ମାର୍ଚ୍ଚ ୫ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ; ଖୋର୍ଦ୍ଧା-ଭୁବନେଶ୍ୱର-କଟକରେ ଏସବୁ କାର୍ଯ୍ୟକ୍ରମରେ ହେବେ ସାମିଲ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସମୀକ୍ଷା ହୋଇଛି ।

Published : February 27, 2026 at 10:14 AM IST
ରିପୋର୍ଟ: ଭବାନୀ ଶଙ୍କର ଦାସ
Amit Shah ଭୁବନେଶ୍ବର: ମାର୍ଚ୍ଚ ୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସମୟରେ ସେ କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସାମିଲ ହେବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସମୀକ୍ଷା ହୋଇଛି ।

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ଯକ୍ରମ:
କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୫ ତାରିଖ ସନ୍ଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଁଚିବେ । ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡଳିସ୍ଥିତ CISFର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜାତୀୟ ଫୋରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବା NFSU (National Forensic Sciences University) ଏବଂ କେନ୍ଦ୍ରୀୟ ଫୋରେନ୍ସିକ ବିଜ୍ଞାନ ପରୀକ୍ଷାଗାର (Central Forensic Science Laboratory) ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ଏହା ସହ ସେ ଭିସି ଜରିଆରେ ଭୁବନେଶ୍ୱର NFSU ଟ୍ରାଞ୍ଜିଟ କ୍ୟାମ୍ପସର ଶୁଭ ଉଦଘାଟନ କରିବେ । ସେଦିନ ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହାସହ ସମବାୟ ଏବଂ ଅନ୍ୟ ବିଭିନ୍ନ ବିଭାଗ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ରମନ୍ତ୍ରୀଙ୍କ CISFର ପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଦୃଷ୍ଟିରେ ରଖି ଗୋଡ଼ିସାହିରୁ ମୁଣ୍ଡଳି ରାସ୍ତାର ବ୍ଲାକ ଟପିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଆଲୋକୀକରଣ, ପରିସ୍କାର ପରିଚ୍ଛନ୍ନତା ଓ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟର ବିଶଦ କାର୍ଯ୍ୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ଓ ରୁଟ ପ୍ଲାନ, କାର୍ଯ୍ୟକ୍ରମ ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ସୂଚାର ଓ ସଫଳ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ମାର୍ଚ୍ଚ 7 ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିପାରନ୍ତି ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ: ଛୁଟିଲା ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶୁଭେଚ୍ଛା |
ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି ନିଶ୍ଚିତ କରାଯିବାକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବିଭନ୍ନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

