ବନ ବିଭାଗର ଅବହେଳା; ପୁରୀ ସମୁଦ୍ରରେ ହେଉନି ପେଟ୍ରୋଲିଂ, ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ
ପୁରୀ ସମୁଦ୍ର ନିଷିଦ୍ଧାଞ୍ଚଳରେ ବୁଲୁଛି ମାଳ ମାଳ ମାଛଧରା ଟ୍ରଲର । ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ । ବନ ବିଭାଗରକୁ କଡା ସମାଲୋଚନା କଲେ ପରିବେଶବିତ୍ ।

Published : November 17, 2025 at 11:45 PM IST
ପୁରୀ: ବନ ବିଭାଗର ଅବହେଳା ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ସାଜିଛି କାଳ । ବନ ବିଭାଗ ସମୁଦ୍ରରେ ପେଟ୍ରୋଲିଂ କରୁନଥିବାରୁ ନିଷିଦ୍ଧାଞ୍ଚଳରେ ବୁଲୁଛି ମାଳ ମାଳ ମାଛ ଧରା ଟ୍ରଲର । ଫଳରେ ଚଳିତ ବର୍ଷ ଟ୍ରଲର ମାଡରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ଆଶଙ୍କା ଦେଖାଦେଇଛି । ପୁରୀର ଦେବୀ ନଦୀ ମୁହାଣରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ହେଉଛି ନିଶିଦ୍ଧାଞ୍ଚଳ । ତେବେ ଏହାକୁ ଉଲଂଘନ କରି ମାଳ ମାଳ ଟ୍ରଲର ପ୍ରବେଶ କରୁଛି । ଯାହାକୁ ନେଇ ପୁରୀ ବନ ବିଭାଗରକୁ କଡା ସମାଲୋଚନା କରିଛନ୍ତି ପରିବେଶବିତ୍ ଓ ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ମହାସଂଘ ।
ମୃତ୍ୟୁମୁଖରେ ବିରଳ ଅଲିଭ ରିଡ଼ଲେ କଇଁଛ:
ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ଯାଏଁ ସମୁଦ୍ରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାଛ ଧରା ଟ୍ରଲର ଚଳାଚଳ ନେଇ ଲାଗିଥାଏ କଟକଣା ।ଓଡ଼ିଶା ଉପକୂଳକୁ ବିରଳ ଅଲିଭ ରିଡ଼ଲେ କଇଁଛ ଆଗମନ ନଭେମ୍ବର ମାସରେ ହୋଇଥାଏ । ବିରଳ ଅଲିଭ ରିଡ଼ଲେମାନେ ଓଡ଼ିଶା ଉପକୂଳକୁ ଆସି ସମୁଦ୍ର ଜଳରେ ଭାସମାନ ଅବସ୍ଥାରେ ମିଳନ କରିଥାନ୍ତି ଓ ଉପକୂଳରେ ଅଣ୍ଡାଦାନ କରିଥାଆନ୍ତି । ହେଲେ ସମୁଦ୍ରରେ ମାଛ ଧରା ଟ୍ରଲର ମାଡରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେବାର ଆଶଙ୍କା ଥିବାରୁ ସମୁଦ୍ର କୂଳରୁ ସମୁଦ୍ର ଜଳ ରାଶି ଭିତରକୁ ୨୦ କିଲୋମିଟର ଯାଏ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ। ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ଯାଏଁ ଏହି କଟକଣା ରହିଥାଏ।ଏହି ସମୟରେ ସମସ୍ତ ପ୍ରକାର ଟ୍ରଲର ଯାତାୟାତ ସହିତ ମାଛ ଧରିବା ଉପରେ କଡା କଟକଣା ରହିଥାଏ । ନିୟମ ଉଲଂଘନ କଲେ ଓମଫ୍ରା ଆକ୍ଟରେ ଟ୍ରଲରକୁ ଜବତ କରାଯାଏ ଓ ଜୋରିମାନା ମଧ୍ୟ କରାଯାଏ ।ସମୁଦ୍ରରେ ଥିବା ନିଷିଦ୍ଧାଞ୍ଚଳରେ ଯେପରି କୌଣସି ଟ୍ରଲର ନ ପ୍ରବେଶ କରେ, ସେନେଇ ବନ ବିଭାଗ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ଓ କୋଷ୍ଟ ଗାର୍ଡ ସହାୟତାରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯାଏ ।

ପ୍ରଶାସନର ନିୟମକୁ ବେଖାତିର:
ପ୍ରତିବର୍ଷ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଏ। ମାଛ ଧରା କଟକଣାକୁ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀଙ୍କୁ ଏହି କଟକଣା ସମୟରେ ୧୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଏ । ଏତେ ପ୍ରସ୍ତୁତି ଓ ଅର୍ଥ ବ୍ୟୟ ସରକାର କରୁଥିବା ବେଳେ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଫେଲ୍ ମାରୁଛି । ମୁଖ୍ୟତଃ ସମୁଦ୍ରରେ ବନ ବିଭାଗ ପକ୍ଷରୁ କଡାକଡି ପାଟ୍ରୋଲିଂ ହେଉନଥିବା ହେତୁ ହେଲେ ନିଶିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ପ୍ରତ୍ୟେକ ଦିନ ମାଛ ଧରୁଥିବା ଅଭିଯୋଗ କରିଛନ୍ତି ଲୋକେ । ଫଳରେ ଟ୍ରଲର ମାଡ଼ରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି । ସରକାର ଏନେଇ ଏକ ଉଚ୍ଚସ୍ତରୀୟ ଟିମ୍ ପୁରୀକୁ ପଠାଇ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ଚାଲିଛି, ତାହାର ଯାଞ୍ଜ ପାଇଁ ପରିବେଶବିତ୍ ଦାବି କରିଛନ୍ତି ।

ଟ୍ରଲର ମାଡ଼ରେ କେତେ କଇଁଛ ମୃତ୍ୟୁବରଣ କରିଛନ୍ତି ?
ବନ ବିଭାଗ ସୂଚନା ଅନୁଯାୟୀ, ଗତ ୨୦୨୨-୨୩ ରେ ୮୯୮, ୨୦୨୩-୨୪ ରେ ୫୬୮, ୨୦୨୪-୨୫ ମେ ମାସ ସୁଦ୍ଧା ୧୭୦ କଇଁଛଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ତଥ୍ୟକୁ ଗ୍ରହଣ କରିନାହାନ୍ତି ପରିବେଶବିତ୍ । ଟ୍ରଲର ମାଡ଼ରେ ବହୁତ୍ କଇଁଛଙ୍କ ମୃତ୍ୟୁ ହେଉଥିବା ବେଳେ ବଦନାମ କୁ ଲୁଚାଇବା ପାଇଁ ବନ ବିଭାଗ ଭୁଲ ସୂଚନା ଦେଉଛି । ସେପଟେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ । ବନ ବିଭାଗ ଓ ମେରାଇନ ଥାନା ପାଖରେ ସ୍ପିଡ୍ ବୋଟ୍ ନାହିଁ । ପ୍ରଶିକ୍ଷିତ କର୍ମଚାରୀ ନାହାନ୍ତି। ଫଳରେ ସମୁଦ୍ରରେ ଠିକରେ ପେଟ୍ରୋଲିଂ ହେଉନାହିଁ । ଯାହାର ଫାଇଦା ଉଠାଇ ନିଷିଦ୍ଧାଞ୍ଚଳରେ ଟ୍ରଲର ପ୍ରବେଶ ଫଳରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସହ ଧକ୍କା ହୋଇ କଇଁଛଙ୍କ ମୃତ୍ୟୁ ହେଉଛି ।
କଡ଼ା ସମାଲୋଚନା କଲେ ପରିବେଶବିତ୍:
ଏନେଇ ପରିବେଶବିତ୍ ସରୋଜ କୁମାର ଜେନା କହିଛନ୍ତି, "ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ନଭେମ୍ବର ୧ରୁ ମେ ମାସ ୩୧ ତାରିଖ ଯାଏଁ ସମୁଦ୍ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନିଷିଦ୍ଧଞ୍ଚଳ କରାଯାଏ। ସେଠାରେ କୌଣସି ଟ୍ରଲର ଚଳାଚଳ ନେଇ ଅନୁମତି ନଥାଏ । ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ୍ ପୋଲିସ ପକ୍ଷରୁ ମିଳିତ ଭାବେ ସମୁଦ୍ରରେ ପେଟ୍ରୋଲିଂ କରାଯାଏ । ହେଲେ ଦୁର୍ଭାଗ୍ୟର କଥା ନଭେମ୍ବର ୧ ତାରିଖରୁ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ କଟକଣା ଲାଗିଥିବା ବେଳେ ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ ଆରମ୍ଭ ହୋଇ ପାରିଲା ନାହିଁ । ଫଳରେ ନିଷିଦ୍ଧାଅଞ୍ଚଳରେ ବେଆଇନ୍ ଭାବେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ଟ୍ରଲର ମାଛ ମାରୁଛନ୍ତି । ଏହା ଦ୍ଵାରା ଉପକୂଳକୁ ଆସୁଥିବା ଅଲିଭ ରିଡ଼ଲେ କଇଁଛ ଟ୍ରଲର ମାଡ଼ରେ ମୃତ୍ୟୁ ବୃଦ୍ଧି ହେବା ଆଶଙ୍କା ରହିଛି । ବନ ବିଭାଗ କାହିଁକି କଇଁଛ ସୁରକ୍ଷା ପାଇଁ ଅବହେଳା କରୁଛି, ତାହା ଏବେ ବଡ ପ୍ରଶ୍ନ ? ସରକାର କଇଁଛଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅପାରଗ ବନ ଅଧିକାରୀଙ୍କ ଯୋଗୁଁ ଠିକରେ ସମୁଦ୍ରରେ ପେଟ୍ରୋଲିଂ ହୋଇପାରୁନି । ଫଳରେ ପ୍ରତ୍ୟେକ ବର୍ଷ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ବନ ବିଭାଗ ନିଜ ଦୁର୍ବଳତାକୁ ଲୁଚାଇବାକୁ ଯାଇ କଇଁଛଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା କମାଇ ତଥ୍ୟ ଦେଉଛି । ସରକାର ଏନେଇ ଗୁରୁତର ଭାବେ ପଦକ୍ଷେପ ନ ନେଲେ, ଆଗାମୀ ଦିନରେ ପୁରୀ ଉପକୂଳକୁ ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ହ୍ରାସ ପାଇବର ସମ୍ଭାବନା ରହିଛି ।"

ଏପରି କହିଲେ ମତ୍ସ୍ୟଜୀବୀ:
ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସଭାପତି ବାବୁଲା ପ୍ରସାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ବେଆଇନ ଟ୍ରଲର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ ଥାନା ପକ୍ଷରୁ ଏନେଇ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ତେବେ ଆମର ମେରାଇନ ଥାନା ନାମକୁ ମାତ୍ର ରହିଛି । ସମୁଦ୍ରରେ ପେଟ୍ରୋଲିଂ ପାଇଁ ସ୍ପିଡ୍ ବୋଟ ନାହିଁ ଏବଂ ପ୍ରଶିକ୍ଷିତ କର୍ମଚାରୀ ନାହାନ୍ତି । ଫଳରେ ସଠିକ୍ ଭାବେ ସମୁଦ୍ରରେ ପେଟ୍ରୋଲିଂ ହେଉନି । ଏହା ଦ୍ଵାରା ବେଆଇନ ଟ୍ରଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରୁନାହିଁ । ଟ୍ରଲର ଗୁଡ଼ିକ ଦୀଘା, ପାରାଦୀପରୁ ଆସୁଛନ୍ତି । ତେବେ ବେଆଇନ ଟ୍ରଲର ରୋକିବାରେ ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ସବୁବେଳେ ପ୍ରଶାସନକୁ ସହଯୋଗ କରିଆସୁଛି । ପାରମ୍ପରିକ ମତ୍ସ୍ୟଜୀବୀମାନେ ସରକାରଙ୍କ ଗାଇଡ୍ ଲାଇନ୍ ମାନି ସମୁଦ୍ର ମାଛ ଧରିବାକୁ ଯାଉଛନ୍ତି।ଯେତେବେଳେ ଯାଏଁ ମେରାଇନ ପୋଲିସ ଓ ବନ ବିଭାଗ ପାଖରେ ସ୍ପିଡ ବୋଟ ଓ ପ୍ରଶିକ୍ଷିତ କର୍ମଚାରି ନ ରହିବେ, ସେପର୍ଯ୍ୟନ୍ତ ବେଆଇନ ଟ୍ରଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ହେବେନି ।ଏଣୁ ଏହି ସବୁ ପଦକ୍ଷେପ ସରକାର ଶୀଘ୍ର ଗ୍ରହଣ କରନ୍ତୁ।"


ଏପରି କହିଲେ ପୁରୀ ତିରିକ୍ତ ସାମୁଦ୍ରିକ ମତ୍ସ୍ୟଧିକାରୀ:
ସେପଟେ ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି, "ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଆମେ ମତ୍ସ୍ୟଜୀବୀଙ୍କୁ ସଚେତନ କରୁଛୁ । ଆମ ବିଭାଗ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ ମଧ୍ୟ କରୁଛୁ । ନିଷିଦ୍ଧାଞ୍ଚଳକୁ ଟ୍ରଲର ନ ନେବାକୁ ମତ୍ସ୍ୟଜୀବୀ ସଂଘକୁ ଆମେ ସଚେତନ କରୁଛୁ । ଅମାନିଆ ଟ୍ରଲର ଚାଳକଙ୍କ ବିରୋଧରେ ଓମ୍ଫ୍ରା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ପର୍ଯ୍ୟନ୍ତ କେହି ଧରା ପଡ଼ିନାହାନ୍ତି । ଆମେ କୋଷ୍ଟଗାର୍ଡ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ମେରାଇନ ଥାନା ପୋଲିସ ମିଳିତ ଭାବେ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛୁ ।"

ଏପରି କହିଲେ ଜିଲ୍ଲାପାଳ:


ଏହା ମଧ୍ୟ ପଢନ୍ତୁ... ଗହୀରମଥାରେ ମାଛଧରା ଉପରେ କଟକଣା; ଜୀବିକା ହରାଇ ଦାଦନ ମୁହାଁ ପାରମ୍ପରିକ ମତ୍ସ୍ୟଜୀବୀ ଏହା ମଧ୍ୟ ପଢନ୍ତୁ... ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା: ବିରଳ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ପହିଲାରୁ କଟକଣା |
ଇଟିଭି ଭାରତ, ପୁରୀ

