ETV Bharat / state

ଅପରେସନ ସାଇବର୍ କବଚ: ୧୦ ଦିନରେ ୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ ଗିରଫ

ସାବାଡ଼ ହେବେ ସାଇବର୍ ଅପରାଧୀ । ଓଡ଼ିଶା ପୋଲିସ ପକ୍ଷରୁ ଚାଲିଛି ଅପରେସନ ସାଇବର୍ କବଚ । ୧୦ଦିନରେ ୩୬୨୫ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସହ ୧୮୭ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ ।

OPERATION CYBER KAVACH ODISHA
ଅପରେସନ ସାଇବର କବଚ (ETV Bharat Odisha)
author img

By ETV Bharat Odisha Team

Published : February 23, 2026 at 2:36 PM IST

2 Min Read
Choose ETV Bharat

OPERATION CYBER KAVACH ODISHA, ଭୁବନେଶ୍ୱର: ସାଇବର ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏନେଇ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଜରିଆରେ ବିଭିନ୍ନ ପୋଲିସ ଜିଲ୍ଲା ପକ୍ଷରୁ ଆକାଉଣ୍ଟ ଯାଞ୍ଚ ଓ ଗିରଫଦାରୀ କରାଯାଉଛି । ଅପରେସନ ଆରମ୍ଭ ହେବାର ୧୦ ଦିନ ମଧ୍ୟରେ ଅର୍ଥାତ ଫେବ୍ରୁଆରୀ ୨୨ ତାରିଖ ସୁଦ୍ଧା ରାଜ୍ୟବ୍ୟାପୀ ୩,୬୨୫ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ୧୮୭ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତକାଲି (ରବିବାର) ସୂଚନା ଦିଆଯାଇଛି ।

ଅପରେସନ ସାଇବର କବଚ:

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅଧୀନରେ ସାରା ରାଜ୍ୟରେ ମୋଟ ୩,୬୨୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ମୋଟ ୨୭୫ଟି ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ମାମଲା, ୮ଟି ଚେକ୍ ଉଠାଣ ମାମଲା ଏବଂ ୭ଟି ନକଲି ସିମ୍ POS ଯାଞ୍ଚ ସମ୍ପର୍କିତ ମାମଲା ରୁଜୁ ହୋଇଛି । ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ୧୦୭୫ ଜଣ ସନ୍ଦିଗ୍ଧ ସହାୟକ ଓ ଆକାଉଣ୍ଟଧାରୀଙ୍କୁ (ନୂତନ ମାମଲା ଓ ୮୪ଟି ପୁରୁଣା ଏଫଆଇଆର୍) ଆଇନଗତ ନୋଟିସ ଜାରି କରାଯାଇଛି ।

ଚାଲିଛି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ:

ଏହି ଅଭିଯାନ ସମୟରେ ଜଗତସିଂହପୁର ଜିଲ୍ଲା ପୋଲିସ ୨୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ଗୋଟିଏ (୧) ସାଇବର ମାମଲା ରୁଜୁ କରିଛି । ସେହିପରି ଯାଜପୁର ଜିଲ୍ଲା ପୋଲିସ ୪୪ଟି ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରି ୪୭ ଜଣଙ୍କୁ ନୋଟିସ କରିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୮୮ଟି ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରିଥିବା ବେଳେ, ୬୭ ଜଣଙ୍କୁ ନୋଟିସ୍ ଜାରି କରିଛି । ଖୋର୍ଦ୍ଧା ଜିଲ୍ଲା ପୋଲିସ ୯୮ଟି ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରି ୨ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହିପରି ପୁରୀ ଜିଲ୍ଲା ପୋଲିସ ୭୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୪ଟି ଓ ଚେକ୍ ଉଠାଣ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୬ ଜଣ ଅଭିଯୁକ୍ତ ଗିରଫ କରିଛି ଏବଂ ୧୫ ଜଣଙ୍କୁ ନୋଟିସ୍ ଜାରି କରିଛି ।

ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, ରାଉରକେଲା, ଭଦ୍ରକ, ମୟୂରଭଞ୍ଜ, ଭୁବନେଶ୍ୱର, ବ୍ରହ୍ମପୁର, ଗଜପତି, ଗଞ୍ଜାମ, ଅନୁଗୁଳ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଟକ, ନୟାଗଡ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଦେବଗଡ଼ ଏବଂ ଢେଙ୍କାନାଳ ଜିଲ୍ଲାରେ ବେନାମୀ ଆକାଉଣ୍ଟ ଯାଞ୍ଚ, ମାମଲା ରୁଜୁ, ଗିରଫ ଓ ନୋଟିସ୍ ଜାରି କରାଯାଇଛି ।

ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ଦୁୁର୍ବଳ କରିବା ମୁଖ୍ୟ ଲକ୍ଷ୍ୟ:
ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲାର ଏସପି ଓ ଡିସିପିମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ଦୁୁର୍ବଳ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ । ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଅଧିକ କଡ଼ାକଡ଼ି ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସ୍ପେସାଲ ଡ୍ରାଇଭ୍ 'ସାଇବର କବଚ': ଗଜପତି ଜିଲ୍ଲାରେ ପ୍ରାୟ 49ଟି ମ୍ୟୁଲ୍ ଆକାଉଣ୍ଟ ଠାବ

ଏହା ମଧ୍ୟ ପଢନ୍ତୁ...ଅପରେସନ କବଚ: 1,25000 ଟଙ୍କାରୁ ଊର୍ଦ୍ଧ୍ବ ଅବୈଧ କାରବାର କରି ବନ୍ଧା ହେଲେ ଯୁବକ

ଏହା ମଧ୍ୟ ପଢନ୍ତୁ...ଅପରେସନ "ସାଇବର କବଚ": 110 କୋଟି ଟଙ୍କାର ସାଇବର ଠକେଇ ଧରିଲା ସମ୍ବଲପୁର ପୋଲିସ

ଇଟିଭି ଭାରତ, ଭୁବନେଶ୍ବର