ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଓଡ଼ିଶା ହାଇକୋର୍ଟ । ଗଞ୍ଜାମ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ 2025 ଅକ୍ଟୋବର 6 ତାରିଖରେ ହତ୍ୟା କରାଯାଇଥିଲା । ରିପୋର୍ଟ-ନାରାୟଣ ସାହୁ/ସମୀର ଆଚାର୍ଯ୍ୟ


Published : August 31, 2026 at 3:28 PM IST
ORISSA HIGH COURT BAIL କଟକ/ଗଞ୍ଜାମ: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଆଶ୍ଵସ୍ତି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଜାମିନ ଦେବା ସମୟରେ ନିମ୍ନ ଅଦାଲତ ଆବଶ୍ୟକ ମୁତାବକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଛନ୍ଦି ହୋଇଥିଲେ ବିକ୍ରମ । ହତ୍ୟାକାଣ୍ଡ ପରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଇଥିଲା ପୋଲିସ । ପରେ ୨୨ ଅକ୍ଟୋବର ୨୦୨୫ରେ ଗିରଫ ହୋଇଥିଲେ ବିକ୍ରମ ।
ପୂର୍ବରୁ ନିମ୍ନ ଅଦାଲତ (ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ କୋର୍ଟ)ରେ ବିକ୍ରମଙ୍କ ଜାମିନ ନାମଞ୍ଜୁର ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ଭିତରେ ମାମଲାର ଚାର୍ଜସିଟ ଦାଖଲ ହୋଇସାରିଛି । ଯେଉଁଥିରେ ବିକ୍ରମ ପଣ୍ଡା ଷଡଯନ୍ତ୍ରକାରୀ ନୁହଁନ୍ତି ବୋଲି ଦର୍ଶାଯାଇଛି । ତେବେ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ଯାହାର ରାୟ ଆଜି ପ୍ରକାଶ ପାଇଛି।
ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଙ୍କ କୋର୍ଟ ପୂର୍ବରୁ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପିତବାସ ପଣ୍ଡାଙ୍କୁ ୨୦୨୫ ମସିହା ଅକ୍ଟୋବର ୬ ରାତିରେ ଘରକୁ ଫେରୁଥିବା ସମୟରେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାଟି ତାଙ୍କ ବାସଭବନ ନିକଟରେ ଘଟିଥିଲା । ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ତଦନ୍ତ ପରେ କହିଥିଲା, ବିକ୍ରମ ପଣ୍ଡା ଏବଂ ପୂର୍ବତନ ବ୍ରହ୍ମପୁର ମହାନଗର ନିଗମ ମେୟର ପିଣ୍ଟୁ ଦାସ ଏହି ହତ୍ୟାକାଣ୍ଡ ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ।
ଜାମିନ ମିଳିବା ପରେ ପ୍ରତିକ୍ରିୟା ଦେଇ ବିକ୍ରମ ପଣ୍ଡାଙ୍କ ବାପା କହିଛନ୍ତି, "ମୋ ପୁଅକୁ ଅନ୍ୟାୟ ଭାବେ 10 ମାସ ଧରି ବ୍ରହ୍ମପୁର ଜେଲରେ ରଖାଯାଇଥିଲା । ମୋର ବିଶ୍ୱାସ ଥିଲା ପ୍ରଭୁ ଜଗନ୍ନାଥ ଏବଂ ନ୍ୟାୟ ପାଳିକା ଉପରେ । ଆମ ପରିବାରରେ ସମସ୍ତେ ଆଜି ଖୁସି ଅଛନ୍ତି । ଗିରଫ ସମୟରେ ମୁଁ କହିଥିଲି ଅନ୍ୟାୟ ଭାବେ ଗିରଫ କରାଯାଇଛି ।"
ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଜାମିନରେ ମୁକୁଳିବେ ବିକ୍ରମ ପଣ୍ଡା । ଏନେଇ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କ କହିବା କଥା କି, ଆମ ପାଇଁ ଏଟା ଖୁସିର ଦିନ । ସମୟ ଚକ୍ରରେ ଆମେ ସବୁ ଘାଣ୍ଟି ହେଲୁ । ଆମର କେବେ ନା କେବେ ନ୍ୟାୟ ପାଇବା ପାଇଁ ଆଶା ଥିଲା ।
ଗଞ୍ଜାମ ବିଜେଡି ସୋସିଆଲ ମିଡିଆ ସଂଯୋଜକ କହିଛନ୍ତି, ବିକ୍ରମ ପଣ୍ଡାଙ୍କୁ ଜାମିନ ପରେ ହାଇକୋର୍ଟଙ୍କୁ ଧନ୍ୟବାଦ । ବିକ୍ରମ ପଣ୍ଡା ପୁଣି ଆଗ ଭଳି ଜନସେବା ଜାରି ରଖିବେ ।
ଏହା ବି ପଢନ୍ତୁ- କିପରି ପୀତବାସ ପଣ୍ଡା ହତ୍ୟାକାଣ୍ଡ ଖିଅ ଧରିବାରେ ସଫଳ ହେଲା ବ୍ରହ୍ମପୁର ପୋଲିସ ?
ଇଟିଭି ଭାରତ, କଟକ/ଗଞ୍ଜାମ

