EXPLAINER: ପିଗ୍ ବୁଚରିଂ ସ୍କାମରଙ୍କ ଟାର୍ଗେଟରେ ଓଡ଼ିଶାର 76 ହଜାର ନିବେଶକ, 18 ମାସରେ 712 କୋଟି ଠକେଇ
ଠକମାନେ ବୁଚର ବା କଂସେଇ ଭାବରେ କାର୍ଯ୍ୟ କରନ୍ତି। ଘୁଷୁରୀ ଭଳି ନିରୀହ ନିବେଶକମାନେ ସ୍କାମରଙ୍କ ଜାଲରେ ପଡ଼ନ୍ତି। ଆଉ ତା ପରେ ଠକମାନେ ସେମାନଙ୍କୁ ଶୋଷି ନିଅନ୍ତି । ରିପୋର୍ଟ-ସତ୍ୟଜିତ ରାଉତ୍

Published : June 9, 2026 at 4:41 PM IST
|Updated : June 10, 2026 at 2:48 PM IST
ଭୁବନେଶ୍ୱର: ଏବେ ଡିଜିଟାଲ ଯୁଗରେ ଷ୍ଟକ୍ ମାର୍କେଟରେ ପୁଞ୍ଜି ନିବେଶ ବୃଦ୍ଧି ପାଉଛି। ଲୋକମାନେ ଖୁବ କମ ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କା ଲାଭ ପାଇବାକୁ ଏହି ପନ୍ଥା ଆପଣାଉଛନ୍ତି। ତେବେ ଷ୍ଟକ୍ ମାର୍କେଟରେ ନିବେଶ ଧାରା ବୃଦ୍ଧି ପାଉଥିବାବେଳେ ଏହାକୁ ଆଳ କରି ନୂତନ ପ୍ରକାର ଠକେଇ ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟରେ ଏଭଳି ଅନେକ ମାମଲା ନଜରକୁ ଆସୁଛି, ଯେଉଁଥିରେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାର କରି ବହୁଗୁଣ ରିଟର୍ନ ପାଇବା ଆଶାରେ ଲକ୍ଷାଧିକ ଟଙ୍କା ହରାଉଛନ୍ତି। ଏଭଳି ଠକେଇକୁ ‘ପିଗ୍ ବୁଚରିଂ’ (Pig Butchering Scam) କୁହାଯାଉଛି। ଏପରି ମାମଲା ଦିନକୁ ଦିନ ବଢ଼ୁଛି । ବିଶେଷ କରି ସେୟାର ମାର୍କେଟରେ ଟଙ୍କା ବିନିଯୋଗକାରୀମାନେ ବେଶି ଏହାର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଫଳରେ ନିବେଶକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ନିମିଷକରେ ଉଡିଯାଉଛି। ତେବେ ଏହି ସ୍କାମ୍ କଣ, କେମିତି ହୁଏ ଠକେଇ ଏବଂ ସ୍କାମରୁ ଲୋକମାନେ ବର୍ତ୍ତିବେ କିପରି ଆସନ୍ତୁ ଜାଣିବା ଏହି ବିଶେଷ ରିପୋର୍ଟରୁ ।
ପିଗ୍ ବୁଚରିଙ୍ଗ୍ କ'ଣ ?

'ବିଶ୍ୱାସ ଜିତି ବଡ଼ ନିବେଶ ପାଇଁ ବାଧ୍ୟ କରନ୍ତି ସ୍କାମର୍'
ଏହି ଠକମାନେ ଲୋକମାନଙ୍କୁ ପ୍ରାୟ ସମୟରେ ଏକ ଅଜଣା ନମ୍ବରରୁ ହ୍ବାଟ୍ସଆପ୍ କିମ୍ବା ଟେଲିଗ୍ରାମ ଗ୍ରୁପ୍ ସହ ଯୋଡ଼ି ଦିଅନ୍ତି । ଏହି ଗ୍ରୁପ୍ ଷ୍ଟକ୍ ମାର୍କେଟ କାରବାର ସହ ଜଡ଼ିତ ଥିବା ଭଳି ମନେ ହୁଏ। ଏହି ଗୋଷ୍ଠୀରେ ତଥାକଥିତ ଷ୍ଟକ ମାର୍କେଟ ବିଶେଷଜ୍ଞ କିମ୍ବା ଷ୍ଟକ୍ ଗୁରୁ ମଧ୍ଯ ରହିଥାନ୍ତି। ସେମାନେ ଗ୍ରୁପ ସଦସ୍ୟମାନଙ୍କୁ ନିବେଶ ପାଇଁ ଟିପ୍ପ ମଧ୍ୟ ଦିଅନ୍ତି। ଏହାଦ୍ୱାରା ଲୋକମାନେ ପ୍ରତାରିତ ହୁଅନ୍ତି। ଏପରି ଭାବେ ସ୍କାମରମାନେ ଗ୍ରୁପ୍ ସଦସ୍ୟଙ୍କ ବିଶ୍ୱାସଭାଜନ ହୋଇଥାନ୍ତି। ସ୍କାମରଙ୍କ ସହଯୋଗୀମାନେ ବିପୁଳ ଲାଭ ଉପାର୍ଜନ କରିଥିବା ଦର୍ଶାଇଥାନ୍ତି। ଏ ସମ୍ପର୍କିତ ନକଲି ସ୍କ୍ରିନ୍ସଟ୍ ମଧ୍ୟ ଶେୟାର କରିଥାନ୍ତି। ଏହିପରି ସ୍କାମରମାନେ ଫିସିଂ ୱେବ୍ସାଇଟ ଏବଂ ଆପ୍ର ସାହାଯ୍ୟ ନିଅନ୍ତି। ଏହି ଆପ୍ ଏବଂ ୱେବ୍ସାଇଟଗୁଡିକ କେବଳ ବାସ୍ତବ ଦେଖାଯାଏ ନାହିଁ ବରଂ ଏଥିରେ ଯୋଡ଼ିହେଉଥିବା ନିବେଶକାରୀ ଲାଭବାନ ହେଉଛନ୍ତି ବୋଲି ଏଥିରେ ଦେଖା ଯାଇଥାଏ। ପରବର୍ତ୍ତୀ ସମୟରେ ନିବେଶକ ଲକ୍ଷାଧିକ ଟଙ୍କା ନିବେଶ କରିବା ପରେ ସମସ୍ତ ଟଙ୍କାକୁ ସ୍କାମର୍ ଲୁଟି ନିଅନ୍ତି। ଏପରିକି ଆପ୍ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦିଏ।

୧୮ ମାସରେ ରାଜ୍ୟରେ ୭୧୨ କୋଟି ଠକେଇ
ରାଜ୍ୟରେ ଗତ ୧୮ ମାସରେ ୭୬ ହଜାର ୭୯୪ ଜଣ ଲୋକଙ୍କ ଠାରୁ ୭୧୨ କୋଟି ଟଙ୍କା ସାଇବର ଠକେଇ ହୋଇଛି। ମାର୍ଚ୍ଚ ୯ରେ ଗୃହରେ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ରଖିଥିଲେ। National Cyber Crime Reporting Portal (NCRP)ରେ ହିଁ ଏସବୁ ରିପୋର୍ଟ ହୋଇଛି।୨୦୨୪ ମସିହା ଜୁନରୁ ଡିସେମ୍ବର ମଧ୍ୟରେ ୨୭ ହଜାର ୩୬୮ ମାମଲା ରୁଜୁ ହୋଇଛି। ୨୭୯ କୋଟି ୭୧ ଲକ୍ଷ ୨୯ ହଜାର ୬୬୨ କୋଟି ଠକେଇ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ ୮୭ ହଜାର ୨୬୮ ଟଙ୍କା ଫେରିସ୍ତ ହୋଇଛି। ସେହିପରି ୨୦୨୫ରେ ୪୯ ହଜାର ୪୨୬ ମାମଲା ରୁଜୁ ହୋଇଥିବା ବେଳେ ୪୩୨ କୋଟି ୨୮ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସେଥିମଧ୍ୟରୁ ୫ କୋଟି ୩୧ ଲକ୍ଷ ୪୫ ହଜାର ୮୮୬ ଟଙ୍କା ଫେରସ୍ତ ହୋଇଛି।

ଲୋଭରେ ପଡି ବିଧାୟକ ହରାଇଥିଲେ ୧.୪ କୋଟି
ଦେଢ଼ ବର୍ଷେ ତଳେ ଓଡ଼ିଶାର ଜଣେ ବିଧାୟକ ପିଗ୍ ବୁଚରିଙ୍ଗ୍ ସ୍କାମରଙ୍କ ଜାଲରେ ପଡ଼ି ୧.୪ କୋଟି ଟଙ୍କା ହରାଇଥିଲେ। ଠକମାନେ ତାଙ୍କୁ ହ୍ଵାଟ୍ସଆପରେ ମେସେଜ କରି ଟ୍ରେଡିଂରେ ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ପରେ ତାଙ୍କୁ ଏକ ହ୍ଵାଟ୍ସଆପ ଗ୍ରୁପରେ ଯୋଡା ଯାଇଥିଲା। ବିଶ୍ୱାସରେ ପଡ଼ି ବିଧାୟକ ଜଣକ ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରୀ ୧ ମଧ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଠକେଇରେ ପଡ଼ିଥିଲେ। ଏନେଇ ଏତଲାକ୍ରମେ କ୍ରାଇମବ୍ରାଞ୍ଚ ମାମଲା (ନଂ.୩/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ୧୦ରୁ ଊର୍ଦ୍ଧ୍ଵ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ତଦନ୍ତ ଜାରି ରଖିଛି। ଏହିଭଳି ଭାବେ କ୍ରାଇମବ୍ରାଞ୍ଚ ବିଭିନ୍ନ ମାମଲାରେ ତଦନ୍ତ କରିବା ସହ ରାଜ୍ୟ ବାହାରୁ ବହୁ ଅଭିଯୁକ୍ତଙ୍କୁ ଗିରଫ କରୁଛି।

ସାଇବର ବିଶେଷଜ୍ଞ ଦେଲେ ସଚେତନ ବାର୍ତ୍ତା
ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀ କହିଛନ୍ତି, 'ପିଗ ବୁଚରିଙ୍ଗ ଠକେଇ ଏବେ ବଢିଚାଲୁଛି । ପ୍ରଥମେ ନିବେଶ କରିବାକୁ ଠକମାନେ ପ୍ରବର୍ତ୍ତାଇଥାନ୍ତି। ୧୫୦ ଟଙ୍କା ଜମା କଲେ ୩୦୦ ଟଙ୍କା ପାଇବେ। ୬୦୦ ଟଙ୍କା ଡିପୋଜିଟ୍ କଲେ ୧୨୦୦ ଟଙ୍କା ପାଇବେ। ଏଭଳି ଭାବେ ସେମାନେ ପ୍ରଲୋଭନ ଦେଖାଇ ଏକ ପିରାମିଡ ସ୍କାମରେ ପକାଇବେ । ଆପଣ ଅଧିକ ପରିମାଣର ଟଙ୍କା ନିବେଶ କରିବା ପରେ ଆପ୍ କିମ୍ବା ସାଇଟ୍ ବନ୍ଦ କରିଦେଇ ଟଙ୍କା ଠକିନେବେ। ସେହିଭଳି ଭାବରେ ମାଟ୍ରିମୋନି ସ୍କାମରେ ମଧ୍ୟ ଲୁଟି ନେଉଛନ୍ତି । ବିଶ୍ୱାସ ଜନ୍ମାଇ ବନ୍ଧୁତାର ଛଳନା କରିବେ । ତା ପରେ ଜରୁରୀ ଆବଶ୍ୟକତା ଅଛି କହି ଟଙ୍କା ମାଗିନେବେ। ଠକମାନେ ଛୋଟ ଲାଭ ଦେଇ ଆପଣଙ୍କ ପାଖରୁ ବଡ଼ ଟଙ୍କା ଠକି ନେଇଯିବେ। ତେଣୁ ଏଭଳି ଠକେଇରୁ ନିଜକୁ ବଞ୍ଚାନ୍ତୁ ଓ ସାଇବର ସଚେତନ ରୁହନ୍ତୁ' ବୋଲି ସେଠୀ ପରାମର୍ଶ ଦେଇଛନ୍ତି।

ଅଜଣା ଲୋକଙ୍କ କଥାରେ ପଡ଼ି ନିବେଶ କରନ୍ତୁ ନାହିଁ

ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ଅଧିକାରୀ ଏସିପି ସୁଚିସ୍ମିତା ଦାସ କହିଛନ୍ତି, 'ଏଭଳି ଅଭିଯୋଗ ଆସିଲେ ଆମେ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରୁଛୁ। ଅଜଣା ନମ୍ବରରୁ ମସେଜ ଆସିଲେ ତାହାକୁ ଅଣଦେଖା କରନ୍ତୁ। ଯେକୌଣସି ଆପ୍ କିମ୍ବା ୱେବସାଇଟ୍ରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ତାହା SEBI (Securities and Exchange Board of India) ଦ୍ୱାରା ପଞ୍ଜୀକୃତ କି ନାହିଁ ଯାଞ୍ଚ କରନ୍ତୁ' । ଇଟିଭି ଭାରତ, ଭୁବନେଶ୍ୱର
ଏହା ମଧ୍ୟ ପଢନ୍ତୁ Explainer: ଭିଜିଲାନ୍ସ ଜବତ କରୁଥିବା ସମ୍ପତ୍ତି କଣ ହୁଏ ? ଅଭିଯୁକ୍ତର ଅଧିକାରକୁ ନେଇ କଣ କୁହେ ଆଇନ ?
ଏହା ମଧ୍ୟ ପଢନ୍ତୁ EXPLAINER: ପେଟ୍ରୋଲ ଓ ଡିଜେଲ ପରେ ପାମ୍ ଅଏଲ୍ ଚିନ୍ତା, ମହଙ୍ଗା ହୋଇପାରେ ଏସବୁ ସାମଗ୍ରୀ

