ETV Bharat / state

Encounter: ବିଳମ୍ବିତ ରାତିରେ ଚାଲିଥିଲା ବ୍ରାଉନସୁଗାର ଡିଲ୍, ପୋଲିସ କଲା ଏନକାଉଣ୍ଟର

ଭୁବନେଶ୍ବରରେ ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ପୋଲିସ ଏନ୍‌କାଉଣ୍ଟର କରି 22 ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଡ୍ରଗ୍ସ ମାଫିଆ ହେଉଛି ପପୁନ । ରିପୋର୍ଟ: ସତ୍ୟଜିତ ରାଉତ

BBSR Encounter
ଭୁବନେଶ୍ବରରେ ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ଏନ୍‌କାଉଣ୍ଟର୍ (ETV Bharat)
author img

By ETV Bharat Odisha Team

Published : May 27, 2026 at 7:57 AM IST

2 Min Read
Choose ETV Bharat

BHUBANESWAR ENCOUNTER , ଭୁବନେଶ୍ବର: ଆକ୍ସନ ମୋଡରେ ଓଡ଼ିଶା ପୋଲିସ । ଅପରାଧିକ କାର୍ଯ୍ୟକଳାପ ବିରୋଧରେ କଡ଼ା ଜବାବ ଦେଇ ରାଜଧାନୀରେ ଡ୍ରଗ୍ସ ମାଫିଆକୁ ଏନ୍‌କାଉଣ୍ଟର୍ କରିଛି କମିଶନରେଟ ପୋଲିସ । ପୋଲିସ ଗୁଳିରେ ଡ୍ରଗ୍ସ ମାଫିଆ ପପୁନ ମାଝୀ ଆହତ ହୋଇଛି । ପପୁନର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଡ୍ରଗ୍ସ ମାଫିଆ ପପୁନର ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ବୋଲି ଜଣାପଡ଼ିଛି।

BBSR Encounter
ଡ୍ରଗ୍ସ ମାଫିଆ ପପୁନ ମାଝୀ (ETV Bharat)

କମିଶନରେଟ ପୋଲିସ ଏନକାଉଣ୍ଟର:

ପେସାଦାର ବ୍ରାଉନସୁଗାର ବେପାରୀ ପପୁନ ମାଝୀକୁ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ (SCU) ଏନ୍‌କାଉଣ୍ଟର କରିଛି। ଭୁବନେଶ୍ବର ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଅରିସଲ ନିକଟରେ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପପୁନ ଓ ପୋଲିସ ଟିମ୍ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । ପପୁନର ଡାହାଣ ଗୋଡ଼ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପପୁନକୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅଭିଯୁକ୍ତ ପପୁନର ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି । ପପୁନ ନାଁରେ ବିଭିନ୍ନ ଥାନାରେ ଏକାଧିକ ନିଶା କାରବାର ମାମଲା ରହିଛି ।


୨୨ ଗ୍ରାମ ବ୍ରାଉନସୁଗର ଜବତ:
ପପୁନ ଧରାପଡ଼ିବା ପରେ ତା ପାଖରୁ ୨୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଏଥିସହ ଗୋଟିଏ ବନ୍ଧୁକ, ଏକାଧିକ ଗୁଳି ଓ ବାଇକ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ଇନ୍‌ଫୋଭ୍ୟାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପପୁନ ସୁସ୍ଥ ହେବା ପରେ ତାକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ଇନ୍‌ଫୋଭ୍ୟାଲି ଥାନା ଅଧିକାରୀ ଗୟାନନ୍ଦ ଶାହା କହିଛନ୍ତି।

BBSR Encounter
ଡ୍ରଗ୍ସ ମାଫିଆ ପପୁନ ମାଝୀ (ETV Bharat)

ଫେରାର ହେବାକୁ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ପପୁନ:
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପପୁନ ଦୀର୍ଘଦିନ ହେବ ବ୍ରାଉନସୁଗାର କାରବାରରେ ଲିପ୍ତ ରହିଥିଲା । ବିଭିନ୍ନ ରାଜ୍ୟରୁ ବ୍ରାଉନ୍‌ସୁଗାର ଆଣି ଲୋକାଲ ଡିଲରମାନଙ୍କୁ ଦେଉଥିଲା । ଏପରିକି ବଡ଼ ବଡ଼ ନିଶା ବେପାରୀଙ୍କ ସହ ମଧ୍ୟ ତାର ଘନିଷ୍ଠ ସମ୍ପର୍କ ରହିଥିଲା। ପୂର୍ବରୁ ସେ ଏକାଧିକଥର ଜେଲ ଯାଇଥିଲେ ହେଁ ଧଳାଜହର କାରବାର ବନ୍ଦ କରୁ ନ ଥିଲା । କିଛିଦିନ ହେବ ପପୁନ ବଡ଼ ପରିମାଣର ବ୍ରାଉନସୁଗର କାରବାର କରୁଥିବା ଓ ଭୁବନେଶ୍ବରର ସ୍ଥାନୀୟ ବେପାରୀଙ୍କୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସୂଚନା ପାଇ ସ୍ପେଶାଲ କ୍ରାଇମ ୟୁନିଟ୍ ତା ଉପରେ କଡ଼ା ନଜର ରଖୁଥିଲା ।

ମଙ୍ଗଳବାର (ମେ 26) ବିଳମ୍ବିତ ରାତିରେ ପୋଲିସ ଟିମ୍ ପପୁନକୁ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ପାଇ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେ ପୋଲିସକୁ ଚକ୍‌ମା ଦେଇ ସେଠାରୁ ଦ୍ରୁତଗତିରେ ବାଇକ୍ ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା । ପୋଲିସ ଟିମ୍ ପିଛା କରି କାବୁ କରିବାକୁ ଉଦ୍ୟମ କରିବାରୁ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏପଟେ ଆତ୍ମରକ୍ଷା ପାଇଁ ପୋଲିସ ଟିମ୍ ପପୁନକୁ ଗୁଳି ମାଡ଼ କରିଥିଲା । ପୋଲିସ ଗୁଳି ପପୁନର ଜଙ୍ଘରେ ବାଜିବା ପରେ ସେ ବାଇକରୁ ଖସି ତଳେ ପଡ଼ିଯିବାରୁ ପୋଲିସ ତାକୁ କାବୁ କରିଥିଲା ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


ବର୍ଷେ ତଳେ ପୋଲିସ ଗୁଳିରେ ଆହତ ହୋଇଥିଲେ ନିଶା ବେପାରୀ ଜାମ୍‌ସେଦ:

ବର୍ଷେ ତଳେ ରାଜଧାନୀରେ ସେକ୍ ଜାମସେଦକୁ ସ୍ପେଶାଲ କ୍ରାଇମ ୟୁନିଟ୍ ଏନକାଉଣ୍ଟର କରିଥିଲା । ଖଣ୍ଡଗିରି ଥାନା ଜୟଦେବ ବାଟିକାଠାରେ ୨୦୨୫ ଏପ୍ରିଲ ୯ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଜାମସେଦ୍ ପାଖରୁ ୨୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଜାମସେଦର ବାମଗୋଡ଼ରେ ଗୁଳି ବାଜିଥିଲା। ପରେ ତାକୁ ଗିରଫ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ....

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା, ପୋଲିସ ଏନକାଉଣ୍ଟରରେ ଅନ୍ୟ ଦୁଇ ଅଭିଯୁକ୍ତ ଆହତ

ସମ୍ବଲପୁରରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ବଣ୍ଟି ସୁନା ଆହତ

ବ୍ରହ୍ମପୁର ପୋଲିସର ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନ ନାୟକ ଆହତ

ଇଟିଭି ଭାରତ, ଭୁବନେଶ୍ବର