'ଗଛ ଦିଦି' ସ୍ନିଗ୍ଧାରାଣୀ : ଶିକ୍ଷାଦାନ ସହ ପ୍ରକୃତି ପ୍ରେମ, ଲଗାଇଲେଣି 15000ରୁ ଅଧିକ ଗଛ
48 ବର୍ଷୀୟା ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ଦାଶଙ୍କ ପରିବେଶ ସୁରକ୍ଷା ଚିନ୍ତା । ଗଛ ଲଗାଇବା ସହ ବୃକ୍ଷରୋପଣ ଏବଂ ସିଡ୍ ବଲ୍ ସଂପର୍କରେ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ସାଧାରଣ ଲୋକଙ୍କୁ ଦେଉଛନ୍ତି ସଚେତନତା ବାର୍ତ୍ତା ।


Published : November 17, 2025 at 11:36 PM IST
Odisha Teacher Snigdha Rani ଭୁବନେଶ୍ୱର: ପ୍ରକୃତି ହେଉଛି ମନୁଷ୍ୟ ପାଇଁ ଔଷଧ । ମଣିଷର ଶରୀର ଓ ମନକୁ ସୁସ୍ଥ ରଖିବାରେ ସହଯୋଗ କରେ ଚୀରସବୁଜ ପ୍ରକୃତି । ଏପରିକି ପ୍ରକୃତି ଆମ ବଞ୍ଚିବାର ମାଧ୍ୟମ । ପ୍ରକୃତି ବିନା ଜୀବନ ଅସମ୍ଭବ । ତେଣୁ ଏହାର ସୁରକ୍ଷା ଓ ସଂରକ୍ଷଣ ହେଉଛି ଆମର ଦାୟିତ୍ଵ । ଅଧିକରୁ ଅଧିକ ବୃକ୍ଷରୋପଣ କରି ପ୍ରଦୂଷଣ ନିୟନ୍ତ୍ରଣର ନେତୃତ୍ୱ ନିଜ ହାତରେ ନେବା । ପରବର୍ତ୍ତୀ ପିଢୀ ପାଇଁ ଏକ ସବୁଜ, ସୁସ୍ଥ ଓ ସୁରକ୍ଷିତ ପୃଥିବୀ ଗଠନ କରିବା । ଏହି ସୁନ୍ଦର ବାର୍ତ୍ତା ଛାତ୍ରଛାତ୍ରୀଙ୍କୁ ଦେବା ସହ ନିଜ ବ୍ୟକ୍ତିଗତ ଜୀବନରେ ମନ୍ତ୍ର କରିଛନ୍ତି ଜଣେ ଶିକ୍ଷୟିତ୍ରୀ । ଆମେ କହୁଛୁ ବରଗଡ଼ ଜିଲ୍ଲା ଗାଇସିଲେଟ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ରାଣୀ ଦାଶଙ୍କ କଥା । ବ୍ୟକ୍ତିଗତ ସ୍ଥାନ, ସରକାରୀ ଓ ବେସରକାରୀ ଜାଗାରେ ହଜାର ହଜାର ଔଷଧୀୟ ଚାରା ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ଏହି 48 ବର୍ଷୀୟ ଶିକ୍ଷୟତ୍ରୀ ।
ପ୍ରକୃତିର ସୁରକ୍ଷା ପାଇଁ ଅର୍ଥ ନୁହେଁ, ସମର୍ପଣ ଦରକାର-
ପରିବେଶ ଅସନ୍ତୁଳନ ଏବେ ସମଗ୍ର ବିଶ୍ଵ ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏହାର ପ୍ରଭାବ ମଧ୍ୟ ଧୀରେ ଧୀରେ ଅନୁଭବ ହେବାରେ ଲାଗିଛି । ପରିବେଶର ଅବକ୍ଷୟ ଯୋଗୁଁ ଦିନକୁ ଦିନ ଭୟଙ୍କର ଭାବେ ବଢି ଚାଲିଛି ତାପମାତ୍ରା । ଏଥିରୁ ରକ୍ଷା ପାଇବା ପାଇଁ ଗଛ ଲଗାଇବା ହିଁ ଏକମାତ୍ର ବିକଳ୍ପ । ଗଛ ଲାଗେଇବା ଓ ଏହାକୁ ସୁରକ୍ଷା ଦେବା ପାଇଁ ଅର୍ଥ ନୁହେଁ, ପ୍ରକୃତି ପ୍ରତି ସମର୍ପଣ ଭାବ ଦରକାର । ଯାହା କରି ଦେଖାଇଛନ୍ତି ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ । ରୋଜଗାରର ସିଂହଭାଗ ଅର୍ଥ ଗଛ କିଣିବା, ଲଗାଇବାରୁ ଆରମ୍ଭ କରି ବଡ ହେବା ଯାଏଁ ସମସ୍ତ ଯତ୍ନ ନେଉଛନ୍ତି ଶିକ୍ଷୟିତ୍ରୀ ଜଣକ । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବାକୁ ଦାୟିତ୍ୱ ନେଇଥିବା ଶିକ୍ଷୟିତ୍ରୀ ଜଣଙ୍କ ମଧ୍ୟ ସେମାନଙ୍କୁ ଶିକ୍ଷାଉଛନ୍ତି ପ୍ରକୃତିକୁ ସଂରକ୍ଷଣ ଓ ସୁରକ୍ଷା ଦାୟିତ୍ୱ ନେଇ ଭଲ ମଣିଷ ହେବାର କଳା ।
ଚର୍ଚ୍ଚାରେ ସ୍ନିଗ୍ଧାଙ୍କ ଔଷଧୀୟ ବଗିଚା-
ଓଡ଼ିଶାର ବରଗଡ଼ ଜିଲ୍ଲା ସଦର ମହକୁମାରୁ 65 କିମି ଦୂର ରହିଛି ଗାଇସିଲେଟ ଗାଁ । ସେହି ଗାଁ'ରେ ରହିଛି ଗାଇସିଲେଟ ବାଳିକା ଉଚ୍ଚ ବିଦ୍ୟାଳୟ । ବର୍ତ୍ତମାନ ଏହା ପିଏମଶ୍ରୀ ସରକାରୀ ନୋଡ଼ାଲ ହାଇସ୍କୁଲ ନାଁ'ରେ ପରିଚିତ । ଉକ୍ତ ସରକାରୀ ବାଳିକା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି ସ୍ନିଗ୍ଧା ଦାଶ । ପିଲାଟି ବେଳୁ ପରିବେଶ ପ୍ରତି ସଚେତନ ଥିବା ସ୍ନିଗ୍ଧା ଛୋଟବେଳୁ ଗଛ ଲଗେଇ ଆସୁଛନ୍ତି । ବାଳୁତରୁ ସ୍ନିଗ୍ଧାଙ୍କର ଗଛ ଲଗେଇବା ନିଶା ପ୍ରାପ୍ତ ବୟସରେ ଅଭ୍ୟାସରେ ପରିଣତ ହୋଇଯାଇଛି । ପୂର୍ବରୁ ସରକାରୀ, ବେସରକାରୀ ଓ ପାଠ ପଢ଼ାଉଥିବା ସ୍କୁଲରେ ଗଛ ଲଗାଉଥିବା ସ୍ନିଗ୍ଧା ନିଜ ଘର ବାଡିରେ କରିଛନ୍ତି ଗୋଟିଏ ଉଦ୍ୟାନ । ସ୍ନିଗ୍ଧାଙ୍କ ଉଦ୍ୟାନରେ ଥିବା ଔଷଧୀୟ ଗଛର ଚର୍ଚ୍ଚା ସାରା ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ।

ବନ୍ଧୁଙ୍କ ସହ ଟୁଲିପି ଗାର୍ଡେନକୁ କରିଥିଲେ ଆକର୍ଷଣୀୟ-
ହେତୁ ପାଇବାଠୁ ପରିବେଶ ପ୍ରତି ପ୍ରଭାବିତ ହୋଇଥିବା ସ୍ନିଗ୍ଧା ଗଛକୁ ଭଲ ପାଆନ୍ତି । ଗାଁ'ରେ ହେଉଥିବା ପନିପରିବା ଚାଷ ଉପରେ ଛୋଟବେଳୁ ତାଙ୍କର ନଜର । ପିଲା ବେଳେ ଯେଉଁଠି ଯାହା ଗଛ ପାଉଥିଲେ, ତାକୁ ନେଇ ଆସି ନିଜ ବାଡ଼ିରେ ଲଗାଉଥିଲେ । ଗଛ ପ୍ରତି ଦୁର୍ବଳତା କଲେଜରେ ପଢିବା ବେଳେ ଅଭ୍ୟାସରେ ପରିଣତ ହୋଇଗଲା । ପଢିବା ସମୟରେ ସାଙ୍ଗ ମାନଙ୍କ ସହ ଅନାବନା ସ୍ଥାନରେ ଗଛ ଲଗାଇଲେ । ଶିକ୍ଷକତା ପାଇଁ ତାଲିମ ନେବା ସମୟରେ କଲେଜ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ସାଙ୍ଗ ମାନଙ୍କ ସହ ମିଶି ସୁନ୍ଦର ବଗିଚାରେ ପରିଣତ କରିଥିଲେ । ସେହିପରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମିଳିତ ସହଯୋଗରେ ପ୍ରସ୍ତୁତ ଟୁଲିପି ଗାର୍ଡେନ ଆକର୍ଷଣୀୟ ହୋଇଥିଲା ।
20 ଡ଼ିସିମିଲ ଜାଗାରେ 16 ଶହରୁ ଉର୍ଦ୍ଧ୍ବ ସ୍ପେସିଜ-
2017ରେ ନିଜସ୍ୱ ଘର କରିଛନ୍ତି ସ୍ନିଗ୍ଧା । ସେଠାରେ ଏକ ବଡ଼ ବଗିଚା ରଖିଛନ୍ତି । ପ୍ରାୟ 20 ଡ଼ିସିମିଲ ସ୍ଥାନରେ ସ୍ନିଗ୍ଧା ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ଏକ ବିରାଟ ସୁନ୍ଦର ବଗିଚା । ଈଶ୍ୱର ବିଶ୍ୱାସୀ ସ୍ନିଗ୍ଧା ସେଠାରେ ପ୍ରଥମେ ତୁଳସୀ ଗଛ ଲଗାଇଥିଲେ । ପରେ ଛୋଟ ଛୋଟ ଫୁଲ ଓ ଫଳ ଗଛ ଲଗାଇବା ଆରମ୍ଭ କରିଥିଲେ । ପରେ ଅଁଳା, ନରକୋଳି ଓ ଅନ୍ୟାନ୍ୟ ଗଛ ଲଗାଇବାରେ ଲାଗିଲେ । 2019ରୁ ଗଛ ସଂଖ୍ୟା ବଢ଼ିବାରେ ଲାଗିଲା । ସମୟ କ୍ରମେ ନିଜସ୍ଵ ଉଦ୍ୟମରେ ସେ 16 ଶହରୁ ଅଧିକ ସ୍ପେସିଜର ଗଛ ଲଗାଇବା ସହ ଏହାକୁ ସଂରକ୍ଷଣ ଦେଇଛନ୍ତି ସ୍ନିଗ୍ଧା । ସେଥି ମଧ୍ୟରେ ଅନେକ ଔଷଧୀୟ ବୃକ୍ଷ ମଧ୍ୟ ରହିଛି । ବିନା ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର କରି ଜୈବିକ ପଦ୍ଧତିରେ ନିୟମିତ ବୃକ୍ଷର ଚାରା ଲଗାଇବା ସହିତ ତାର ଯତ୍ନ ନେଉଛନ୍ତି ।

ବିଭିନ୍ନ ଫୁଲ ସହ ରୋଷେଇ ମସଲା-
ସ୍ନିଗ୍ଧା ଲଗାଇଥିବା ଗଛ ଗୁଡିକ ମଧ୍ୟରେ 40 ପ୍ରକାରର ଗୋଲାପ, 30 ପ୍ରଜାତିର ମନ୍ଦାର, 15 ପ୍ରକାରର ଜରବେରା, 45 ପ୍ରକାରର ଏଡ଼େନିୟମ, 10 ପ୍ରକାରର ୟୁଫୋରବିଆ ମିଲି, 5 ପ୍ରକାର କେଦାର ଗୌରୀ, 10 ପ୍ରକାରର କାଗଜି, 100ରୁ ଉର୍ଦ୍ଧ୍ବ ପ୍ରଜାତିର ୱାଟର ଲିଲି ଓ ଲୋଟୋସ, 15 ପ୍ରକାରର ଏକ୍ବାଟିକ ପ୍ଲାଣ୍ଟ, 10 ପ୍ରକାର ଏସ୍କୋନେମା, ଫୁଟବଲ ଲିଲି, ପଦ୍ମ, କଇଁ, ସ୍ଵର୍ଣ୍ଣ ଚମ୍ପା, ବିଭିନ୍ନ ରଙ୍ଗର ଅପରାଜିତା, ଅନେକ ପ୍ରକାର ସେବତୀ, ଲିଲି, ବହୁତ କ୍ରାଇନମ ଲିଲି, ଧଳା, ହଳଦିଆ, ଗୋଲାପି, ଖୟରିଆ ରଜନୀଗନ୍ଧା, ବିଭିନ୍ନ ପ୍ରକାର ପାମ, ବୃଦ୍ଧ ବାମ୍ବୋ, କାଲାଥୁଆ, କାଜୁରିନା, କାଲିଡିଅମ, କୋଲିଅସ, ସ୍ପାଇଡର ପ୍ଲାଣ୍ଟ, ସେନସିଭାରିଆ, ବ୍ରୋମିଲଏଡ ଇତ୍ୟାଦି ରହିଛି । ଅର୍ଣ୍ଣାମେଣ୍ଟାଲ ବୃକ୍ଷ ଅନେକ ପ୍ରଜାତିର ରହିଛି । ସେହିପରି ଲତା ପ୍ରଜାତିର ଅନେକ ଗଛ ରହିଛି । ଯାହାକୁ ସେ ଦକ୍ଷିଣ ଭାରତରୁ ମଗାଇ ସଂରକ୍ଷଣ କରିଛନ୍ତି । ସେହିପରି ରୋଷେଇରେ ମସଲା ଭାବେ ବ୍ୟବହାର ହେଉଥିବା ଲବଙ୍ଗ, ଅଳେଇଚ, ଡାଲଚିନି, ତେଜପତ୍ର, ଗୋଲମରିଚ, ଅଦା, ଅନାସଫୁଲ ପ୍ରମୁଖ ରହିଛି ।
100ରୁ ଉର୍ଦ୍ଧ୍ବ ପ୍ରଜାତିର ମେଡ଼ିସିନାଲ ପ୍ଲାଣ୍ଟ-
ସେହିପରି ସ୍ନିଗ୍ଧାଙ୍କ ବଗିଚାରେ ଶୋଭା ପାଉଛି 100ରୁ ଉର୍ଦ୍ଧ୍ବ ପ୍ରକାର ମେଡ଼ିସିନାଲ ପ୍ଲାଣ୍ଟ ରହିଛି । ଅଁଳା, ଅର୍ଜୁନ, ଅଶୋକ, ଅରଖ, ଶ୍ୱେତ ଅରଖ, ଆତ, ଅଶ୍ୱଗନ୍ଧା, ସର୍ପଗନ୍ଧା, ଅଫାମାର୍ଗ, ନୀଳ ଅଫାମାର୍ଗ, ରାମଫଳ, ପୋକସୁଂଘା, ସତ୍ୟନାସୀ, ସତାବରୀ, ବାଇଗଣୀ ମାଳତୀ, ସଦାବାହାର, ଭ୍ରୁଙ୍ଗରାଜ, ବାସଙ୍ଗ, ବଜ୍ରଦନ୍ତି, ନିର୍ଗୁଣି, ଗୁଡ଼ମାରୀ, ମଞ୍ଜୁଆତି, ଧାତୁଡା, ମଧୁନାସିନୀ । ସେହିପରି ଇନସୁଲିନ ପ୍ଲାଣ୍ଟ ଅର୍କରକରା, ଜୟନ୍ତୀ, ଧନନ୍ତରୀ, ଶ୍ୟାମ ତୁଳସୀ, କର୍ପୁର ତୁଳସୀ, ରାମ ତୁଳସୀ, ବନ ତୁଳସୀ, ଦୋହନା, ପୁଦିନା, ପେପର ମିଣ୍ଟ, ଭୂମି ଅଁଳା, ନିମ୍ବ, ପାତାଳ ଗରୁଡ଼, ବ୍ରାହ୍ମୀ, ବଜ୍ରମୂଳି, ଅତିବଳା, ଗୁଲୁଚି, ପାନ, ଗୋଲମରିଚ, ନାଗର ମଥା, ମଥା ଘାସ, ଭୁଇଁ ପିପିଳି, ଗଜ ପିପିଳି, ଅଦା, ଆମ୍ବ ଅଦା, ଦୁବ, ଗୋଖୁରା, ବଚ, ଲବଙ୍ଗ, ଅଳେଇଚ, ଦେବନାସନ, ଦୟଣା, ଚିନ୍ତା ମୂଳ, ମୁଚୁକୁନ୍ଦ, ଅଗସ୍ତି, ଗନ୍ଧ ସୁଣ୍ଠି, ଜୟନ୍ତୀ, ଅନ୍ତ ମୂଳ, ଜଙ୍ଗଲୀ ପିଆଜ, ପାଲୁଅ, ବୃହତି, ଜ୍ୟୋତିସ୍ମୃତି, ପାତାଳ ଗରୁଡ଼ ପ୍ରଭୃତି ରହିଛି । ବାଦୀ ଚାଙ୍ଗ ସର୍ପ ଆଘାତର ଚିକିତ୍ସାରେ ବ୍ୟବହାର ହୁଏ ।

ରାଜ୍ୟ ବାହାରୁ ମଧ୍ୟ ସଂଗ୍ରହ କରନ୍ତି ଚାରା-
ବରଗଡ଼ ଜିଲ୍ଲାରେ ରହିଛି ଅନେକ ଆଦ୍ର ଭୂମି । ଏଠାରେ ଉଠେ ଅନେକ ଆବଶ୍ୟକୀୟ ଓ ଔଷଧୀୟ ବୃକ୍ଷ । ଯାହାକୁ ସାଧାରଣ ଲୋକ ଜାଣିପାରନ୍ତି ନାହିଁ । ସେଠାରୁ ଅନେକ ଗଛ ଚିହ୍ନଟ କରି ସଂଗ୍ରହ କରିନ୍ତି ସ୍ନିଗ୍ଧା । ସେହିପରି ବରଗଡ ହେଉଛି ଜଙ୍ଗଲ ଓ ପାହାଡ଼ ଆଚ୍ଛାଦିତ ଜିଲ୍ଲା । ସେଠାରେ ପ୍ରାକୃତିକ ଉପାୟରେ ଉଠେ ଅନେକ ଜରୁରୀ ବୃକ୍ଷ । ବର୍ଷା ଦିନ ସରୁସରୁ ଅଞ୍ଚଳରେ ଥିବା ଜଙ୍ଗଲରୁ ବିଭିନ୍ନ ଗଛ ସବୁ ସ୍ନିଗ୍ଧା ସଂଗ୍ରହ କରି ଆଣନ୍ତି । ସେହିପରି ପ୍ରକୃତିର ଦାନ ଗନ୍ଧମାର୍ଦ୍ଦନ ପର୍ବତ ହେଉଛି ଔଷଧୀୟ ବୃକ୍ଷର ଭଣ୍ଡାର । ସେଠୁ ମଧ୍ୟ ବହୁ ବୃକ୍ଷ କଲେକ୍ସନ କରି ସଂରକ୍ଷଣ କରିଛନ୍ତି ସେ । ଜିଲ୍ଲାରେ ଥିବା ନର୍ସରୀ ଓ ପସନ୍ଦ ମୁତାବକ ଗଛ ସ୍ପେଶିଆଲିଷ୍ଟଙ୍କ ଠାରୁ ଅନଲାଇନରେ ସେ ଗଛ ମଗାନ୍ତି । କେରଳର ଥିରୁଅନ୍ତପୁରମ, କର୍ଣ୍ଣାଟକ ବାଙ୍ଗାଲୁରୁ, ମୁମ୍ବାଇ, ଢେଙ୍କାନାଳ, ସମ୍ବଲପୁରରୁ ବିଭିନ୍ନ ସ୍ଥାନରୁ ଗଛ ମଗାଇ ରଖିଛି ।
ପ୍ରେରିତ ହୋଇ ସହଯୋଗୀ ସାଜିଛନ୍ତି ଛାତ୍ରଛାତ୍ରୀ-
ଛାତ୍ରଛାତ୍ରୀ ମଧ୍ୟ ସ୍ନିଗ୍ଧାଙ୍କ ରାସ୍ତାରେ ସହଚର ସାଜିଛନ୍ତି । କଥାରେ ନୁହେଁ କାମରେ କରୁଥିବାରୁ ଅନେକ ଛାତ୍ରଛାତ୍ରୀ ପ୍ରେରିତ ହୋଇ ପ୍ରକୃତି ପାଇଁ କାର୍ଯ୍ୟ କରୁଛନ୍ତି । ଏ ଦିଗରେ ସେ ଛାତ୍ରଛାତ୍ରୀଙ୍କ ଲାଗି ରୋଲ ମଡେଲ ହୋଇ ପାରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ସ୍କୁଲ ବଗିଚା, ସ୍କୁଲ ଷ୍ଟାଡିୟମ, ଅଞ୍ଚଳରେ ଥିବା ଖାଲି ସ୍ଥାନ, ରାସ୍ତା କଡ଼ରେ ବୃକ୍ଷ ରୋପଣ କରନ୍ତି ସ୍ନିଗ୍ଧା । ଲଗେଇଥିବା ଗଛ ବଡ଼ ବଡ଼ ହୋଇଗଲାଣି । ପ୍ରକୃତର ସମସ୍ତ ଉତ୍ସକୁ ବ୍ୟବହାର କରି ପରପିଢ଼ିଙ୍କ ପାଇଁ କିଛି କରିବାକୁ ସ୍ନିଗ୍ଧା ଛାତ୍ରଛାତ୍ରୀଙ୍କୁ କରନ୍ତି ଉତ୍ସହିତ । ଗଛ ଲଗେଇବା ବଡ଼ କଥା ନୁହେଁ, ଗଛକୁ ସୁରକ୍ଷା ଦେଇ ବଞ୍ଚେଇ ରଖିବା ବଡ଼ କଥା ବୋଲି ସେ ବୁଝାନ୍ତି । ସେହିପରି ସ୍କୁଲ ଗଛ ଲଗେଇବା ଲାଗି ବନ ବିଭାଗର ସହଯୋଗ ମିଳେ । ଗଛ ଲଗେଇବାକୁ ମାଗଣାରେ ଚାରା ଓ ଖତ ବିଭାଗ ପକ୍ଷରୁ ପ୍ରତିବର୍ଷ ମିଳେ ।

ପ୍ରତିବର୍ଷ ଫିଙ୍ଗନ୍ତି ସିଡ ବଲ; ସହଯୋଗ କରନ୍ତି ପୁଅ ଓ ସ୍ୱାମୀ-
କିଛି ବର୍ଷ ତଳେ ନବମ ଶ୍ରେଣୀର ପିଲାଙ୍କୁ ପଢେଇବା ବେଳେ ସିଡ ବଲ ପ୍ରସ୍ତୁତ କରି ଫିଙ୍ଗିବା ଆଇଡିଆ ସ୍ନିଗ୍ଧାଙ୍କ ମନକୁ ଆସିଥିଲା । ଗଛ ଦୁଇ ପ୍ରକାର । ଗୋଟେ ପ୍ରାକୃତିକ, ଯାହା ଆପେ ଆପେ ଉଠେ । ବା ମଞ୍ଜି ପକେଇ ଦେଲେ ଆପେ ଆପେ ଉଠେ । ସ୍ୱାଭାବିକ ଭାବେ ବଢେ । ରକ୍ଷଣାବେକ୍ଷଣ ଲୋଡ଼ା ପଡେ ନାହିଁ । ଅନ୍ୟଟି ବିଦେଶଜ, ଯାହାକୁ ଗୋଟେ ସ୍ଥାନରୁ ଉଠାଇ ଆଣି ଅନ୍ୟ ଏକ ସ୍ଥାନରେ ରୋପଣ କରାଯାଏ । ଏଠାରେ ଯତ୍ନ ଓ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି । ଖାଲି ମଞ୍ଜି ପଡିଲେ ନଷ୍ଟ ହେବାର ସମ୍ଭାବନା ରହେ । ସିଡ ବଲ କରି ଫିଙ୍ଗିଲେ ଏହା ଅଧିକ ସୁରକ୍ଷିତ ରହେ । ଉପଯୁକ୍ତ ସମୟ ଓ ପାଣି ମିଳିଲେ ସିଡ ବଲ ବଢି ଗଛ ହେବା ଆରମ୍ଭ କରେ । ମେ ମାସରେ ଆମ୍ବ, ଜାମୁକୋଳି, ପଣସ ଓ ଅନ୍ୟାନ୍ୟ ଫଳ ପ୍ରଚୁର ଭାବେ ମିଳେ । ଏହି ସମୟରେ ଏହି ଫଳର ମଞ୍ଜି ସାଇତିବା ଆରମ୍ଭ କରନ୍ତି ସ୍ନିଗ୍ଧା । ଏହାକୁ ବଲ ପ୍ରସ୍ତୁତ କରି ବର୍ଷା ଆରମ୍ଭ ହେଉଥିବା ବେଳେ ଫିଙ୍ଗନ୍ତି । ଯୁଆଡେ ଯାଆନ୍ତି ସାଙ୍ଗରେ ନେଇଥାନ୍ତି । ଫାଙ୍କା ସ୍ଥାନ ଦେଖି ଏହାକୁ ଫିଙ୍ଗନ୍ତି । ପ୍ରତ୍ୟେକ ବର୍ଷ ପ୍ରାୟ ହଜାରେ ସିଡ ବଲ ଫିଙ୍ଗେ । ଗତ ଦୁଇ ବର୍ଷ ହେବ ପିଲାମାନଙ୍କୁ ବୁଝାଇ ସ୍କୁଲରେ ଆରମ୍ଭ କରିଛି ।
ପରିବାର ଓ ସ୍ୱାମୀ କରିଛନ୍ତି ପୂର୍ଣ୍ଣ ସହଯୋଗ -
ଗଛ ଦେଖିଦେଲେ ନିୟନ୍ତ୍ରଣ ହରାଉଥିବା ସ୍ନିଗ୍ଧା ଥରେ ନର୍ସରୀ ଗଲେ ଖର୍ଚ୍ଚ କରନ୍ତି ହଜାର ହଜାର ଟଙ୍କା । ଗଛ ଆଗରେ ଅନ୍ୟାନ୍ୟ ଆବଶ୍ୟକତା ତାଙ୍କ ପାଇଁ ନଗଣ୍ୟ । ଗଛ ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ଯାହାର ହିସାବ ସେ ରଖିନାହାନ୍ତି । ପରିବାର ଲୋକଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ । ଆଜି ପର୍ଯ୍ୟନ୍ତ ପରିବାର ଲୋକ ଏଥିପାଇଁ ପ୍ରତିରୋଧ କରିନାହାନ୍ତି । ସ୍ନିଗ୍ଧାଙ୍କୁ ଏ କ୍ଷେତ୍ରରେ ସ୍ୱାମୀ ପୂର୍ଣ୍ଣ ସହଯୋଗ ଦେଇ ଆସିଛନ୍ତି । ସ୍ନିଗ୍ଧା ତାଙ୍କ ଦରମାରୁ ଅର୍ଦ୍ଧେକ ଅଂଶ ଚାରା ରୋପଣ ଓ ତାର ଯତ୍ନରେ ଖର୍ଚ୍ଚ କରୁଛନ୍ତି । ସମୟର ସଦୁପଯୋଗ କରି କିଛି କିଛି ଚାରା ରୋପଣ କଲେ, ଅର୍ଥ ଏଥରେ ବାଧକ ସାଜିବ ନାହିଁ ବୋଲି ସ୍ନିଗ୍ଧା କହିଛନ୍ତି ।

ପାଠ ପଢାରେ ଆଗୁଆ ସ୍ନିଗ୍ଧା-
ବଲାଙ୍ଗୀର ଜିଲ୍ଲାରେ 18 ଅଗଷ୍ଟ 1976ରେ ଜନ୍ମ ହୋଇଥିଲେ ସ୍ନିଗ୍ଧା । ଇଣ୍ଡୋ - ଚୀନ ଯୁଦ୍ଧରେ ଭାରତୀୟ ବାୟୁସେନାରେ ପାଇଲଟ ଭାବେ କାର୍ଯ୍ୟ କରିଥିବା ବାପା ବିରେନ୍ଦ୍ର କୁମାର ଦାସ ଓ ମା' ଜୋତ୍ସ୍ନାରାଣୀ ଦାସଙ୍କ 3 ସନ୍ତାନଙ୍କ ମଧ୍ୟରୁ ସ୍ନିଗ୍ଧା ସାନ । ଯେଉଁ ସ୍କୁଲରେ ବର୍ତ୍ତମାନ ପଢ଼ାଉଛନ୍ତି, ସେଠାରେ ହିଁ ତାଙ୍କର ପଡିଥିଲା ପାଠପଢାର ମୂଳଦୁଆ । 1991 ମସିହାରେ ମେଟ୍ରିକ ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ 1997ରେ ଗ୍ରାଜୁଏସନ ପାସ କରିଛନ୍ତି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବା ଜୁଲୋଜିରେ 1997ରେ ପିଜି ମଧ୍ୟ କରିଛନ୍ତି । 2000 ମସିହାରେ ସମ୍ବଲପୁରର PMISEରୁ ବି.ଏଡ଼ କରିଛନ୍ତି । ସେହିପରି 2001 ମସିହାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ଏମ.ଫିଲ କରିଛନ୍ତି । ଶିକ୍ଷାବିତ ତଥା ବ୍ୟବସାୟୀ ସୁନୀଲ କୁମାର ପୁରୋହିତଙ୍କୁ 30 ମେ 2002 ରେ ସ୍ନିଗ୍ଧା ବିବାହ କରିଥିଲେ । ସ୍ନିଗ୍ଧାଙ୍କ ଦୁଇ ପୁଅ ସ୍ପର୍ଶ ଓ ସ୍ପନ୍ଦନ ଉଚ୍ଚଶିକ୍ଷା କରୁଛନ୍ତି ।
ଲୋକଙ୍କୁ ପ୍ରକୃତି ଆଡ଼କୁ ଫେରାଇ ଆଣିବା ଲକ୍ଷ୍ୟ-
ପ୍ରକୃତି ପ୍ରେମୀ ସ୍ନିଗ୍ଧାରାଣୀ ଦାଶ କହିଛନ୍ତି, "କରୋନା ସମୟରେ ଅମ୍ଳଜାନ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଆମେ ସମସ୍ତେ ଦେଖିଛେ । ମାଗଣାରେ ମିଳୁଥିବା ଅମ୍ଳଜାନ ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ପନ୍ଥା । ସୁବିଧା ଓ ସହଯୋଗ ମିଳିଲେ ଅଞ୍ଚଳରେ ଥିବା ସବୁ ଖାଲି ସ୍ଥାନକୁ ଗଛରେ ଭର୍ତ୍ତି କରିବା ଏକମାତ୍ର ଲକ୍ଷ୍ୟ । ସେହିପରି ବଡ଼ ଜାଗା ମିଳିଲେ ଗୋଟେ ମେଡ଼ିସିନାଲ ଗାର୍ଡେନ କରିବି । ଲୋକଙ୍କୁ ପ୍ରକୃତି ଓ ପରିବେଶ ଆଡ଼କୁ ଫେରାଇ ଆଣିବାକୁ ଚେଷ୍ଟା କରିବି । ଗଛ ପାଇଁ କୌଣସି ରାସାୟନିକ ଓ କୀଟନାଶକ ଔଷଧ ବ୍ୟବହାର କରେନାହିଁ । ଘରୋଇ ଭାବେ ମିଳୁଥିବା ଜିନିଷକୁ ଜୈବିକ ପଦ୍ଧତିରେ ବୃକ୍ଷରେ ବ୍ୟବହାର କରେ ।"
ସ୍ନିଗ୍ଧାଙ୍କ ବଗିଚା ଇନ୍ଦ୍ରଙ୍କ ନନ୍ଦନକମାନର ଭ୍ରମ ସୃଷ୍ଟି କରେ-
ହିନ୍ଦୀ ଶିକ୍ଷକ ନବୀନ ଚନ୍ଦ୍ର ବରିହା କହିଛନ୍ତି, "ସ୍ନିଗ୍ଧାଙ୍କ ବୃକ୍ଷ ପ୍ରୀତି ଦେଖିଲେ ବାସ୍ତବରେ ବିସ୍ମିତ ହେବାକୁ ପଡେ । ସ୍ନିଗ୍ଧାଙ୍କ ବଗିଚା ଇନ୍ଦ୍ରଙ୍କ ନନ୍ଦନକମାନର ଭ୍ରମ ସୃଷ୍ଟି କରେ । ଏହା ଭିତରକୁ ଯିଏ ଆସିବ, ସେ ନିଜକୁ ଭୁଲି ଯିବ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମ୍ୟାଡାମଙ୍କ ବଗିଚା ଆଗରେ ଫିକା ପଡିଯିବ । ନାଁ ନଶୁଣିଥିବା ବୃକ୍ଷ ସେ ସଂଗ୍ରହ କରି ରଖିଛନ୍ତି । ଆଗାମୀ ଦିନରେ ସେ ଏମିତି ଏମିତି ଆହୁରି ଅନେକ ବୃକ୍ଷ ସଂଗ୍ରହ ସହ ସଂରକ୍ଷଣ କରି ଚାଲନ୍ତୁ । ଶିକ୍ଷକ ସମାଜ, ସାମାଜିକ ଜୀବନ ଓ ଛାତ୍ରଛାତ୍ରୀଙ୍କ ମହଲରେ ସେ ଉଦାହରଣ ସାଜିଛନ୍ତି । ଛାତ୍ରଛାତ୍ରୀଙ୍କୁ ସେ ପ୍ରକୃତି ଓ ପରିବେଶକୁ ଭଲ ପାଇବା ଶିକ୍ଷା ଦେଇ ଚାଲିଛନ୍ତି ।"

ମ୍ୟାମଙ୍କଠୁ ପ୍ରେରିତ ହୋଇ କରିଛି ବଗିଚା-
ସ୍ନିଗ୍ଧାଙ୍କ ଦ୍ଵାରା ପ୍ରେରିତ ଛାତ୍ରୀ ଅମୂଲ୍ୟା ରତ୍ନ ପାଣ୍ଡେ କହିଛନ୍ତି, "ମ୍ୟାମ ଆମକୁ ବିଜ୍ଞାନ ଓ ଭୂଗୋଳ ପଢ଼ାଉଥିଲେ । ମ୍ୟାମଙ୍କ ପାଠ ପଢା ସହ ପରିବେଶ ପ୍ରତି ଯତ୍ନ ଆମକୁ ପ୍ରଭାବିତ କରିଥିଲା । କିଛି ଗଛ ଫଳ କିମ୍ବା ଫୁଲ ସିନା ଦିଅନ୍ତି ନାହିଁ । କିନ୍ତୁ ସେମାନେ ଅକ୍ସିଜେନ ଦିଅନ୍ତି । ତେଣୁ ସେ ସବୁ ଗଛର ସୁରକ୍ଷା ଦେବା ପାଇଁ ଆମକୁ ପ୍ରେରିତ କରିଛନ୍ତି । ମ୍ୟାମଙ୍କଠୁ ପ୍ରେରିତ ହୋଇ ମୁଁ ନିଜେ ଏକ ବଗିଚା କରିଛି । ବଗିଚାରେ ଫୁଲ ଓ ଫଳ ବ୍ୟତୀତ ପନିପରିବା ଚାଷ କରିଛି । ବିନା ରାସାୟନିକ ପ୍ରଦାର୍ଥ ଓ ଔଷଧ ବ୍ୟବହାରରେ ଖତ ପ୍ରସ୍ତୁତ କରୁଛି । ସେଇଟା ବି ମ୍ୟାମଙ୍କଠୁ ଶିଖିଛି ।" ଗାଇସିଲଟର ପିଏମଶ୍ରୀ ସରକାରୀ ନୋଡ଼ାଲ ହାଇସ୍କୁଲର ପିଇଟି ଶିକ୍ଷକ ଉଦ୍ଧବ ଦଣ୍ଡସେନା କହିଛନ୍ତି, "2015ରୁ ସ୍ନିଗ୍ଧା ମ୍ୟାଡାମଙ୍କୁ ଦେଖି ଆସୁଛି । ସେ ଜଣେ ପ୍ରକୃତି ପ୍ରେମୀ ମହିଳା । ନିଜେ ଗଛ ଲଗେଇବା ସହ ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି । ଲଗେଇଥିବା ସବୁ ଗଛ କିଭଳି ବଞ୍ଚି ରହେ ସେଥିପାଇଁ ସେ ସବୁବେଳେ ତତ୍ପର । ସ୍କୁଲ କାମରେ ବାହାରକୁ ଗଲେ ସେଠାରୁ ମଧ୍ୟ ଗଛ ସଂଗ୍ରହରେ ଲାଗି ପଡ଼ନ୍ତି ।"
ଏହା ବି ପଢନ୍ତୁ- ଗଛ ମଣିଷ ଗୁଣ୍ଠିରାମ, ଏକ ଲକ୍ଷରୁ ଊର୍ଦ୍ଧ୍ବ ଗଛ ଲଗେଇଛନ୍ତି ଦିନ ମଜୁରିଆ
ଇଟିଭି ଭାରତ, ଭୁବନେଶ୍ୱର

