ଆଜିଠୁ ଖୋଲିଲା ଧାନମଣ୍ଡି, 48 ଘଣ୍ଟାରେ ଚାଷୀଙ୍କୁ ମିଳିବ ଟଙ୍କା
ଆଜିଠୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଏପଟେ ସରକାର ତତ୍ପର ଅଛନ୍ତି, ଯେପରି ଚାଷୀ କୌଣସି ସମସ୍ୟାରେ ନପଡ଼ିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।


Published : November 25, 2025 at 10:00 PM IST
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଧାନମଣ୍ଡି ଖୋଲିଛି । 48 ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା । ସରକାର ଧାନ ସଂଗ୍ରହ ନେଇ ପୁରା ପ୍ରସ୍ତୁତ ରହିଛନ୍ତି । ଏମଏସପି ଉପରେ ଡିଫ୍ରେନସସିଆଲ ଏମାଉଣ୍ଟ କୃଷି ବିଭାଗ ତରଫରୁ ଦିଆଯାଉଛି । ବିଭାଗ ପୁରା ପ୍ରସ୍ତୁତ ଅଛି । ଇନପୁଟ ସବସିଡି ଡିବିଟି ମାଧ୍ୟମରେ ଜମା ହେବ ଟଙ୍କା । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
ମଙ୍ଗଳବାରଠୁ ରାଜ୍ୟରେ ଧାନ କ୍ରୟ ଆରମ୍ଭ ହୋଇଛି । ଚାଷୀଙ୍କ ପାଇଁ ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 24 ଘଣ୍ଟିଆ ସିସିଟିଭି ନଜରରେ ରହିବ ମଣ୍ଡି । ପ୍ରଥମ ପର୍ଯ୍ୟାୟରେ ବରଗଡ ଜିଲ୍ଲାରୁ ଆରମ୍ଭ ହୋଇଛି ଧାନ ସଂଗ୍ରହ । ଅନ୍ୟପଟେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଧାନ କିଣିବା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
"ଆଜିଠୁ ମଣ୍ଡିଖୋଲୁଛି । ସରକାର ପୁରା ପ୍ରସ୍ତୁତ ରହିଛନ୍ତି । ଏମଏସପି ଉପରେ ଡିଫ୍ରେନସସିଆଲ ଏମାଉଣ୍ଟ କୃଷି ବିଭାଗ ତରଫରୁ ଦିଆ ଯାଉଛି । ବିଭାଗ ପ୍ରସ୍ତୁତ ଅଛି । ଧାନ ଉଠିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ମିଳିବ ଇନପୁଟ ସବସିଡି ଡିବିଟି ମାଧ୍ୟମରେ ତାଙ୍କ ଖାତାରେ ଜମା ହବ," ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଏପଟେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, "ଆଜିଠୁ ଖୋଲୁଛି ମଣ୍ଡି । ରାଜ୍ୟ ସରକାର ତତ୍ପର ଅଛନ୍ତି । ଯେପରି କୌଣସି ଚାଷୀ ସମସ୍ୟାରେ ନପଡ଼ିବେ ଉଚିତ୍ ମୂଲ୍ୟରେ ଧାନ ବିକ୍ରି କରିପାରିବେ ସେନେଇ ତିନିଟି ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ । କୃଷି, ଯୋଗାଣ ଏବଂ ସମବାୟ ବିଭାଗର ସମନ୍ବୟର ଚାଷୀ ଧାନ ବିକ୍ରି କରିବା ସହ ଉଚିତ୍ ମୂଲ୍ୟ ପାଇବ । ବିରୋଧୀ ଅନେକ ଅଭିଯୋଗ ଆଣିବେ । ସେମାନେ ଶହେ ଟଙ୍କା ଏମଏସପି ଦେଇପାରିଲେ ନାହିଁ ଆମେ 8 ଶହ ଟଙ୍କା ଦେଲୁ । ଏଥର ମଧ୍ୟ ରେକର୍ଡ ସଂଖ୍ୟକ ଧାନ ସରକାର ଉଠାଇବେ। ଯେଉଁ ଚାଷୀ ବିଭିନ୍ନ କାରଣରୁ ପଞ୍ଜିକରଣ କରି ପାରିନଥିଲେ ସେମାନେ ଆବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ସେମାନେ ମଧ୍ୟ ନିଜ ଧାନ ବିକ୍ରି କରିପାରିବେ । ସରକାର ଲୋକଙ୍କ ସରକାର । ଚାଷୀ ସହ ଅଛନ୍ତି ।"
ତେବେ ଭୁବନେଶ୍ୱରର ସତ୍ୟନଗରର ଥିବା ଓଡ଼ିଶା କୃଷି ଶିଳ୍ପ ନିଗମର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଯୋଗ ଦେଇ ଏହାର ଶିଳାନ୍ୟାସ କରିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କୃଷି ଭବନ ଢାଞ୍ଚାରେ ଏହାକୁ ଗଢାଯିବ । ୧୬୫୦୦ ବର୍ଗମିଟରରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ୧.୪୬ ଏକର ଜମିରେ ୮୩.୭୭ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯିବ । ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦୁଇଟି ମୁଖ୍ୟ ବ୍ଲକ ସହିତ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଭିତ୍ତିଭୂମି ଉପରେ ଛିଡା ହେବ। ଚାଷୀ, ଉତ୍ପାଦକ ଏବଂ ବିଶେଷଜ୍ଞ ମାନଙ୍କ ପାଇଁ ପାରସ୍ପରିକ କ୍ରିୟା ଏବଂ ଅନ୍ତର୍ଦୃଷ୍ଟି ବାଣ୍ଟିବା ନିମନ୍ତେ ଏହାଉତ୍ସର୍ଗୀକୃତ ହେବ । ଏଠାରେ ରାଜ୍ୟ ସାରା କୃଷକମାନଙ୍କୁ ଆଧୁନିକ କୃଷି ଉପକରଣ ଏବଂ ଅଭ୍ୟାସ ସହିତ ପରିଚିତ କରାଇବା ପାଇଁ କର୍ମଶାଳା, ପ୍ରଦର୍ଶନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀର ସୁବିଧା ଉପଲବ୍ଧ ହେବ।
ଇଟିଭି ଭାରତ, ଭୁବନେଶ୍ୱର

