ଟାଙ୍କି ଅଛି, ଟ୍ୟାପ୍ ଲାଗିଛି...ହେଲେ ଦେଢ ବର୍ଷ ଧରି ପାଣି ପାଇଁ ଛଟପଟ ହେଉଛନ୍ତି ପିପିଲି ବ୍ଲକ ଲୋକେ
ପିପିଲି ବ୍ଲକର ଅନେକ ଗାଁରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସମସ୍ୟାର ସମାଧାନ ହୋଇ ପାରିନାହିଁ । ରିପୋର୍ଟ-ବିରଞ୍ଜନ ମଲ୍ଲିକ

Published : May 7, 2026 at 2:31 PM IST
|Updated : May 7, 2026 at 3:10 PM IST
CIVIC PROBLEM ନିମାପଡା:ଗାଁ ମୁଣ଼୍ଡରେ ଠିଆ ହୋଇଛି ବିରାଟ ପାଣି ଟାଙ୍କି । ଗାଁ ଦାଁଣ଼୍ଡରେ ବି ଲାଗିଛି ଏକାଧିକ ଟ୍ୟାପ । ଦେଖିଲେ ଲାଗିବ, ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଗାଁରେ ପାନୀୟଜଳ ପହଞ୍ଚାଇ ଦେଇଛନ୍ତି । ସରକାରୀ କାଗଜପତ୍ର ବି ସମାନ କଥା କୁହେ । ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ପିପିଲି ବ୍ଲକର ଅନେକ ଗାଁରେ ଏହିପରି ସମସ୍ୟା ଦେଖା ଦେଇଛି । ଏଠାରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଗ୍ରାଉଣ୍ଡ ଜିରୋରେ ଜଳକଷ୍ଟ ଭୋଗୁଛନ୍ତି ଲୋକେ। ସେପଟେ ପିପିଲି ବିଡିଓଙ୍କ ଉତ୍ତର ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।
କଣ କୁହେ ଗ୍ରାଉଣ୍ଡ ଜିରୋ ତଥ୍ୟ ଓ ସରକାରୀ କାଗଜପତ୍ର
ପିପିଲି ବ୍ଲକରେ “ବସୁଧା” ଓ “ହର ଘର୍ ଜଳ” ଯୋଜନାର ସଫଳତାକୁ ନେଇ ଆଜି ପ୍ରଶ୍ନ ଉଠିଛି । ପିପିଲି ବିଡିଓ ଦେଇଥିବା ତଥ୍ୟ ଅନୁସାରେ, ତତ୍କାଳୀନ ସରକାରଙ୍କ ସମୟରେ ପିପିଲି ବ୍ଲକରେ ୭୭ଟି ଉଚ୍ଚକ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ପାଇଁ ଯୋଜନା ହୋଇଥିଲା। ସେଥିରୁ ୬୯ଟି ଟାଙ୍କି ତିଆରି ହୋଇଥିଲେ ମଧ୍ୟ ବର୍ତ୍ତମାନ ଚାଲୁ ଅଛି ମାତ୍ର ୫୧ ଟି ପାନୀୟ ଜଳ ପ୍ରକଳ୍ପ ଚାଲୁଅଛି ବୋଲି ବିଭାଗ କହୁଛି । ଅନ୍ୟ ୧୦ଟି ଟାଙ୍କି ଅଚଳ ହୋଇ ପଡ଼ିଛି ଓ ୮ଟି ଟାଙ୍କି କାମ ଚାଲୁଛି ବୋଲି ବିଭାଗ କହୁଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ଓ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ତେବେ ପ୍ରଶ୍ନ — ସତ କେଉଁଟା? ଗ୍ରାଉଣ୍ଡ ଜିରୋର ତଥ୍ୟ କି ସରକାରୀ କାଗଜପତ୍ର?

ପାଣି ମିଳୁନି, ପାଣି ମିଳିବାର ପ୍ରତିଶ୍ରୁତି ମିଳିଛି
ଖରା ଦିନେ ଜଳସ୍ତର ହ୍ରାସ ପାଉଥିବାରୁ ପିପିଲି ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି । ନଦୀନାଳ ଶୁଖି ଯାଇଥିବାବେଳେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି । କେତେକ ସ୍ଥାନରେ ଗାଁ ଲୋକେ ଉପାୟ ନ ପାଇ ଶୋଷ ମେଣ୍ଟାଇବା ପାଇଁ ପରିତ୍ୟକ୍ତ କୂଅ ଉପରେ ନିର୍ଭର କରୁଛନ୍ତି । ଆଉ କେଉଁଠି ସରକାରୀ ନଳକୂପ ଭରସା ପାଲଟିଛି । ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଣା ଯାଇଛି, ରୂପଦେଇପୁର, ସହଜପୁର, ସୁହାଗ ପୁର,ଓରକଳ,ଜଶୁଆପୁର, ତେଇଶ ପୁର, ବାଲିଗାଁ, ଦାଣ୍ଡମୁକୁନ୍ଦପୁର ଭଳି ଅନେକ ପଞ୍ଚାୟତରେ ଦେଢ଼ ବର୍ଷ ଧରି ପାଣି ଟାଙ୍କି ଅଚଳ ହୋଇ ପଡ଼ିଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଯେ, ଏହି ସମୟ ମଧ୍ୟରେ ଷ୍ଟାଣ୍ଡପୋଷ୍ଟରୁ ପାଣି ଟୋପେ ତ ମିଳିନି, ହେଲେ ପାଣି ମିଳିବାର ଏକାଧିକ ପ୍ରତିଶ୍ରୁତି ମିଳିଛି ।

ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ-ଜିଲ୍ଲା ପରିଷଦ ସଭ୍ୟ
ପ୍ରତିବର୍ଷ ଖରା ଦିନ ପୂର୍ବରୁ ପାଣି ସମସ୍ୟାର ସମାଧାନ ପାଇଁ ବୈଠକ ବସେ । ହେଲେ ଏବର୍ଷ ଏହି ବୈଠକ ଆଜି ପର୍ଯ୍ୟନ୍ତ ହୋଇନାହିଁ। ସାଧାରଣ ଜନତାଙ୍କୁ ପାଣି ଟିକେ ଯୋଗାଇ ଦେବାରେ ପ୍ରଶାସନ ବିଫଳ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଧର ସାହୁ । ସେ କହିଛନ୍ତି, 'ଜଳସ୍ତର ହ୍ରାସ ପାଉଥିବା ବେଳେ ସାଧାରଣ ମରାମତି ଅଭାବରୁ ବସୁଧା ପ୍ରକଳ୍ପ ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି । ଯେଉଁ ଟାଙ୍କି ଲୋକଙ୍କ ତୃଷା ମେଣ୍ଟାଉ ଥିଲା, ପରିଚାଳନା ଗତ ତ୍ରୁଟି ଯୋଗୁ ତାହା ଅଚଳ ହୋଇ ପଡିଛି । ଫଳରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତି । ଏହାର ସମାଧାନ ପାଇଁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ' ବୋଲି ସେ ଦାବି କରିଛନ୍ତି ।

ଜିଲ୍ଲା ପରିଷଦ ସଭ୍ୟ ଆହୁରି କହିଛନ୍ତି, 'ପିପିଲି ବ୍ଲକରେ ପିଇବା ପାଣିର ସମସ୍ୟା ସାଂଘାତିକ । ଏହି ବ୍ଲକରେ ୭୫ଟି ବସୁଧା ଟାଙ୍କି ଅଛି ।ସରକାରୀ ହିସାବରେ ୧୮ଟି ଚାଲୁ ନାହିଁ । ହେଲେ ବାସ୍ତବ କ୍ଷେତ୍ରରେ ୪୦ଟି ବସୁଧା ଟାଙ୍କୀ ଖରାପ ଅଛି । କୌଣସି ଅଧିକାରୀ କ୍ଷେତ୍ରକୁ ଯାଉ ନାହାଁନ୍ତି । ଅଞ୍ଚଳର ୭୫ ପ୍ରତିଶତ ଲୋକ ପାନୀୟ ଜଳ ପାଉ ନାହାଁନ୍ତି । ଏଠାରେ ୧,୬୨୦ଟି ଟ୍ୟୁବୱେଲ୍ ଅଛି । ଏଥିରୁ ଅଧିକାଂଶ ଅଚଳ । ପାଣି ପାଇପ୍ ବିଛା ଯାଇଛି କିନ୍ତୁ ପାଣି ଆସୁ ନାହିଁ । ୩୫ ବର୍ଷ ତଳେ ଯେଉଁ ଖୋଲା କୂଅରୁ ଲୋକେ ପାଣି ସଂଗ୍ରହ କରୁଥିଲେ ଆଜି ବି ସେମିତି ନେଉଛନ୍ତି । ଏ ହେଉଛି ପିପିଲି ବ୍ଲକର ବିକଳ ଚିତ୍ର । ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛି, ଗୁରୁତର ସହ ଏହାର ବିଚାର କରନ୍ତୁ ।'
୫ ହଜାରରୁ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ କଲବଲ ହେଉଛନ୍ତି
ସହଜପୁର ପଞ୍ଚାୟତର ସରପଞ୍ଚ ସତ୍ୟନାରାୟଣ ବସ୍ତିଆ କୁହନ୍ତି, 'ସୁବୁଦ୍ଧିପଡ଼ାରେ ବସୁଧା ପାଣି ପ୍ରୋଜେକ୍ଟ ଅଛି । ଏହି ପ୍ରକଳ୍ପରୁ ସୁବୁଦ୍ଧିପଡା, ସୁହାଗପୁର ଗ୍ରାମର ୨୮୦ ଘରକୁ ପାଣି ମିଳୁଥିଲା । ୪ ବର୍ଷ ତଳେ ଏହି ଟାଙ୍କି ନିର୍ମାଣ କରାଯାଇଥିଲା, ହେଲେ ଦେଢ଼ ବର୍ଷ ହେଲାଣି ଅଚଳ ହୋଇ ପଡ଼ିଛି । ଥରେ ହାତରୁ ମରାମତି କରିଥିଲୁ, ଅଧିକାରୀମାନଙ୍କୁ ବି ଜଣାଇଥିଲି । ହେଲେ ନା କେହି ଶୁଣିଲେ ନା ମରାମତି ହେଲା । ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏବେ ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ।'

ଅନ୍ୟ ପଟେ ପିପିଲି ବିଡିଓ ସରୋଜ କୁମାର ରାଉତ କହିଛନ୍ତି, ' ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆମେ ପଦକ୍ଷେପ ନେଉଛୁ । ବିଭିନ୍ନ ପଞ୍ଚାୟତରେ ନଳକୂପ ମରାମତି କରାଯାଇଛି, ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଯେଉଁ ସ୍ଥାନମାନଙ୍କରେ ପାନୀୟ ଜଳ ସଙ୍କଟ ରହିଛି ସେଠାରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।'
ବିଡିଓ ଆହୁରି କହିଛନ୍ତି, 'ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୀଷ୍ମ କାଳରେ ମରାମତି କାର୍ଯ୍ୟ କରାଯାଇଛି । ପାନୀୟ ଜଳ ସଙ୍କଟ ଦେଖାଦେଲେ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା ପାଇଁ ପଞ୍ଚାୟତର ଏଜିକ୍ୟୁଟିଭ୍ ଅଫିସର ଓ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ସହିତ ବିଭାଗ ନିୟମିତ ଯୋଗାଯୋଗ କରାଯାଉଛି । ଆବଶ୍ୟକସ୍ଥଳେ ଛୋଟବଡ ସମସ୍ୟା ଦେଖାଦେଲେ ଏହାକୁ ଜରୁରୀକାଳୀନ ସ୍ଥିତିରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଏହା ଉପରେ ଆମେ ନଜର ରଖିଛୁ।'
ଇଟିଭି ଭାରତ, ନିମାପଡା
ଏହା ମଧ୍ୟ ପଢନ୍ତୁ ରାସ୍ତା ମରାମତି ଦାବିରେ ଜନଗଣନାକାରୀଙ୍କୁ ଅସହଯୋଗ କଲେ ପିପିଲି ଗୋବର୍ଦ୍ଧନପୁର ବାସିନ୍ଦା
ଏହା ମଧ୍ୟ ପଢନ୍ତୁ ବର୍ଷା ଦିନ ପୂର୍ବରୁ ପ୍ରସ୍ତୁତ ସହରାଞ୍ଚଳ ! SOP ଜାରି କଲା ଗୃହ ଏବଂ ନଗର ଉନ୍ନୟନ ବିଭାଗ

