10ରେ ମୁକ୍ତିଲାଭ କରିବନି ଆନିମେସନ ଫିଲ୍ମ ମହାପ୍ରଭୁ ଜଗନ୍ନାଥ, ଶାସ୍ତ୍ର ବିରୋଧୀ ଫିଲ୍ମ କହିଲେ ଗଜପତି
ଗଜପତିଙ୍କ ବିରୋଧ ପରେ ଅଟକିଲା ଜଗନ୍ନାଥ ଆନିମେସନ ସିନେମା । ରିପୋର୍ଟ ଶକ୍ତି ପ୍ରସାଦ ମିଶ୍ର


Published : July 7, 2026 at 12:12 PM IST
|Updated : July 7, 2026 at 12:26 PM IST
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେସନ ଚଳଚ୍ଚିତ୍ର ମୁକ୍ତିଲାଭ ସ୍ଥଗିତ ରହିଲା। ମହାପ୍ରଭୁ ଜଗନ୍ନାଥଙ୍କ ଆନିମେସନ ଫିଲ୍ମ ନେଇ ଗଜପତି ମହାରାଜାଙ୍କ ଆପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଚାର, ପ୍ରସାର କମିଟି ବୈଠକରେ ମହାପ୍ରଭୁ ଜଗନ୍ନାଥ ଆନିମେସନ ଚଳଚ୍ଚିତ୍ର କିଛି ସମୟ ପ୍ରଦର୍ଶିତ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ନିଜ ଭୁଲ ସ୍ୱୀକାର କରିଛନ୍ତି। ଭୁବନେଶ୍ୱର (M/s Ele Animations Pvt Ltd) ଦ୍ୱାରା ନିର୍ମିତ “ମହାପ୍ରଭୁ ଜଗନ୍ନାଥ” ଚଳଚ୍ଚିତ୍ର ଆସନ୍ତା ଜୁଲାଇ ୧୦ ରେ ପ୍ରେକ୍ଷାଳୟକୁ ଆସିବାକୁ ଥିଲା । କିନ୍ତୁ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଆଉ ଥରେ ତର୍ଜମା ହୋଇ ପରିବର୍ତ୍ତିତ ହେବ।
ଶ୍ରୀଜଗନ୍ନାଥଙ୍କ ଆନିମେସନ ଚଳଚ୍ଚିତ୍ର ମୁକ୍ତିଲାଭ ସ୍ଥଗିତ
ତେବେ ଜଗନ୍ନାଥଙ୍କ ଉପରେ ଏଲି ଏନିମେସନର ଏନିମେସନ ଫିଲ୍ମର ଅଫିସିଆଲ୍ ଟ୍ରେଲର୍କୁ ଦେଖିବା ପରେ ଗଜପତି ମହାରାଜା ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ କହିବା ଅନୁଯାୟୀ ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ। ଚଳଚ୍ଚିତ୍ରରେ ମହାପ୍ରଭୁଙ୍କର ଏକ ସମ୍ପୂର୍ଣ୍ଣ ମନଗଢ଼ା ଓ କାଳ୍ପନିକ କାହାଣୀ ପ୍ରଦର୍ଶନ କରାଯାଇଛି। ଯାହା ଆମର ପବିତ୍ର ଶାସ୍ତ୍ର ସହିତ ଆଦୌ ମେଳ ଖାଉନାହିଁ।
ବୈଠକ ପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି , ‘‘ଏହି ଫିଲ୍ମ ସଂପୂର୍ଣ୍ଣ କାଳ୍ପନିକ। ଆଜିର ଛୋଟ ପିଲା, ଯୁବପିଢିଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ ସ୍ୱାଗତଯୋଗ୍ୟ। କିନ୍ତୁ ଏହା କାଳ୍ପନିକ କିମ୍ବା ମନଗଢ଼ା କାହାଣୀ ହେବା କଥା ନୁହେଁ’’।

ଅଦିନିଆ ରଥଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଚିଠି
ସେହିପରି ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ‘‘ଦୁଇ ଦିନ ତଳେ ଇସ୍କନ GVC ର ନୂଆ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି ଦିଆଯାଇଛି। ନୀଳାଦ୍ରି ବିଜେ ପରେ ଏକ ପ୍ରତିନିଧିମଣ୍ଡଳୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ। ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ’’ ବୋଲି ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗବେଷକ, ବିଭିନ୍ନ ମଠର ମଠାଧୀଶ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।
ଏହା ମଧ୍ୟ ପଢନ୍ତୁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ WhatsApp ହ୍ୟାକ୍, ଅଭିଯୋଗ ପରେ ଆକାଉଣ୍ଟ୍ ରିକଭର
ଏହା ମଧ୍ୟ ପଢନ୍ତୁ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା; ମୁତୟନ ହେବେ 12000 ପୋଲିସ ଫୋର୍ସ, ସମୀକ୍ଷା କଲେ ଡିଜିପି
ଇଟିଭି ଭାରତ, ପୁରୀ

