ରାଜ୍ୟରେ 16 ହଜାର ପଦବୀ ଖାଲି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୋଲିସ ଅଧିକ ଚାପରେ: ଡିଜି
ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କ ମୃତ୍ୟୁ ଏବଂ ଭୁବନେଶ୍ୱର ଡିସିପିଙ୍କ ଇସ୍ତଫା ପ୍ରସଙ୍ଗରେ ମତ ରଖିଲେ ପୋଲିସ ଡିଜି । ରିପୋର୍ଟ- ନାରାୟଣ ସାହୁ


Published : July 8, 2026 at 7:48 PM IST
କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଏକ ସମ୍ବେଦନଶୀଳ ମାମଲା । ଏହି ଘଟଣାର ସଠିକ୍ ତଦନ୍ତ ଚାଲିଛି । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ସେହି ରିପୋର୍ଟ ଅନୁସାରେ ହିଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା କହିଛନ୍ତି ଡିଜିପି ୱାଇବି ଖୁରାନିଆ ।
ଆଇଆଇସିଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଡିଜିପି କହିଛନ୍ତି, "ଏବେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ତଦନ୍ତ ଶେଷ ହେବା ପରେ ସବୁକିଛି ସ୍ପଷ୍ଟ ହେବ । କାର୍ଯ୍ୟାନୁଷ୍ଠାନ ନେବାର ଥିଲେ ଆମେ ନିଶ୍ଚିତ ଭାବେ ନେବୁ ଏବଂ ପୋଲିସ ବ୍ୟବସ୍ଥାରେ କିଛି ସୁଧାର ଆଣିବାକୁ ହେଲେ ତାହା ମଧ୍ୟ ଆଣିବୁ ।"
ସହିପରି ପୋଲିସ ଅଫିସର ସଙ୍ଘର ଅଭିଯୋଗ ଏବଂ କାର୍ଯ୍ୟକ୍ଷେତ୍ରରେ ପୋଲିସ ଉପରେ ଥିବା ଅତ୍ୟଧିକ ଚାପ ସମ୍ପର୍କିତ ପ୍ରଶ୍ନର ଡିଜିପି ଅତ୍ୟନ୍ତ ସ୍ପଷ୍ଟ ଓ ବାସ୍ତବବାଦୀ ଉତ୍ତର ରଖିଛନ୍ତି । ସେ କହିଛନ୍ତି, "ଜନସଂଖ୍ୟା ତୁଳନାରେ ଓଡ଼ିଶାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବହୁତ କମ୍ ରହିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଥାନାଗୁଡ଼ିକରେ ଥିବା ଷ୍ଟାଫ୍ମାନଙ୍କୁ ଅଧିକ କାମ କରିବାକୁ ପଡ଼ୁଛି । ଜନସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁପାତରେ ପୋଲିସ ବଳ ନଥିବାରୁ କାର୍ଯ୍ୟକ୍ଷେତ୍ରରେ କାମର ଚାପ ରହିବା ସ୍ୱାଭାବିକ । କିନ୍ତୁ ସରକାର ପୋଲିସ ବିଭାଗରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି । ଏହା ସହିତ ରାଜ୍ୟରେ ଏବେ ମଧ୍ୟ ପ୍ରାୟ ୧୬ ହଜାର ପଦବୀ ଖାଲି ରହିଛି । ଏହି ସମସ୍ତ ଖାଲି ପଦବୀଗୁଡ଼ିକୁ ଖୁବ୍ଶୀଘ୍ର ପୂରଣ କରାଯିବ । ପଦବୀ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପୂରଣ ହେବା ପରେ କର୍ମଚାରୀଙ୍କ ଉପରୁ କାର୍ଯ୍ୟର ଚାପ ହ୍ରାସ ପାଇବ ଏବଂ ଜନସାଧାରଣଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ସୂଚାରୁ ରୂପେ ସେବା ପ୍ରଦାନ କରାଯାଇପାରିବ ।"
ତେବେ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ହଠାତ୍ ଚାକିରିରୁ ଅବ୍ୟାହତି ବା ଇସ୍ତଫା ଆବେଦନକୁ ନେଇ ସମଗ୍ର ରାଜ୍ୟ ପୋଲିସ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ DGP ୱାଇବି ଖୁରାନିଆ ଏହା ଉପରେ ମତ ରଖିଛନ୍ତି ।
ଡିଜିପି ସ୍ପଷ୍ଟ କରିଛନ୍ତି ଜଗମୋହନ ମୀନାଙ୍କ ଉପରେ କୌଣସି ଚାପ ଥିବା ନେଇ ସେ ଜାଣି ନାହାନ୍ତି କିମ୍ବା ଜଗମୋହନ ଏନେଇ ତାଙ୍କୁ କହି ନାହାନ୍ତି ବରଂ ସେ ବିଭିନ୍ନ ସମୟରେ ଆସି ବାରମ୍ବାର ଇସ୍ତଫା ବିଷୟରେ ଜଣାଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିଗତ ଏବଂ ତାଙ୍କର ଇସ୍ତଫା ଆବେଦନ ପତ୍ରକୁ ଗ୍ରହଣ କରାଯାଉ ବୋଲି ଡିଜିପି ଅନୁରୋଧ କରିଛନ୍ତି ।
ଏହା ବି ପଢନ୍ତୁ- 2013 ବ୍ୟାଚ୍ ଆଇପିଏସ ଅଫିସର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା
ଇଟିଭି ଭାରତ, କଟକ

