କେନ୍ଦ୍ରାପଡାରେ ଅବ୍ୟବସ୍ଥିତ ଧାନ ମଣ୍ଡି, ସ୍ଥିତି ପରଖି ବାସ୍ତବ ଚିତ୍ର ସାମ୍ନାକୁ ଆଣିଲା 'ଇଟିଭି ଭାରତ'
ଜିଲ୍ଲାରେ ୧୧୯ଟି ସମବାୟ ସମିତି ଓ ୧୨୩ଟି ଧାନ ମଣ୍ଡି ରହିଛି । ଟୋକନ ଥାଇ ଧାନ ବିକି ପାରୁ ନାହାଁନ୍ତି ଚାଷୀ । କଟନୀ ଛଟନୀ ହେଉଥିବା ଅଭିଯୋଗ ।


Published : March 3, 2026 at 5:30 PM IST
ରିପୋର୍ଟ- ରାଧାକାନ୍ତ ମହାନ୍ତି
କେନ୍ଦ୍ରାପଡା: ଚାଲିଛି ଖରିଫ ଧାନ କିଣା, ମଣ୍ଡିରେ ପଡିଛି ଧାନ, ଟାର୍ଗେଟ ନଥିବାରୁ ଧାନ ଉଠି ପାରୁନଥିବା ସମବାୟ ସମିତି ସମ୍ପାଦକ କହୁଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଜିଲ୍ଲାରୁ ଧାନ ସଂଗ୍ରହ ଶେଷ ହେବ । ତେବେ ପଚାଶ ହଜାରରୁ ଅଧିକ ଚାଷୀ ଧାନ ଦେବା ପାଇଁ ପଞ୍ଜିକରଣ କରାଇଥିବା ବେଳେ ଜାନୁଆରୀ ୯ ତାରିଖରୁ ଆରମ୍ଭ ହୋଇଥିବା ଧାନ କିଣା ପ୍ରକ୍ରିୟାରେ ଫେବ୍ରୁଆରୀ ଶେଷ ସୁଦ୍ଧା ମାତ୍ର ୨୮ହଜାର ଚାଷୀ ଧାନ ଦେଇଛନ୍ତି ବୋଲି କହିଛନ୍ତି ଅଧିକାରୀ । ଏଭଳି ସମୟରେ ଧାନ କିଣିବା ପାଇଁ ଆଉ ଟାର୍ଗେଟ ଆସିବ ନା ମଣ୍ଡିରେ ଧାନ ପଡି ରହିଥିବ ସେନେଇ ସନ୍ଦିହାନ ଚାଷୀ । ତେବେ ଜିଲ୍ଳାରେ ଥିବା ଧାନ ମଣ୍ଡି ଓ ଚାଷୀମାନେ ଧାନ ଦେବାରେ କେଉଁ ସମସ୍ୟା ଭୋଗୁଛନ୍ତି ସେନେଇ ଦେଖନ୍ତୁ 'ଇଟିଭି ଭାରତ'ର ଏହି ରିପୋର୍ଟ ।
ଜିଲ୍ଲାରେ କେତୋଟି ଧାନ ମଣ୍ଡି, କେବେ ହୋଇଥିଲା ଧାନ କିଣା ଓ କେତେ ମିଲର କିଣୁଛନ୍ତି ଧାନ-
କେନ୍ଦ୍ରାପଡା ଜିଲ୍ଲାରେ ଖରିଫ ଧାନ କିଣା ଗତବର୍ଷ ତୁଳନାରେ ବିଳମ୍ବରେ ଆରମ୍ଭ ହୋଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟି (RMC) ଠାରେ ଜାନୁଆରୀ ୯ ତାରିଖରେ ଧାନ କିଣିବା ପାଇଁ ମଣ୍ଡି ଉଦଘାଟନ କରା ଯାଇଥିଲା । ଜିଲ୍ଳାରେ ଜଣେ ବି ଚାଷୀ ଧାନ ବିକିବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେହି ଲକ୍ଷ୍ୟ ରଖି ଯୋଗାଣ ବିଭାଗ (Civil Supply), ସମବାୟ ବିଭାଗ (Co-Operative Society)କୁ ଦାୟିତ୍ବ ଦିଆଯାଇଛି । ସେହିପରି ମଣ୍ଡିରେ ସମସ୍ତ ବ୍ୟବସ୍ଥା ଯେପରିକି ଅକସ୍ମାତ ବର୍ଷା ହେଲେ ଜରି ପାଲ, ଚାଷୀମାନେ ଧାନ ନେଇ ଆସିଲେ ବିଶ୍ରାମ ସ୍ଥାନ, ପାନୀୟ ଜଳ ଯୋଗାଣ, ଶୌଚାଳୟ ଭଳି ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଥିବା ୧୧୯ଟି ସମବାୟ ସମିତିର ୧୨୩ଟି ସ୍ଥାନରେ ଚାଷୀମାନେ ଏହି ଧାନ ବିକ୍ରୟ କରିପାରିବେ ବୋଲି ସୂଚନା ଦିଆଯାଇଥିଲା ଓ ଏହି ଧାନ କିଣିବା ପାଇଁ ୨୯ ଜଣ ମିଲର ସରକାରୀ ତହବିଲରେ ଟଙ୍କା ଜମା କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ।
କେତେ ଚାଷୀ କରିଥିଲେ ରେଜିଷ୍ଟ୍ରେସନ ଓ କେତେ ଆସିଛି ସରକାରୀ ଟାର୍ଗେଟ ଓ କେତେ ଚାଷୀ ବିକ୍ରି କରିଛନ୍ତି ଧାନ-
କୃଷିପ୍ରଧାନ ଜିଲ୍ଲା ଭାବେ କେନ୍ଦ୍ରାପଡା ଜିଲ୍ଲାରେ ଚଳିତବର୍ଷ ଖରିଫ ଧାନ ଚାଷ ଅମଳ ହୋଇଥିବା ଦେଖାଯାଇଛି । ଏନେଇ ସରକାରୀ ପୋର୍ଟାଲରେ ଧାନ ବିକ୍ରି କରିବା ପାଇଁ ଜିଲ୍ଲାର ୫୨ ହଜାରରୁ ଅଧିକ ଚାଷୀ ରେଜିଷ୍ଟ୍ରେସନ କରିଥିବା କୁହନ୍ତି ଯୋଗାଣ ଅଧିକାରୀ । ତେବେ ଧାନ ସଂଗ୍ରହ ସମ୍ପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କୁହନ୍ତି,"ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପାଖରୁ ୮ ଲକ୍ଷ ୧୨ ହଜାର ଓ ଦ୍ଵିତୀୟ ପର୍ଯ୍ୟାୟରେ ୪ ଲକ୍ଷ କ୍ୱିଣ୍ଟାଲକୁ ମିଶାଇ ମୋଟ ୧୨ ଲକ୍ଷ ୧୨ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଆସିଛି ଯେଉଁଥିରେ ଫେବ୍ରୁଆରୀ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ୧୦ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗୃହୀତ ହୋଇ ସାରିଲାଣି । ୫୨ ହଜାର ଚାଷୀ ଚଳିତଥର ଧାନ ବିକ୍ରି ପାଇଁ ଅନଲାଇନ ଯୋଗେ ପଞ୍ଜିକରଣ କରିଛନ୍ତି ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା ୨୯ ହଜାର ଚାଷୀ ସେମାନଙ୍କ ଧାନ ବିକ୍ରି କରି ସାରିଲେଣି ।"
ରଘୁଦେଇପୁର ସମବାୟ ସମିତିରେ 'ଇଟିଭି ଭାରତ' । ଟାର୍ଗେଟ ଶେଷ ଏବେ ବି ବାହାରେ ପଡିରହିଛି ଧାନ, ଅର୍ଦ୍ଧାଧିକ ଚାଷୀ ବିକ୍ରି ପାଇଁ ଅପେକ୍ଷାରେ-
ଜିଲ୍ଲାରେ ଧାନ ବିକ୍ରି ଓ ମଣ୍ଡିରେ ହେଉଥିବା ସମସ୍ୟା ସହ ମିଲର ମାନଙ୍କ ମନମାନି ଘଟଣାର ଅଭିଯୋଗ ହୋଇ ଆସୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ରଘୁଦେଇପୁର ସମବାୟ ସମିତିରେ ପହଞ୍ଚିଥିଲା 'ଇଟିଭି ଭାରତ' । ଏହି ସମୟରେ ଯୁବ ଜଣେ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିବା ବେଳେ ତାଙ୍କ ଠାରୁ ଧାନ ସଂଗ୍ରହ ନହୋଇ ଆଜି ଆସ କାଲି ଆସ କହି ସମ୍ପାଦକ ତାଙ୍କୁ ପ୍ରାୟ ୮ ଥର ଫେରାଇ ଦେଇଥିବା ଅଭିଯୋଗ କରିଥିଲେ ।
ଏନେଇ ପ୍ରତିକ୍ରିୟା ରଖି ଭୁଜୁବଳ ଗାଁର ଚାଷୀ ରତିକାନ୍ତ ପାଇକରାୟ କୁହନ୍ତି, "ମୁଁ ଧାନ ବିକିବା ପାଇଁ ଅନଲାଇନ ଆବେଦନ କରିବା ପରେ ୧୭ କ୍ୱିଣ୍ଟାଲ ୭୭ କିଲୋଗ୍ରାମ ଧାନ ବିକ୍ରି କରିବା ପାଇଁ ମେସେଜ ଆସିଥିଲା । ଟୋକାନ ଅବଧି ଚଳିତମାସ ୨୬ ତାରିଖ ପର୍ଯ୍ୟନ୍ତ ରହିଥିଲା । ଆଜିକୁ ମିଶାଇ ମୁଁ ଏଠାକୁ ୮ ଥର ଆସିଲିଣି କିନ୍ତୁ କର୍ମଚାରୀ ମାନେ ଆଜି ଆସ, କାଲି ଆସ,ସମୟ ଦିଅ କହି ମୋତେ ଧାନ ବିକ୍ରି କରାଇ ଦେଉନାହାନ୍ତି । ଆଜି ମୁଁ ସମବାୟ ସମିତିର ସମ୍ପାଦକଙ୍କୁ ପୁଣିଥରେ ଭେଟିବା ପରେ ସେ ମୋତେ ରବିବାର ଦିନ ଧାନ ଆଣିବାକୁ କହିଛନ୍ତି । ଧାନ ବାହାରେ ପଡିଥିଲା, ମେଘ ଆସିବାରୁ ସେଗୁଡିକୁ ଜରିପାଲ ଘୋଡାଇ ଘରେ ରଖିଛୁ । ଅଖା ସମସ୍ୟା ବହୁତ, ଗୋଟିଏ ଝୋଟ ଅଖାକୁ ବଜାରରେ ୩୦ ଟଙ୍କାରେ କିଣୁଛୁ ସମବାୟ ସମିତି ଆମକୁ ଦେଉନି, ଅଖା ବାବଦୀୟ ଯେଉଁ ପଇସା କଟାଯାଏ ତାହା କଟା ହେବନାହିଁ ବୋଲି ସମିତି ସମ୍ପାଦକ କହିଥିଲେ ।"
କିଣିବା ପାଇଁ ପ୍ରସ୍ତୁତି ନାହିଁ, ବୋନସ କଣ ପାଇଁ ?ବୋନସ ବଦଳରେ ବଢୁ ଧାନର MSP ମୂଲ୍ୟ-ଚାଷୀ-
ରାଜ୍ୟରେ ବିଜେପି ସରକାର ୨୦୨୪ ମସିହା ଜୁନ ମାସରେ ଶାସନ ଗାଦିକୁ ଆସିବା ସମୟରେ ୨୦୨୫ ମସିହାରେ ପ୍ରଥମଥର କରି ଚାଷୀଙ୍କ ଠାରୁ ଧାନ କ୍ରୟ କରିଥିଲେ । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ସରକାର ଧାନର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଵୋନସ ଦେଉଥିବା ବେଳେ ଏହି ଵୋନସ ହିଁ ପ୍ରକୃତ ଚାଷୀ ଧାନ ବିକ୍ରି ନକରି ପାରିବାର କାରଣ ବୋଲି କୁହନ୍ତି ଜଣେ ଚାଷୀ । ଏହି ଵୋନସ ଓ ସମବାୟ ସମିତିରେ ହେଉଥିବା କଟନୀ ଛଟନୀ ସମ୍ପର୍କରେ ପ୍ରତିକ୍ରିୟା ରଖି ନୋଳସାହି ଗାଁର ଚାଷୀ ଗଙ୍ଗାଧର ମଲ୍ଲିକ କୁହନ୍ତି, "ମୁଁ ୧୫ରୁ ୧୬ ଏକର ଜମିରେ ଧାନ ଚାଷ କରିଛି ଓ ୨୭୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ ମୁଁ ଅମଳ କରିଛି । ଧାନ ରୁଆ ଠାରୁ ଆରମ୍ଭ କରି ବର୍ତ୍ତମାନ ଅଖା କିଣିବା ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି । ମୋର ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୪୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ଆସିଛି । ସରକାରଙ୍କ ଟାର୍ଗେଟ ନଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଧାନ ଦେଇପାରିନାହିଁ । ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ମୁଁ ନୟାନ୍ତ ହେଲିଣି । ବର୍ତ୍ତମାନ ସମବାୟ ସମିତିରେ ପାଖାପାଖି ୫୦୦ କ୍ୱିଣ୍ଟାଲରୁ ଅଧିକ ଧାନ ଗଦା ହୋଇରହିଛି, ଦୁଇ ତିନିଦିନରେ ଥରେ ୨୦୦ କି ୩୦୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ସମିତିକୁ ଟାର୍ଗେଟ ଦିଆଯାଉଛି ତେଣୁ ଆମେ ଧାନ ବିକ୍ରି କରିବୁ କେମିତି?୧୮୦୦,୨୦୦୦ ଟଙ୍କାରେ ଚାଷୀ ଧାନ ବିକ୍ରି କରୁଥିଲେ କିନ୍ତୁ ବୋନସ ବଢ଼ାଇ ଦେଇ ସରକାର ଚାଷୀଙ୍କ ଧାନ କିଣି ପାରୁନାହାନ୍ତି।ଯଦି ବଢାଇବାରେ ଥିଲା ତେବେ MSP (Minimum Selling Price)ବଢ଼ାଇ ଥାଆନ୍ତେ କିନ୍ତୁ ତା ନକରି ଧାନରେ ବୋନସ ବଢ଼ାଇବା କାରଣରୁ ଚାଷୀମାନଙ୍କ ଭିତରେ ଧାନ ବିକ୍ରି କରିବା ପାଇଁ ପ୍ରତିଯୋଗିତା ହେଉଛି କିନ୍ତୁ ପ୍ରକୃତ ଚାଷୀଙ୍କ ଧାନ କିଣା ଯାଇପାରୁନାହିଁ ।ସମିତିରେ ଯେଉଁ ଧାନ ପଡିଛି ଗତ ଦୁଇଦିନ ତଳେ ବର୍ଷା ହୋଇ ଧାନ ଗଜା ହେବା ଅବସ୍ଥାକୁ ଗଲାଣି, ଚାଷୀ ହାହାକାର ହୋଇ ଜରି ବସ୍ତାରେ ଧାନ ନେଇ ଆସୁଛନ୍ତି।କାଟଛାଟ ବା କଟନୀ ଛଟନୀ ସମ୍ପର୍କରେ କହିଲେ ଆମର ଯେହେତୁ ପାଟ ଜମି ଆମର ଧାନ ଗୁଡିକ ମୋଟା । ସରୁ ଧାନ ବା FAQ (Fair Average Quality) ଧାନ ଠାରୁ ଏହା ବହୁଗୁଣେ ଭଲ । ମୋଟାଧାନର ମାନ ଓ ଶୁଦ୍ଧତା ସରୁ ଧାନ ଠାରୁ ଅଧିକ କାରଣ FAQ ଧାନରୁ ଯଦି ୬୦% ଚାଉଳ ବାହାରେ ତେବେ ଆମର ଏହି ଧାନରୁ ୭୫% ଚାଉଳ ବାହାରିବ । କିନ୍ତୁ ଆମର ଏହି ଧାନକୁ ପ୍ରତି ବସ୍ତାରେ ମୋଟାଧାନ କହି ଏକ କିଲୋଗ୍ରାମ କାଟି ନେଉଛନ୍ତି, କ୍ୱିଣ୍ଟାଲ ଉପରେ ୫ କିଲୋଗ୍ରାମ କଟାଯାଉଛି । ଆମ ଧାନରେ ଆର୍ଦ୍ରତା (Moisture) ନାହିଁ କିନ୍ତୁ ଧାନରେ ଆର୍ଦ୍ରତା ଥିବା କହି ମିଲର ମାନେ ବମା ମାରି ଧାନରେ ୧୮%,୧୯% ଆର୍ଦ୍ରତା ଥିବା କହି ୫ କିଲୋଗ୍ରାମ କାଟିଦିଅ ନଚେତ ଧାନ ନେବୁନି ବୋଲି କହି ଚାଷୀଙ୍କୁ ଶୋଷଣ କରୁଛନ୍ତି ଓ ହଇରାଣ କରୁଛନ୍ତି ଯେତେବେଳେ କି ଏହି ଧାନର ଆର୍ଦ୍ରତା ମାପିବା ପାଇଁ ନିଯୁକ୍ତ ବାବୁ ଓ ଆର୍ଦ୍ରତା ମେସିନ ସମବାୟ ସମିତିରେ ଉପଲବ୍ଧ ନାହିଁ । ମୁଁ ଜଣେ ଚାଷୀ ଓ ମୋ ଧାନ ବିକ୍ରି କରିବା ପାଇଁ ମୋତେ ୩୦୦-୪୦୦ଟି ଝୋଟ ଅଖାର ଆବଶ୍ୟକତା ଥିବା ବେଳେ ମୋତେ ସମବାୟ ସମିତି ପକ୍ଷରୁ ମାତ୍ର ୮୦ଟି ଅଖା ମିଳିଛି ଯେଉଁଥିରେ କି ୩୦ଟି ଚିରା ଅଖା । କ୍ଷୁଦ୍ର ଚାଷୀମାନେ ଅଖା ପାଇପାରିବେ କିନ୍ତୁ ମୋ ଭଳି ଚାଷୀ କରିବେ କଣ ?ସରକାରଙ୍କ ଧାନ କିଣିବା ବ୍ୟବସ୍ଥା ଦେଖି ଲାଗୁଛି ଏହା ସମ୍ପୂର୍ଣ୍ଣ ଠପ,ସରକାର ବୋନସ ନବଢ଼ାଇ ଯଦି ଧାନର MSP ବଢ଼ାଇ ଥାଆନ୍ତେ ଭଲ ହୋଇଥାନ୍ତା । ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଫଳ ଶୁନ୍ୟ ।"
ଟାର୍ଗେଟ ଅଧିକ ଦେଲେ ଧାନ କିଣିପାରିବୁ-ସମବାୟ ସମିତିର ସମ୍ପାଦକ
ରଘୁଦେଇପୁର ସମବାୟ ସମିତି ଜିଲ୍ଲାରେ ଥିବା ୧୧୯ଟି ସମବାୟ ସମିତି ଓ ୧୨୩ଟି ଧାନ ମଣ୍ଡିରୁ ଗୋଟିଏ ହୋଇଥିବା ବେଳେ ଏଠାରେ ଟୋକନ ଥାଇ ଧାନ ବିକ୍ରି କରି ନପାରିବା,କଟନୀ ଛଟନୀ ହେଉଥିବା ନେଇ ଅଭିଯୋଗ ହୋଇଛି ଯାହାକି ସାରା ଜିଲ୍ଲାରେ ଥିବା ମଣ୍ଡି ଗୁଡିକରେ କେମିତି ଧାନ କିଣା ଚାଲିଛି ତାର ଏକ ପ୍ରମାଣ । ଅଭିଯୋଗ ଗୁଡିକ ସମ୍ପର୍କରେ ପ୍ରତିକ୍ରିୟା ରଖି ସମବାୟ ସମିତିର ସମ୍ପାଦକ ଜୟପ୍ରକାଶ ସ୍ୱାଇଁ କୁହନ୍ତି, "ଚଳିତବର୍ଷ ଆମ ପାଖରେ ଧାନ ବିକ୍ରି କରିବା ପାଇଁ ୭୫୭ ଜଣ ଚାଷୀ ପଞ୍ଜିକରଣ କରାଇଥିଲେ,ସେମାନଙ୍କ ମଧ୍ୟରୁ ୭୫୧ ଜଣ ଚାଷୀଙ୍କ ଟୋକନ ଜେନେରେଟ ହୋଇ ସାରିଲାଣି । ଏଯାବତ ଆମ ପାଖରେ ୪୩୯ ଜଣ ଚାଷୀ ଧାନ ବିକ୍ରୟ କରି ସାରିଲେଣି ଓ ଟାର୍ଗେଟ ଅନୁଯାୟୀ ସେମାନଙ୍କ ଠାରୁ ଆମେ ୧୩୦୪୦ କ୍ୱିଣ୍ଟାଲ ଧାନ କିଣି ସାରିଛୁ । ୭୫୭ ଜଣ ଚାଷୀଙ୍କ ଠାରୁ ମୋଟ ୨୬୦୦୦କ୍ୱିଣ୍ଟାଲ ଧାନ କିଣିବା ପାଇଁ ଆମର ତଥ୍ୟ କହୁଛି କିନ୍ତୁ ଆମକୁ ଏପର୍ଯ୍ୟନ୍ତ ମାତ୍ର ୧୩୦୪୦ କ୍ୱିଣ୍ଟାଲ ଧାନର ଟାର୍ଗେଟ ଆସିଛି।ଧାନ ମଣ୍ଡିରେ ପଡିରହିବାର କାରଣ ହେଉଛନ୍ତି ଚାଷୀ । ସରକାରଙ୍କ ନିର୍ଦ୍ଦେଶ ଅଛି ଝୋଟ ଅଖାରେ ଧାନ ଆଣିବା ପାଇଁ କିନ୍ତୁ ଚାଷୀମାନେ ଜରି ଅଖାରେ ଧାନ ନେଇ ଆସୁଛନ୍ତି ଯାହାକୁ ମିଲର ମାନେ ନେଉନାହାନ୍ତି ସେଥିପାଇଁ ଧାନ ମଣ୍ଡିରେ ପଡିରହୁଛି ଓ ଉଠିବା ପାଇଁ ଡେରି ହେଉଛି । ବର୍ତ୍ତମାନ ଆମ ପାଖରେ ଟାର୍ଗେଟ ନାହିଁ ତେଣୁ ଚାଷୀ ମାନଙ୍କ ଧାନ ଉଠି ପାରୁନି, ଟାର୍ଗେଟ ଆସିଲେ ଧାନ ଉଠିବ । ମିଲର ମାନଙ୍କ ପାଖରେ ଚାଷୀ ମାନଙ୍କୁ ଧାନ ଦେବାକୁ ଯେଉଁ କୁହାଯାଉଥିବା ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭୁଲ କାରଣ ଚାଷୀ ମାନେ ସେମାନଙ୍କ ସୁବିଧା ପାଇଁ ମିଲର ପାଖରେ ଧାନ ଦେବାକୁ କହୁଛନ୍ତି । କଟନୀ ଛଟନୀ ସମ୍ପୂର୍ଣ୍ଣ ନାହିଁ କିନ୍ତୁ ଚାଷୀମାନେ ଯିଏ ଓଦା ଧାନ ନେଇ ଆସୁଛନ୍ତି ସେମାନେ ଅସୁବିଧାର ସମ୍ମୁଖିନ ହୋଇ କଣ କରୁଥିବେ ଜଣାନାହିଁ କିନ୍ତୁ ଆମର କଟନୀ ଛଟନୀ ବ୍ୟବସ୍ଥା ଜମାରୁ ନାହିଁ ।"
ରାଜ୍ୟକୁ ଟାର୍ଗେଟ କେତେ, କିପରି କିଣାଯିବ ଅଧିକ ଖରିଫ ଧାନ-
ନିକଟରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୃତକଙ୍କ ଗାଁରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଧ୍ରୁବଙ୍କ ପ୍ରତିକ୍ରିୟା ଅନୁଯାୟୀ ରାଜ୍ୟ ସରକାର ଯେଉଁ ଧାନ ଉପରେ ବୋନସ ଘୋଷଣା କରିଛନ୍ତି ତାହା କେନ୍ଦ୍ର ସରକାରଙ୍କ ଚିଠି ପରେ ବନ୍ଦ ହେବ । ଗତବର୍ଷ ସରକାର ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଥିବା ବେଳେ ଚଳିତବର୍ଷ ସେଥିରୁ ୨ ଲକ୍ଷ ମେଟ୍ରିକ ଟନ କମାଇ ୯୨ ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ କହିଛନ୍ତି ଯାହା ସରକାରଙ୍କ ଧାନ କିଣାରୁ ନିଜକୁ ଅପସାରଣ କରିବା ନୀତିକୁ ପଦାରେ ପକାଇଛି ବୋଲି କହିଥିଲେ ବିଧାୟକ ।
ଏହା ବି ପଢନ୍ତୁ- ବିଧାନସଭାରେ ରାଜନଗର ଚାଷୀ ତ୍ରିଲୋଚନଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇବ ବିଜେଡି: ବିଧାୟକ ଧ୍ରୁବ ଚରଣ
ଇଟିଭି ଭାରତ, କେନ୍ଦ୍ରାପଡା

