ETV Bharat / state

4 ବର୍ଷୀୟ ବିଏଡ଼; ଅନଲାଇନ୍ ଆବେଦନ ଆରମ୍ଭ, ରହିଛି 1300 ସିଟ୍

୪ ବର୍ଷୀୟ ଇଣ୍ଟିଗ୍ରେଟେଡ଼ ବିଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ । ଏହା ମାର୍ଚ୍ଚ ୧୦ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଏପ୍ରିଲ ୧୭ରେ ହେବ ପରୀକ୍ଷା ।

common entrance test for integrated bed
ଇଣ୍ଟିଗ୍ରେଟେଡ଼ ବିଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା (ETV Bharat Odisha)
author img

By ETV Bharat Odisha Team

Published : February 21, 2026 at 3:14 PM IST

1 Min Read
Choose ETV Bharat

ଭୁବନେଶ୍ବର: ଇଣ୍ଟିଗ୍ରେଟେଡ଼ ବିଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହୋଇଛି ଅନଲାଇନ୍ଆ ଆବେଦନ ପ୍ରକ୍ରିୟା । ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି ୪ ବର୍ଷୀୟ ଇଣ୍ଟିଗ୍ରେଟେଡ଼ ବିଏଡ଼ କୋର୍ସ ବା ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ । ଏହି କୋର୍ସରେ ନାମ ଲେଖାଇବା ପାଇଁ ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ - ୨୦୨୬ (ଏନସିଇଟି-୨୦୨୬) ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ ଅନୁସାରେ, ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଫେବୃଆରୀ ୧୨ରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୧୦ ଯାଏଁ ଚାଲିବ । ଏହି ପରୀକ୍ଷା ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ ।

କିପରି ହେବ ଚୟନ ପ୍ରକ୍ରିୟା ?

ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୫ଟି ବିଶ୍ୱ ବିଦ୍ୟାଳୟ ଏବଂ ୮ଟି ସରକାରୀ ମହାବିଦ୍ୟାଳୟରେ ୪ ବର୍ଷୀୟ ବିଏଡ଼ (ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ) ପାଇଁ ସମୁଦାୟ ୧୩୦୦ଟି ସିଟ୍ ରହିଛି । ଏହି ସମସ୍ତ ସିଟ୍‌ରେ ଆଡ଼ମିଶନ ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ । ପ୍ରବେଶିକା ପରୀକ୍ଷା ନମ୍ବର ଆଧାରରେ ମେରିଟ୍ ତାଲିକା ଆସିବା ପରେ ଯୋଗ୍ୟ ପ୍ରାର୍ଥୀମାନେ SAMS ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିଜ ପସନ୍ଦର ଅନୁଷ୍ଠାନ ଚୟନ କରିପାରିବେ । ଯୁକ୍ତ ଦୁଇ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗାମ ପାଠ୍ୟକ୍ରମ (୪ ବର୍ଷୀୟ ବିଏଡ଼ ପାଠ୍ୟକ୍ରମ)ରେ ନାମ ଲେଖାଇ ସ୍ନାତକ ଓ ବିଏଡ଼ କୋର୍ସ ସମାପ୍ତ କରିପାରିବେ ।

ସେହିପରି ୨୦୨୬-୨୭ ଶିକ୍ଷା ବର୍ଷରେ ଦୁଇ ବର୍ଷୀୟ ବିଏଡ଼, ଏମଏଡ଼ ଓ ବିଏଚଡ଼ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବ ପରି ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ (SSB) ଦ୍ୱାରା କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଜାରି ରହିଥିବା ବେଳେ ପାଖାପାଖି 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଖୁବଶୀଘ୍ର ଫଳାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ । କାରଣ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ଯେପରି କୌଣସି ସମସ୍ୟା ନହୁଏ, ସେଥି ପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ...ଆଗୁଆ ହେବ +3 ଓ PG ନାମଲେଖା; ଏହି ଦିନ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ... ମନୋବଳ ଆଗରେ ହାରିଲା ଶାରୀରିକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ

ଏହା ମଧ୍ୟ ପଢନ୍ତୁ... ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: କହିଲେ, ଉପାନ୍ତ ଅଞ୍ଚଳର ପିଲା ପରୀକ୍ଷା କେନ୍ଦ୍ରକୁ ଆସିବା ଉପରେ ଗୁରୁତ୍ୱ ଦିଆଯିବ


ଇଟିଭି ଭାରତ, ଭୁବନେଶ୍ବର