ବ୍ୟାସନଗରରେ ସିଲ୍ ହେଲା ନାବାଳିକା ପ୍ରସବ କରିଥିବା ଘରୋଇ ମେଡିକାଲ
ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଗଲା ସିଲ୍

Published : February 21, 2026 at 6:49 PM IST
ଯାଜପୁର: ବ୍ୟାସନଗରରେ ନାବାଳିକା ପ୍ରସବ କରିବା ଘଟଣା । ସିଲ୍ ହେଲା ନାବାଳିକା ପ୍ରସବ କରିଥିବା ଘରୋଇ ମେଡିକାଲ । ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଗଲା ସିଲ୍ । ଆଜି ମେଡିକାଲରୁ ସମସ୍ତ ରୋଗୀ ଡିସଚାର୍ଜ ହେବାପରେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲକୁ ସିଲ୍ କରାଯାଇଛି ।
କିଛି ଦିନ ତଳେ ବ୍ୟାସନଗରରେ ଥିବା ଏକ ଘରୋଇ ମେଡିକାଲରେ ସ୍ଥାନୀୟ ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ପ୍ରସବ କରିଥିଲେ । ପୀଡ଼ିତା ନାବାଳିକା ବାପଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ 70 ବର୍ଷିୟ ବୃଦ୍ଧ ଓ ଘରୋଇ ମେଡିକାଲର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ମେଡିକାଲରୁ ସମସ୍ତ ରୋଗୀ ଡିସଚାର୍ଜ ହେବାପରେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲକୁ ସିଲ୍ କରାଯାଇଛି ବୋଲି, ଜିଲ୍ଲା ଚିକିତ୍ସାଧିକାରୀ ମନୋଜ କୁମାର ସେନାପତି କହିଛନ୍ତି ।

ଯାଜପୁର ରୋଡ୍ ଥାନା ଗୋଶାଳା ଛକରେ ଥିବା ଏହି ଘରୋଇ ନର୍ସିଂ ହୋମରେ ନାବାଳିକାର ଗର୍ଭପାତ କରାଇବା ଅଭିଯୋଗରେ ନର୍ସିଂହୋମର ମାଲିକ ଓ ଗର୍ଭବତୀ କରିଥିବା ଅଭିଯୁକ୍ତ ମୋଟ ୨ ଜଣଙ୍କୁ ଗିରଫ କରିଛି ଯାଜପୁର ରୋଡ୍ ପୋଲିସ୍ l ନାବାଳିକାର ବାପା ଓ ଝିଅ ଦୀର୍ଘ ଦିନଧରି ବ୍ୟାସନଗର ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ । ନାବାଳିକା ଗର୍ଭବତୀ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତ ଏକ ଘରୋଇ ଡାକ୍ତରଖାନାରେ ତାର ଗର୍ଭପାତ କରିଥିବା ନାବାଳିକାଙ୍କ ବାପା ଗତକାଲି ରାତିରେ ଯାଜପୁର ରୋଡ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘରୋଇ ଡାକ୍ତରଖାନାର ମାଲିକ ଓ ଭଡ଼ା ଘର ମାଲିକଙ୍କୁ ଗିରଫ କରିଥିଲା ଯାଜପୁର ରୋଡ୍ ପୋଲିସ୍ ।

ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ତାକୁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଓ ଅନ୍ୟାନ୍ୟ ଦିଗ ଉପରେ ତର୍ଜମା କରାଯାଇଥିଲା। ଶେଷରେ ଏହି ନବଜାତ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟମାନେ ନିଜ ହେପାଜତକୁ ନେବାସହ ତାକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ।
ଏହି ଘଟଣାରେ ପ୍ରସବ କରିଥିବା ନାବାଳିକା ଜଣକ ଉଦ୍ଧାର ହୋଇଥିବା ବେଳେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଯାଜପୁର ରୋଡ ପୋଲିସ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାଜପୁର ରୋଡ୍ ପୋଲିସ କେସ୍ ନମ୍ବର-୧୧୩ (ତାରିଖ-୧୫.୦୨.୨୦୨୬) U/s-୬୫(୧)/୬୪(୨)(ମ)/୮୮/୩୫୧(୨)/୩(୫)BNS/ rw/୨୩/୨୫ ପିସି ଏବଂ ପିଏନଡିଟି ଆଇନ-୧୯୯୪ r.w. ୪(୨)/୬ POCSO ଆଇନରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l

ଅଭିଯୁକ୍ତ ଦୁଇ ଜଣ ହେଲେ ପଦ୍ମନାଭ ଶତପଥୀ (୭୦) ଏବଂ ନର୍ସିଂ ହୋମ ମାଲିକ ମନୋଜ କୁମାର ନାୟକ (୫୬ ବର୍ଷ) ବୋଲି ସୂଚନା ମିଳିଛି l ତେବେ ପୀଡ଼ିତା ବାପାଙ୍କ ଅଭିଯୋଗ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ପଦ୍ମନାଭ ଶତପଥିଙ୍କ ଘରେ କାମ କରୁଥିବା ନାବାଳିକା ଝିଅ (୧୬ ବର୍ଷ) ଉପରେ ଅନେକ ଥର ଜୋରଜବରଦସ୍ତି ଯୌନ ନିର୍ଯାତନା ଦେଇଥିଲେ । ପୀଡ଼ିତା ନାବାଳିକା ଝିଅ ଗର୍ଭବତୀ ହେବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ, ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ- ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା ! ନବଜାତ କନ୍ୟା ଉଦ୍ଧାର, 70 ବର୍ଷୀୟ ବୃଦ୍ଧ ସମେତ 2 ଗିରଫ
ଇଟିଭି ଭାରତ, ଭୁବନେଶ୍ବର

