ଭଞ୍ଜମାଟିର ଅନନ୍ୟ ଲୋକକଳା, ନୃତ୍ୟ-ଚିତ୍ର-ହସ୍ତକଳାର ଅପୂର୍ବ ସମନ୍ବୟ ‘ପଶୁମୁଖା’
ଗଞ୍ଜାମର 200 ବର୍ଷର ପାରମ୍ପାରିକ ଲୋକନୃତ୍ୟ ପଶୁମୁଖା ନୃତ୍ୟ । ନିକଟରେ ଦକ୍ଷିଣ ଓଡିଶା ଲୋକସଂସ୍କୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜଗଦୀଶ ପାଣିଗ୍ରାହୀ । ଯିଏକି ଏହା ଉପରେ ଗବେଷଣା ଜାରି ରଖିଛନ୍ତି ।

Published : January 4, 2026 at 4:00 PM IST
ସ୍ପେଶାଲ ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
Ganjam Pasumukha Dance ଗଞ୍ଜାମ: କଳା ସଂସ୍କୃତିରେ ସମୃଦ୍ଧ ଗଞ୍ଜାମ ଜିଲ୍ଲା । ରଣପା ନୃତ୍ୟ ହେଉ ଅବା କାଠପାଦ...ଲୋକକଳା ଓ ଲୋକନୃତ୍ୟ ପାଇଁ ଅନନ୍ୟ ପରିଚୟ ପାଇଛି ଗଞ୍ଜାମ ଜିଲ୍ଲା । ସେଥିରେ 200 ବର୍ଷର ପ୍ରାଚୀନ ଅନନ୍ୟ ଲୋକନୃତ୍ୟ ପଶୁମୁଖା । ନୃତ୍ୟ-ଚିତ୍ର-ହସ୍ତକଳାର ଅନନ୍ୟ ସମନ୍ବୟ । ଘୁମୁସର ମାଟିରୁ ଆରମ୍ଭ ହୋଇଥିବା ଏହି ଲୋକନୃତ୍ୟ ବିଶ୍ବ ବିଦିତ । ଏହି ନୃତ୍ୟ Save Wild Life, Save Mankind, Save Forestର ବାର୍ତ୍ତା ବହନ କରିଥାଏ । ଗଞ୍ଜାମର ଏହି ପାରମ୍ପାରିକ ଲୋକନୃତ୍ୟକୁ ଅନନ୍ୟ ପରିଚୟ ଦେବା ପାଇଁ ଦିନରାତି ଏକ କରି ଦେଇଛନ୍ତି କଳାକାର ତଥା ଗବେଷକ ଜଗଦୀଶ ପାଣିଗ୍ରାହୀ । କଣ ଏହି ପଶୁମୁଖା ନୃତ୍ୟ ? କଣ ଏହାର ଇତିହାସ ? ଏହାକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା...ଗଞ୍ଜାମର ପଶୁମୁଖା ନୃତ୍ୟ ।
ପଶୁମୁଖା ନୃତ୍ୟ କଣ ?
ସାଧାରଣ ନୃତ୍ୟ ଆପଣମାନେ ଜାଣନ୍ତି...କିନ୍ତୁ ଏହି ନୃତ୍ୟର ରହିଛି ସ୍ବତନ୍ତ୍ରତା । ଯେଉଁଠାରେ ନୃତ୍ୟ-ଚିତ୍ର-ହସ୍ତକଳାର ଅପୂର୍ବ ବିଭବ ଦେଖିବାକୁ ମିଳେ । କଳାକାର ମାନେ ବିଭିନ୍ନ ବନ୍ୟଜନ୍ତୁର ମୁଖାକୁ ପରିଧାନ କରି ଢୋଲ, ମହୁରୀ, ଚାଙ୍ଗୁବାଦ୍ୟକୁ ସାଥିରେ ନେଇ ଉଭୟ ଗାହାଣ ସଙ୍ଗୀତ ଏବଂ ବାଦ୍ୟର ତାଳେ ଏହାକୁ ପରିବେଷଣ କରାଯାଇଥାଏ । ସଚେତନତା କାର୍ଯ୍ୟକ୍ରମଠୁ ନେଇ ଗଣତନ୍ତ୍ର, ସ୍ବାଧୀନତା ଦିବସ ଅବସରରେ ଏହି ଲୋକନୃତ୍ୟ ପରିବେଷଣ ହୋଇଥାଏ । ଏହି ଲୋକନୃତ୍ୟର ଉଦ୍ଦେଶ୍ୟ ହେଉଛି ପରିବେଶ ନିମନ୍ତେ ଅତି ଆବଶ୍ୟକ ରହିଥିବା ଜଙ୍ଗଲ ଏବଂ ତାହାରି ମଧ୍ୟରେ ରହିଆସୁଥିବା ବନ୍ୟଜନ୍ତୁର ସୁରକ୍ଷା ଦେବା ।

ପଶୁମୁଖା ନୃତ୍ୟର ଏନ୍ତୁଡିଶାଳ କେଉଁଠି ?
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବଡକୋଦଣ୍ଡା ଗାଁ । ଗଞ୍ଜାମରେ ପଶୁମୁଖାର 35ଟି ନୃତ୍ୟ ଦଳ ରହିଛନ୍ତି । ଭଞ୍ଜନଗର ଉପଖଣ୍ଡରେ ୨୨ ରୁ ୨୫ ଗୋଟି ପଶୁମୁଖା ନୃତ୍ୟ ଦଳ ରହିଛି ।
ପଶୁମୁଖା ନୃତ୍ୟରେ 3 ବିଭବ:
ମୁଖ୍ୟତଃ ଗଞ୍ଜାମର ପଶୁମୁଖା ନୃତ୍ୟରେ ତିନୋଟି ବିଭବ ଦେଖିବାକୁ ମିଳିଥାଏ । ଗୋଟିଏ ନୃତ୍ୟକଳା ହୋଇଥିବା ବେଳେ ମୁଖାର ଚିତ୍ରରେ ଚିତ୍ରକଳା ଏବଂ ଶରୀରରେ ହସ୍ତକଳା ଭଳି ତିନୋଟି କଳାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥାଏ । ଏଥିରେ ଗୋଟିଏ ପଟେ ନୃତ୍ୟକଳା, କଳାକାର ମାନେ ନିଜ ଶରୀରରେ ଧାରଣ କରୁଥିବା ମୁଖାର ଚିତ୍ରରେ ଚିତ୍ରକଳା ଏବଂ ଶରୀରରେ ହସ୍ତକଳା ଭଳି ତିନୋଟି କଳାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥାଏ । ମୁଖ୍ୟତଃ ଏହି ନୃତ୍ୟରେ ଟିମ୍ ଥାଏ । ଆଉ ଗୋଟିଏ ଟିମ୍ରେ 15ରୁ 20 ଜଣ କଳାକାର ଥାଆନ୍ତି । ଆଉ ଏହି କଳାକାର ଏହି କଳା ବା ନୃତ୍ୟକୁ ପରିବେଷଣ କରି ହିଁ ଜୀବନ ଜୀବିକା ନିର୍ବାହ କରିଥାନ୍ତି । ତେବେ ପଶୁମୁଖା ନୃତ୍ୟରେ ଗୁରୁଶିଷ୍ୟର ପରମ୍ପରା ଦେଖିବାକୁ ମିଳିଥାଏ ।

ପଶୁମୁଖା ନୃତ୍ୟରେ ଜଗଦୀଶଙ୍କ ଭୂମିକା:
ଗଞ୍ଜାମର ପଶୁମୁଖା ନୃତ୍ୟର ବିକାଶ ପାଇଁ ଅନେକ ବ୍ୟକ୍ତିବିଶେଷଙ୍କ ଉଦ୍ୟମ ଜାରି ରହିଥିବା ବେଳେ ସେଥି ମଧ୍ୟରୁ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର 53 ବର୍ଷୀୟ ଜଗଦୀଶ ପାଣିଗ୍ରାହୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ପିତା ହେଉଛନ୍ତି ସ୍ୱର୍ଗତ ଗୌରହରି ପାଣିଗ୍ରାହୀ ଓ ମା’ ହେଉଛନ୍ତି ନିଶାମଣୀ ଦେବୀ । ପିଲାଟି ଦିନରୁ ହିଁ ଏହି ଲୋକନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ଏବେ ଜଗଦୀଶ ଏକାଧାରରେ ଜଣେ କଳାକାର, ମୁଖା ପ୍ରସ୍ତୁତକାରୀ ତଥା ବିଶ୍ବ ଜନନୀ କଳା ପରିଷଦ ଅନୁଷ୍ଠାନର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହ ଓଡ଼ିଶାର ନୃତ୍ୟ ପରମ୍ପରାକୁ ସମୃଦ୍ଧ କରିବାରେ ଉଦ୍ୟମ ଜାରି ରଖିଛନ୍ତି ।

ବିଶ୍ବ ଜନନୀ କଳା ପରିଷଦ:
ଗଞ୍ଜାମର ଏହି ଲୋକକଳାକୁ ଜନାଦୃତ କରିବା ପାଇଁ ୧୯୯୯ ମସିହାରେ ଭଞ୍ଜନଗର ଅଞ୍ଚଳର ବିଶ୍ୱ ଜନନୀ କଳା ପରିଷଦ' ଗଠନ ହୋଇଥିଲା । ଦକ୍ଷିଣ ଓଡ଼ିଶାର ଲୋକନାଟ ଓ ଲୋକନୃତ୍ୟକୁ ସଫଳତାର ସହିତ ପ୍ରଚାର ପ୍ରସାର କରି ଏହାକୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ଦେବାରେ ଉଦ୍ୟମ ଜାରି ରଖିଛି ଏହି ଅନୁଷ୍ଠାନ । ଏହି ଅନୁଷ୍ଠାନରେ କାର୍ଯ୍ୟ କରି ଦକ୍ଷିଣ ଓଡ଼ିଶାର ଲୋକନାଟ ଓ ଲୋକନୃତ୍ୟକୁ ସଫଳତାର ସହିତ ପ୍ରଚାର ପ୍ରସାର କରି ଏହାକୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ଦେବାରେ ଉଦ୍ୟମ ଜାରି ରଖିଛନ୍ତି ଜଗଦୀଶ ।

ଜଗଦୀଶଙ୍କୁ ମିଳିଛି ଏସବୁ ସମ୍ମାନ:
ଲୋକକଳା ପ୍ରତି ସମର୍ପିତ ସାଧନା କରି ଇତି ମଧ୍ୟରେ ବହୁ ଅନୁଷ୍ଠାନ ଭାବରେ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମା, ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଜାତୀୟ କଳା କେନ୍ଦ୍ର (IGNCA) ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଉପଖଣ୍ଡ ସ୍ତରୀୟ ସାଂସ୍କୃତିକ ଉତ୍ସବରେ ପଞ୍ଜାବ, କୋଲକାତା, ରାଜସ୍ଥାନ ପ୍ରଭୃତି ସଂସ୍କୃତି ପରିଷଦ ଭଳି ୨୨ରୁ ଊର୍ଦ୍ଧ୍ବ ରାଜ୍ୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜଗଦୀଶ ।
ଗବେଷଣା ବି କରୁଛନ୍ତି ଜଗଦୀଶ:
ଜଗଦୀଶ ପାରମ୍ପରିକ ମୁଖା ନିର୍ମାଣ ସହିତ ଲୋକସାହିତ୍ୟ ଗବେଷଣା, ପତ୍ରପତ୍ରିକା ପ୍ରଚ୍ଛଦ ପୃଷ୍ଠାର ସଜ୍ଜିକରଣ, ଦୁର୍ଲ୍ଲଭ ଅଳଙ୍କାର, ବିଭିନ୍ନ ପ୍ରକାର ମୁଖା, ବାଦ୍ୟଯନ୍ତ୍ର ଆଦିର ସଂରକ୍ଷଣ ଦିଗରେ ନିଜର ଜାତୀୟ କର୍ତ୍ତବ୍ୟ ନିର୍ବାହ କରି ଆସିଛନ୍ତି । ଏଥିସହ ଗଞ୍ଜାମର ଶଙ୍ଖ ବାଦ୍ୟ, ଢୋଲବାଦ୍ୟ, ଚାଙ୍ଗୁ ବାଦ୍ୟ, ରଣପା ନୃତ୍ୟ, ମଙ୍ଗଳା ନୃତ୍ୟକୁ ଭିଭି କରି ଗବେଷଣାଧର୍ମୀ ପ୍ରବନ୍ଧ ଲେଖିଛନ୍ତି । ଯାହାକି ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତିଲାଭ କରିଛି ।

ପାରମ୍ପାରିକ ଲୋକକଳାର ଆତ୍ମା ମୌଳିକତା:
ଗଞ୍ଜାମର ଲୋକ କଳାକାର ତଥା ଗବେଷକ ଜଗଦୀଶ ପାଣିଗ୍ରାହୀଙ୍କ ଇଟିଭି ଭାରତ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଛନ୍ତି, ‘ବାଲ୍ୟ ଜୀବନରୁ ଗୁରୁ ଶାନ୍ତୁନୁ କୁମାର ଦାଶଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲି । ପରେ ବିଶ୍ୱଜନନୀ କଳା ପରିଷଦର ସମ୍ପାଦକ ହେବାର ସୌଭାଗ୍ୟ ପାଇଥିଲି । ଏହାପରେ ଆଉ ପଛକୁ ଚାହିଁନୁ । ଆମ ସହିତ ବିଭିନ୍ନ ବର୍ଗର ଯୁବ କଳାକାର ରହିଛନ୍ତି । ଯେଉଁମାନଙ୍କୁ ନେଇ ଆମେ ମଞ୍ଚରେ ପରିବେଷଣ କରିଥାଉ । ପାରମ୍ପାରିକ ଲୋକକଳାର ଆତ୍ମା ହେଉଛି ମୌଳିକତା । ଯାହାକି ସେହି ମୌଳିକତାକୁ କ୍ଷୁର୍ଣ୍ଣ ନକଲେ ହିଁ ପ୍ରକୃତ ଲୋକନୃତ୍ୟର ସଂଜ୍ଞା ହିଁ ପାଇପାରିବେ ।’

ଲୋକନୃତ୍ୟ ମୌଳିକତା ହରାଇବା ଉଚିତ୍ ନୁହେଁ:
‘ପଶୁମୁଖା ନୃତ୍ୟକୁ ଦେଖିଲେ ତାର ମୌଳିକ ଢାଞ୍ଚା ଓ ପାରମ୍ପାରିକ ରୀତି ଯାହା ଏନସିଏନ୍ ଆର୍ଟର ଯେଉଁ ଗାରିମା ରହିଛି ତାହାକୁ ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଯୁଗପଯୋଗିତାର ଦ୍ୱାହି ଦେଇ ଲୋକନୃତ୍ୟକୁ ପରିବର୍ତ୍ତନ କରିଦେଲେ ଲୋକନୃତ୍ୟ କେବଳ ମ୍ୟୁଜିୟମରେ ହିଁ ରହିଯିବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ପ୍ରକୃତ ଢାଞ୍ଚାରେ ପରିବର୍ତ୍ତନ କରିବା ଆମର ହକଦାର ନାହିଁ । ଏପରି ଭାବେ ଆତ୍ମାକୁ ହତ୍ୟା କରିଦେଲେ ପ୍ରକୃତ ଶରୀର ପାଇ ହେବନାହିଁ’ ବୋଲି କୁହନ୍ତି ଜଗଦୀଶ ।
ଦେଶ ବିଦେଶରେ ବି ପରିବେଷଣ ହେଉଛି ପଶୁମୁଖା ନୃତ୍ୟ:
ପଶୁମୁଖା ନୃତ୍ୟ ଏଭଳି ଏକ ଲୋକନୃତ୍ୟ ଯାହାକି ସମଗ୍ର ବିଶ୍ୱରେ ବିଦିତ । ଏଥିରେ ପଶୁ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ମାନବ ସୁରକ୍ଷାର ବାର୍ତ୍ତା ରହିଥାଏ ।

ଜନ୍ମମାଟିରେ ସମ୍ବର୍ଦ୍ଧନା ଅନନ୍ୟ ଆନନ୍ଦ ଦିଏ:
ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ଦକ୍ଷିଣ ଓଡିଶା ଲୋକସଂସ୍କୃତି’ ସମ୍ମାନରେ ଲୋକକଳାକାର ଏବଂ ଗବେଷକ ଜଗଦୀଶ ପାଣିଗ୍ରାହୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଏହି ଅବସରରେ ସମସ୍ତେ ଦୀର୍ଘ ବର୍ଷ ଧରି ଜିଲ୍ଲାର ଲୋକକଳାକୁ ବଞ୍ଚାଇ ରଖିଥିବା ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପୁରସ୍କୃତ ହେବା ପରେ ଜଗଦୀଶ କୁହନ୍ତି, ‘ସମଗ୍ର ଭାରତ ବର୍ଷକୁ ପରିକ୍ରମା କରି ଆସିବା ପରେ ଯେତେବେଳେ ପରିଶ୍ରମ କରି ଶ୍ରମଲାଘବ ପାଇଁ ବସିଥିବେ ସେହି ସମୟରେ ମା’ ଯେପରି ପଖାଳ ମୁଠାଏ ବାଢି ଦେଇଥାନ୍ତି ସେହିପରି ନିଜ ଜନ୍ମମାଟିରେ ନିଜର କାର୍ଯ୍ୟକୁ ନେଇ ଏଭଳି ସମ୍ୱର୍ଦ୍ଧନା ତାହା ହିଁ ଅନୁଭବ କରାଇଥାଏ ।’

ସଂସ୍କୃତିକୁ ବଞ୍ଚାଇ ରଖିଛି ଭଞ୍ଜମାଟି:
ସେପେଟ ଭଞ୍ଜନଗର ଅଞ୍ଚଳର ବାସିନ୍ଦା ସ୍ୱରୂପ କୁମାର ପଣ୍ଡା କୁହନ୍ତି, ‘ଆଗାମୀ କାଳରୁ ପଶୁ ପକ୍ଷୀ ଜୀବ ଜଗତକୁ ଧରି ମନୁଷ୍ୟ ଜୀବନଯାପନ କରି ଆସୁଛି । ଏପରିକି ସବୁବେଳେ ଏହି ଜଗତରେ ପଶୁ ପକ୍ଷୀଙ୍କୁ ସ୍ନେହ କରି ଆସିବାର ମଧ୍ୟ ନଜିର ରହିଛି । ଏପରିକି ପୁରାଣର ରାମାୟଣ କଥାବସ୍ତୁକୁ ଅଧ୍ୟୟନ କଲେ ଜଣାଯାଏ ପ୍ରଭୁ ରାମଚନ୍ଦ୍ର ମଧ୍ୟ ଯୁଦ୍ଧ କରିବା ସମୟରେ ବାନର ଓ ଭାଲୁର ସହାୟତା ନେଇ ଲଙ୍କା ଜୟ କରିଥିଲେ । ସେହି ସଂସ୍କୃତିକୁ ଭଞ୍ଜମାଟି ତଥା ଘୁମୁସର ମାଟି ଆଜି ପର୍ଯ୍ୟନ୍ତ ତାହାକୁ ବଞ୍ଚାଇ ରଖିଛି ।’
ଏହା ମଧ୍ୟ ପଢନ୍ତୁ: ଗଞ୍ଜାମର ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ବାହକ- ପ୍ରସିଦ୍ଧ କୋଠିଶାଳ ବା ଉଷାକୋଠୀ ଯାତ୍ରା ଗଞ୍ଜାମର ନିଆରା ଡ଼େରା ବେଶ, କାହିଁକି ଗାଁ ଦାଣ୍ଡରେ ବଡ଼ କାଠ ମୂର୍ତ୍ତିକୁ ଡେରାଯାଏ ? |
କଳା ଆହୁରି ପରିଚୟ ପାଉ...
ସେହିପରି ଭଞ୍ଜନଗର ଅଞ୍ଚଳର ବାସିନ୍ଦା ମାନସ ରଞ୍ଜନ ରାଉଳ କୁହନ୍ତି, ‘ପଶୁମୁଖା ନୃତ୍ୟ ପାଇଁ ତାଙ୍କର ସମର୍ପଣ ଭାବନା ଏବଂ ଏହାକୁ ନେଇ କେବଳ ଆମ ରାଜ୍ୟ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ଏହାକୁ ପରିବେଷଣ କରି ଆସିଥିବା ଦେଖାଯାଇଛି । ଏପରିକି ଏହି କଳାକୁ ବଞ୍ଚାଇ ରଖିବା ପାଇଁ କଳାକାର ମାନଙ୍କୁ ଏକତ୍ରିତ କରି ବାନ୍ଧି ରଖିବାରେ ଉଦ୍ୟମ ଜାରି ରଖିଥିବା ବେଳେ ଏହି କଳା ଆହୁରି ପରିଚିତ ହେବା ନେଇ କାମନା କରୁଛି ।’

ରଣପା, କାଠପାଦ ପରି ନିଆରା ଏହି ପଶୁମୁଖା ନୃତ୍ୟ । ଯାହା ଗଞ୍ଜାମ ଜିଲ୍ଲାରୁ ସୃଷ୍ଟିଲାଭ କରିଛି । ନୃତ୍ୟର ମୌଳିକତା ଏହାକୁ ସ୍ବତନ୍ତ୍ର ଭାବେ ଗଢି ତୋଳିଛି । ଯାହାକି ଅନ୍ୟ ନୃତ୍ୟ ଠାରୁ ଅଲଗା ।
ଇଟିଭି ଭାରତ, ବ୍ରହ୍ମପୁର

