ETV Bharat / state

ଓମସା ଡାକ୍ତର ଆନ୍ଦୋଳନ ସ୍ଥଗିତ; ଗଠନ ହେଲା ହାଇ ପାୱାର କମିଟି, ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ ଡାକ୍ତର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ । ରିପୋର୍ଟ- ବିକାଶ କୁମାର ଦାସ

DOCTOR HOLD PROTEST
ସ୍ଥଗିତ ହେଲା ଡାକ୍ତରଙ୍କ ଆନ୍ଦୋଳନ (ETV Bharat Odisha)
author img

By ETV Bharat Odisha Team

Published : July 4, 2026 at 4:32 PM IST

2 Min Read
Choose ETV Bharat

ଭୁବନେଶ୍ୱର: ସ୍ଥଗିତ ହେଲା ଡାକ୍ତରଙ୍କ ଆନ୍ଦୋଳନ । OMSA ସହ ବୈଠକ ପରେ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜିଠୁ କାର୍ଯ୍ୟରେ ଯୋଗଦେବେ ଡାକ୍ତର କହିଲେ ମନ୍ତ୍ରୀ । ତେବେ ଡାକ୍ତରଙ୍କ ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟିରେ ଜିଏ, ଆଇନ, ସ୍ବାସ୍ଥ୍ୟ, ଅର୍ଥ ସଚିବଙ୍କୁ ସ୍ଥାନ ମିଳିଛି । ଆସନ୍ତା ୨୨ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିବ । ଗତ 1 ତାରିଖରେ ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ପ୍ରତିବାଦ ଆରମ୍ଭ କରିଥିଲେ ।

ଓମସା ଡାକ୍ତର ଆନ୍ଦୋଳନ ସ୍ଥଗିତ (ETV Bharat Odisha)

ଆଜି ଡାକ୍ତର ସଂଘର ପ୍ରତିବାଦ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଓମ୍‌ସାର ସାଧାରଣ ସମ୍ପାଦକ ଏବଂ ସଭାପତି ଯୋଗ ଦେଇଥିଲେ । ଗତ 1 ତାରିଖରୁ 10 ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ବୈଠକରେ ଆଲୋଚନା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଡାକ୍ତର ସଂଘ ସହିତ ବହୁତ ଭଲ ଆଲୋଚନା ହୋଇଛି । ଓମସା ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଯେଉଁ ମୁଖ୍ୟ 10 ଦଫା ଦାବି ରହିଛି ତାହା ଉପରେ ଆଲୋଚନା କରାଯାଇଛି । ଦାବି ଗୁଡିକ କିଭଳି ଭାବରେ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ ସେ ନେଇ ଏକ ହାଇ ପାୱାର କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷତା କରିବେ ଅର୍ଥ ସଚିବ । ଏହା ସହିତ ସ୍ୱାସ୍ଥ୍ୟ ସଚିବ ସମେତ ଅନ୍ୟ ଅଧିକାରୀ ମଧ୍ୟ ଏହି କମିଟିରେ ରହିବେ । ଜୁଲାଇ 22 ତାରିଖରେ କମିଟିର ଏକ ଗୁରିତ୍ୱପୂର୍ଣ୍ଣ ବୈଠକ କରାଯିବ ।"

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୁଣି କହିଛନ୍ତି ଯେ, ଆଶା କରାଯାଉଛି ଆଗକୁ ଓଡିଶାରେ ସ୍ୱାସ୍ଥ୍ୟ ସେବା ଉପରେ କୌଣସି ବାଧା ଆସିବ ନାହିଁ ।

ଓମସାର ସଭାପତି କିଶୋର ମିଶ୍ର କହିଛନ୍ତି ଯେ, ଆନ୍ଦୋଳନ ସ୍ଥଗିତ ରହିଲା । ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇବୁ । ଆଶା କରୁଛୁ ଦାବି ଗୁଡିକ କମିଟିରେ ଆଲୋଚନା କରାଯିବ । ଆଜି ଠାରୁ ଆନ୍ଦୋଳନରେ ଥିବା ସମସ୍ତ ଡାକ୍ତର ସେମାନଙ୍କର କାର୍ଯ୍ୟରେ ଯୋଗ ଦେବେ ।



ତେବେ ଡାକ୍ତରଙ୍କ ମୁଖ୍ୟ ଦାବି ହେଉଛି-
୧) ଲେବୁଲ 15 ପେ ସ୍କେଲ ଉଚ୍ଛେଦ
୨) ସମସ୍ତ ଗ୍ରେଡର ସମାନୁପାତିକ କ୍ୟାଡର ପୁନର୍ଗଠନ
୩) ସୁପର ସ୍ପେଶାଲିଷ୍ଟ, ବିଶେଷଜ୍ଞ, ଡିପ୍ଲୋମା, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ, ପୋଷ୍ଟମୋର୍ଟମ ଭତ୍ତା ଏବଂ OMHS ଏବଂ OMES କ୍ୟାଡରକୁ ସମାନ PBI
୪) KBK, KBK+ ଏବଂ TSP କ୍ଷେତ୍ରରେ 3 ବର୍ଷର ଏକଜିଟ୍ ନୀତି କାର୍ଯ୍ୟକାରୀ
୫) ଦନ୍ତ କ୍ୟାଡରମାନଙ୍କୁ DACP, ବିଶେଷଜ୍ଞ ଭତ୍ତା, ପୁନର୍ଗଠନ ଏବଂ PBI ପ୍ରଦାନ
୬) ଭୁବନେଶ୍ୱର ବିସ୍ତାରିତ ଆବଶ୍ୟକତା ଅନୁଯାୟୀ କେବଳ ଲୋକଙ୍କ ସୁବିଧା ପାଇଁ OMHS କ୍ୟାଡର ନିର୍ମାଣ
୭) ନିୟମିତ ବାର୍ଷିକ OPSC ନିଯକ୍ତି ଏବଂ DPCl
୮) ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭିତରେ ଡାକ୍ତରଙ୍କ ସୁରକ୍ଷା
୯) ଆଡହକ୍ ଡାକ୍ତରଙ୍କୁ ନିୟମିତ କରିବା ଏବଂ DACP ପାଇଁ ଆଡହକ୍ ଏବଂ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ସେବା ଅବଧି ଅନ୍ତର୍ଭୁକ୍ତ କରିବା
୧୦) ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା



ଏହି ବି ପଢନ୍ତୁ- ଡାକ୍ତର ନଆସିବାରୁ ରୋଗୀଙ୍କ ମୃତ୍ୟୁ ! ଦାବି ପୂରଣ ପାଇଁ ଆନ୍ଦୋଳନରେ ଡାକ୍ତର, ରୋଗୀ ସେବା ବନ୍ଦ

ଇଟିଭି ଭାରତ, ଭୁବନେଶ୍ୱର