ମିଲର୍ସ ଆନ୍ଦୋଳନ ଅନ୍ୟ କାହା ଦ୍ବାରା ପରିଚାଳିତ, ସରକାରକୁ ହରଡ଼ଘଣାରେ ପକାଇବାକୁ ଯୋଜନା ଚାଲିଛି କହିଲେ ମନ୍ତ୍ରୀ
ମିଲର୍ସଙ୍କ ଦାବି ପୂରଣ ନେଇ ସରକାର ବାଧ୍ୟ ନୁହଁନ୍ତି l ଆନ୍ଦୋଳନ ଜାରି ରହିଲେ ସରକାର ଆଗକୁ କିଛି କଡା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି କହିଲେ ସମବାୟ ମନ୍ତ୍ରୀ ।


Published : January 6, 2026 at 11:36 PM IST
ଭୁବନେଶ୍ୱର: ଗୋଟିଏ ପଟେ ଗତକାଲିଠୁ ରାଜ୍ୟରେ ମିଲର୍ସମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜ୍ୟରେ ଧାନ କିଣା ଠପ୍ ହୋଇପଡିଛି l ସରକାର ଦାବି ନ ଶୁଣିଲେ ସେମାନେ ଆଉ ଧାନ କିଣିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଛନ୍ତି ମିଲର୍ସ ଆସୋସିଏସନ୍ l ତେବେ ଆଜି ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମିଲର୍ସ ଆନ୍ଦୋଳନ ଅନ୍ୟ କାହା ଦ୍ବାରା ପରିଚାଳିତ । ସରକାରକୁ ହରଡ଼ଘଣାରେ ପକାଇବାକୁ ଯୋଜନା ଚାଲିଛି । ସରକାର ଓ ମିଲରମାନଙ୍କ ମଧ୍ୟରେ ଆଲୋଚନା ବିଫଳ ପରେ ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।
ସରକାର ଏବଂ ମିଲର୍ସ ମାନଙ୍କ ବିବାଦ l ଗତକାଲି ବୈଠକ ପରେ ନିଷ୍କର୍ସ ନ ବାହାରିବା , ଯୋଗାଣ ବିଭାଗ ଏବଂ ସମବାୟ ବିଭାଗର ଆଲୋଚନା ପରେ ବି କିଛି ନ ହେବା ପରେ ସମବାୟ ମନ୍ତ୍ରୀ ଆଜି ବଡ ସୂଚନା ଦେଇ କହିଛନ୍ତି, "ସରକାର ମିଲରଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ନିଷ୍କର୍ଷ ବାହାରି ପାରି ନାହିଁ l ମିଲରଙ୍କ 4 ଦଫା ଦାବି ନେଇ ସରକାର ପୂରଣ କରିବାର ସରକାରଙ୍କର କୌଣସି ବାଧ୍ୟବାଧକତା ନାହିଁ l ସେମାନଙ୍କ ଦାବି ପୂରଣର କୌଣସି ଯଥାର୍ଥତା ନାହିଁ l ବର୍ତ୍ତମାନ ଧାନ କିଣା ସିଜିନ ଚାଲିଛି ତେଣୁ ସେମାନେ ସରକାରଙ୍କୁ ହରଡ଼ଘଣାରେ ପକେଇବାକୁ ଚେଷ୍ଟା କରୁଛନ୍ତି l ଆଉ କାହା ପ୍ରରୋଚନାରେ ମିଲର ମାନେ ଏଭଳି କରୁଛନ୍ତି l ସରକାର କିଛି କଡା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି, ଯୋଗାଣ ବିଭାଗ ଆଲୋଚନା କରୁଛି | ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ l"
ତେବେ ରାଜ୍ୟରେ ଏହି ବିବାଦ ଯୋଗୁଁ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟର ଚାଷୀକୂଳ । ମିଲର୍ସମାନେ ଧାନ ଉଠାଉ ନଥିବାରୁ ମଣ୍ଡିଗୁଡ଼ିକରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି ।
ମନ୍ତ୍ରୀ ପୁଣି କହିଛନ୍ତି, ଯଦି ମିଲର୍ସମାନେ ଧାନ ରଖିବେ, ତେବେ ଯାଇ ମିଲିଂ ପ୍ରକ୍ରିୟା ଆଗକୁ ବଢ଼ିପାରିବ । ସରକାର ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ କରାଯିବ l
ସେପଟେ ଆଜି ଅପରାହ୍ନରେ ପୁଣି ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ମିଲର୍ସ ଆସୋସିଏସନ ଏବଂ ଯୋଗାଣ ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍କର୍ସ ଉପରେ ରହିଛି ସମସ୍ତଙ୍କ ନଜର ।
ଏହା ବି ପଢନ୍ତୁ- ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ବିବାଦ, ଧାନ କିଣିବାକୁ ମନା କରିଦେଲେ ମିଲର୍ସ
ଇଟିଭି ଭାରତ, ଭୁବନେଶ୍ୱର

