ETV Bharat / state

10 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ ସୁଜିତ କୁମାର, ପୋଖରୀକୁ ଡେଇଁପଡ଼ିବା ସତ୍ତ୍ବେ ବର୍ତ୍ତି ପାରିଲେନି

ଅଭିଯୋଗକାରୀଙ୍କ ନାମରେ ଥାନାରେ ରୁଜୁ ହୋଇଥିବା ଏକ ମାମଲାର କାଗଜପତ୍ର ଫାଇନାଲ୍ କରିବା ପାଇଁ ଏସଆଇ ସୁଜିତ କୁମାର ମହାନ୍ତ ₹10,000 ଲାଞ୍ଚ ମାଗିଥିଲେ । ରିପୋର୍ଟ-ବାଦଶାହା ଜୁସ୍ମନ ରଣା

Police officer caught red-handed by Vigilance while accepting a bribe of ₹10,000; Sub-Inspector fails to escape even after jumping into a pond.
୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ ଏସଆଇ ସୁଜିତ କୁମାର ମହାନ୍ତ (ETV Bharat Odisha)
author img

By ETV Bharat Odisha Team

Published : November 4, 2026 at 9:44 PM IST

1 Min Read
Choose ETV Bharat

ସମ୍ବଲପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ ବାବୁ । ଭିଜିଲାନ୍ସ ଟିମକୁ ଦେଖି ପୋଖରୀକୁ ଡେଇଁ ପଡ଼ିଥିଲେ ମଧ୍ୟ ବର୍ତ୍ତି ପାରିଲେନି ଏସଆଇ ସୁଜିତ କୁମାର ମହାନ୍ତ । ଶେଷରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।


ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା SI ସୁଜିତ କୁମାର ମହାନ୍ତ, ଏକ କେସ୍ ଫାଇନାଲ୍ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମକୁ ଦେଖି ସେ ଦୌଡ଼ିବା ସହ ଶେଷରେ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ ।


ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ନାମରେ ଥାନାରେ ରୁଜୁ ହୋଇଥିବା ଏକ ମାମଲାର କାଗଜପତ୍ର ଫାଇନାଲ୍ କରିବା ପାଇଁ ଏସଆଇ ସୁଜିତ କୁମାର ମହାନ୍ତ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ସନ୍ଧ୍ୟାରେ (ନଭେମ୍ବର 4) ସେ ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିର୍ଜନ ସ୍ଥାନକୁ ଟଙ୍କା ଦେବା ପାଇଁ ଡାକିଥିଲେ ।

ପୂର୍ବ ଯୋଜନା ମୁତାବକ ଓଡ଼ିଶା ଭିଜିଲାନ୍ସ ଟିମ୍ ସେଠାରେ ଉପସ୍ଥିତ ଥିଲା । ଏସଆଇ ସୁଜିତ ଟଙ୍କା ଗ୍ରହଣ କରୁଥିବା ସମୟରେ, ଭିଜିଲାନ୍ସ ଟିମକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଗୋଡ଼ାଇ ଥିଲେ । ନିଜକୁ ରକ୍ଷା କରିବା ପାଇଁ ଏସଆଇ ସୁଜିତ କୁମାର ନିକଟରେ ଥିବା ଏକ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ର ଜଣେ ସଦସ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିଥିଲେ ।

Police officer caught red-handed by Vigilance while accepting a bribe of ₹10,000; Sub-Inspector fails to escape even after jumping into a pond.
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପୋଲିସ ବାବୁ: ପୋଖରୀକୁ ଡେଇଁ ମଧ୍ୟ ବର୍ତ୍ତି ପାରିଲେନି ଏସଆଇ (ETV Bharat Odisha)


ଏସଆଇ ସୁଜିତଙ୍କ ନିକଟରୁ ଲାଞ୍ଚ ଟଙ୍କା (10,000) ଜବତ କରାଯାଇଛି । ଏହି ଘଟଣା ପରେ ଭିଜିଲାନ୍ସ ଟିମ୍ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି । ତଲାସୀ ସମୟରେ ଥାନା ପରିସରରେ ଥିବା ତାଙ୍କ ରୁମ୍ ରୁ ୧,୫୫,୭୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।


ସମ୍ବଲପୁର ଭିଜିଲାନ୍ସ , ପି.ଏସ୍ କେସ୍ ନମ୍ବର ୨୧/୨୦୨୬ (u/s 7 PC (Amendment) Act) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି l

ଅଭିଯୁକ୍ତ ଏସଆଇ ସୁଜିତ କୁମାର, ୨୦୨୧ ମସିହାରେ ପୋଲିସ ଚାକିରିରେ ଯୋଗ ଦେଇଥିଲେ ।


ଏହା ମଧ୍ୟ ପଢ଼ନ୍ତୁ:

କଳା ଟଙ୍କାକୁ ଧଳା କରିବାର ରାସ୍ତା ସାଜିଛି କି ପ୍ଲଟ୍ କିଣା ? ଅଢ଼େଇ ବର୍ଷରେ ଭିଜିଲାନ୍ସ ଠାବ କଲାଣି ୧୪୭୧ ପ୍ଲଟ୍