ ଦିନରେ କୋଣାର୍କ, ସାତପଡ଼ାରେ ଏହି ରାଉଡ ଆରମ୍ଭ ପାଇଁ ଆମର ଲକ୍ଷ୍ୟ ରହିଛି । ପୁରୀ ହେଉଛି ଏକ ପର୍ଯ୍ୟଟନ ହବ୍ । ଏଠାରେ ଅଧିକ ରୁ ଅଧିକ ଆଡଭେଞ୍ଚର୍ ଗେମ୍ ହେଲେ ଅଧିକ ପର୍ଯ୍ୟଟକ ଆସିବାକୁ ଆଗ୍ରହ ପ୍ରକାଶ କରିବେ ।
ସେ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ରହିଛି । ଜଗନ୍ନାଥ ମନ୍ଦିର, ପୁରୀର ସ୍ବର୍ଣ୍ଣାଭ ବେଳାଭୂମି, କୋଣାର୍କ ମନ୍ଦିର, ଚିଲିକା, ସାତପଡ଼ା, ଭୁବନେଶ୍ୱରର ବିଭିନ୍ନ ଦର୍ଶନୀୟ ସ୍ଥାନ, ଭିତରକନିକା, ସାତକୋଶିଆ, ଶିମିଳିପାଳ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ସହିତ ଜୈବ ବିବିଧତାରେ ପରିପୂର୍ଣ୍ଣ ଅନେକ ସ୍ଥାନ ରହିଛି । ଏଥି ସହିତ ଅନେକ ହସ୍ତତନ୍ତ, କଳାଗ୍ରାମ ରହିଛି । ଏଣୁ ଓଡ଼ିଶା ସରକାର ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।"

ଏସଓପି ପାଳନ ପାଇଁ କଡ଼ା ନିର୍ଦ୍ଦେଶ:
ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କହିଛନ୍ତି, "ପର୍ଯ୍ୟଟନର ବିକାଶ ପାଇଁ ସରକାର ବିଭିନ୍ନ ସ୍ତରରେ ପ୍ରାଧାନ୍ୟ ଦେଉଛନ୍ତି । ଇକୋ ଟୁରିଜିମ, ଆଡଭେଞ୍ଚର୍ ଟୁରିଜିମ, ରୁରାଲ ଟୁରିଜିମ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏ ନେଇ ବିଭିନ୍ନ ଯୋଜନା ମଧ୍ୟ କରୁଛନ୍ତି। ଅନ୍ୟ ରାଜ୍ୟରେ ଯେଭଳି ଆଡ଼ଭେଞ୍ଚର୍ ଟୁରିଜିମକୁ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟକ ମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଏଣୁ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ସରକାର ଓଡ଼ିଶାରେ ଆଡ଼ଭେଞ୍ଚର ଟୁରିଜିମ ଆରମ୍ଭ କରିଛନ୍ତି ।
ପୁରୀ ସମେତ ଅନ୍ୟ ପର୍ଯ୍ୟଟନ ସ୍ଥଳୀରେ ଆଗାମୀ ଦିନରେ ଆଡଭେଞ୍ଚର୍ ସ୍ପୋର୍ଟସ ଦେଖିବାକୁ ମିଳିବ । ଆମେ ଆଶା କରୁଛୁ ଯେ ଆଗାମୀ ପର୍ଯ୍ୟଟକ ଋତୁରେ ଓଡ଼ିଶା ଆସୁଥିବା ପର୍ଯ୍ୟଟକ ମାନେ ନିଶ୍ଚିତ ଏହାର ଲାଭ ଉଠାଇବେ । ଏକ ନିଆରା ଅନୁଭୂତି ନେବେ । ବିଶେଷ କରି ପର୍ଯ୍ୟଟକ ସୁରକ୍ଷା ପାଇଁ ଏସଓପି ରହିଛି । ଏହାକୁ ଅନୁପାଳନ କରି ଅନୁମତି ପ୍ରାପ୍ତ ସଂସ୍ଥା ଗୁଡ଼ିକ ୱାଟର ସ୍ପୋର୍ଟସ, ଆଡଭେଞ୍ଚର୍ ସ୍ପୋର୍ଟସର ବ୍ୟବସ୍ଥା କରିବେ ।"

ଇଟିଭି ଭାରତ, ପୁରୀ

