‘ଅପରେସନ ନେତ୍ର’କୁ ବଡ଼ ସଫଳତା, ଗିରଫ ହେଲେ 12 ସାଇବର ଠକ
ପଶ୍ଚିମ ଓଡିଶାରୁ ୧୨ ଜଣିଆ ସାଇବର ଠକେଇ ଗ୍ୟାଙ୍ଗ ଗିରଫ । ପାସବୁକ, ଏଟିଏମ୍, ମୋବାଇଲ ଓ କାର ସହିତ ଅନ୍ୟାନ୍ୟ ଠକେଇ ସାମଗ୍ରୀ ଜବତ ।

Published : November 18, 2025 at 8:51 PM IST
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପୋଲିସର ‘ଅପରେସନ ନେତ୍ର’ ଅଭିଯାନ । ଅଭିଯାନକୁ ମିଳିଛି ବଡ଼ ସଫଳତା । ବଡ଼ଧରଣ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ । ପଶ୍ଚିମ ଓଡିଶାରୁ ୧୨ ଜଣିଆ ସାଇବର ଠକେଇ ଗ୍ୟାଙ୍ଗ ଗିରଫ । ଠକେଇରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ପୋଲିସ୍ ହାତରେ ଲାଗିଛି । ଏଥିରୁ ଆହୁରି ସୁରାକ୍ ମିଳିବା ନେଇ ଆଶା ।
ରାଜ୍ୟ ବାହାରକୁ ଲମ୍ବିଛି ଚେର:
ଆକ୍ସନ ମୋଡ଼ରେ ଝାରସୁଗୁଡା ପୋଲିସ୍ । ଝାରସୁଗୁଡାରୁ ଜାମତରା, ବିହାର, ରାଜସ୍ଥାନକୁ ଲମ୍ବିଛି ସାଇବର ଠକଙ୍କ ଚେର । ପାସବୁକ, ଏଟିଏମ୍, ମୋବାଇଲ ଓ କାର ସହିତ ଅନ୍ୟାନ୍ୟ ଠକେଇ ସାମଗ୍ରୀ ଜବତ । ପୋଲିସ୍ର ତଦନ୍ତ ଜାରି । ଆଗକୁ ଆହୁରି ଗିରଫ ହେବେ ବୋଲି କହିଛନ୍ତି ଝାରସୁଗୁଡା ପୋଲିସ୍ ଏସପି ଜି. ଆର. ରାଘବେନ୍ଦ୍ର ।

‘ଅପରେସନ ନେତ୍ର’ ଅଭିଯାନକୁ ସଫଳତା:
‘ଅପରେସନ ନେତ୍ର’ ଅଭିଯାନରେ ବିଭିନ୍ନ ସ୍ଥାନରେ ଝାରସୁଗୁଡ଼ା ପୋଲିସ ଛାପା ମାରିଥିଲା । ଯାହା ଫଳରେ ପାସ୍ବୁକ୍, ATM କାର୍ଡ, ମୋବାଇଲ୍ ଫୋନ୍ ଏବଂ ଠକେଇରେ ବ୍ୟବହୃତ ୨ଟି ଯାନବାହନ ଜବତ କରିଛି । ସିମ୍ କାର୍ଡ୍, ଆଧାର କାର୍ଡ୍ ଭିତରୁ ବିଭିନ୍ନ ଆର୍ଥିକ ପ୍ରମାଣ ମିଳିଛି । ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତମାନେ ସ୍ଥାନୀୟ ଯୁବକମାନଙ୍କୁ ଟଙ୍କାର ଲୋଭ ଦେଇ ବ୍ୟାଙ୍କ ଆକାଉଣ୍ଟ ଖୋଲାଉଥିଲେ । ଏଥିପାଇଁ ସମସ୍ତ ସାମଗ୍ରୀର ପୂରା କିଟ୍ ପ୍ରସ୍ତୁତ କରି ରଖିଥିଲେ । ଯଥା- ATM, ପାସ୍ବୁକ୍, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଆଦି ଖୋଲାଉଥିଲେ । ଏହି ବେଆଇନ ଆକାଉଣ୍ଟ ଦ୍ୱାରା ଅନ୍ୟ ରାଜ୍ୟକୁ ଟଙ୍କା ଟ୍ରାଞ୍ଜାକ୍ସନ କରାଯାଉଥିଲା । ଯାହା ଫଳରେ ଏଗୁଡ଼ିକୁ ଟ୍ରାକ୍ କରିବା କଷ୍ଟକର ହୋଇ ପଡୁଥିଲା ।
ଗେମ୍ରୁ ପଇସା ଦେବା ନାଁରେ ଠକେଇ:
ଗିରଫ 12 ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ମଧ୍ୟ ରହିଛନ୍ତି । ବିଭିନ୍ନ ସାଇବର ଠକେଇ ଗ୍ୟାଙ୍ଗ ପାଇଁ ଏଜେଣ୍ଟମାନେ ଝାରସୁଗୁଡାରୁ ନିୟନ୍ତ୍ରିତ ହେଉଥିଲେ । ବିଭିନ୍ନ ଅନଲାଇନ ଗେମ୍ରୁ ପଇସା ମିଳିବ କହି ସାଧାରଣ ଲୋକଙ୍କ ନାଁରେ ବ୍ୟାଙ୍କ ପାସ୍ବୁକ ଖୋଲାଉଥିଲେ । ଏନେଇ ପୋଲିସ ନାଗରିକମାନଙ୍କୁ ସଚେତନ କରିଛି । ଅଜଣା ଲୋକଙ୍କୁ ବ୍ୟାଙ୍କ ସୂଚନା ବା ଆକାଉଣ୍ଟ କିଟ୍ ଦେବା ବିପଦଜନକ । ଏହାକୁ ସେମାନେ ଅପରାଧରେ ବ୍ୟବହାର କରିପାରନ୍ତି । ଏନେଇ କଠୋର ଦଣ୍ଡ ବିଧାନର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସ୍ଥାନୀୟ ଜନତାଙ୍କୁ ଚେତାଇ ଦିଆଯାଉଛି ।
ସାରା ଭାରତରେ ହେଉଛି ସାଇବର କ୍ରାଇମ୍:
‘ଅପରେସନ ନେତ୍ର’ ଅଭିଯାନକୁ ନେଇ ଝାରସୁଗୁଡା ଏସପି, ଜି. ଆର. ରାଘବେନ୍ଦ୍ର କହିଛନ୍ତି,"ସାଇବର ଠକେଇ କରିବା ପାଇଁ ଠକମାନେ ବିଭିନ୍ନ ନକଲି ଆକାଉଣ୍ଟମାନ ଖୋଲି ଏଥିରେ ବଡ଼ ବଡ଼ ଆକାରର ଟଙ୍କା କାରବାର କରୁଛନ୍ତି । ଏଥିରେ ନାବାଳକମାନଙ୍କୁ ମଧ୍ୟ ବ୍ୟବହାର କରୁଛନ୍ତି । ଏପରି ବିଭିନ୍ନ ଗ୍ୟାଙ୍ଗ ସାଇବର ଠକେଇରେ ସାମିଲ ଅଛନ୍ତି । କେହି ବିହାର, କେହି ଯାମତାରା, କେହି ଝାଡଖଣ୍ଡ ଆଦି ସ୍ଥାନକୁ ଟଙ୍କା ପଠାଇ ବିଭିନ୍ନ ବେଆଇନ କାରବାରରେ ସାମିଲ ରହୁଛନ୍ତି । ବିଭିନ୍ନ ସ୍ତରରେ ଏପରି ଗ୍ୟାଙ୍ଗ ସାଇବର ଠକେଇ କରି ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା 61ଟି ଆକାଉଣ୍ଟ ଜବତ କରାଯାଇଛି । ଏହି ଆକାଉଣ୍ଟ ଜରିଆରେ ସାରା ଭାରତରେ ସାଇବର କ୍ରାଇମ୍ ସଂଗଠିତ କରାଯାଇଛି ।"
ଏହା ମଧ୍ୟ ପଢନ୍ତୁ: ଡିଜିଟାଲ ଆରେଷ୍ଟ ନାଁରେ ଆଇଟି କର୍ମଚାରୀଙ୍କଠାରୁ 32 କୋଟି ଲୁଟି ନେଲେ ଦୁର୍ବୃତ୍ତ ସାଇବର ଠକଙ୍କ ଟାର୍ଗେଟରେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍, ଅଫିସ୍ ୟୁଜର; ସତର୍କ କରାଇଲେ ସରକାର |
ଇଟିଭି ଭାରତ, ଝାରସୁଗୁଡ଼ା

