ନାରୀଶକ୍ତିର ନୂଆ ଚେହେରା ପଙ୍କଜିନୀ: ଶାଢ଼ୀରେ ପଟ୍ଟଚିତ୍ର କରି ଓଡ଼ିଆ କଳାକୁ ଦେଇଛନ୍ତି ନୂଆ ପରିଚୟ
ମାଆଙ୍କ ଇଚ୍ଛା ପୂରଣ ପାଇଁ ଗାଁ ମୁହାଁ ହୋଇଛନ୍ତି 35 ବର୍ଷୀୟା ପଙ୍କଜିନୀ ମହାପାତ୍ର । ଗ୍ରାମାଞ୍ଚଳ ମହିଳାଙ୍କୁ ଶାଢ଼ୀରେ ସୂକ୍ଷ୍ମ କାରୁକାର୍ଯ୍ୟ ନେଇ ପ୍ରଶିକ୍ଷିତ କରିବା ସହ ଆତ୍ମନିର୍ଭରଶୀଳ କରାଇବାରେ ପ୍ରେରଣା ପାଲଟିଛନ୍ତି।

Published : January 9, 2026 at 7:30 PM IST
|Updated : January 10, 2026 at 1:36 PM IST
ସ୍ପେଶାଲ ଷ୍ଟୋରୀ: ଭବାନୀ ଶଙ୍କର ଦାସ
PANKAJINI MAHAPATRA PATTACHITRA ଭୁବନେଶ୍ବର: "ଆମେ ଚାରି ଭଉଣୀ... ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲା... ପିଲାଟି ବେଳୁ ଅନେକ ସଂଘର୍ଷ ସାମ୍ନା କରିବାକୁ ପଡୁଥିଲା । ତେଣୁ ଘରେ ରହି ଏମିତି କିଛି କାମ କରିବାକୁ ଚାହୁଁଥିଲି, ଯାହା ପରିବାରର ଆର୍ଥିକ ବୋଝ ହାଲୁକା କରିବ... ସେଇଥିପାଇଁ, ହାତ ଖର୍ଚ୍ଚ ସାଇତି ହାତରେ ତୂଳୀ ଧରିଲି । ବିଭିନ୍ନ ମନ୍ଦିର ଓ ଦର୍ଶନୀୟ ସ୍ଥାନ ବୁଲି ସେଠାକାର ଚିତ୍ରକୁ ଅନୁଧ୍ୟାନ କଲି । ସେଇଠୁ ପଡିଥିଲା ପଟ୍ଟଚିତ୍ର ଯାତ୍ରାର ମୂଳଦୁଆ... ସଂଘର୍ଷରୁ ସଫଳତା ଏବଂ ସଫଳତାରୁ ଅନ୍ୟ ପାଇଁ ପ୍ରେରଣା ସାଜିଥିବା ଏମିତି ଜଣେ ନାରୀଶକ୍ତିର ନୂଆ ଚେହେରା ହେଉଛନ୍ତି ପଙ୍କଜିନୀ ମହାପାତ୍ର । କେମିତି ଥିଲା ତାଙ୍କ 'ଶାଢ଼ୀରେ ପଟ୍ଟଚିତ୍ର'ର ଯାତ୍ରା ? ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।
ପଙ୍କଜିନୀ : ଅଷ୍ଟମ ଶ୍ରେଣୀରୁ ପଟ୍ଟଚ୍ଚିତ୍ର ପ୍ରସ୍ତୁତି
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତ ଆନନ୍ଦପୁର ଗାଁରେ ପଙ୍କଜିନୀ ମହାପାତ୍ରଙ୍କ ଘର । ଚୁଡ଼ା ମିଲ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଅର୍ତ୍ତତ୍ରାଣ ମହାପାତ୍ର ଓ ହରସୀ ମହାପାତ୍ରଙ୍କ ୪ ଝିଅଙ୍କ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ପଙ୍କଜିନୀ । 35 ବର୍ଷୀୟା ପଙ୍କଜିନୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳର ନଥିବାରୁ ଆଗକୁ ବଢ଼ି ପାରିନଥିଲା ପାଠପଢ଼ା । ହେଲେ ପିଲାଟି ଦିନରୁ କଳା ପ୍ରତି ଥିଲା ତାଙ୍କର ଦୁର୍ବଳତା । ଅଷ୍ଟମ ଶ୍ରେଣୀରୁ ପଟ୍ଟଚ୍ଚିତ୍ର ପ୍ରତି ଆକୃଷ୍ଟ ହୋଇଥିଲେ । ମାଟ୍ରିକ ସରିବା ପରେ ଭୁବନେଶ୍ୱର ଆସି ତାଲିମ ନେଇଥିଲେ । ଚଳିବା ଲାଗି ପାର୍ଟଟାଇମ ଚାକିରି କରୁଥିଲେ ।

ସଂଘର୍ଷରୁ ସଫଳତା:
ଆରମ୍ଭରୁ ମାଠିଆ, କାଚ ବୋତଲ ଓ ଫୁଲଦାନୀରେ କୋନ ପେଣ୍ଟିଂ କରୁୁଥିଲେ । ବାହାଘରରେ ସାଜସଜ୍ଜା ପାଇଁ ବ୍ୟବହୃତ ପ୍ଲାଏ ବୋର୍ଡ ଉପରେ ମେହେନ୍ଦି ଡିଜାଇନ ମଧ୍ୟ କରୁଥିଲେ । ସେତେବେଳେ ରୋଜଗାର 10000ରୁ 15000 ଟଙ୍କା ହେଉଥିଲା । ଧିରେ ଧିରେ ରୋଜଗାର ବଢ଼ିବାରୁ ଏଥିରେ କ୍ୟାରିୟର କରିବାକୁ ଚିନ୍ତା କରିଥିଲେ ପଙ୍କଜିନୀ ।
ମହିଳାଙ୍କୁ କରୁଛନ୍ତି ଆତ୍ମନିର୍ଭରଶୀଳ :
୨୦୦୯ରେ ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନ ବା ସିଡାକରୁ ବିଧିବଦ୍ଧ ତାଲିମ ନେଇଥିଲେ ପଙ୍କଜିନୀ । ତାଲିମ ଶେଷ ପରେ ୨୦୧୧ରେ ଭୁବନେଶ୍ୱର ଓ ପୁରୀରେ କାମ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ସମୟରେ ତାଙ୍କୁ ମାସକୁ ୫ ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା । ଯାହା ପାର୍ଟଟାଇମ ରୋଜଗାର ତୁଳନାରେ ଢେର କମ ଥିଲା । ସିଡାକ (CDAC ) ତରଫରୁ ୧୫ ହଜାର ଦରମାରେ ପ୍ରଶିକ୍ଷକ (Trainer) ଭାବେ ଚାକିରି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରତିଷ୍ଠାନର ପିଲାଙ୍କୁ ନେଇ ନିଜର ବ୍ୟବସାୟ ଆରମ୍ଭ କଲେ । ପରେ ବ୍ଲକ ପକ୍ଷରୁ ପରାମର୍ଶ କ୍ରମେ ମା’ ଅନ୍ନପୂର୍ଣ୍ଣା ଏସଏଚଏଜିରେ ଯୋଡ଼ି ହୋଇ ଅନ୍ୟ ମହିଳାମାନଙ୍କୁ ଟ୍ରେନିଂ ଦେଉଛନ୍ତି । ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତିଗତ ସ୍ତରରେ ପଟ୍ଟଚିତ୍ର କାମ କରୁଛନ୍ତି ।

ପଙ୍କଜିନୀ ମହାପାତ୍ର କହିଛନ୍ତି, "ପ୍ରାୟ ୧୫ ବର୍ଷ ହେବ ପଟ୍ଟଚିତ୍ର ସହିତ ଜଡ଼ିତ । କାରଣ ଛୋଟବେଳୁ କଳା ପ୍ରତି ଦୁର୍ବଳତା ଥିଲା । ଅଷ୍ଟମ ଶ୍ରେଣୀରୁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲି । ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଲାଗି ଘରେ ରହି ପଟ୍ଟଚିତ୍ର କରିବାର ଲକ୍ଷ୍ୟ ଥିଲା ।"

କେଉଁଠି ନୃତ୍ୟ ତ ଆଉ କେଉଁଠି ପର୍ବପର୍ବାଣୀ । କେଉଁଠି ରାଜା ରାଜୁଡ଼ା ଅମଳର କାରୁକାର୍ଯ୍ୟ ତ ଆଉ କେଉଁଠି ମଥୁରା ବିଜୟ କାହାଣୀ । ଓଡ଼ିଶାର ପରମ୍ପରା ବୋଇତ ବନ୍ଧାଣ ଉତ୍ସବ ସହିତ କାଳୀୟ ଦଳନ ଲୋକକଥା । ଭାରତ ପରମ୍ପରା ଏବଂ ସାଂସ୍କୃତିକ ମୂଲ୍ୟବୋଧର ସମୃଦ୍ଧ ଦେଶର କାହାଣୀଙ୍କୁ ପଟ୍ଟଚିତ୍ର ଉପରେ ଚମତ୍କାର ଢଙ୍ଗରେ ପସ୍ଫୁଟିତ କରୁଛନ୍ତି ପଙ୍କଜିନୀ ।
ଶାଢ଼ୀର ଶୋଭା ବର୍ଦ୍ଧନ କରୁଛି ସୂକ୍ଷ୍ମ କାରୁକାର୍ଯ୍ୟ :
ଶାଢ଼ୀର ଶୋଭା ବର୍ଦ୍ଧନ କରୁଛି ପଙ୍କଜିନୀଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ । ପଙ୍କଜିନୀଙ୍କ ସହ କାମ କରୁଥିବା ମହିଳା କାରିଗରମାନେ ନିଜର ପ୍ରତିଭା ବଳରେ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସହିତ ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହାସହ ପଙ୍କଜିନୀ ଅନ୍ୟ ମହିଳାମାନଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ ମଧ୍ୟ କରୁଛନ୍ତି । କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରଶଂସିତ ହୋଇଛନ୍ତି ।


ଘରେ ରହି ରୋଜଗାର:
ପଙ୍କଜିନୀଙ୍କ ଜଣେ ସହଯୋଗୀଙ୍କ କହିବା କଥା, "ସେ ସରକାରୀ ତାଲିମ ଗ୍ରହଣ ନେଇ ନଥିଲେ । ଘରେ ରହି ଚିତ୍ର କରୁଥିଲେ । ପଙ୍କଜିନୀଙ୍କ ଯୋଗାଯୋଗରେ ଆସି ତାଙ୍କଠୁ ପଟ୍ଟଚିତ୍ର ଉପରେ ତାଲିମ ନେଇଥିଲେ । ବର୍ଷେ ତାଲିମ ନେବା ପରେ ସରକାରୀ ସୁବିଧା ମିଳିଛି । ଗାଁରେ ରହି ଆମେ ଆତ୍ମନିର୍ଭରଶୀଳ ହେଉଛୁ । ଦୁଇ ପଇସା ରୋଜଗାର କରି ପାରୁଛୁ । କାମ ଆସିଲେ ଆମେ ଆସି ମିଳିତ ଭାବେ କରୁଛୁ । ଆଗକୁ ବଢିବା ପାଇଁ ଇଚ୍ଛା ଅଛି । ଅଧିକ ତାଲିମ ବ୍ୟବସ୍ଥା ସହ କାରିଗର ଭତ୍ତା ମିଳିଲେ ଭଲ ହୁଅନ୍ତା ।"

ବାର୍ଷିକ ରୋଜଗାର 6,00000 ଟଙ୍କା :
ନିକଟରେ ପୁରୀରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ମେଳାରେ ସାମିଲ ହୋଇ ୪ ଦିନରେ ୪୦ ହଜାର ରୋଜଗାର କରିଥିଲେ ପଙ୍କଜିନୀ । ଏହା ବ୍ୟତୀତ ବାଲିଯାତ୍ରା, ତୋଷାଳୀ ମେଳା, ଦିଲ୍ଲୀ ଟ୍ରେଡ ଫେୟାର, ପ୍ରବାସୀ ଭାରତୀୟ ମେଳା, ପଲ୍ଲିଶ୍ରୀ ମେଳାରେ ଷ୍ଲଲ ପକାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ରାଜ୍ୟ ଭିତରେ ଗୋଟେ କାରିଗରି ଶାଢ଼ୀ ପିଛା ୭ରୁ ୮ ହଜାର ଟଙ୍କା ମିଳୁଥିବା ବେଳେ ରାଜ୍ୟ ବାହାରେ ୧୫ରୁ ୨୫ ହଜାର ଟଙ୍କା ମିଳୁଛି । ପ୍ରତି ଶାଢୀ ଉପରେ ୪ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ରହୁଛି । ପଙ୍କଜିନୀ ଏବେ ବାର୍ଷିକ ପ୍ରାୟ ୬ ଲକ୍ଷ ରୋଜଗାର କରୁଛନ୍ତି । ନିଜ ପାଖରେ ଥିବା କାରିଗରଙ୍କୁ ସ୍ଵାବଲମ୍ବୀ ହେବାରେ ସହଯୋଗ କରୁଛନ୍ତି । ନୂଆ ଘର ତିଆରି କରିବା ସହ ବାପା ଓ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା କରୁଛନ୍ତି । ଖୁବଶୀଘ୍ର ସେ ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ପଙ୍କଜିନୀ ।




ଦକ୍ଷା ଫାଉଣ୍ଡେସନ ଅଧ୍ୟକ୍ଷା ସୁଲୋଚନା ମହାନ୍ତି କହିଛନ୍ତି, "ଆଗକୁ ବଢ଼ିବା ପାଇଁ ପଙ୍କଜିନୀଙ୍କୁ ଉତ୍ସାହିତ କରେ । ଅନ୍ୟ ବ୍ୟବସାୟରେ ସାମଗ୍ରୀର ବିକ୍ରି ପାଇଁ ସମସ୍ୟା ହୁଏ । କିନ୍ତୁ ଏହି ବ୍ୟବସାୟରେ ସେମିତି ନାହିଁ । ଅବସର ସମୟରେ ମହିଳାମାନେ ଏହି କାମ କରିପାରିବେ । ଏହାଦ୍ୱାରା ମହିଳାମାନେ ନିଜ ଖର୍ଚ୍ଚ ନିଜେ ଉଠାଇ ପାରିବେ ।"

ଉଦ୍ୟମୀଙ୍କୁ ବ୍ୟାଙ୍କ ସୂତ୍ରରେ ଋଣ ଯୋଗାଇବା ଆମ କାର୍ଯ୍ୟ :
ପଙ୍କଜିନୀଙ୍କ ସଫଳତାକୁ ନେଇ ବନମାଳୀପୁରର ଏକ ଘରୋଇ ବ୍ୟାଙ୍କର ବ୍ୟାଙ୍କ ମିତ୍ର ଇତିଶ୍ରୀ ଶତପଥୀ କହିଛନ୍ତି, "ପଟ୍ଟଚିତ୍ର କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ସମୟରେ ସେ ଏସଏଚଏଜିରେ ନଥିଲେ । ଏସଏଚଏଜିରେ ସଦସ୍ୟ ହେବାରେ ପରେ ସରକାରୀ ବ୍ୟବସ୍ଥା ଅନୁଯାୟୀ, ସେ ବ୍ୟାଙ୍କରୁ ଋଣ ପାଇଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଋଣ କରି ଧିରେ ଧିରେ ଆଗକୁ ବଢି ଚାଲିଛନ୍ତି । ସେହିପରି ଓରମାସ ତରଫରୁ ବ୍ଲକକୁ ଆସୁଥିବା ସମସ୍ତ ମେଳାରେ ସେ ସାମିଲ ହେଉଛନ୍ତି ।"


