ETV Bharat / state

Ground Report: କେମିତି ଗନ୍ଧବତୀ ନଦୀ ପାଲଟିଲା ଗଙ୍ଗୁଆ ନାଳ ? ଅସ୍ତିତ୍ବ ଫେରିବାକୁ ଖର୍ଚ୍ଚ ହେବ 8000 କୋଟି ଟଙ୍କା

ଭୁବନେଶ୍ବର ଏକାମ୍ର କ୍ଷେତ୍ରରେ ଦିନେ ଜୀବନରେଖା ଥିବା ଗନ୍ଧବତୀ ନଦୀ (ବର୍ତ୍ତମାନର ଗଙ୍ଗୁଆ ନାଳ) ଚନ୍ଦକା-ଡମପଡ଼ା ଜଙ୍ଗଲରୁ ଉତ୍ପତ୍ତି ହୋଇ ପ୍ରାୟ 45 କିଲୋମିଟର ପ୍ରବାହିତ ହୋଇଛି । ରିପୋର୍ଟ- ସଞ୍ଜୀବ ରାୟ

BHUBANESWAR GANGUA DRAIN
ଗନ୍ଧବତୀ ନଦୀରୁ ଗଙ୍ଗୁଆ ନାଳ: ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ 8 ହଜାର କୋଟିରୁ ଅଧିକ ଟଙ୍କା (ETV Bharat Odisha)
author img

By ETV Bharat Odisha Team

Published : June 6, 2026 at 5:21 PM IST

3 Min Read
Choose ETV Bharat

Gangua Drain Bhubaneswar ଭୁବନେଶ୍ବର: ଅନ୍ତିମ ଶଯ୍ୟାରେ ଗନ୍ଧବତୀ ନଦୀ । ଏକଦା ଏକାମ୍ର କ୍ଷେତ୍ରର ଜୀବନରେଖା ଥିଲା ଗନ୍ଧବତୀ ନଦୀ । ଶିଶୁପାଳଗଡ଼ର ପ୍ରାଚୀନ ସଭ୍ୟତାର ସାକ୍ଷୀ ଏହି ନଦୀ ଥିଲା ସେ ସମୟର ଜନଜୀବନ, ବ୍ୟବସାୟ, ସଂସ୍କୃତି ଓ ପରିବେଶର ଆଧାର । କିନ୍ତୁ ସମୟର ସ୍ରୋତରେ ସହରୀକରଣ, ଅବୈଧ ଜବରଦଖଲ ଏବଂ ଅନିୟନ୍ତ୍ରିତ ପ୍ରଦୂଷଣର ଶିକାର ହୋଇ ଗନ୍ଧବତୀ ତା’ର ଅସ୍ତିତ୍ୱ ହରାଇ ବସିଲା । ଆଜି ଏହି ଐତିହାସିକ ନଦୀ ‘ଗଙ୍ଗୁଆ ନାଳ’ ଭାବେ ପରିଚିତ। ଯାହାର ଶିରାପ୍ରଶିରାରେ ବହୁଛି ସହରର ମଇଳା ଓ ନର୍ଦ୍ଦମା ଜଳ ।

ଗନ୍ଧବତୀ ନଦୀରୁ ଗଙ୍ଗୁଆ ନାଳ: ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ 8 ହଜାର କୋଟିରୁ ଅଧିକ ଟଙ୍କା (ETV Bharat Odisha)

ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ ବୈଶଲିନି ପଟ୍ଟନାୟକ କୁହନ୍ତି ‘‘ଆଜି ନଦୀର ଜାଗାରେ ଦୁର୍ଗନ୍ଧଯୁକ୍ତ ନାଳ ଦେଖିବାକୁ ମିଳୁଛି । ବର୍ଷା ହେଲେ ଅପରିଷ୍କାର ପାଣି ଘରେ ପଶୁଛି, ମଶା ବଢ଼ୁଛି, ପିଲାମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି । ସରକାର ଯଦି ସତରେ ଗଙ୍ଗୁଆର ପୁନରୁଦ୍ଧାର କରନ୍ତି ଏବଂ ତାର ପୁରୁଣା ସ୍ୱରୂପ ଫେରାଇ ଆଣନ୍ତି, ତାହେଲେ ଆମ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି ନଦୀର ଇତିହାସ ଓ ସୌନ୍ଦର୍ଯ୍ୟକୁ ଅନୁଭବ କରିପାରିବେ’’।

ଗଙ୍ଗୁଆରେ ପରିଣତ ହେଲା ଗନ୍ଧବତୀ ନଦୀ :

ଗତ ୨୦ ବର୍ଷ ଧରି ଭୁବନେଶ୍ୱରରେ ସ୍ବରେଜ ଲାଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାର ପୂର୍ଣ୍ଣ ଫଳ ଏପର୍ଯ୍ୟନ୍ତ ମିଳିନାହିଁ । NGT( National Green Tribunal) ଅନୁଯାୟୀ ସିଧାସଳଖ ଭାବେ ଅପରିଷ୍କୃତ ବର୍ଜ୍ୟଜଳ ନଦୀ କିମ୍ବା ଜଳାଶୟରେ ଛାଡ଼ିବା ଆଇନ ସମ୍ମତ ନୁହେଁ। ଭୁବନେଶ୍ୱରରେ ୫ଟି ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଥିଲେ ମଧ୍ୟ ସେଥିରୁ କେବଳ ଦୁଇଟି ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି । ସେହିପରି ଭୁବନେଶ୍ୱର ମହାନଗର ନିଗମର(BMC) ବହୁ ଡ୍ରେନର ଅପରିଷ୍କୃତ ଜଳ ଗଙ୍ଗୁଆକୁ ନିରନ୍ତର ଦୂଷିତ କରୁଛି । ଏହାକୁ ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଆଞ୍ଚଳିକ ବିକାଶ ପରିଷଦ। ପରିଷଦ କହିଛି ଯେ ଗଙ୍ଗୁଆ ନଦୀର ପୂର୍ବ ଗୌରବ, ଐତିହ୍ୟ ଓ ସୌନ୍ଦର୍ଯ୍ୟକୁ ବଜାୟ ରଖି ପୁନରୁଦ୍ଧାର କାର୍ଯ୍ୟ କରାଯିବା ଉଚିତ । ଏହି ଦାବିରେ ପରିଷଦର ଶତାଧିକ କର୍ମୀ ଗଙ୍ଗୁଆ କୂଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ନଦୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସମାଜସେବୀ ସୁଦର୍ଶନ ଦାଶଙ୍କ ମତରେ, "ଗଙ୍ଗୁଆରୁ ଜବରଦଖଲ ହଟାଇବା ସହ ଡ୍ରେନ ଜଳ ପ୍ରଦୂଷଣ ବନ୍ଦ କରିବାକୁ ସରକାର ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉଚିତ । ଗଙ୍ଗୁଆ ଭୁବନେଶ୍ୱରର ଜଳ ଉତ୍ସ ଓ ଭୂତଳ ଜଳ ପୁନଃଭରଣର ମୁଖ୍ୟ ଆଧାର । ଏକଦା ଗନ୍ଧବତୀ ନଦୀ ଆଜି ନାଳରେ ପରିଣତ ହୋଇଥିବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ । ଏବେ ସମୟ ଆସିଛି ସରକାର ତୃଣମୂଳ ସ୍ତରରେ ଏହାର ବିକାଶ ଦିଗରେ କାମ କରିବା ଦରକାର ।’’

Gangua Drain
ଗଙ୍ଗୁଆ ନାଳ (ETV Bharat Odisha)

ଗଙ୍ଗୁଆ ପୁନରୁଦ୍ଧାର ପାଇଁ ଆଠ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା:

ଦୀର୍ଘ ଦଶନ୍ଧିର ଅବହେଳା ପରେ ପୁଣି ନୂଆ ଆଶା ଦେଖାଦେଇଛି । ଗଙ୍ଗୁଆର ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ନଦୀର ଅସ୍ତିତ୍ବ ଫେରାଇ ଆଣିବା, ପ୍ରଦୂଷଣ ରୋକିବା, ଜବରଦଖଲ ହଟାଇବା ଏବଂ ହଜିଯାଇଥିବା ଗୌରବକୁ ପୁନଃ ପ୍ରତିଷ୍ଠା କରିବାକୁ ଚାଲିଛି ପ୍ରୟାସ । ଯେଉଁ ନଦୀକୁ ଅନେକ ମୃତପ୍ରାୟ ବୋଲି ଭାବିଥିଲେ, ସେହି ନଦୀକୁ ପୁଣି ଥରେ ଜୀବନ୍ତ କରିବାର ସ୍ୱପ୍ନ ଦେଖୁଛନ୍ତି ପରିବେଶବିତ୍, ପ୍ରଶାସନ ଓ ସଚେତନ ନାଗରିକ। ଏନେଇ ୮୭୩୬ କୋଟି ଖର୍ଚ୍ଚ ହେବା ନେଇ ବ୍ୟୟବରାଦ ହୋଇଛି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

ନଗର ଉନ୍ନୟନ ବିଭାଗ ଗଙ୍ଗୁଆ ନଦୀ ଶଯ୍ୟାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବୃହତ ଯୋଜନା ପ୍ରସ୍ତୁତ କରିଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, "ଖୁବ୍ ଶୀଘ୍ର ଗଙ୍ଗୁଆର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ। Sewerage Treatment Plant (STP) ମାଧ୍ୟମରେ ଜଳ ବିଶୋଧନ କରାଯାଇ ଶୁଦ୍ଧ ଜଳକୁ ପୁନର୍ବାର ନଦୀରେ ଛଡ଼ାଯିବ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ପ୍ରାଥମିକତା ଦେଇଥିବା ବେଳେ ଜଳ ସମ୍ପଦ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ସର୍ଭେ କାର୍ଯ୍ୟ ଚଳାଇଛନ୍ତି। ନଦୀ ଭିତରେ ଥିବା ଜବରଦଖଲ ମଧ୍ୟ ଶୀଘ୍ର ହଟାଯିବ ’’।

Gangua became dumping yard
ଅଳିଆ ଆବର୍ଜନାରେ ଭର୍ତ୍ତି ଗଙ୍ଗୁଆ (ETV Bharat Odisha)

ଗନ୍ଧବତୀ ନଦୀ ସମ୍ପର୍କରେ କିଛି ରୋଚକ ତଥ୍ୟ

ଭୁବନେଶ୍ବର ଉପକଣ୍ଠ ଦେଇ ବହିଯାଇଥିବା ବିଶାଳକାୟ ନଦୀ ଗଙ୍ଗୁଆ ନାଳ ଭାବେ ପରିଚିତ । କିନ୍ତୁ ପ୍ରକୃତରେ ଏହା ଗନ୍ଧବତୀ ନଦୀ । ଗଙ୍ଗୁଆ ବିଶେଷଜ୍ଞ ବିପିନ ମହାନ୍ତିଙ୍କ ଅନୁସାରେ ‘‘ଚନ୍ଦକା-ଡମପଡା ଜଙ୍ଗଲରୁ ଉତ୍ପତ୍ତି ହୋଇଥିବା ଗନ୍ଧବତୀ ନଦୀ ଭୁବନେଶ୍ୱର ସହର ମଧ୍ୟ ଦେଇ ପ୍ରାୟ ୪୫ କିଲୋମିଟର ପ୍ରବାହିତ ହୋଇଛି । ଚନ୍ଦକା-ଡମପଡା ଜଙ୍ଗଲରୁ ବାହାରିଥିବା ଏହି ନଦୀ ରଘୁନାଥପୁର ପୂର୍ବ ଦିଗରେ କିଟ୍ ଛକ, କଳାରାହଙ୍ଗ ପୋଲ, ଇଞ୍ଜନା ଗାଁ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ପୁରୀ ବାଇପାସ୍‌, ବଡ଼ଗଡ଼ ଓ ଶିଶୁପାଳଗଡ଼ ଦେଇ ପ୍ରବାହିତ ହୋଇ କଣ୍ଟିଠାରେ ଦୟା ନଦୀରେ ମିଶିଛି । ହେଲେ ସହରର ବର୍ଦ୍ଧିତ ଜନସଂଖ୍ୟା, ଜବରଦଖଲ ଏବଂ ଡ୍ରେନର ଅଳିଆ-ଆବର୍ଜନା ଯୋଗୁଁ ଆଜି ଏହା ଗଙ୍ଗୁଆ ନାଳରେ ପରିଣତ ହୋଇଯାଇଛି । ସେହିପରି ଡେରାସରୁ ବାହାରିଥିବା ଅନ୍ୟ ଜଳଧାରା ପଶ୍ଚିମ ଦିଗକୁ ଗତି କରି ଇନଫୋ ଭ୍ୟାଲି ଓ ଯାଆଁଳା ଦେଇ ସୁନ୍ଦରପଦା ନିକଟରେ ଗଙ୍ଗୁଆରେ ମିଶିଛି’’।

ଗଙ୍ଗୁଆ ନଦୀର ତିନୋଟି ମୁଖ୍ୟ ଝର ଉପରେ ରାଜ୍ୟ ସରକାର କୁଆଁରଖୁଣ୍ଟି, ଡେରାସ ଓ ଝୁମୁକା ଭଳି ତିନୋଟି ବନ୍ଧ ନିର୍ମାଣ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱରର ଜନସଂଖ୍ୟା ପ୍ରାୟ ୧୨ ଲକ୍ଷ ଏବଂ ସହରରେ ପ୍ରାୟ ୩ ଲକ୍ଷ ପରିବାର ବସବାସ କରୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୧ଟି ମୁଖ୍ୟ ଡ୍ରେନ ରହିଛି, ଯାହାର ମୋଟ ଲମ୍ବ ୭୭ କିଲୋମିଟର। ଏହା ମଧ୍ୟରୁ ୧୦ଟି ଡ୍ରେନର ପାଣି ଗଙ୍ଗୁଆରେ ମିଶୁଥିବା ବେଳେ କେବଳ ୧ ନମ୍ବର ଡ୍ରେନର ଜଳ ପଟିଆ ପଟେ ବୁଡ଼ି ନାଳରେ ଯାଇ ମିଶୁଛି । ସହରର ଅଧିକାଂଶ ଘରୁ ବାହାରୁଥିବା ମଇଳା ପାଣି ଓ ଅଳିଆ-ଆବର୍ଜନା ଏହି ଡ୍ରେନ ମାଧ୍ୟମରେ ଗଙ୍ଗୁଆରେ ପହଞ୍ଚୁଛି।

Gangua became dumping yard
ସତ୍ତା ହରାଉଛି ଗଙ୍ଗୁଆ (ETV Bharat Odisha)

କେବଳ ଅର୍ଥ ବ୍ୟୟବରାଦ କଲେ ହେବନି ବରଂ ବୈଜ୍ଞାନିକ, ପରିବେଶ ଅନୁକୂଳ ଓ ଦୀର୍ଘମିଆଦି ନୀତି ଅନୁସରଣ କରି ଗଙ୍ଗୁଆର ପୁନଃରୁଦ୍ଧାର କରାଯିବା ଉଚିତ । ନଚେତ ସମୟ ଆସିବ ଯେତେବେଳେ ଗଙ୍ଗୁଆ ମଧ୍ୟ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯିବ ।

ଏହା ମଧ୍ୟ ପଢନ୍ତୁ ପାନ ଦୋକାନ ଭିତରେ ଚାଲିଥିଲା ମଦ ବେପାର; ରକ୍ତାକ୍ତ ସଂଘର୍ଷ ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ବେଆଇନ ଘର ଭାଙ୍ଗିଲା ମିଳିତ ଟିମ୍

ଏହା ମଧ୍ୟ ପଢନ୍ତୁ ଗଙ୍ଗୁଆ ନାଳ ଉପରେ ନିର୍ମାଣ ହେବ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ: ପିପିଲି ବିଧାୟକ

ଇଟିଭି ଭାରତ, ଭୁବନେଶ୍ବର