ବାଲେଶ୍ବରରେ ପ୍ରଦୂଷଣ ଚିନ୍ତାଜନକ, ନାହିଁ ସଚେତନ କି ହେଉନି କାର୍ଯ୍ୟାନୁଷ୍ଠାନ
ବାଲେଶ୍ୱରରେ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଗାଡ଼ି ମଟର ସାଙ୍ଗକୁ ଗଛର ଅଭାବ ଏଥିପାଇଁ ଦାୟୀ ହୋଇପାରେ।

Published : December 26, 2025 at 10:53 PM IST
ବାଲେଶ୍ବର: ଭାରତର ସବୁଠାରୁ ପ୍ରଦୂଷଣ ସହର ଭାବେ ବାଲେଶ୍ୱର ଚିହ୍ନଟ ହେବାପରେ ବଢ଼ିଛି ଚିନ୍ତା । ଡିସେମ୍ବର ୨୫ ତାରିଖରେ ସର୍ବାଧିକ AQI ବାଲେଶ୍ୱର ସହରରେ ଥିବା ବେଳେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଏମିତି ହଠାତ ପ୍ରଦୂଷଣ ବଢିବା ଚିନ୍ତାଜନକ ବିଷୟ ହୋଇଛି । ପ୍ରଦୂଷଣର ମୁଖ୍ୟ କାରଣ ଧୂଳିକଣା ଏବଂ ଧୂଆଁ ବୋଲି କୁହାଯାଉ ଥିବା ବେଳେ ଏମିତି ହଠାତ ପ୍ରଦୂଷଣ ବଢିବା ପରେ ବିଭିନ୍ନ ବର୍ଗରେ ଏଥିପ୍ରତି ସଚେତନ ହେବାର ଆଵଶ୍ୟକତା ରହିଛି ।
ବାଲେଶ୍ୱରରେ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଗାଡ଼ି ମଟର ସାଙ୍ଗକୁ ଗଛର ଅଭାବ ଏଥିପାଇଁ ଦାୟୀ ହୋଇପାରେ। ଗୋଟିଏ ପଟେ ଗାଡ଼ି ମୋଟରର ପ୍ରଦୂଷଣ ରୋକିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି। ସେଇଥିପାଇଁ ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଅନ୍ୟପଟେ ବାଲେଶ୍ୱରରେ ସେତେ ଅଧିକ ମାତ୍ରାରେ କଳ କାରଖାନା କାର୍ଯ୍ୟକ୍ଷମ ନୁହେଁ । ତଥାପି ପ୍ରଦୂଷଣ ବଢିବା ପଛରେ ନୂଆ କରି ତିଆରି ହେଉଥିବା ଜାତୀୟ ରାଜପଥର ଧୂଳି ଦାୟୀ ବୋଲି ମତ ପ୍ରକାଶ ପାଉଛି । ଏମିତି ହଠାତ ବାଲେଶ୍ୱରରେ ପ୍ରଦୂଷଣ ବଢିବାକୁ ନେଇ ଆମେ ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ଡାକ୍ତରଙ୍କ ପ୍ରତିକ୍ରିୟା ସାଉଁଟିଥିଲୁ ।

ପ୍ରଦୂଷଣ ବଢ଼ିବା ପଛରେ ଅନେକ କାରଣ ଥିବା ବେଳେ ନଡା ଜାଳି ଦିଆଯାଉଥିବାରୁ ଏହା ଏକ ମାଧ୍ୟମ ବୋଲି କହିଛନ୍ତି ବାଲିଆପାଳ ଅଞ୍ଚଳର ବୁଦ୍ଧିଜୀବୀ ଅଜୟ କୁମାର ସାହୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ,"ଏହା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ । ଏହା ଆଗରୁ ନଥିଲା, ଏବେ ବ୍ୟାପକ ଭାବେ ଯେଉଁ ମେସିନ ଦ୍ୱାରା ଧାନ କଟା ଯାଉଛି, ଏହା ଯେତିକି ସୁବିଧା ସେତିକି ମାରାତ୍ମକ ମଧ୍ୟ । ଏହାର କାରଣ ଧାନ କଟା ପରେ ଧାନ ତ ଅମଳ ହୋଇଯାଉଛି ହେଲେ ସେହି ଯେଉଁସବୁ ନଡା ପଡୁଛି ତାକୁ ନିଆଁ ଲଗାଇ ଦିଆଯାଉଛି । ଯାହା ଫଳରେ ବାୟୁ ଦୂଷିତ ହେଉଛି । ଏହା ଏକ ମୁଖ୍ୟ କାରଣ । ଏହାସହ ବହୁତ ସ୍ଥାନରେ ବ୍ୟାପକ ଭାବେ ଗଛପତ୍ର କଟାଯାଉଛି । ବୃକ୍ଷ ରୋପଣ ହେଉନାହିଁ । ଏସବୁ କଥାକୁ ସରକାରୀ ସ୍ତରରେ ଗୁରୁତ୍ୱ ଦେଲେ ନିଶ୍ଚିତ ଭାବେ ବାଲେଶ୍ବରବାସୀ ବାୟୁ ପ୍ରଦୂଷଣରୁ ମୁକ୍ତ ହୋଇ ପାରନ୍ତେ ।"

ସେହିପରି ଆଇନଜୀବୀ ଚକ୍ରଧର ମହାନ୍ତି ବାୟୁ ପ୍ରଦୂଷଣ ରୋକିବା ପାଇଁ କାହାରି ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିବା ସହ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏଥିପାଇଁ ରହିଛି । କିନ୍ତୁ ଏ ବାବଦରେ କୌଣସି ଦୃଷ୍ଟି ନଦେଇ କେମିତି ଗାଡ଼ି ପଲ୍ୟୁସନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି । ବାୟୁ ପ୍ରଦୂଷଣ ହେଉଛି ସବୁଠୁ ମାରାତ୍ମକ । ପ୍ରକୃତିକୁ ନଷ୍ଟ କରିଦିଆଯାଉଛି। ବିଭିନ୍ନ ପ୍ରକାର ଯନ୍ତ୍ର ଧାନ କଟା ପାଇଁ ବ୍ହେୟବହାର ହେଉଛି । ଯନ୍ତ୍ର ସାହାଯ୍ୟରେ ସବୁ କାମ କରାଯାଉଥିବାରୁ ବାୟୁ ପ୍ରଦୂଷଣ ବଢୁଛି । ସମୁଦ୍ର କୂଳରେ ଗଛ ନାହିଁ ଏମିତି କି ଯେତେ ପ୍ରକାର ଘର, ରାସ୍ତା ତିଆରି ହେଉଛି ସେଥିରୁ ଯେ ଧୂଳି ଉଡୁଛି ତା ଉପରେ ମଧ୍ୟ କଟକଣା ରହିବା କଥା । ରାସ୍ତା କାମ ହେଉଛି, କିନ୍ତୁ ପାଣି ସ୍ପ୍ରେ କରାଯାଉ ନାହିଁ । ଯାହାଦ୍ୱାରା ବାୟୁ ମଣ୍ଡଳ ଦୂଷିତ ହେଉଛି । ତେଣୁ ଏ ବାବଦରେ ଜିଲ୍ଲା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ତୀକ୍ଷ୍ଣ ନଜର ରଖି ସଚେତନ କରିବା କଥା।"

ଅନ୍ୟପଟେ ବାୟୁ ପ୍ରଦୂଷଣ ବାବଦରେ ସମସ୍ତଙ୍କୁ ସଚେତନ କରାଇବାର ଆଵଶ୍ୟକତା ରହିଛି । ଯାହାକୁ ନେଇ ଶିକ୍ଷାବିତ ସତ୍ୟଜିତ ମିଶ୍ର କହିଛନ୍ତି ଯେ," ପ୍ରଶାସନିକ ଅଧିକାରୀ ଯେଉଁମାନେ ମୁଖ୍ୟ ଭୂମିକା ଗ୍ରହଣ କରିବା କଥା, ସେମାନେ ଏ ଦିଗରେ ଯତ୍ନବାନ ନୁହନ୍ତି। ସେମାନଙ୍କର ବୈମାତୃକ ମନୋଭାବ ବିଶେଷ ଭାବେ ଦାୟୀ । କିଏ ଇଟା ଭାଟି କରୁଛି, କିଏ ହୋଟେଲ, କିଏ ଫ୍ୟାକ୍ଟ୍ରି କରୁଛି, ଏସବୁ କରିବା ପାଇଁ ଗୋଟେ ଏନଭାଇରନମେଣ୍ଟ କମ୍ପ୍ଲାଇନ୍ସ ସାର୍ଟିଫିକେଟ ଇସ୍ୟୁ ହୁଏ। କିନ୍ତୁ ଏ ଦିଗରେ ପ୍ରଶାସନ କେତେଦୂର ସାର୍ଟିଫିକେଟ ଦେଉଛି ମୁଁ ଜାଣେନି। ପରିବେଶ ପ୍ରଦୂଷଣ ବାବଦରେ ପିଲାମାନଙ୍କୁ ଅବଗତ କରାଯାଉ, ସ୍କୁଲ, କଲେଜ, ୟୁନିଭରସିଟିରେ ଏ ସମ୍ବନ୍ଧରେ ସେମିନାର ହେବା ଦରକାର। ପଲ୍ୟୁସନ ଆମ ପାଇଁ କେତେ ଘାତକ ସେ ବିଷୟରେ ଲୋକଙ୍କୁ ଅବଗତ କରାଇବା ଦରକାର। ସମୁଦ୍ର କୁଳରେ ଏଠି ଝାଉଁ ବଣ ରହିଛି, ବାରିପଦା ଶିମିଳିପାଳ ଅଭୟାରଣ୍ୟ ରହିବା ପରେ ଯଦି ବାୟୁ ପ୍ରଦୂଷଣ ବଢୁଛି ୟା ପାଇଁ ସରକାର ଏକ ପ୍ରସ୍ତାବ ପାରିତ କରି ଏକ ଗ୍ରୀନ ୱାଲ ତିଆରି କରନ୍ତୁ । ସହରାଞ୍ଚଳରେ ଯେଉଁମାନେ ଘର କରୁଛନ୍ତି ଯଦି ପାଞ୍ଚ ଡିସିମିଲ ଜାଗାରେ ଘର କରାଯାଉଛି ତେବେ ଦୁଇ ଡିସିମିଲ ଜାଗାରେ ଗଛ ଲଗାଯାଉ। ଯଦି ଗଛ ଲାଗିବ ତେବେ ବାୟୁ ପ୍ରଦୂଷଣ ରୋକାଯାଇ ପାରିବ।"

ବାୟୁ ପ୍ରଦୂଷଣ ଯୋଗୁଁ ରୋଗୀ କିମ୍ବା ରୋଗର ଏକ କାରଣ ସାଜୁଥିବା ବେଳେ ଏହାକୁ ନେଇ ଡାକ୍ତର ଶାନ୍ତନୁ ଦାସ କହିଛନ୍ତି ଯେ," ଯଦି AQI ୨୫୦ କିମ୍ବା ୩୦୦ରୁ ଅଧିକ କିଛିଦିନ ଧରି ଲାଗି ରହିଲା ତେବେ ତାହା ନୂଆ ରୋଗୀ ମାନଙ୍କୁ ଉତ୍ପନ କରିଥାଏ। ପ୍ରଥମେ ଶ୍ବାସ ଜନିତ ରୋଗ ହୋଇଥାଏ। ଯେଉଁମାନଙ୍କୁ ଆସ୍ଥମା କିମ୍ବା ଏମିତି ରୋଗ ପୂର୍ବରୁ ହୋଇଛି ସେମାନଙ୍କର ଆହୁରି ଅଧିକ ବଢ଼ିପାରେ ଏବଂ ଅଧିକ ବାୟୁ ପ୍ରଦୂଷଣ ଯୋଗୁଁ ନୂଆ ରୋଗୀ ମଧ୍ୟ ଦେଖା ଦେଇ ପାରନ୍ତି। ଏହାସହ COPD ଭଳି ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ରହୁଥିବ, ପୂର୍ବରୁ ହାର୍ଟ ଆଟାକ ହୋଇଥିବ ସେମାନଙ୍କ ପାଇଁ ବାୟୁ ପ୍ରଦୂଷଣ ବିପଦ ସୃଷ୍ଟି କରିବ। ଯେଉଁମାନେ ରୋଗୀ ସେମାନଙ୍କ ପାଇଁ ଗୋଟିଏ ଦିନ ବି ବାୟୁ ପ୍ରଦୂଷଣ ଅସୁବିଧା। ଏବଂ ଯଦି ଲଗାତର ବାୟୁ ପ୍ରଦୂଷଣ ଲାଗି ରୁହେ ତେବେ ନୂଆ ରୋଗୀ ସୃଷ୍ଟି ହେବେ।"

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅଧିକାରୀ ମନମୋହନ ମୁର୍ମୁ ହଠାତ ଏମିତି ବାୟୁ ପ୍ରଦୂଷଣ ବଢିବା ନେଇ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଡିସେମ୍ବର ମାସରେ AQI ଟିକେ ଅଧିକ ବଢିଥାଏ। କେବେକେବେ ଏହା ବହୁତ ଅଧିକ ବଢ଼ିଥାଏ ଯେମିତି ୨୫ ତାରିଖ ବଢିଥିଲା। ପ୍ରଦୂଷଣ ବଢିବାର ମୁଖ୍ୟ କାରଣ ଧୂଳି କଣା ଅଧିକ ହେଉଛି। ୨୦୨୨ରେ ARAI ଦ୍ୱାରା ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଜଣା ପଡ଼ିଥିଲା ଯେ AQI ବଢିବାର ମୁଖ୍ୟ କାରଣ ହେଉଛି ରାସ୍ତାର ଧୂଳି। ରାସ୍ତାର ଏବେ ଉନ୍ନତି କରଣ ଚାଲୁଥିବାରୁ ସେଥିରୁ ଉଡୁଥିବା ଧୂଳିକଣା ପାଇଁ ଏମିତି ପ୍ରଦୂଷଣ ବଢୁଛି। ଏହାକୁ ରୋକିବାକୁ ହେଲେ ସବୁ ଦିଗରୁ ଯତ୍ନବାନ ହେବାର ଆଵଶ୍ୟକତା ରହିଛି। ଏଥିପାଇଁ ବିଲରେ ଯେଉଁ ନଡା ଜଳାଯାଉଛି ତାହା ରୋକିବାକୁ ପଡ଼ିବ, ଘରେ ଯେଉଁ କାଠ କୋଇଲା ବ୍ୟବହାର କରୁଛୁ ତାହା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ। ଡିଜି ବନ୍ଦ କରିବାକୁ ପଡ଼ିବ, ରାସ୍ତାଘାଟ ସଫା ରଖିବାକୁ ପଡିବ ଏମିତି କିଛି କଲେ ପ୍ରଦୂଷଣ ରୋକାଯାଇ ପାରିବ।"
ଏହା ମଧ୍ୟ ପଢ଼ନ୍ତୁ- ବାଲେଶ୍ୱର ଦେଶର ସର୍ବାଧିକ ପ୍ରଦୂଷିତ ସହର
ଇଟିଭି ଭାରତ, ଭୁବନେଶ୍ବର

