ସ୍କର୍ପିଓକୁ ଧକ୍କା ଦେଲା ପଶ୍ଚିମବଙ୍ଗରୁ ଆସୁଥିବା ତୀର୍ଥଯାତ୍ରୀ ବସ୍: ଦୁଇ ଗୁରୁତର, 50 ଯାତ୍ରୀ ସୁରକ୍ଷିତ
ସିମୁଳିଆ ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ଘଟିଛି ଦୁର୍ଘଟଣା । ଉଭୟ ଗାଡି ପୁରୀ ଅଭିମୁଖେ ଯାତ୍ରା କରୁଥିଲେ । ରିପୋର୍ଟ: ଜୀବନଜ୍ୟୋତି ନାୟକ

Published : August 26, 2026 at 10:48 AM IST
Bus Accident ବାଲେଶ୍ବର: ସ୍କର୍ପିଓ ଗାଡ଼ିକୁ ପଛରୁ ଧକ୍କା ଦେଲା ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବା ତୀର୍ଥଯାତ୍ରୀ ଯାତ୍ରୀ । ଏଥିରେ ସ୍କର୍ପିଓରେ ଥିବା ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତୀର୍ଥଯାତ୍ରୀ ବସ୍ରେ ଥିବା 50ରୁ ଅଧିକ ଯାତ୍ରୀ । ଆଜି(ବୁଧବାର) ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ତୀର୍ଥଯାତ୍ରୀ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ସ୍କର୍ପିଓ ଗାଡ଼ିକୁ ପଛପଟୁ ଜୋରଦାର ଧକ୍କା ଦେବାରୁ ଏହି ଦୁର୍ଗଘଟଣା ଘଟିଥିଲା ।
କେମିତି ହେଲା ଦୁର୍ଘଟଣା ?
ପଶ୍ଚିମବଙ୍ଗ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସ୍ ପୁରୀ ଅଭିମୁଖେ ଯାଉଥିଲା । ମାର୍କୋଣା ଇଲେକ୍ଟ୍ରି ଅଫିସ ନିକଟରେ ବସ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ଆଗରେ ଥିବା ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା । ସ୍କର୍ପିଓରେ ମୋଟ ୧୨ ଜଣ ଯାତ୍ରୀ ଥିଲେ । ସ୍କର୍ପିଓଟି ମଧ୍ୟ ବିହାରରୁ ପୁରୀ ଯାଉଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ପୁରୀ ଯାଉଥିଲୁ ବସ୍ ପିଟିଦେଲା:
ଏହି ଦୁର୍ଘଟଣାକୁ ନେଇ ସ୍କର୍ପିଓରେ ଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ଆମେ ବିହାରରୁ ପୁରୀ ଯାଉଥିଲୁ, ସେ ପଛପଟୁ ବସ୍ ଧକ୍କା ଦେଇଛି । ଭୋର ପ୍ରାୟ ୩ଟା ବେଳେ ଏ ଦୁର୍ଘଟଣା ଘଟିଛି । ଦୁଇଜଣ ଅଧିକ ଆହତ ହୋଇଛନ୍ତି । ଜଣେ ଝିଅ ଓ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ।’
ସ୍ଥାନୀୟଲୋକଙ୍କ କହିବାନୁଯାୟୀ, ମାର୍କୋଣା ନିକଟସ୍ଥ ଏହି ସ୍ଥାନଟି ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି । ଗତ ୧୪ ତାରିଖରେ ମଧ୍ୟ ସମାନ ସ୍ଥାନରେ ଏକ ତୀର୍ଥଯାତ୍ରୀ ବସ୍କୁ ଟ୍ରକ୍ ଧକ୍କା ଦେଇଥିଲା, ଯେଉଁଥିରେ ୬୦ ଜଣ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଟ୍ରକ୍କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ଘରୋଇ ବସ୍, 6 ମୃତ ଓ 20 ଆହତ ହାଇଦ୍ରାବାଦ ରାସ୍ତା ଦୁର୍ଘଟଣାରେ ଓଡିଆ ଯୁବତୀ ମୃତ, ଧକ୍କା ଦେଇଥିଲା ସାଂସଦଙ୍କ ପୁଅର କାର |
ଇଟିଭି ଭାରତ, ବାଲେଶ୍ବର

