ପଥୋତ୍ସବରେ ଦୁଲୁକିଲା ଜନପଥ: ନାଚ-ଗୀତରେ ଝୁମିଲେ ରାଜଧାନୀବାସୀ
ଭୁବନେଶ୍ୱରରେ ଜମିଲା ପଥ ଉତ୍ସବ । ନାଚ ଗୀତରେ ଦୁଲୁକିଲା ରାଜଧାନୀର ଜନପଥ । ଫ୍ଲୋରାଲ ଆର୍ଟ ସହିତ ଜୋକରଙ୍କ ଡ୍ୟାନ୍ସ ମନମୋହିଲା । ଲୋକାରଣ୍ୟ ହେଲା ଜନପଥ ।

Published : January 4, 2026 at 3:23 PM IST
ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ପଥ ଉତ୍ସବ । ସଙ୍ଗୀତ ଡିଜେ ଓ ପାରମ୍ପାରିକ ନୃତ୍ୟରେ ଦୁଲୁକିଲା ରାଜଧାନୀର ଜନପଥ । ଶୀତୁଆ ସକାଳରେ ଜନପଥରେ ପଥ ଉତ୍ସବର ବେଶ ମଜା ଉଠାଇଛନ୍ତି ରାଜଧାନୀବାସୀ । ବହୁ ପ୍ରସିଦ୍ଧ କଳାକାରଙ୍କ ଠାରୁ ନେଇ ବିଭିନ୍ନ ପ୍ରତିଭାଙ୍କ କଳା ରାଜଧାନୀବାସୀଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇଥିଲା । ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତରେ ଝୁମିଥିଲା ଭୁବନେଶ୍ବର । ଏହା ସହିତ ପପୁ ପମ୍ପମ୍ ନିଜ କମେଡିରେ ପେଟ ବେଦମ୍ କରି ଦର୍ଶକଙ୍କୁ ହସାଇଥିଲେ । ବହୁ ପ୍ରତିଭା ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।
ବର୍ଷର ପ୍ରଥମ ପଥୋତ୍ସବ:
ରାଜଧାନୀରେ ଚଳିତବର୍ଷର ପ୍ରଥମ ପଥ ଉତ୍ସବ ଉଦଘାଟନ ହୋଇଯାଇଛି । ରାମ ମନ୍ଦିର ଠାରୁ ନେଇ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜଧାନୀରେ କୁହୁଡି ଓ ଶୀତ କାକାରକୁ ଖାତିର ନ କରି ସମସ୍ତେ ଜନପଥରେ ପହଞ୍ଚି ପଥୋତ୍ସବର ଭରପୂର ମଜା ଉଠାଇଛନ୍ତି । ରଙ୍ଗୋଲି ଠାରୁ ନେଇ, ଚିତ୍ର ଆଙ୍କିବା, ବିଭିନ୍ନ କଳା ତଥା ପାରମ୍ପାରିକ ନୃତ୍ୟ, ଯୋଗ, ସ୍କେଟିଂ, ବିଭିନ୍ନ ପ୍ରକାର ଖେଳ, ଷ୍ଟ୍ରିଟ୍ ପ୍ଲେ, ଆହୁରି ଅନେକ କଳା ପ୍ରଦର୍ଶିତ ହୋଇଥିଲା ।

ଭୁବନେଶ୍ବର ଗଟ ଟ୍ୟାଲେଣ୍ଟ:
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ 2026 ମସିହାର ପ୍ରଥମ ପଥୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ । ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମ୍ସି କମିଶନର ଚଞ୍ଚଳ ରଣାଙ୍କ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ । ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହା ସହିତ ଜୁମ୍ବା ଓ ଭୁବନେଶ୍ବର ଗଟ ଟ୍ୟାଲେଣ୍ଟ ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଡିଜେରେ ଓଲିଉଡ ଓ ବଲିଉଡର ନୂଆ ପୁରୁଣା ସଙ୍ଗୀତର ଭରପୂର ମଜା ଉଠାଇ ମନ ଖୋଲି ନାଚିଥିଲେ ଭୁବନେଶ୍ବରବାସୀ ।



ଭୁବନେଶ୍ୱର କମିଶନର ଚଞ୍ଚଳ ରଣା କହିଛନ୍ତି,"ଓଡ଼ିଆ ପରମ୍ପରା ଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ ଭୁବନେଶ୍ୱରର ଅନେକ ପ୍ରତିଭା ଏଠାରେ ଏକାଠି ହୋଇଛନ୍ତି । ସମସ୍ତେ ଏହି ପଥୋତ୍ସବର ମଜା ନେଇଛନ୍ତି ।"
ଏହି ଉତ୍ସବକୁ ଖୁବ ମନଖୋଲି ଉପଭୋଗ କରିଛନ୍ତି ଦର୍ଶକମାନେ । ଜଣେ ରାଜଧାନୀବାସୀ କହିଛନ୍ତି,"ଆମେ ସକାଳ 6.30ରୁ ଆସି ଏଠାରେ ପ୍ରାୟ 2 ଘଣ୍ଟା ଧରି ବୁଲୁଛୁ । ବହୁତ ମଜା ଲାଗୁଛି । ରଙ୍ଗବେରଙ୍ଗର ପୋଷାକ ପିନ୍ଧିଥିବା ଲୋକଙ୍କ ସହିତ ଫଟୋ ଉଠାଉଛୁ ।" ଅନ୍ୟ ଜଣେ ଚିତ୍ରଶିଳ୍ପୀ ନିଜର ଚିତ୍ର ପ୍ରଦର୍ଶନ କରିବା ସହିତ ଶୀତୁଆ ସକାଳରେ ଏପରି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆନନ୍ଦ ନେଉଥିବାର କହିଥିଲେ ।


| ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଝୁମିବ ସ୍ମାର୍ଟସିଟି; ୪ ଜାନୁଆରୀରୁ ପଥ ଉତ୍ସବ |
ଇଟିଭି ଭାରତ, ଭୁବନେଶ୍ବର

