ETV Bharat / state

ବର୍ଷା ବିତ୍ପାତ: ବଲାଙ୍ଗୀରରେ ଘର ଭୁଶୁଡି ଜଣେ ମୃତ, ସମ୍ବଲପୁରରେ ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ

ଲଘୁଚାପ ଜନିତ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ପଶ୍ଚିମ ଓଡିଶା ।ବଲାଙ୍ଗୀରରେ ମାଟିଘର ଭୁଶୁଡି ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ରିପୋର୍ଟ- ସେକ ମହମ୍ମଦ ୱାହିଦ ଏବଂ ବାଦଶାହା ଜୁସମନ ରଣା

House collapsed balangir
ବଲାଙ୍ଗୀରରେ ଭୁଶୁଡିଲା ଘର (ETV Bharat Odisha)
author img

By ETV Bharat Odisha Team

Published : July 6, 2026 at 8:22 AM IST

3 Min Read
Choose ETV Bharat

HEAVY RAIN IN ODISHA , ବଲାଙ୍ଗୀର/ସମ୍ବଲପୁର: ବଲାଙ୍ଗୀରରେ ତିନି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ତଳିଆ ଅଂଚଳରେ ପାଣି ଜମିଥିବା ବେଳେ ନଦୀ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏହାରି ମଧ୍ୟରେ ପୁଇଁତଲା ବ୍ଲକରେ ମାଟି ଘର ଭୁଶୁଡି ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସେହିପରି ଗୃହ ପାଳିତ ପାଞ୍ଚଟି ଛେଳିଙ୍କ ମଧ୍ୟ ଏଥିରେ ମୃତ୍ୟୁ ହୋଇଛି। ସେପଟେ ପ୍ରଶାସନିକ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷ ପୀଡିତ ପରିବାରକୁ ଭେଟି ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ମୃତକଙ୍କ ପରିବାରକୁ ଶୀଘ୍ର ସରକାରୀ ସହାୟତା ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ କହିଛନ୍ତି।

ବଲାଙ୍ଗୀରରେ ଘର ଭୁଶୁଡି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର:

ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ ପଥରଲା ପଂଚାୟତର ଲୁହୁରେନ ପାଳି ଗ୍ରାମରେ ବୃଦ୍ଧ ଦମ୍ପତି ଗଣ୍ଡାରାମ କୁମ୍ଭାର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଏହି ମାଟି ଘରେ ରହି ଆସୁଥିଲେ। ତାଙ୍କ ପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ତେବେ ବୃଦ୍ଧ ଦମ୍ପତି ଘରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ବର୍ଷା ଯୋଗୁଁ ବିଳମ୍ବରେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଭଙ୍ଗା ମାଟି ଘର ତଳେ ଚାପି ହୋଇ ଗଣ୍ଡାରାମ କୁମ୍ଭାରଙ୍କ ମୃତ୍ୟୁ ହୋଇ ସାରିଥିବା ବେଲେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ସେହିପରି ସେଠାରେ ଥିବା ତାଙ୍କ ଗୃହ ପାଳିତ ଛେଳି ମାନଙ୍କୁ ମଧ୍ୟ ଉଦ୍ଧାର କରା ଯାଇଥିବା ବେଳେ ପାଞ୍ଚଟି ଛେଳିର ମଧ୍ୟ ମୃତ୍ୟୁ ହୋଇ ସାରିଥିଲା। ତେବେ ଗୁରୁତରଙ୍କୁ ବଲାଂଗୀର ବିବି ଏମ ସି ଏଚ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି।

ବଲାଙ୍ଗୀରରେ ପ୍ରବଳ ବର୍ଷା (ETV Bharat Odisha)

ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ବହୁ ଦିନରୁ ଏହି ବୃଦ୍ଧ ଦମ୍ପତି ସରକାରୀ ଆବାସ ପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ଆବାସ ଗୃହ ଯୋଗାଇ ଦିଆ ଗଲା ନାହିଁ। ଏହି ଅଘଟଣ ପରେ ପୁଇଁତଲା ବ୍ଲକ ପ୍ରଶାସନ ଓ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ପୀଡିତ ପରିବାରକୁ ଭେଟିବା ସହ ଅନୁକମ୍ପା ମୂଳକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ସେହିପରି ଚାଉଳ, ଜରି ଓ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଆଗକୁ ଉଚିତ କ୍ଷତିପୁରଣ ମଧ୍ୟ ତାଙ୍କୁ ଯୋଗାଇ ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ କହିଛନ୍ତି।

ମୃତକଙ୍କ ବୋହୂ ଭଗବତୀ କୁମ୍ଭାର କହିଛନ୍ତି ଯେ "ଆମେ ବହୁତ ଗରିବ ମୋ ସ୍ୱାମୀ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି । ମୁଁ ମୋର ଦିବ୍ୟାଙ୍ଗ ଝିଅ ସହ ଘରେଥିଲି। ଆମର ମାଟି ଛପରର ଦୁଇଟି ଘର ଥିବା ବେଳେ ମୁଁ ଓ ମୋ ଝିଅ ଗୋଟିଏ ଘରେ ଥିଲୁ। ଅନ୍ୟ ଘରେ ମୋ ଶ୍ବଶୁର ଶାଶୁ ଛେଳି ମାନେ ଥିଲେ। ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲୁ। ସେମାନେ ରହୁଥିବା ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଥିଲା । ଏଥିରେ ମୋର ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ମୋ ଶାଶୁ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସାଧୀନ ଅଛନ୍ତି। ଆମେ ଦୀର୍ଘ ଦିନରୁ ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲୁ । ମୁଁ ଗୋଟିଏ ଘର ପାଇଛି ସେଠି ମୁଁ ଓ ମୋ ଝିଅ ରହୁଛୁ । ହେଲେ ମୋ ଶାଶୁ ଶ୍ବଶୁର ଆଜି ଯାଏଁ ଘର ପାଇଲେ ନାହିଁ। "

gandaram kumbhar
ମୃତ ଗଣ୍ଡାରାମ କୁମ୍ଭାର (ETV Bharat Odisha)

ଗ୍ରାମବାସୀ ବୈଦ୍ୟନାଥ ମଲ୍ଲିକ ଓ ମୃତକଙ୍କ ସମ୍ପର୍କୀୟ ରାମ କୁମ୍ଭାର କହିଛନ୍ତି ଯେ " ସକାଳେ ଘର ଭାଙ୍ଗି ପଡିଥିବାର ଦେଖିଥିଲୁ। ସଂଗେ ସଂଗେ ଆମେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲୁ । ପରେ ସେମାନେ ଆସି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲୁ । ଘର ଭୁଶୁଡ଼ି ତାଙ୍କର ପାଞ୍ଚଟି ଛେଳି ମଧ୍ୟ ମରିଛନ୍ତି । ଏହି ବୃଦ୍ଧ ଦମ୍ପତି ବହୁ ବର୍ଷ ହେବ ଏକ ଘର ଖଣ୍ଡିଏ ପାଇଁ ସରକାରଙ୍କ ନିକଟରେ ଆବେଦନ କରି ଆସୁଥିବା ବେଳେ, ଘର ମିଳିନଥିଲା । ତିନି ଦିନର ଲଗାଣ ବର୍ଷା ଯୋଗୁଁ ଏଭଳି ଅଘଟଣ ଘଟିଛି। "

5 ଦିନରେ 338.9 ମିମି ବର୍ଷା ରେକର୍ଡ

ସୂଚନା ଅନୁସାରେ ବଲାଙ୍ଗୀରରେ ବିଗତ ତିନି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଜୁନ ମାସରେ ଏଠି ସାଧାରଣ ବର୍ଷ ଅନୁପାତ 182 ମି ମି ବର୍ଷା ରୁ ମାତ୍ର 36 ମିମି ବର୍ଷା ହୋଇଥିଲା। ହେଲେ ଏଥର ମୌସୁମୀର ପ୍ରଥମ ଲଘୁଚାପରେ ତିନି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ବଲାଂଗୀର ଜୁଲାଇ ମାସରେ ମୋଟ ହାରାହାରି ବର୍ଷା ଅନୁପାତ 362.1 ମିମି ରହିଥାଏ। ହେଲେ ଚଳିତ ବର୍ଷ ଏହି ଜୁଲାଇ ମାସର ପାଞ୍ଚ ଦିନ ମଧ୍ୟରେ ମୋଟ ବର୍ଷା ଅନୁପାତ 338.9 ମିମି ବର୍ଷା ହୋଇ ସାରିଛି। 14 ଟି ବ୍ଲକରେ ମୋଟ ହାରାହାରି ବର୍ଷା ଅନୁପାତ ମାତ୍ର ପାଞ୍ଚ ଦିନରେ 242.16 ମିମି ରହିଛି। ହେଲେ ଏଯାଏଁ କୌଣସି ସ୍ଥାନରେ ବନ୍ୟା ଆଶଙ୍କା ଉପୁଜି ନାହିଁ।

Laxmi Kumbhar
ବଜ୍ରାଘାତରେ ଗୁରୁତର ଲକ୍ଷ୍ମୀ କୁମ୍ଭାର (ETV Bharat Odisha)

ସମ୍ବଲପୁର ଜିଲ୍ଲାରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ:

ସମ୍ବଲପୁର ଜିଲ୍ଲା ବଡମାଳ ପଞ୍ଚାୟତ ଦେବାହାଳୀ ଗ୍ରାମରେ ରବିବାର ପୂର୍ବାହ୍ନରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ଜଣେ ୪୦ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ସନ୍ତୋଷ ଭୋଇ ଓରଫ ରମେଶ । ରମେଶ ନିଜ ଘର ଭିତରେ ଝରକା ନିକଟରେ ଠିଆ ହୋଇଥିବା ସମୟରେ ହଠାତ୍ ବିଜୁଳି ଝରକା ଫାଙ୍କ ଦେଇ ପ୍ରବେଶ କରି ତାଙ୍କୁ ଆଘାତ କରିଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାରମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ରେଢ଼ାଖୋଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରରେ ଶୋକର ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।

Sambalpur lightening death
ସମ୍ବଲପୁରରେ ବଜ୍ରାଘାତରେ କ୍ଷତିଗ୍ରସ୍ତ ଘର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ Heavy Rain Alert: ରାଜ୍ୟରେ ସକ୍ରିୟ ଲଘୁଚାପ, ୨ ଦିନ ଯାଏଁ ପ୍ରବଳ ଛେଚିବ, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଏହା ମଧ୍ୟ ପଢନ୍ତୁ ସେଲ୍ଫି ନିଶା ହେଲା କାଳ: ମହାନଦୀରେ ଭାସିଗଲେ 3 ଯୁବକ, 2 ଜଣ ଉଦ୍ଧାର

ଇଟିଭି ଭାରତ, ବଲାଙ୍ଗୀର/ସମ୍ବଲପୁର