ଇସ୍କନର ଅଦିନିଆ ରଥଯାତ୍ରା; ଉଦ୍ବେଗ ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ
ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଭାରତ ଏବଂ ବିଦେଶରେ ଇସ୍କନ ଦ୍ୱାରା ଅଦିନରେ ହେଉଥିବା ରଥଯାତ୍ରା ପାଳନ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।

Published : January 4, 2026 at 7:34 PM IST
Untimely Rath Yatra ପୁରୀ: ଇସ୍କନ ଦ୍ଵାରା ବିଦେଶରେ ହେଉଥିବା ଅଦିନିଆ ରଥଯାତ୍ରା ହେଉଛି ମହାପ୍ରଭୁଙ୍କ ପରମ୍ପରା, ସଂସ୍କୃତିର ବଡ ବ୍ୟତିକ୍ରମ । ଏହାକୁ କୌଣସି ଜଗନ୍ନାଥପ୍ରେମୀ ସହ୍ୟ କରିବା ଉଚିତ୍ ନୁହେଁ । ଇସ୍କନର ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ଦିଗରେ ବିଦେଶରେ ରହୁଥିବା ଓଡ଼ିଆମାନେ ପ୍ରୟାସ କରନ୍ତୁ । ଏହା କରା ନ ଗଲେ ଜଗନ୍ନାଥ ସଂସ୍କୃତି, ପରମ୍ପରା ବିକୃତ ହେବା ସହ ନଷ୍ଟ ହୋଇଯିବ । ଯାହା ଆଗାମୀ ପୀଢ଼ି ପାଇଁ ବଡ ବିପଦ । ତେଣୁ ଇସ୍କନର ଅଦିନିଆ ରଥଯାତ୍ରାକୁ ରୋକ ଲଗାଇବା ପାଇଁ ପ୍ରବାସୀ ଓଡ଼ିଆମାନେ ଦାୟିତ୍ଵ ନିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମହାପ୍ରଭୁଙ୍କ ପ୍ରଥମ ସେବକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ।
ପୁରୀରେ ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲ୍ଡୱାଇଡ୍ ଅର୍ଗାନାଇଜେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ ଆଧ୍ୟାତ୍ମିକ ସମାବେଶରେ ଯୋଗ ଦେଇ ଗଜପତି ମହାରାଜା ଏହି ଆହ୍ବାନ ଦେଇଛନ୍ତି । ଯଦି ଅନ୍ୟ ଧର୍ମର ପର୍ବ ସାରା ବିଶ୍ଵରେ ଗୋଟିଏ ଦିନରେ ପାଳନ ହେଉଛି, ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା କାହିଁକି ସାରା ବିଶ୍ଵରେ ତିଥି ଅନୁସାରେ ପାଳନ ନ ହୋଇ ପାରିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ଗଜପତି ମହାରାଜା । ତେବେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ବିଦେଶରେ ରହୁଥିବା ପ୍ରତ୍ୟେକ ଜଗନ୍ନାଥପ୍ରେମୀ, ଓଡ଼ିଆମାନେ ଆଗେଇ ଆସିବାକୁ ଗଜପତି ମହାରାଜା ଆହ୍ବାନ ଦେଇଛନ୍ତି ।

ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ କହିବା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା, ବିଧି ସାରା ବିଶ୍ଵରେ ବିଧି ଅନୁଯାୟୀ ପାଳନ ହେଉଛି କି ? ସେନେଇ ଏବେ ପ୍ରଶ୍ନ ଉଠିଛି । ସାରା ବିଶ୍ଵରେ ଅନେକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଉଛି । କିନ୍ତୁ ଅନେକ ଲୋକ ଶ୍ରୀ ଜଗନ୍ନାଥ ମନ୍ଦିରରେ ହେଉଥିବା ବିଧି, ପରମ୍ପରା ସଂପର୍କରେ ଅବଗତ ନାହାନ୍ତି । ଅନେକ ସ୍ଥାନରେ ମହାପ୍ରଭୁଙ୍କ ବିଧି ପରମ୍ପରା ବ୍ୟତିକ୍ରମ ହେଉଥିବା ନଜରକୁ ଆସୁଛି । ଏହା ଏକ ଚିନ୍ତାର ବିଷୟ । ପ୍ରତ୍ୟେକ ମନ୍ଦିରରେ ଯଦି ଭିନ୍ନଭିନ୍ନ ପରମ୍ପରା ପାଳନ ହେବ ତେବେ ଜଗନ୍ନାଥ ସଂସ୍କୃତିର ଭବିଷ୍ୟତ କ'ଣ ହେବ ସେନେଇ ପ୍ରଶ୍ନ ଉଠୁଛି । ଯଦି ମହାପ୍ରଭୁଙ୍କ ବିଧି, ପରମ୍ପରାକୁ ମାନିବା ନାହିଁ ତେବେ ମହାପ୍ରଭୁଙ୍କ ମହାନ ପରମ୍ପରା, ବିଧି, ସଂସ୍କୃତି କିଭଳି ସୁରକ୍ଷିତ ରହିବ । ତେଣୁ ମହାପ୍ରଭୁଙ୍କ ମୂଳପୀଠରେ ଶ୍ରୀମନ୍ଦିରରେ ଯାହା ବିଧି ରହିଛି ତାହା କିଭଳି ସାରା ବିଶ୍ଵରେ ଥିବା ଅନ୍ୟ ମନ୍ଦିରରେ ପାଳନ ହେବ ସେନେଇ ପ୍ରୟାସ ହେବା ଉଚିତ୍ ।

'ମହାପ୍ରଭୁଙ୍କ ବିଧି ପରମ୍ପରା ପାଳନ କରିବା ଉଚିତ':
ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, "ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବାସୀ ଓଡ଼ିଆମାନେ ଏନେଇ ସାରା ବିଶ୍ଵରେ ସଚେତନତାର ଦୟିତ୍ଵ ନେବା ଉଚିତ । ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲ୍ଡୱାଇଡ୍ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ସୁରକ୍ଷା ପାଇଁ ଯେଉଁ ପ୍ରୟାସ କରାଯାଉଛି ତାହା ସ୍ବାଗତଯୋଗ୍ୟ । ସାରା ବିଶ୍ଵରେ ଜଗନ୍ନାଥପ୍ରେମୀମାନେ ମଧ୍ୟ ଏ ଦିଗରେ ପ୍ରୟାସ କରିବା ଉଚିତ । ମୂଳପୀଠରେ ଯାହା ପାଳନ ହେଉଛି ତାହା ଯେମିତି ବ୍ୟତିକ୍ରମ ନହୁଏ ସେଥିପାଇଁ ଆମକୁ ସଚେତନ ହେବାକୁ ପଡ଼ିବ । ଶ୍ରୀମନ୍ଦିରରେ ଯାହା ଦୈନନ୍ଦିନ ବିଧି ହେଉଛି, ତାହା ଅନ୍ୟ ମନ୍ଦିରରେ ପାଳନ କରିବା ଅସମ୍ଭବ । କିନ୍ତୁ ମହାପ୍ରଭୁଙ୍କ ଯେଉଁ ବିଶେଷ ପର୍ବପର୍ବାଣୀ ରହିଛି ତାହାକୁ କିନ୍ତୁବିଧି ଅନୁଯାୟୀ ପାଳନ କରିବା ଆମର କର୍ତ୍ତବ୍ୟ । ଏନେଇ ମଧ୍ୟ ପୁସ୍ତକ ପ୍ରକାଶନ ହୋଇଛି । ତାହାକୁ ସମସ୍ତେ ଅନୁସରଣ କରି ମହାପ୍ରଭୁଙ୍କ ବିଧି ପରମ୍ପରା ପାଳନ କରିବା ଉଚିତ ।"

ମହାପ୍ରଭୁଙ୍କ ପ୍ରଚାର ହେଉ, ହେଲେ ପରମ୍ପରା, ବିଧିର ଅପ୍ରପ୍ରଚାର ନହେଉ । ଏଭଳି ହେଲେ ମହାପ୍ରଭୁଙ୍କ ମହାନ୍ ପରମ୍ପରା, ସଂସ୍କୃତି ନଷ୍ଟ ହୋଇଯିବ । ଅଦିନିଆ ରଥଯାତ୍ରା ବନ୍ଦ ନେଇ ଆମେ ଇସ୍କନ ସହିତ ଆଲୋଚନା କରିଥିଲୁ । ଇସ୍କନର ଯୁକ୍ତିକୁ ଆମେ ବିଦ୍ୱାନ ମଣ୍ଡଳୀର ତଥ୍ୟ ମୁତାବକ ଖଣ୍ଡନ କରିଥିଲୁ । ଅଦିନିଆ ରଥଯାତ୍ରାକୁ ଆମ ହିନ୍ଦୁ ଧର୍ମର ଲୋକେ ସହଯୋଗ କରୁଛନ୍ତି । ସେମାନେ ଭାବୁଛନ୍ତି ଏହା ମହାପ୍ରଭୁଙ୍କ ପ୍ରଚାରପ୍ରସାର ହେଉଛି, ଏଥିରେ ଅସୁବିଧା କ'ଣ ? କିନ୍ତୁ ସେମାନେ ଜାଣିନାହାନ୍ତି ଏହା ଏକ ବହୁତ ବଡ ବ୍ୟତିକ୍ରମ । ଆମେ ଯଦି ମହାପ୍ରଭୁଙ୍କ ସେବକ ଓ ଭକ୍ତ ଆମକୁ ମହାପ୍ରଭୁଙ୍କ ଆଦେଶକୁ ମାନିବାକୁ ପଡ଼ିବ । ଏହାକୁ ଖଣ୍ଡନ କରି ଆମେ କିଭଳି ନିଜକୁ ମହାପ୍ରଭୁଙ୍କ ଭକ୍ତ କହି ପାରିବା ବୋଲି ଗଜପତି କହିଛନ୍ତି ।

ପରମ୍ପରାର ବ୍ୟତିକ୍ରମକୁ ସହ୍ୟ କରିବା ଉଚିତ ନୁହେଁ:
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ତାଙ୍କ ଜନ୍ମସ୍ଥାନକୁ ବିଜେ କରିବେ ତଥା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଏହା ହେଉଛି ନବ ଦିନାତ୍ମକ ଯାତ୍ରା । ଏହା ହେଉଛି ସ୍ଵୟଂ ମହାପ୍ରଭୁଙ୍କ ବାଣୀ ଓ ଆଦେଶ । ଏହାକୁ ଆମେ ଖଣ୍ଡନ କରିପାରିବା ନାହିଁ । ଏହାର ଉଲ୍ଲଘଂନ ହେବା ଏକ ଚିନ୍ତାର ବିଷୟ । ଏହାକୁ ଜଗନ୍ନାଥପ୍ରେମୀମାନେ ସହିଯିବା ଏକ ଚିନ୍ତାର ବିଷୟ । ଭାରତ ଭିତରେ ଯଦିଓ ତିଥି ଅନୁସାରେ ରଥଯାତ୍ରା କରିବା ପାଇଁ ଇସ୍କନ ରାଜି ହୋଇଛି, କିନ୍ତୁ ଭାରତ ବାହାରେ ତିଥି ଅନୁସାରେ ରଥ ଯାତ୍ରା ଆୟୋଜନ ନେଇ ଇସ୍କନ ରାଜି ହେଉନାହିଁ । ଯଦି ଏହାକୁ ଜଗନ୍ନାଥପ୍ରେମୀମାନେ ସ୍ଵୀକୃତି ଦେଉଛନ୍ତି, ତାହା ମହାପ୍ରଭୁଙ୍କ ଆଦେଶକୁ ଆମେ କେତେ ନିଷ୍ଠାର ସହ ପାଳନ କରୁଛେ ସେନେଇ ପ୍ରଶ୍ନ ଉଠୁଛି । ମହାପ୍ରଭୁଙ୍କ ବିଧି ପରମ୍ପରାର ବ୍ୟତିକ୍ରମକୁ ଜଗନ୍ନାଥପ୍ରେମୀ ସହ୍ୟ କରିବା ଉଚିତ ନୁହେଁ ।

ବିଦ୍ୱାନ ମଣ୍ଡଳୀଙ୍କ ତଥ୍ୟ ଅନୁସାରେ, ଆମର କିଛି ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଦେଶ, ସ୍ଥାନ, କାଳ, ପାତ୍ର ଦେଖି ଆମେ କିଛି ପରିବର୍ତ୍ତନ କରି ପାରିବା । କିନ୍ତୁ ତିଥିକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ । ଆମ ଓଡ଼ିଶାରେ ମଧ୍ୟ ଅନେକ ମନ୍ଦିରରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହେଉନି । ପରେ ଅନୁଷ୍ଠିତ ହେଉଛି । କିନ୍ତୁ ସବୁ ସେହି ନବ ଦିନାତ୍ମକ ଯାତ୍ରା ତଥା ରଥଯାତ୍ରା ଭିତରେ ହିଁ ଅନୁଷ୍ଠିତ ହେଉଛି । ତେଣୁ ବିଦେଶରେ ମଧ୍ୟ ଇସ୍କନ ରଥଯାତ୍ରା ତିଥି ସମୟରେ ରଥଯାତ୍ରା ଆୟୋଜନ କରିପାରିବ । କିନ୍ତୁ ତିଥିକୁ ବ୍ୟତିକ୍ରମ କରାଯାଇପାରିବ ନାହିଁ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ହେଉଛି ମହାପ୍ରଭୁଙ୍କ ନିଜସ୍ଵ ସ୍ଥାନ । ମହାପ୍ରଭୁ ହେଉଛି ପରମବ୍ରହ୍ମ । ସେ ମନୁଷ୍ୟ ଦ୍ଵାରା ନିର୍ମିତ ମୂର୍ତ୍ତି ନୁହନ୍ତି ।

'ଦୀଘାକୁ ଧାମ କୁହାଯାଇପାରିବ ନାହିଁ':
ସ୍ଵୟଂ ପରମବ୍ରହ୍ମ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି । ତେଣୁ ଏହାକୁ ଧାମ କୁହାଯାଇଛି । ଶ୍ରୀମନ୍ଦିର ପରମ୍ପରା ବିଧି ସାରା ବିଶ୍ବରେ ଆଉ କେଉଁଠି ଦେଖିବାକୁ ମିଳିବନି । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଯେଉଁ ଲୀଳା କରିଛନ୍ତି, ଦୀଘାରେ କ'ଣ ସେହି ଲୀଳା କରୁଛନ୍ତି କି ? । ତେଣୁ ଦୀଘାକୁ ଧାମ କୁହାଯାଇପାରିବ ନାହିଁ । ସାରା ବିଶ୍ଵରେ ଯେଉଁଠି ଜଗନ୍ନାଥ ମନ୍ଦିର ରହିଛି ତାହାକୁ ଆମେ ଧାମ କହିପାରିବା ନାହିଁ । ପ୍ରତ୍ୟେକ ଧର୍ମରେ ମୂଳପୀଠର ସ୍ବତନ୍ତ୍ର ସ୍ଥାନ ଥାଏ । ଯେମିତି ଭାଟିକାନ, ମକା ମଦିନା । ଆଉ ଏକ ଜାଗାକୁ ଯଦି ଭାଟିକାନ କୁହାଯିବ କ'ଣ ଏହାକୁ କେହି ସହ୍ୟ କରିବେ ? ତେଣୁ ମୂଳପୀଠର ପ୍ରତ୍ୟେକ ଧର୍ମର ସଦାସର୍ବଦା ଗୁରୁତ୍ୱ ରହିଛି । ଏହାର ନକଲ କରିହେବ ନାହିଁ । ଆମ ସଂସ୍କୃତିର ସୁରକ୍ଷା ପାଇଁ ଓଡିଆମାନେ ଉଦ୍ୟମ କରିବା ଉଚିତ । ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କରେ ପ୍ରଚାର କରିବାକୁ ହେଲେ ପ୍ରଥମେ ଆମକୁ ମହାପ୍ରଭୁଙ୍କ ତତ୍ତ୍ଵକୁ ଜାଣିବାକୁ ହେବ । ବେଦ ବେଦାନ୍ତର ସାଧନା କରିବାକୁ ହେବ । ଏହା କରିଲେ ମହାପ୍ରଭୁ ଅନ୍ତରରେ ପ୍ରକଟ ହେବେ । ଆମେ ତାଙ୍କୁ ଅନୁଭବ କରି ପାରିବା ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।
'ତିଥିରେ ମହାପ୍ରଭୁଙ୍କ ପର୍ବପର୍ବାଣୀ ପାଳନ ହେଉ':
ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲ୍ଡୱାଇଡ୍ ଅର୍ଗାନାଇଜେସନର ଟ୍ରଷ୍ଟି ଡକ୍ଟର ଭଗବାନ ପଣ୍ଡାଙ୍କ କହିବା ଅନୁସାରେ, ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରଚାରପ୍ରସାର ନେଇ ଗଜପତି ମହାରାଜା ଯାହା କହିଛନ୍ତି ତାହା ନିରାଟ ସତ୍ୟ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି କଥା ଉପରେ ବହୁତ ଜୋର ଦେଇଛନ୍ତି । ସେମାନେ ଯାହା କହିଛନ୍ତି ତଥ୍ୟ ଆଧାରିତ । ଯଦି ୨୫ ଡିସେମ୍ବର (ବଡଦିନ) ସାରା ବିଶ୍ଵରେ ଗୋଟିଏ ଦିନରେ ପାଳନ ହେଉଛି, ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା କାହିଁକି ସାରା ବିଶ୍ଵରେ ଗୋଟିଏ ଦିନରେ ପାଳନ ହେବ ନାହିଁ । ସାରା ବିଶ୍ଵରେ ରହୁଥିବା ଓଡ଼ିଆମାନେ ଏହା ଜାଣିବା ଉଚିତ ଯେ, ତିଥିରେ ମହାପ୍ରଭୁଙ୍କ ପର୍ବପର୍ବାଣୀ ପାଳନ ହେଉ । ଯାହା କି ସାରା ବିଶ୍ଵରେ ପ୍ରଚାରପ୍ରସାର କରି ସଚେତନ କରିହେବ । ମହାପ୍ରଭୁଙ୍କ ପରମ୍ପରାକୁ କାହିଁକି ଭାଙ୍ଗିବା ।
ଏହା ମଧ୍ୟ ପଢ଼ନ୍ତୁ... ଅଦିନିଆ ରଥଯାତ୍ରା ଇସ୍କନର ନମ୍ବର-1 ଅପପ୍ରଚାର କହିଲେ ଗଜପତି ମହାରାଜା ପୁଣି ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି; 9 ଦିନରେ ଭାରତ ବାହାରେ ରଥଯାତ୍ରା ପାଇଁ ସହମତ ନାହିଁ ଇସ୍କନ |
ଡକ୍ଟର ଭଗବାନ ପଣ୍ଡା କହିଛନ୍ତି, "ଚିନ୍ତନ ଓ ଚେତନା ୱାର୍ଲ୍ଡୱାଇଡ୍ ଅନୁଷ୍ଠାନ ଏନେଇ ସାରା ବିଶ୍ୱରେ କାର୍ଯ୍ଯ କରୁଛି । ଆମେରିକାରେ ୩୪ଟି ମନ୍ଦିର ରହିଛି । ସାରା ବିଶ୍ଵରେ ମହାପ୍ରଭୁଙ୍କ ପରମ୍ପରା, ବିଧିକୁ ସଠିକ ତିଥିରେ ପାଳନ କରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଗତ ତିନି ବର୍ଷ ଧରି ଏଭଳି ଆଧ୍ୟାତ୍ମିକ ସମାବେଶ କରିଆସୁଛୁ । ଆମେ ତଥ୍ୟ ସଂଗ୍ରହ ମଧ୍ୟ କରୁଛୁ । ଅଦିନିଆ ରଥଯାତ୍ରାକୁ କିଭଳି ଭାରତ ବାହାରେ ବନ୍ଦ କରିହେବ ସେନେଇ ଆଇନଗତ ଲଢେଇ ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଆମେ ଇସ୍କନକୁ ସବୁ ପ୍ରକାର ତଥ୍ୟ ଦେଇଛି । ଯଦି ସେମାନେ ଏହାକୁ ଗ୍ରହଣ ନ କରନ୍ତି ଆମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ । ଭାରତ ସରକାରଙ୍କ ସହଯୋଗ ଆମେ ଲୋଡ଼ିଥିଲେ ମଧ୍ୟ ଆମକୁ ସହଯୋଗ ମିଳୁନି । ଯାହାକି ଦୁଃଖର ବିଷୟ । ତେବେ ସାରା ବିଶ୍ଵରେ ମହାପ୍ରଭୁଙ୍କ ପର୍ବପର୍ବାଣୀକୁ ତିଥି ଅନୁସାରେ ପାଳନ ପାଇଁ ଯେଉଁ ପ୍ରୟାସ ଆମେ ଆରମ୍ଭ କରିଛୁ, ତାକୁ ସାରା ବିଶ୍ଵରେ ରହୁଥିବା ଓଡ଼ିଆମାନେ ସହଯୋଗ କରିବାକୁ ଆମେ ଅନୁରୋଧ କରୁଛି ।"
ଇଟିଭି ଭାରତ, ପୁରୀ

