ପୋଲିସ ମିତ୍ର ସହଦେବ ହତ୍ୟା ଘଟଣାକୁ ପୂରିଲା ବର୍ଷେ, ନ୍ୟାୟ ଅପେକ୍ଷାରେ ପରିବାର
ଜାନୁଆରୀ 8, 2025ରେ ରସୁଲଗଡରେ ସହଦେବଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ । ଘଟଣାରେ 9 ଅଭିଯୁକ୍ତ ଗିରଫ । ଏବେବି 3 ଜଣଙ୍କୁ ଧରିପାରିନି ପୋଲିସ ।

Published : January 9, 2026 at 6:38 PM IST
One Year Of Sahadev Murder ଭୁବନେଶ୍ବର: ଛଳଛଳ ଆଖି...ଲୁହ ବୋଲ ମାନୁନି...ମନ ବୁଝିବାକୁ ନାରାଜ ବାପା ଆଉ ନାହାନ୍ତି...ସ୍ବାମୀଙ୍କୁ ହରାଇ ନିର୍ବାକ ସ୍ତ୍ରୀ, ସାନ ଭାଇକୁ ହରାଇ ମ୍ରିୟମାଣ ବଡ଼ଭାଇ । ଏ ଭିତରେ କେବଳ କ୍ୟାଲେଣ୍ଡର ପୃଷ୍ଠା ବଦଳିଛି ହେଲେ ସହଦେବଙ୍କ ପରିବାରର କୋହଭରା ଦୁଃଖ ଆଜି ମଧ୍ୟ ସେମିତି ତାଜା ହୋଇ ରହିଛି । ରାଜଧାନୀର ଛାତିରେ ରସୁଲଗଡ ଜାତୀୟ ରାଜପଥରେ ଠିକ୍ ବର୍ଷେ ତଳେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ପୋଲିସ ମିତ୍ର ତଥା ବିଏମସି ସଫେଇ କର୍ମଚାରୀ ସହଦେବ ନାୟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ ।
ଏହି ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିଲା । ସହଦେବଙ୍କ ହତ୍ୟାକୁ ଏକ ବର୍ଷ ପୂର୍ତ୍ତି ହୋଇଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ ୩ ଜଣ ଅଭିଯୁକ୍ତ ଏଯାବତ୍ ଧରାପଡ଼ିନାହାନ୍ତି । ପରିବାର ଦାବି, ଯଥାଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଏବଂ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ, ଯାହାଦ୍ୱାରା ସହଦେବଙ୍କ ଆତ୍ମାକୁ ନ୍ୟାୟ ମିଳିପାରିବ ।

ଦିବାଲୋକରେ ହୋଇଥିଲା ନିର୍ମମ ହତ୍ୟା:
ଜାନୁଆରୀ 8, 2025... ଶୀତୁଆ ସକାଳରେ ରକ୍ତରେ ରଞ୍ଜିତ ହୋଇଥିଲା ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ଜାତୀୟ ରାଜପଥ । ସେହି ଦିନ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ରାଜଧାନୀ କଡ଼ା ସୁରକ୍ଷା ବଳୟ ଭିତରେ ଥିଲା। ତଥାପି ଦୁଇ ଜଣ ଅପରାଧୀ ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଚ୍ୟାଲେଞ୍ଜ କରି ସହଦେବ ନାୟକଙ୍କ ମୁଣ୍ଡ କାଟି ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଥିଲେ । ଏ ଘଟଣାକୁ ଏ ଭିତରେ ଚାହୁଁ ଚାହୁଁ ବର୍ଷେ ପୂରିଛି ।

ଅନ୍ଧାର ଘର, ଅଧୁରା ସ୍ୱପ୍ନ:
ହତ୍ୟା ପରେ ଭୁବନେଶ୍ୱର ମହାନଗର ନିଗମର ୪୧ ନଂ ୱାର୍ଡ ବାପୁଜୀ ନଗର ସ୍ଥିତ କେଦାରପଲ୍ଲୀ ବସ୍ତିରେ ସହଦେବଙ୍କ ଘର ଏବେ ଅନ୍ଧାରର ପ୍ରତୀକ ହୋଇଯାଇଛି । ସହଦେବ ଖୋଲିଥିବା ଜିମ୍ ସେଣ୍ଟରରେ ତାଲା ପଡ଼ିଛି । ତାଙ୍କ ପାଳିତ କୁକୁର ‘ଡ୍ରାଗନ’ ମଧ୍ୟ ମାଲିକଙ୍କ ଅଭାବରେ ମନ ଦୁଃଖ କରି ବସି ରହୁଛି । ସହଦେବଙ୍କ ପତ୍ନୀ ସୁନିତା ନାୟକ ବିଏମସିରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି । ମାସିକ ୧୨ ହଜାର ଟଙ୍କା ଆୟରେ ତାଙ୍କୁ ସମ୍ପୂର୍ଣ୍ଣ ପରିବାର ଚଳାଇବାକୁ ପଡ଼ୁଛି । ଦୁଇ ଝିଅଙ୍କ ପାଠପଢ଼ା, ଘର ଖର୍ଚ୍ଚ ଏବଂ ବଢୁଥିବା ଆର୍ଥିକ ଚାପ ତାଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଛି ।
ନବୀନ ପଟ୍ଟନାୟକଙ୍କ ସହାୟତା...
ସହଦେବଙ୍କ ମୃତ୍ୟୁ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ସହଦେବଙ୍କ ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରୁଛନ୍ତି । ଯାହା ପରିବାର ପାଇଁ କିଛିଟା ଆଶ୍ୱାସନ ଆଣିଛି । ଏନେଇ ସହଦେବଙ୍କ ପତ୍ନୀ ସୁନିତା ନାୟକ କୁହନ୍ତି, ‘ଦୋଷୀଙ୍କୁ ଯଦି ଉଚିତ୍ ଦଣ୍ଡ ମିଳେ, ସେତେବେଳେ ମାତ୍ର ସହଦେବଙ୍କ ଆତ୍ମାକୁ ନ୍ୟାୟ ମିଳିବ ।’
“ବର୍ଷେ ହେଲା ମୋ ସ୍ୱାମୀଙ୍କୁ ହରାଇଛି । ଆଜି ପର୍ଯ୍ୟନ୍ତ ତିନି ଜଣ ଅପରାଧୀ ବାହାରେ ବୁଲୁଛନ୍ତି । ପୋଲିସ ତାଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଉ । ଏହା ଆମର ଦାବି ।” କୋହଭରା କଣ୍ଠରେ କହିଛନ୍ତି ପତ୍ନୀ ସୁନିତା ।

ବୋଲ ମାନୁନି ଲୁହ...
ସହଦେବଙ୍କ ଦୁଇ ଝିଅ ଶ୍ରେୟା ଓ ସମ୍ପୂର୍ଣ୍ଣା ଭୁବନେଶ୍ୱର ରାମମନ୍ଦିର ନିକଟ ଏକ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି । ବଡ଼ ଝିଅ ଶ୍ରେୟା ଘଟଣାର ଗଭୀରତା ବୁଝିଥିବାରୁ ପ୍ରାୟତଃ ଚୁପ୍ ରହୁଛି । ସାନ ଝିଅ ସମ୍ପୂର୍ଣ୍ଣ ଏବେବି ଅଜ୍ଞ, ଜାଣି ନାହାନ୍ତି ବାପା ଆଉ କେବେ ଫେରିବେନି ।
ଦୋଷୀଙ୍କୁ ଧରିବାକୁ ପରିବାରର ଦାବି:
ସହଦେବଙ୍କ ବଡ଼ଭାଇ ମୁନ୍ନା ନାୟକ କହିଛନ୍ତି, ‘ଦୋଷୀମାନେ ଧରାପଡ଼ି ଉଚିତ୍ ଦଣ୍ଡ ପାଇଲେ ପରିବାରକୁ କିଛିଟା ଶାନ୍ତି ମିଳିବ।’
ନିଶାମୁକ୍ତ ବସ୍ତିର ଅଧୁରା ସ୍ୱପ୍ନ:
ସହଦେବ ନାୟକ ବିଏମସିରେ ସୁପରଭାଇଜର ଭାବେ କାମ କରୁଥିଲେ ଏବଂ ପ୍ରାୟ ୮ ବର୍ଷ ଧରି ପୋଲିସ ମିତ୍ର ଭାବେ ନିଶାମୁକ୍ତ ଅଭିଯାନରେ ସକ୍ରିୟ ଥିଲେ । ବସ୍ତିକୁ ନିଶାମୁକ୍ତ କରିବା ସ୍ୱପ୍ନ ଦେଖି ସେ ଯୁବମାନଙ୍କ ପାଇଁ ମାଗଣା ଜିମ୍ ସେଣ୍ଟର ଖୋଲିଥିଲେ । ମଦ ଓ ନିଶା ତସ୍କରୀ ବିରୋଧରେ ପୋଲିସକୁ ସୂଚନା ଦେଉଥିବାରୁ ଅପରାଧୀମାନଙ୍କ ଟାର୍ଗେଟରେ ସେ ଥିଲେ ।
‘ଭାଇ ବଞ୍ଚିଥିବା ବେଳେ ନିଶାମୁକ୍ତି ବିରୋଧରେ ଲଢୁଥିଲେ । ଏବେ ଲୋକେ ସେମିତି ନିଶା କରୁଛନ୍ତି । କିଛି କମିନି । ଏପରିକି ଜିମ୍କୁ ମଧ୍ୟ କେହି ଆସୁ ନାହାନ୍ତି ।’ ବୋଲି ଦୁଃଖର ସହ କହିଛନ୍ତି ମୃତ ସହଦେବଙ୍କ ସାଙ୍ଗ ସିଲୁ ନାୟକ ।
ବ୍ୟକ୍ତିଗତ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା:
ବ୍ୟକ୍ତିଗତ ଶତ୍ରୁତା ଓ ପ୍ରତିଶୋଧକୁ ନେଇ ଅତି ନିର୍ମମ ଭାବେ ପୋଲିସ ମିତ୍ର ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ୯ ଜଣ ଅଭିଯୁକ୍ତ ଗିରଫ ହୋଇ ଝାଡ଼ପଡ଼ା ଜେଲରେ ଅଛନ୍ତି । କିନ୍ତୁ ଏଯାବତ୍ ମୁଖ୍ୟ ୩ ଅଭିଯୁକ୍ତ ଧରାପଡ଼ିନାହାନ୍ତି ।
ଆଗକୁ ଧରାପଡିବେ ଅପରାଧି:
‘ସହଦେଵ ନାୟକ ହତ୍ୟା କେଶର ସମସ୍ତ ଚାର୍ଜସିଟ ଦିଆସାରିଛି । 9 ଜଣଙ୍କୁ ଗିରଫ କରିଛି ପୋଲିସ, ଆଗକୁ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ବୋଲି କହିଛନ୍ତି ମଞ୍ଚେଶ୍ୱର ଥାନା ଅଧିକାରୀ ଦୟାନିଧି ନାୟକ ।
ସହଦେବ ନାୟକଙ୍କୁ କେବେ ମିଳିବ ପୂର୍ଣ୍ଣ ନ୍ୟାୟ ?
କଡା ସୁରକ୍ଷା ମଧ୍ୟରେ ଥିବା ରାଜଧାନୀରେ ଅତି ନିର୍ମମ ଭାବେ ସହଦେବଙ୍କୁ ହତ୍ୟା କରାଯାଇଥିଲା । ଏ ଘଟଣାକୁ ବର୍ଷେ ବିତିଥିଲେ ବି ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିନି । କେବେ ଧରାପଡିବେ ଆଉ 3 ଅଭିଯୁକ୍ତ । ତାହା ଏବେବି ପ୍ରଶ୍ନବାଚୀ ।
ଇଟିଭି ଭାରତ, ଭୁବନେଶ୍ବର

