ବର୍ଷାରେ ଭିଜିଲା ହଜାର ହଜାର କ୍ୱିଣ୍ଟାଲ ଧାନ; ହେଲାନି ପଞ୍ଜିକରଣ, ଚିନ୍ତାରେ କଳାହାଣ୍ଡି ଚାଷୀ
ହଜାର ହଜାର ଚାଷୀଙ୍କ ଧାନ ବର୍ଷାପାଣିର ଭିଜି ଯାଇଛି । ଅନ୍ୟ ପଟେ ମଣ୍ଡିରେ ଧାନ ଉଠିବା ପାଇଁ ପଞ୍ଜିକରଣ ଆରମ୍ଭ ହୋଇନଥିବା ନେଇ ଅଭିଯୋଗ ଆସିଛି । ରିପୋର୍ଟ: ଅଜିତ କୁମାର ସିଂ

Published : June 4, 2026 at 10:02 AM IST
କଳାହାଣ୍ଡି: ବର୍ଷାରେ ଭିଜିଲା ଧାନ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲଗୁଡ଼ା ଗ୍ରାମରେ ବର୍ଷା ଯୋଗୁଁ ଧାନ ଭିଜିବା ପରେ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି । ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ହଜାର ହଜାର ଚାଷୀଙ୍କ ଧାନ ବର୍ଷାପାଣିରେ ଭିଜି ଯାଇଛି । ଅନ୍ୟ ପଟେ ମଣ୍ଡିରେ ଧାନ ଉଠିବା ପାଇଁ ପଞ୍ଜିକରଣ ଆରମ୍ଭ ହୋଇନଥିବା ନେଇ ଅଭିଯୋଗ ଆସିଛି । ସରକାରଙ୍କ ଧାନ ଉଠାଣ କ୍ଷେତ୍ରରେ ଉଦାସୀନତା ଓ ପ୍ରକୃତିର କୋପ ମଧ୍ଯରେ ଚାଷୀ ହନ୍ତସନ୍ତ ହେଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି ।
ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜିଲା:
କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣାଓ ଧର୍ମଗଡ଼ ବ୍ଳକର ପ୍ରାୟ ୧୫ ହଜାର ଚାଷୀ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାନ ଚାଷ କରିଥିଲେ । ଭଲ ଫସଲ ମଧ୍ୟ ହୋଇଥିଲା । କ୍ଷେତରେ ଲହଡ଼ି ଭାଙ୍ଗୁଥିବା ଫସଲକୁ ଆଣି ଚାଷୀ ବିକ୍ରି ପାଇଁ ପ୍ରସ୍ତୁତ କରୁଥିବା ବେଳେ ଦାଉ ସାଧିଲା ଲଗାଣ ବର୍ଷା । ଫଳରେ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜିଯାଇଛି । ଫଳରେ ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛି ।

ଅବ୍ୟବସ୍ଥା:
ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ କରିବାକୁ ଅପେକ୍ଷା କରି ରହିଥିବା ବେଳେ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ଏହା ବ୍ୟତୀତ ଧାନମଣ୍ଡିରେ କଟନୀଛଟନୀ ସମସ୍ୟା ସମାଧାନ ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ବାରମ୍ୱାର ଚାଷୀଙ୍କ ଅଭିଯୋଗ, ଜାତୀୟ ରାଜପଥ ଅବରୋଧ, ବନ୍ଦ ଡାକରା ସତ୍ତ୍ବେ ପରିସ୍ଥିତିରେ ପରିବର୍ତ୍ତନ ଘଟିନାହିଁ ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି ।

ଧାନ ବିକ୍ରି ପାଇଁ ଚିନ୍ତାରେ ଚାଷୀ:
ଏନେଇ ଚିଲଗୁଡ଼ା ଗ୍ରାମର ଚାଷୀ ନାରାୟଣ ପଣ୍ତା କହିଛନ୍ତି, "୧୦ ଏକର ଜମିରେ ଚାଷ କରିଛି । ରାସ୍ତା ଉପରେ ଧାନ ପଡ଼ିଛି ବର୍ଷା ବି ହେଉଛି । ସରକାର ଆମର ପଞ୍ଜିକରଣ କରୁ ନାହାନ୍ତି । ଯାହା ଫଳରେ ଆମେ ଧାନ ବିକ୍ରି କରି ପାରିବୁ ନାହିଁ । ଅଦିନିଆ ବର୍ଷା ଯୋଗୁଁ ସବୁ ଧାନ ନଷ୍ଟ ହେଇ ଯାଉଛି । ଏବେ ଧାନ ବିକ୍ରିକୁ ନେଇ ଚିନ୍ତା ଲାଗିଛି । ଏ ଧାନ ବିକ୍ରି କରିଲେ, ପୁଣି ଚାଷ କରିବୁ । ପୁର୍ବ ସରକାର ଥିବା ସମୟରେ ସବୁ ଠିକ ଥିଲା ସୁବିଧା ମିଳୁଥିଲା ମଣ୍ଡି ଖୋଲିବା ମାତ୍ରେ ଧାନ ନେଉଥିଲେ ।" ଏହା ଡବଲ ଇଞ୍ଜିନ ସରକାର କଣ ଆମେ ଜାଣିନୁ, କିନ୍ତୁ କିଛି ସୁବିଧା କରି ନାହାନ୍ତି ବୋଲି ସେ କହିଛନ୍ତି ।

କଟନୀଛଟନୀ:
ଚିଲଗୁଡ଼ା ଗ୍ରାମର ଅନ୍ୟ ଜଣେ ଚାଷୀ ଧନେଶ୍ୱର ପ୍ରଧାନ କହିଛନ୍ତି, "ମୋର ୧୦ ଏକର ଜମିରେ ଚାଷ ହୋଇଛି । ସବୁ ଧାନ କାଟି ଖଳାରେ ପକେଇ ଦେଇଛି । ବର୍ଷା ପାଣିରେ ସବୁ ଭିଜି ଯାଇଛି । ଏହା ପୁର୍ବରୁ ଅମଳ ସମୟର କୁଆପଥର ମାଡରେ ଧାନ ନଷ୍ଟ ହୋଇଥିଲା । ସେଥିରୁ ଯାହା କିଛି ବଞ୍ଚିଥିଲା ତାହା ଏବେ ଖଳାରେ ପଡି ନଷ୍ଟ ହେଉଛି ।

ବହୁତ୍ ଚିନ୍ତା ଲାଗିଛି ଆମ ବ୍ୟାଙ୍କରୁ ଋଣ ଆଣିଛୁ । ଏପରି ପରିସ୍ଥିତିରେ ଆଜି ପର୍ଯ୍ୟନ୍ତ ଆମର ଟୋକନ ନାହିଁ । ଧାନ ବିକ୍ରି କରିବୁ କେଉଁଠି ? ପୁର୍ବ ସରକାର ଆମକୁ ପାଣି ଯୋଗାଇ ଦେଇଥିଲେ । ସେହି ସମୟରେ ଆମେ କୌଣସି ପ୍ରକାର କଟକଣା ଆମେ ଜାଣି ନାହୁଁ । ବର୍ତ୍ତମାନ ଏହି ରବିଧାନକୁ ୧୦ ରୁ ୧୫ କେଜି କଟନୀ କରିବେ । ଫଳରେ ବାଧ୍ୟ ହୋଇ ବାହାରେ ବିକ୍ରି କରିବୁ । କ୍ଵିଣ୍ଟାଲ ପିଛା ୧୪୦୦ରୁ ୧୮୦୦ ଟଙ୍କା ମିଳିବ ।"
ଏହା ମଧ୍ୟ ପଢନ୍ତୁ: |
ଇଟିଭି ଭାରତ, କଳାହାଣ୍ଡି

