ଜଗତସିଂହପୁରରେ 'ଅପରେସନ କବଚ': 1 ସାଇବର ଠକ ଗିରଫ, 3 ବେନାମୀ ଆକାଉଣ୍ଟଧାରୀଙ୍କୁ ନୋଟିସ୍
ଜଗତସିଂହପୁର ଜିଲ୍ଲାରେ ସାଇବର ଠକେଇ ରୋକିବାକୁ ପୋଲିସର 'ଅପରେସନ କବଚ' । 12ଟି ପାସବୁକ ଏବଂ 2ଟି ଏଟିଏମ୍ କାର୍ଡ ସମେତ ଅନେକ ସିମ୍କାର୍ଡ ଜବତ କରାଯାଇଥିବା ଏସ୍ପି ଅଙ୍କିତ କୁମାର ବର୍ମାଙ୍କ ସୂଚନା।

Published : February 26, 2026 at 5:22 PM IST
OPERATION KAVACH JAGATSINGHPUR, ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସାଇବର ଅପରେସନ 'କବଚ'କୁ ମିଳିଲା ବଡ଼ ସଫଳତା । ପୁଣି ଏକ ସାଇବର ଠକକୁ ବାନ୍ଧିଛି ଜଗତସିଂହପୁର ପୋଲିସ । ଗିରଫ ଅପରାଧିଠାରୁ 12ଟି ପାସବୁକ, 2ଟି ଏଟିଏମ୍ କାର୍ଡ ସମେତ ଅନେକ ସିମ୍କାର୍ଡ ଜବତ କରାଯାଇଛି । ଏହି ମାମଲାରେ ଅନ୍ୟ ଅପରାଧୀଙ୍କ ସହିତ କିଛି ଲିଙ୍କ ରହିଛି କି ନାହିଁ ସେନେଇ ତନଘନା ଆରମ୍ଭ କରିଛି ପୋଲିସ । ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଏହି ସୂଚନା ଦେଇଛନ୍ତି ।
ଏପରି ହେଉଥିଲା ଠକେଇ:
ଅଭିଯୁକ୍ତ ଶେଖ୍ ରୋବେଲ ବକ୍ସ ବିଭିନ୍ନ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲୁଥିଲେ । ତାଙ୍କୁ କିଛି ଟଙ୍କା ଦେଇ ସେହି ଆକାଉଣ୍ଟକୁ ନିଜ ଅକ୍ତିଆରକୁ ଆଣି ଏହାକୁ ସାଇବର ଅପରାଧ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ । ଏପରି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ 3 ଜଣ ମ୍ୟୁଲ (ବନାମୀ) ଆକାଉଣ୍ଟଧାରୀଙ୍କୁ ନୋଟିସ୍ ଦିଆଯାଇଛି ।
12 ପାସବୁକ ଜବତ:
ଗିରଫ ଅଭିଯୁକ୍ତଙ୍କ ଶେଖ୍ ରୋବେଲ ବକ୍ସ ଘର ବିରିଡ଼ି । ତାଙ୍କ ନିକଟରୁ 12ଟି ପାସବୁକ ଜବତ କରାଯାଇଛି । ଯାହା ମଧ୍ୟରେ ୟୁକୋ ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଏବଂ ଷ୍ଟେଟ ବ୍ୟାଙ୍କ(SBI) ପାସବୁକ ରହିଛି । 2ଟି ଏଟିଏମ୍ କାର୍ଡ ସମେତ ପୂର୍ବରୁ ଆକ୍ଟିଭ ଥିବା ଏୟାରଟେଲ ଓ ଭୋଡାଫୋନ ସିମ୍ କାର୍ଡ ମଧ୍ୟ ଜବତ କରାଯାଇଛି । ଅଭିଯୋଗ ଆଧାରରେ, ପୋଲିସ ରୋବଲ ବକ୍ସକୁ ଧରିବା ସହିତ (BNS) ଧାରା 318(4)/317(2)/61(2)/03(2)ରେ ମାମଲା ରୁଜୁ କରି ବୁଧବାର ସଂନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ବୋଲି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା କହିଛନ୍ତି ।

6 କୋଟି ଟଙ୍କାର ସାଇବର ଠକେଇ ମାମଲା:
ଅପରେସନ କବଚ ମାଧ୍ୟମରେ ବର୍ତ୍ତମାନ ସମଗ୍ର ଜିଲ୍ଲାରେ ପୋଲିସ 305ଟି ମ୍ୟୁଲ ଆକାଉଣ୍ଟ ଧରିଛି । ଏହା ସହିତ 13ଟି ଆପରାଧିକ ମାମଲା ରୁଜୁ କରିଛି । ଏନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ 25 ଜଣଙ୍କୁ ନୋଟିସ ଦିଆଯାଇଛି । ଏହା ସହିତ ସାଇବର ଅପରାଧରେ ବ୍ୟବହୃତ 20ଟି ଆକାଉଣ୍ଟର ଚିହ୍ନଟ କରାଯାଇଛି । ବର୍ତ୍ତମାନ ସମଗ୍ର ଜଗତସିଂହପୁର ଜିଲ୍ଲାରୁ ପାଖାପାଖି 6 କୋଟି ଟଙ୍କାର ସାଇବର ଠକେଇ ମାମଲା ଆମ ନିକଟକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ: ଅପରେସନ ସାଇବର୍ କବଚ: ୧୦ ଦିନରେ ୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ ଗିରଫ ଅପରେସନ କବଚ: 1,25000 ଟଙ୍କାରୁ ଊର୍ଦ୍ଧ୍ବ ଅବୈଧ କାରବାର କରି ବନ୍ଧା ହେଲେ ଯୁବକ |
ଇଟିଭି ଭାରତ, ଜଗତସିଂହପୁର

