ETV Bharat / state

ମୂଷା ନଈରେ ଭର୍ତ୍ତି କୁଢ଼କୁଢ଼ ଅଳିଆ, କେବେ ସରିବ ଅଠରନଳା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ?

ବିପର୍ଯ୍ୟସ୍ତ ଅବସ୍ଥାରେ ଶ୍ରୀକ୍ଷେତ୍ରର ପ୍ରବେଶପଥ ଐତିହ୍ୟ ଅଠରନଳା । ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଠପ୍ । ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଉଦାସୀନତାକୁ ଦାୟୀ କଲେ ବୁଦ୍ଧିଜୀବୀ ।

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)
author img

By ETV Bharat Odisha Team

Published : December 15, 2025 at 8:40 PM IST

3 Min Read
Choose ETV Bharat

Puri Atharnala Heritage Project ପୁରୀ: ଶ୍ରୀକ୍ଷେତ୍ରର ପ୍ରବେଶ ପଥ ଅଠରନଳାକୁ ନୂଆ ରୂପ ଦିଆଯିବ । ମୂଷା ନଈକୁ ପୁନରୁଦ୍ଧାର କରାଯାଇ ପର୍ଯ୍ୟଟକଙ୍କ ପାଇଁ ନୌବିହାର ବ୍ୟବସ୍ଥା କରାଯିବ । ନଦୀକୂଳରେ ଆକର୍ଷଣୀୟ ରଙ୍ଗବେରଙ୍ଗର ଫୁଲ ଥିବା ପାର୍କ କରାଯାଇ ପର୍ଯ୍ୟଟକଙ୍କ ବସିବା ପାଇଁ ବ୍ୟବସ୍ଥା ରହିବ । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଐତିହ୍ୟ ଅଠରନଳା ଝଲସିବ । ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକ ଏକ ନୂଆ ଅନୁଭୂତି ନେଇ ଫେରିବେ । ଏମିତି କିଛି ଲକ୍ଷ୍ୟ ନେଇ ତତ୍କାଳୀନ ସରକାର ୨୦୨୦ ମସିହାରେ ମୂଷା ନଈ ପୁନରୁଦ୍ଧାର ଓ ଐତିହ୍ୟ ଅଠରନଳା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଘୋଷଣା କରିଥିଲେ । ଏଥିପାଇଁ ଅର୍ଥ ମଞ୍ଜୁର କରିବା ପରେ ପ୍ରକଳ୍ପ କାର୍ଯ୍ୟ ମଧ୍ୟ କିଛିଦିନ ଚଳିଲା । ହେଲେ ଏବେ ସବୁ କିଛି ଠପ୍ ହୋଇ ପଡ଼ିଛି ।

ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)

ସେପଟେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଯୋଗୁଁ ମୂଷା ନଈ ଏବେ ଦଳରେ ଭର୍ତ୍ତି ହୋଇ ପୋତି ହୋଇଗଲାଣି । ମୂଷା ନଈ ଏବେ ପୁରୀ ସହରବାସୀଙ୍କ ପାଇଁ ଆବର୍ଜନାସ୍ଥଳୀରେ ପରିଣତ ହୋଇଛି । ଦୁର୍ଗନ୍ଧମୟ ପରିବେଶ ଯୋଗୁ ଐତିହ୍ୟ ଅଠରନଳା ନିଜର ଗାରିମା ହରାଇବସିଛି । ପର୍ଯ୍ୟଟକମାନେ ଆଡ଼ ଆଖିରେ ବି ଚାହୁଁନାହାନ୍ତି । ଅଠରନଳାକୁ କେବଳ ଐତିହ୍ୟ ସ୍ମାରକୀ ଘୋଷଣା କରି ବସିଯାଇଛି ଏଏସଆଇ ତଥା ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା । ଅଠରନଳା ପୋଲରେ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେଲେ ନିଶାଖୋର୍ ଆଡ୍ଡା ଜମୁଛି । ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ସହରର ବୁଦ୍ଧିଜୀବୀ ।



ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ଦାବି:

ବୁଦ୍ଧିଜୀବୀ ମହେନ୍ଦ୍ର ବିଷୋୟୀ କହିଛନ୍ତି, "ଐତିହ୍ୟ ଅଠରନଳା ହେଉଛି ପୁରୀ ସହରର ପ୍ରବେଶ ପଥ । ଗାଁ ପରିମଳ ଧୋବା ତୁଠରୁ ଭଳି ଅଠରନଳାର ବିପର୍ଯ୍ୟସ୍ତ ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି । ଅଠରନଳା ଓ ମୂଷା ନଈର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଘୋଷଣା ପରେ ମଧ୍ୟ କିଛି କାର୍ଯ୍ୟ ହୋଇନାହିଁ । ବିଗତ ସରକାର ପୁରୀକୁ ବିଶ୍ଵ ଐତିହ୍ୟ ସହର କରିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ବ୍ଲୁ ଫ୍ଲାଗ ବିଚ୍ ସହିତ ଅନେକ କାର୍ଯ୍ୟ କରିଛନ୍ତି । ହେଲେ ଅଠରନଳା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇପାରୁନି ସେନେଇ ଆମେ ଜାଣିପାରୁନାହୁଁ । ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ପୁରୀ ସହରର ପ୍ରବେଶପଥ ଅଠରନଳା, ମୂଷା ନଈର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଶୀଘ୍ର ଆରମ୍ଭ କରାଯାଉ । ଏହାଦ୍ଵାରା ପର୍ଯ୍ୟଟନସ୍ଥଳୀ ପୁରୀର ପ୍ରସିଦ୍ଧି ବୃଦ୍ଧି ହେବ । ପର୍ଯ୍ୟଟକମାନେ ଏକ ନିଆରା ଅନୁଭୂତି ପାଇବେ ।"

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)



୧୦୫ କୋଟି ଅନୁଦାନ:

୫ ବର୍ଷ ତଳେ ଅବଢ଼ା ଯୋଜନାରେ ଅଠରନଳା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆରମ୍ଭ ହୋଇଥିଲା । ୧୦୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । କିଛି ଦିନ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିବା ପରେ ଏହା ବନ୍ଦ ହୋଇପଡ଼ିଛି । ମୂଷା ନଈ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)
  • ପ୍ରକଳ୍ପ:- ୧ ପାଇଁ ୪୬.୬୦ ଏକର ଜମିର ଆବଶ୍ୟକତା ରହିଛି
  • ପ୍ରକଳ୍ପ - ୨ ପାଇଁ ୬୨.୪୨ ଏକର ଜମିର ଆବଶ୍ୟକତା ରହିଛି ।

ଦୁଇଟି ପ୍ରକଳ୍ପ ପାଇଁ କିଛି ଜମି ଅଧିଗ୍ରହଣ ହୋଇଥିବା ବେଳେ କିଛି ଜମି ଅଧିଗ୍ରହଣ ହୋଇପାରିନାହିଁ । ଅନେକ ଲୋକ ସରକାରୀ ଯାଗା ଜବରଦଖଲ କରି ରଖିଥିବା ବେଳେ ପ୍ରଶାସନ କାହିଁକି ଉଚ୍ଛେଦ କରୁନି ସେନେଇ ପ୍ରଶ୍ନ ଉଠିଛି । ୨୦୨୦ ମସିହାରେ ମୂଷା ନଈ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଖନନ କାର୍ଯ୍ୟ ଆରମ୍ଭ ହୋଇଥଲା । ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜନୀତିକ ଇଚ୍ଛାଶକ୍ତିର ଅଭାବ, ପ୍ରଶାସନିକ ଉଦାସୀନତା ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)



ବିପର୍ଯ୍ୟସ୍ତ ଅବସ୍ଥାରେ ଅଠରନଳା:

ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି, "ଅଠରନଳା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କଲେଣି । ହେଲେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ । ଏବେ ପୂର୍ବ ଭଳି ମୂଷା ନଈ ଦଳରେ ଭର୍ତ୍ତି ହୋଇ ପୋତି ହୋଇଗଲାଣି । ଅଠରନଳାରେ ସହରର ଆବର୍ଜନା ପଡ଼ୁଛି । ସନ୍ଧ୍ୟା ହେଲେ ଏଠାରେ ନିଶା ସେବନ ହେଉଛି । ଯେଉଁ ଐତିହ୍ୟ ଅଠରନଳାକୁ ନେଇ ଆମେ ଗର୍ବ କରୁଛୁ ତାହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । ମୂଷା ନଈ ପୁନରୁଦ୍ଧାର କାର୍ଯ୍ୟ ପ୍ରକଳ୍ପ ଆଳରେ କେବଳ କୋଟି କୋଟି ଟଙ୍କା ଦୁର୍ନୀତି ଚାଲିଛି । ଅଠରନଳାର ବିକାଶ ହେଉ ବୋଲି ପୁରୀବାସୀ ଚାହୁଁଛନ୍ତି । କିନ୍ତୁ ବିକାଶ ଆଳରେ ସଂସ୍କୃତିକୁ ନଷ୍ଟ କରାନଯାଉ ଏବଂ କାର୍ଯ୍ୟରେ ଦୁର୍ନୀତି ନହେଉ । ନୂଆ ସରକାରଙ୍କୁ ଅନୁରୋଧ, ପୂର୍ବ ସରକାର ଭଳି ଭୁଲ କାର୍ଯ୍ୟ ନକରି ଐତିହ୍ୟ ଅଠରନଳାର ବିକାଶ ହେଉ ଏବଂ ମୂଷା ନଈର ଅସ୍ତିତ୍ବ ବଜାୟ ରହୁ ।"

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)

ବିକାଶ କାର୍ଯ୍ୟ କରାଯିବା ନେଇ ଯୋଜନା:

ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, "ଅଠରନଳାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଅଠରନଳା ଠାରୁ ସମୁଦ୍ର ଯାଏଁ ମୂଷା ନଦୀ ଖନନ କାର୍ଯ୍ୟ ଜାରି ରହିଛି । ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି । ମୂଷା ନଦୀରେ ଆବର୍ଜନା ଯେଭଳି ନଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଜଳ ସମ୍ପଦ ବିଭାଗ ସହିତ ଆଲୋଚୋନା ହୋଇଛି । କିଭଳି ଏହି ପ୍ରକଳ୍ପର ରୂପରେଖ ରହିବ ଓ ବିକାଶ କାର୍ଯ୍ୟ କରାଯିବ ସେନେଇ ଯୋଜନା ମଧ୍ୟ କରାଯାଉଛି ।"

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

'ସଫା ସହର' ସାଜିବ ଶ୍ରୀକ୍ଷେତ୍ର; ପୁରୀରେ ଲାଗୁ ହେବ ଭୋପାଳ-ଇନ୍ଦୋର ମଡେଲ୍, ଚକ୍ ଚକ୍ କରିବ ରାସ୍ତାଘାଟ

ପୁରୀରେ ଅଚଳ ଅବସ୍ଥାରେ ଶୌଚାଳୟ: କେଉଁଠି ଝୁଲୁଛି ତାଲା, ଅପରିଷ୍କାର ଦେଖି ଅସନ୍ତୋଷ ପର୍ଯ୍ୟଟକ


ଅଠରନଳା ସେତୁ:

Puri Atharnala Heritage Project Musanai Beautification Neglected
ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ (ETV Bharat)

ପୁରୀ ସହରର ପ୍ରବେଶପଥରେ ଐତିହ୍ୟ ଅଠରନଳା ସେତୁ ଅବସ୍ଥିତ । ଏଥିରେ ୧୮ଟି ନଳା ରହିଛି । ଏହାର ଲମ୍ବ ୮୮.୪ ମିଟର । ଏହା ମଧ୍ୟଯୁଗୀୟ ଶିଳ୍ପ କଳା ଅନୁସାରେ ସ୍ତମ୍ବ ଓ ଅର୍ଦ୍ଧ ଗୋଲାକାର ତୋରଣ ଶୈଳୀରେ ନିର୍ମିତ ହୋଇଛି । ଏଥିରେ ୧୯ଟି ସ୍ପାନ ରହିଛି, ଯାହାର ଦୈର୍ଘ୍ୟ ୨.୧୩ ମିଟରରୁ ୪.୮୭ ମିଟର । ଏହାର ନିର୍ମାଣରେ ମାଙ୍କଡ଼ା ପଥର ଓ ବାଲିପଥର ଖଣ୍ଡ ବ୍ୟବହୃତ ହୋଇଛି । ଓଡ଼ିଶାରେ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀରେ ରାଜୁତି କରୁଥିବା ମରହଟ୍ଟାମାନଙ୍କ ଦ୍ଵାରା ଏହା ନିର୍ମିତ ହୋଇଥିଲା । ଯାତାୟାତରେ ସୁବିଧା ପାଇଁ ମରହଟ୍ଟାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ଏଭଳି ସେତୁ ନିର୍ମାଣ କରୁଥିଲେ । ତେବେ ଐତିହ୍ୟ ଅଠରନଳା ସେତୁକୁ ସଂରକ୍ଷିତ ସ୍ମାରକ ଭାବେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମାନ୍ୟତା ଦେଇଛି ।



ଇଟିଭି ଭାରତ, ପୁରୀ