ETV Bharat / state

ନାରୀଶକ୍ତିର ନୂଆ ଚେହେରା ପଙ୍କଜିନୀ: ଶାଢ଼ୀରେ ପଟ୍ଟଚିତ୍ର କରି ଓଡ଼ିଆ କଳାକୁ ଦେଇଛନ୍ତି ନୂଆ ପରିଚୟ

ମାଆଙ୍କ ଇଚ୍ଛା ପୂରଣ ପାଇଁ ଗାଁ ମୁହାଁ ହୋଇଛନ୍ତି 35 ବର୍ଷୀୟା ପଙ୍କଜିନୀ ମହାପାତ୍ର । ଗ୍ରାମାଞ୍ଚଳ ମହିଳାଙ୍କୁ ଶାଢ଼ୀରେ ସୂକ୍ଷ୍ମ କାରୁକାର୍ଯ୍ୟ ନେଇ ପ୍ରଶିକ୍ଷିତ କରିବା ସହ ଆତ୍ମନିର୍ଭରଶୀଳ କରାଇବାରେ ପ୍ରେରଣା ପାଲଟିଛନ୍ତି।

PANKAJINI MAHAPATRA
35 ବର୍ଷୀୟା ପଙ୍କଜିନୀ ମହାପାତ୍ର: ଗ୍ରାମାଞ୍ଚଳ ମହିଳାଙ୍କୁ ଶାଢ଼ୀରେ ସୂକ୍ଷ୍ମ କାରୁକାର୍ଯ୍ୟ ନେଇ ପ୍ରଶିକ୍ଷିତ କରିବା ସହ ଆତ୍ମନିର୍ଭରଶୀଳ କରାଇବାରେ ପ୍ରେରଣା ପାଲଟିଛନ୍ତି (ETV Bharat)
author img

By ETV Bharat Odisha Team

Published : January 9, 2026 at 7:30 PM IST

|

Updated : January 10, 2026 at 1:36 PM IST

5 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ଭବାନୀ ଶଙ୍କର ଦାସ

PANKAJINI MAHAPATRA PATTACHITRA ଭୁବନେଶ୍ବର: "ଆମେ ଚାରି ଭଉଣୀ... ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲା... ପିଲାଟି ବେଳୁ ଅନେକ ସଂଘର୍ଷ ସାମ୍ନା କରିବାକୁ ପଡୁଥିଲା । ତେଣୁ ଘରେ ରହି ଏମିତି କିଛି କାମ କରିବାକୁ ଚାହୁଁଥିଲି, ଯାହା ପରିବାରର ଆର୍ଥିକ ବୋଝ ହାଲୁକା କରିବ... ସେଇଥିପାଇଁ, ହାତ ଖର୍ଚ୍ଚ ସାଇତି ହାତରେ ତୂଳୀ ଧରିଲି । ବିଭିନ୍ନ ମନ୍ଦିର ଓ ଦର୍ଶନୀୟ ସ୍ଥାନ ବୁଲି ସେଠାକାର ଚିତ୍ରକୁ ଅନୁଧ୍ୟାନ କଲି । ସେଇଠୁ ପଡିଥିଲା ପଟ୍ଟଚିତ୍ର ଯାତ୍ରାର ମୂଳଦୁଆ... ସଂଘର୍ଷରୁ ସଫଳତା ଏବଂ ସଫଳତାରୁ ଅନ୍ୟ ପାଇଁ ପ୍ରେରଣା ସାଜିଥିବା ଏମିତି ଜଣେ ନାରୀଶକ୍ତିର ନୂଆ ଚେହେରା ହେଉଛନ୍ତି ପଙ୍କଜିନୀ ମହାପାତ୍ର । କେମିତି ଥିଲା ତାଙ୍କ 'ଶାଢ଼ୀରେ ପଟ୍ଟଚିତ୍ର'ର ଯାତ୍ରା ? ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।

ନାରୀଶକ୍ତିର ନୂଆ ଚେହେରା ପଙ୍କଜିନୀ (ETV Bharat)

ପଙ୍କଜିନୀ : ଅଷ୍ଟମ ଶ୍ରେଣୀରୁ ପଟ୍ଟଚ୍ଚିତ୍ର ପ୍ରସ୍ତୁତି

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତ ଆନନ୍ଦପୁର ଗାଁରେ ପଙ୍କଜିନୀ ମହାପାତ୍ରଙ୍କ ଘର । ଚୁଡ଼ା ମିଲ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଅର୍ତ୍ତତ୍ରାଣ ମହାପାତ୍ର ଓ ହରସୀ ମହାପାତ୍ରଙ୍କ ୪ ଝିଅଙ୍କ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ପଙ୍କଜିନୀ । 35 ବର୍ଷୀୟା ପଙ୍କଜିନୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳର ନଥିବାରୁ ଆଗକୁ ବଢ଼ି ପାରିନଥିଲା ପାଠପଢ଼ା । ହେଲେ ପିଲାଟି ଦିନରୁ କଳା ପ୍ରତି ଥିଲା ତାଙ୍କର ଦୁର୍ବଳତା । ଅଷ୍ଟମ ଶ୍ରେଣୀରୁ ପଟ୍ଟଚ୍ଚିତ୍ର ପ୍ରତି ଆକୃଷ୍ଟ ହୋଇଥିଲେ । ମାଟ୍ରିକ ସରିବା ପରେ ଭୁବନେଶ୍ୱର ଆସି ତାଲିମ ନେଇଥିଲେ । ଚଳିବା ଲାଗି ପାର୍ଟଟାଇମ ଚାକିରି କରୁଥିଲେ ।

Pankajini Making pattachitra
ପଟ୍ଟଚିତ୍ର ତିଆରି କରୁଛନ୍ତି ପଙ୍କଜିନୀ (ETV Bharat)

ସଂଘର୍ଷରୁ ସଫଳତା:

ଆରମ୍ଭରୁ ମାଠିଆ, କାଚ ବୋତଲ ଓ ଫୁଲଦାନୀରେ କୋନ ପେଣ୍ଟିଂ କରୁୁଥିଲେ । ବାହାଘରରେ ସାଜସଜ୍ଜା ପାଇଁ ବ୍ୟବହୃତ ପ୍ଲାଏ ବୋର୍ଡ ଉପରେ ମେହେନ୍ଦି ଡିଜାଇନ ମଧ୍ୟ କରୁଥିଲେ । ସେତେବେଳେ ରୋଜଗାର 10000ରୁ 15000 ଟଙ୍କା ହେଉଥିଲା । ଧିରେ ଧିରେ ରୋଜଗାର ବଢ଼ିବାରୁ ଏଥିରେ କ୍ୟାରିୟର କରିବାକୁ ଚିନ୍ତା କରିଥିଲେ ପଙ୍କଜିନୀ ।

ମହିଳାଙ୍କୁ କରୁଛନ୍ତି ଆତ୍ମନିର୍ଭରଶୀଳ :
୨୦୦୯ରେ ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନ ବା ସିଡାକରୁ ବିଧିବଦ୍ଧ ତାଲିମ ନେଇଥିଲେ ପଙ୍କଜିନୀ । ତାଲିମ ଶେଷ ପରେ ୨୦୧୧ରେ ଭୁବନେଶ୍ୱର ଓ ପୁରୀରେ କାମ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ସମୟରେ ତାଙ୍କୁ ମାସକୁ ୫ ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା । ଯାହା ପାର୍ଟଟାଇମ ରୋଜଗାର ତୁଳନାରେ ଢେର କମ ଥିଲା । ସିଡାକ (CDAC ) ତରଫରୁ ୧୫ ହଜାର ଦରମାରେ ପ୍ରଶିକ୍ଷକ (Trainer) ଭାବେ ଚାକିରି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରତିଷ୍ଠାନର ପିଲାଙ୍କୁ ନେଇ ନିଜର ବ୍ୟବସାୟ ଆରମ୍ଭ କଲେ । ପରେ ବ୍ଲକ ପକ୍ଷରୁ ପରାମର୍ଶ କ୍ରମେ ମା’ ଅନ୍ନପୂର୍ଣ୍ଣା ଏସଏଚଏଜିରେ ଯୋଡ଼ି ହୋଇ ଅନ୍ୟ ମହିଳାମାନଙ୍କୁ ଟ୍ରେନିଂ ଦେଉଛନ୍ତି । ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିଗତ ସ୍ତରରେ ପଟ୍ଟଚିତ୍ର କାମ କରୁଛନ୍ତି ।

Pankajini presenting a certificate to a woman after the training program
ଟ୍ରେନିଂ ପ୍ରୋଗ୍ରାମ ପରେ ଜଣେ ମହିଳାଙ୍କୁ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି ପଙ୍କଜିନୀ (ETV Bharat)

ପଙ୍କଜିନୀ ମହାପାତ୍ର କହିଛନ୍ତି, "ପ୍ରାୟ ୧୫ ବର୍ଷ ହେବ ପଟ୍ଟଚିତ୍ର ସହିତ ଜଡ଼ିତ । କାରଣ ଛୋଟବେଳୁ କଳା ପ୍ରତି ଦୁର୍ବଳତା ଥିଲା । ଅଷ୍ଟମ ଶ୍ରେଣୀରୁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲି । ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଲାଗି ଘରେ ରହି ପଟ୍ଟଚିତ୍ର କରିବାର ଲକ୍ଷ୍ୟ ଥିଲା ।"

Pankajini paints pattachitra  in a saree
ଏକ ଶାଢୀରେ ପଟ୍ଟଚିତ୍ର ଆଙ୍କୁଛନ୍ତି ପଙ୍କଜିନୀ (ETV Bharat)


କେଉଁଠି ନୃତ୍ୟ ତ ଆଉ କେଉଁଠି ପର୍ବପର୍ବାଣୀ । କେଉଁଠି ରାଜା ରାଜୁଡ଼ା ଅମଳର କାରୁକାର୍ଯ୍ୟ ତ ଆଉ କେଉଁଠି ମଥୁରା ବିଜୟ କାହାଣୀ । ଓଡ଼ିଶାର ପରମ୍ପରା ବୋଇତ ବନ୍ଧାଣ ଉତ୍ସବ ସହିତ କାଳୀୟ ଦଳନ ଲୋକକଥା । ଭାରତ ପରମ୍ପରା ଏବଂ ସାଂସ୍କୃତିକ ମୂଲ୍ୟବୋଧର ସମୃଦ୍ଧ ଦେଶର କାହାଣୀଙ୍କୁ ପଟ୍ଟଚିତ୍ର ଉପରେ ଚମତ୍କାର ଢଙ୍ଗରେ ପସ୍ଫୁଟିତ କରୁଛନ୍ତି ପଙ୍କଜିନୀ ।

ଶାଢ଼ୀର ଶୋଭା ବର୍ଦ୍ଧନ କରୁଛି ସୂକ୍ଷ୍ମ କାରୁକାର୍ଯ୍ୟ :

ଶାଢ଼ୀର ଶୋଭା ବର୍ଦ୍ଧନ କରୁଛି ପଙ୍କଜିନୀଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ । ପଙ୍କଜିନୀଙ୍କ ସହ କାମ କରୁଥିବା ମହିଳା କାରିଗରମାନେ ନିଜର ପ୍ରତିଭା ବଳରେ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହିତ ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହାସହ ପଙ୍କଜିନୀ ଅନ୍ୟ ମହିଳାମାନଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ ମଧ୍ୟ କରୁଛନ୍ତି । କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରଶଂସିତ ହୋଇଛନ୍ତି ।

After receiving training, women painting pattachitra  on sarees.
ତାଲିମ ପାଇବା ପରେ ମହିଳାମାନେ ଶାଢୀରେ ପଟ୍ଟଚିତ୍ର ଆଙ୍କୁଛନ୍ତି (ETV Bharat)
ପଟ୍ଟଚିତ୍ର କାରିଗରି ଶାଢୀ ୭ରୁ ୨୫ ହଜାର ଟଙ୍କାରେ ବିକ୍ରି ହେଉଛି :ପଙ୍କଜିନୀଙ୍କ ପଟ୍ଟଚିତ୍ର ସହ ଚାନ୍ଦୁଆ ସମନ୍ବୟରେ ନବସୃଜନ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ବିଭିନ୍ନ ଷ୍ଟଲ ମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଏବେ ତାଙ୍କ ପାଖକୁ ଯଥେଷ୍ଟ ଅର୍ଡର ଆସୁଛି । ପଙ୍କଜିନୀଙ୍କ କାରିଗରି ଶାଢୀ ୭ରୁ ୨୫ ହଜାରରେ ବିକ୍ରି ହେଉଛି । ଗୋଟିଏ କାରିଗରି ଶାଢୀ ପ୍ରସ୍ତୁତ କରିବାକୁ 1 ଦିନରୁ 15 ଦିନ ସମୟ ଲାଗୁଛି । କାହାଣୀ ଅନୁସାରେ କାରିଗରି ଶାଢୀର ଚାହିଦା ରହୁଥିବା କୁହନ୍ତି ପଙ୍କଜିନୀ ।
Maa Annapurna SHG Pattachitra stall at Mission Shakti Mela
ମିଶନ ଶକ୍ତି ମେଳାରେ ମା ଅନ୍ନପୂର୍ଣ୍ଣା ଏସଏଚଜି ଷ୍ଟଲ (ETV Bharat)

ଘରେ ରହି ରୋଜଗାର:
ପଙ୍କଜିନୀଙ୍କ ଜଣେ ସହଯୋଗୀଙ୍କ କହିବା କଥା, "ସେ ସରକାରୀ ତାଲିମ ଗ୍ରହଣ ନେଇ ନଥିଲେ । ଘରେ ରହି ଚିତ୍ର କରୁଥିଲେ । ପଙ୍କଜିନୀଙ୍କ ଯୋଗାଯୋଗରେ ଆସି ତାଙ୍କଠୁ ପଟ୍ଟଚିତ୍ର ଉପରେ ତାଲିମ ନେଇଥିଲେ । ବର୍ଷେ ତାଲିମ ନେବା ପରେ ସରକାରୀ ସୁବିଧା ମିଳିଛି । ଗାଁରେ ରହି ଆମେ ଆତ୍ମନିର୍ଭରଶୀଳ ହେଉଛୁ । ଦୁଇ ପଇସା ରୋଜଗାର କରି ପାରୁଛୁ । କାମ ଆସିଲେ ଆମେ ଆସି ମିଳିତ ଭାବେ କରୁଛୁ । ଆଗକୁ ବଢିବା ପାଇଁ ଇଚ୍ଛା ଅଛି । ଅଧିକ ତାଲିମ ବ୍ୟବସ୍ଥା ସହ କାରିଗର ଭତ୍ତା ମିଳିଲେ ଭଲ ହୁଅନ୍ତା ।"

Artwork created by Pankajini
ପଙ୍କଜିନୀ ପ୍ରସ୍ତୁତ କରିଥିବା କଳାକୃତି (ETV Bharat)

ବାର୍ଷିକ ରୋଜଗାର 6,00000 ଟଙ୍କା :

ନିକଟରେ ପୁରୀରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ମେଳାରେ ସାମିଲ ହୋଇ ୪ ଦିନରେ ୪୦ ହଜାର ରୋଜଗାର କରିଥିଲେ ପଙ୍କଜିନୀ । ଏହା ବ୍ୟତୀତ ବାଲିଯାତ୍ରା, ତୋଷାଳୀ ମେଳା, ଦିଲ୍ଲୀ ଟ୍ରେଡ ଫେୟାର, ପ୍ରବାସୀ ଭାରତୀୟ ମେଳା, ପଲ୍ଲିଶ୍ରୀ ମେଳାରେ ଷ୍ଲଲ ପକାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ରାଜ୍ୟ ଭିତରେ ଗୋଟେ କାରିଗରି ଶାଢ଼ୀ ପିଛା ୭ରୁ ୮ ହଜାର ଟଙ୍କା ମିଳୁଥିବା ବେଳେ ରାଜ୍ୟ ବାହାରେ ୧୫ରୁ ୨୫ ହଜାର ଟଙ୍କା ମିଳୁଛି । ପ୍ରତି ଶାଢୀ ଉପରେ ୪ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ରହୁଛି । ପଙ୍କଜିନୀ ଏବେ ବାର୍ଷିକ ପ୍ରାୟ ୬ ଲକ୍ଷ ରୋଜଗାର କରୁଛନ୍ତି । ନିଜ ପାଖରେ ଥିବା କାରିଗରଙ୍କୁ ସ୍ଵାବଲମ୍ବୀ ହେବାରେ ସହଯୋଗ କରୁଛନ୍ତି । ନୂଆ ଘର ତିଆରି କରିବା ସହ ବାପା ଓ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା କରୁଛନ୍ତି । ଖୁବଶୀଘ୍ର ସେ ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ପଙ୍କଜିନୀ ।

Pankjini is busy painting
ଚିତ୍ର କରିବାରେ ବ୍ୟସ୍ତ ପଙ୍କଜିନୀ (ETV Bharat)
କାହାଣୀ ଯୁକ୍ତ ପଟ୍ଟଚିତ୍ର ଲୋକଙ୍କ ପସନ୍ଦ : ପଙ୍କଜିନୀ କୁହନ୍ତି, "ଗୁରୁ ବିଜୟଲକ୍ଷ୍ମୀ ଦାସ ମୋତେ ତାଲିମ ଦେଇ ଆଗକୁ ବଢ଼ାଇଛନ୍ତି । ଶାଢୀ ଉପରେ ପଟ୍ଟଚିତ୍ର କରିବା ପାଇଁ ଥିମ୍ ଓ ସମୟ ଉପରେ ନିର୍ଭର କରେ । ଆଜିର ଗ୍ରାହକ ସାଧାରଣ ତୁଳନାରେ କାହାଣୀ ଯୁକ୍ତ ପଟ୍ଟଚିତ୍ର ଆଙ୍କା ଯାଇଥିବା ଶାଢୀ ଚାହୁଁଛନ୍ତି ।"
Maa Annapurna SHG Pattachitra stall at Mission Shakti Mela
ମିଶନ ଶକ୍ତି ମେଳାରେ ମା ଅନ୍ନପୂର୍ଣ୍ଣା ଏସଏଚଜି ପଟ୍ଟଚିତ୍ର ଷ୍ଟଲ (ETV Bharat)
ମା'ଙ୍କ ଇଚ୍ଛା ଥିଲା ଗାଁ'ରୁ ଆରମ୍ଭ କରିବା :ପଙ୍କଜିନୀଙ୍କ ମାଆଙ୍କ ଇଚ୍ଛା ଥିଲା ଯେ, ଝିଅ ଯାହା ବି କରୁ, ଗାଁ'ରେ ରହି କରୁ । ମାଆଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରାୟ ୩ ବର୍ଷ ପୂର୍ବେ ଗାଁ'କୁ ଫେରି ଆସିଥିଲେ ପଙ୍କଜିନୀ । ଗାଁ'ର ମହିଳାଙ୍କୁ ସାଥୀରେ ନେଇଥିଲେ । ଏମସିଏମ ହେବା ପରେ ସିଡାକ ପକ୍ଷରୁ ଦିଆଯାଉଥିବା ବର୍ଷିକିଆ ତାଲିମ ସେମାନଙ୍କୁ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ନିଜସ୍ଵ କାର୍ଯ୍ୟ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଉଠାଇ ଆଗକୁ ବଢୁଛନ୍ତି । "ବ୍ୟକ୍ତିଗତ ଭାବେ ମୋର ଅନେକ ଉନ୍ନତି ହୋଇଛି । ଅନ୍ୟ ମହିଳାମାନଙ୍କୁ ଆଗକୁ ବଢ଼ାଇବା ଲାଗି ଅନେକ ଯୋଜନା କରିଛି" ବୋଲି ପଙ୍କଜିନୀ କହିଛନ୍ତି ।
Pankajini with Bhubaneswar MP Aparajita Sarangi
ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ପଙ୍କଜିନୀ (ETV Bharat)
ଆଗକୁ ନେଇଛି ନିଷ୍ଠା ଓ କଠିନ: ପଙ୍କଜିନୀପଙ୍କଜିନୀଙ୍କ ବଡ଼ ଭଉଣୀ ସୌଦାମିନୀ ସାହୁ କହିଛନ୍ତି, "ଛୋଟବେଳୁ ପଙ୍କଜିନୀର କଳା ପ୍ରତି ଆଗ୍ରହ ଥିଲା । ସେ ଏ କ୍ଷେତ୍ରରେ ଆଗକୁ ବଢୁ ବୋଲି ଆମେ ମଧ୍ୟ ଚାହୁଁଥିଲୁ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ସେ ତାଲିମ ନେଇଛି । ପଙ୍କଜିନୀ ପାଇଁ ଆମ ମା' ବହୁତ କଷ୍ଟ କରିଛି । ବାପାଙ୍କ ସ୍ୱଳ୍ପ ରୋଜଗାରରେ ସେ କଷ୍ଟରେ ଆଗକୁ ବଢିଛି । କଠିନ ପରିଶ୍ରମ ବଳରେ ସେ ଆଜି ଏତେ ବାଟ ଆଗେଇ ପାରିଛି ।"
Pankajini paints pattachitra  in a saree
ଏକ ଶାଢୀରେ ପଟ୍ଟଚିତ୍ର ଆଙ୍କୁଛନ୍ତି ପଙ୍କଜିନୀ (ETV Bharat)
'ପଟ୍ଟଚିତ୍ର ବ୍ୟବସାୟରେ ସମସ୍ୟା ନାହିଁ '

ଦକ୍ଷା ଫାଉଣ୍ଡେସନ ଅଧ୍ୟକ୍ଷା ସୁଲୋଚନା ମହାନ୍ତି କହିଛନ୍ତି, "ଆଗକୁ ବଢ଼ିବା ପାଇଁ ପଙ୍କଜିନୀଙ୍କୁ ଉତ୍ସାହିତ କରେ । ଅନ୍ୟ ବ୍ୟବସାୟରେ ସାମଗ୍ରୀର ବିକ୍ରି ପାଇଁ ସମସ୍ୟା ହୁଏ । କିନ୍ତୁ ଏହି ବ୍ୟବସାୟରେ ସେମିତି ନାହିଁ । ଅବସର ସମୟରେ ମହିଳାମାନେ ଏହି କାମ କରିପାରିବେ । ଏହାଦ୍ୱାରା ମହିଳାମାନେ ନିଜ ଖର୍ଚ୍ଚ ନିଜେ ଉଠାଇ ପାରିବେ ।"

Pankajini's Pattachitra Stall
ପଙ୍କଜିନୀଙ୍କ ପଟ୍ଟଚିତ୍ର ଷ୍ଟଲ (ETV Bharat)

ଏହା ମଧ୍ୟ ପଢନ୍ତୁ:

ସାଧୁଙ୍କ ସମାଧି ଉପରେ ଶିବ ମନ୍ଦିର, ବ୍ରାହ୍ମଣ ନୁୁହେଁ ପୂଜା କରନ୍ତି ମହିଳା

କାଇଟ ମ୍ୟାନ ପ୍ରଭାତ, ଗୁଡି ଉଡାଇ ବିଶ୍ବସ୍ତରରେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି ଓଡ଼ିଆ ପୁଅ

ବିଦେଶୀ ପକ୍ଷୀଙ୍କ ସ୍ୱର୍ଗ ହୀରାକୁଦ ଜଳଭଣ୍ଡାର: ପ୍ରତିବର୍ଷ ବଢୁଛି ସଂଖ୍ୟା, ସଚେତନତା ପାଇଁ 'ବାର୍ଡ ଭିଲେଜ'

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫୋକସରେ ଜୈବିକ କୃଷି; ଔଷଧୀୟ ଗୁଣ ଓ ପୌଷ୍ଟିକ ତତ୍ତ୍ୱରେ ଭରପୁର ଦେଶୀ ଧାନ, ବଡ଼ ବଡ଼ ରୋଗର ସାଜିବ ନିଦାନ


ଉଦ୍ୟମୀଙ୍କୁ ବ୍ୟାଙ୍କ ସୂତ୍ରରେ ଋଣ ଯୋଗାଇବା ଆମ କାର୍ଯ୍ୟ :

ପଙ୍କଜିନୀଙ୍କ ସଫଳତାକୁ ନେଇ ବନମାଳୀପୁରର ଏକ ଘରୋଇ ବ୍ୟାଙ୍କର ବ୍ୟାଙ୍କ ମିତ୍ର ଇତିଶ୍ରୀ ଶତପଥୀ କହିଛନ୍ତି, "ପଟ୍ଟଚିତ୍ର କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ସମୟରେ ସେ ଏସଏଚଏଜିରେ ନଥିଲେ । ଏସଏଚଏଜିରେ ସଦସ୍ୟ ହେବାରେ ପରେ ସରକାରୀ ବ୍ୟବସ୍ଥା ଅନୁଯାୟୀ, ସେ ବ୍ୟାଙ୍କରୁ ଋଣ ପାଇଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଋଣ କରି ଧିରେ ଧିରେ ଆଗକୁ ବଢି ଚାଲିଛନ୍ତି । ସେହିପରି ଓରମାସ ତରଫରୁ ବ୍ଲକକୁ ଆସୁଥିବା ସମସ୍ତ ମେଳାରେ ସେ ସାମିଲ ହେଉଛନ୍ତି ।"

MCM Training Programme
MCM ତାଲିମ କାର୍ଯ୍ୟକ୍ରମ (ETV Bharat)
ଇଟିଭି ଭାରତ, ଭୁବନେଶ୍ବର
Last Updated : January 10, 2026 at 1:36 PM IST