୧୮ ଦଫା ଦାବୀରେ ଓମସାର ଦୁଇ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ, ଚିକିତ୍ସା ସେବା ଉପରେ ପ୍ରଭାବ
ବ୍ରହ୍ମପୁରରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ରୋଗୀ ସେବାରେ ଅସହଯୋଗ କରୁଛନ୍ତି ଡାକ୍ତର । ଓପିଡି ସମ୍ମୁଖରେ ରୋଗୀମାନେ ଯନ୍ତ୍ରଣା ପାଉଥିବା ଦେଖାଯାଇଛି।

Published : January 7, 2026 at 12:29 PM IST
ବ୍ରହ୍ମପୁର: ୧୮ ଦଫା ଦାବୀ ନେଇ ଦୁଇ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାଜ୍ୟର ଓମସା ଡାକ୍ତରୀ ସଙ୍ଘ । ଏହି ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଜାରି ରହୁିଛି ଆନ୍ଦୋଳନ । ଯାହାର ପ୍ରଭାବ ଦେଖିବାକୁ ମିଳୁଛି ଚିକିତ୍ସା ସେବା ଉପରେ । ଗଞ୍ଜାମ ଜିଲ୍ଲାରେ ଓମସା ଡାକ୍ତରୀ ସଙ୍ଘର କର୍ମକର୍ତ୍ତାମାନେ ଏହି ଅବସରରେ ସହରର ନଗର ଚିକିତ୍ସାଳୟ ପରିସରରେ ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ସଙ୍ଘ ପକ୍ଷରୁ ଗୋଟିଏ ଘଣ୍ଟା ପରବର୍ତ୍ତୀ ସମଯରେ ଦୁଇ ଘଣ୍ଟା ଆନ୍ଦୋଳନକୁ ଓଲ୍ଲାଉଥିବା ବେଳେ ସକାଳର ଗୁରୁତ୍ୱପୂର୍ଣ୍ଣ ସମୟରେ ଡାକ୍ତରମାନଙ୍କ ଏପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଏହାର ସିଧାସଳଖ ପ୍ରଭାବ ରୋଗୀ ସେବା ଉପରେ ପଡୁଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ସଂପର୍କିୟ ଏବଂ ସହରର ବୁଦ୍ଧିଜୀବୀ । ସେପଟେ ଆନ୍ଦୋଳନ ଶେଷ ପରେ ମେଡିକାଲରେ ଚିକିତ୍ସା ପାଇଁ ଆସିଥିବା ରୋଗୀ ମାନଙ୍କୁ ଦେଖିବା ପରେ ହିଁ ଡାକ୍ତରମାନେ ନିଜ ଡ୍ୟୁଟିରୁ ଫେରୁଥିବା କହିଛନ୍ତି ।

ଗୋଟିଏ ପଟେ ରାଜ୍ୟରେ ଡାକ୍ତର ସମୂହଙ୍କ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଓ ଡାକ୍ତରଙ୍କ ଭିତରେ ଦାବୀ ପୂରଣ ନେଇ ଅଦ୍ୟାବଧି କୌଣସି ସମାଧାନ ହୋଇପାରିନାହିଁ । ଗୋଟିଏ ପଟେ କେନ୍ଦ୍ରୀୟ ହାରରେ ଡିଏସ୍ପି ପ୍ରଦାନ ଏବଂ କନିଷ୍ଠ ‘କ’ ବର୍ଗ ଡାକ୍ତରଙ୍କୁ ପେ ସ୍କେଲ୍ ୧୭ରେ ସାମିଲ କରାଯିବା ନେଇ ଦାବୀ ସହିତ ବିଭିନ୍ନ ଦାବୀକୁ ନେଇ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (ଓମ୍ସା) ଏହି ଆନ୍ଦୋଳନ ଜାରି ରଖିଛି । ପୂର୍ବରୁ ଡାକ୍ତରମାନେ ଘଣ୍ଟିକିଆ ଓପିଡି ସେବା ବର୍ଜନ କରିଆସୁଥିବା ବେଳେ ଘଣ୍ଟାଏ ପରିବର୍ତ୍ତେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଦୁଇ ଘଣ୍ଟା ରୋଗୀ ସେବାରେ ଅସହଯୋଗ କରୁଛନ୍ତି । ବ୍ରହ୍ମପୁରର ଜିଲ୍ଲା ମୁଖ୍ୟ ହସ୍ପିଟାଲ ପର୍ଯ୍ୟନ୍ତ ଓପିଡି ସମ୍ମୁଖରେ ରୋଗୀମାନେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ଯନ୍ତ୍ରଣା ପାଉଥିବା ଦେଖାଯାଇଛି।

ଡାକ୍ତରମାନେ ଓପିଡି ଛାଡ଼ି ହସ୍ପିଟାଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ବେଳେ ବ୍ରହ୍ମପୁରରେ ଆନ୍ଦୋଳନରତ ଡାକ୍ତର ସଙ୍ଘର କର୍ମକର୍ତ୍ତା ଡାକ୍ତର ଶୁଭକାନ୍ତ ଦାଶ ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ଯେ, "ଆନ୍ଦୋଳନ ସମୟର ଦୁଇ ଘଣ୍ଟା ପୂର୍ବରୁ ଏବଂ ଦୁଇ ଘଣ୍ଟା ପରେ ଆମ ଡାକ୍ତରମାନେ ସେବା ପ୍ରଦାନ କରୁଥିବା ବେଳେ ଜରୁରୀ କାଳୀନ ସେବା ମଧ୍ୟ ପ୍ରଦାନ କରାଯାଉଛି । ସଂଙ୍ଘର ୧୮ ଦଫା ଦାବୀ ମଧ୍ୟରୁ ପାଞ୍ଚରୁ ସାତଟି ଦାବୀକୁ କିପରି ସରକାର ତୁରନ୍ତ ପୂରଣ କରିବେ ସେ ନେଇ ସମସ୍ତେ ଅନ୍ଦୋଳନରତ ରହିଥିବା," ସେ କହିଛନ୍ତି ।
ସେପଟେ ବରିଷ୍ଠ ଭେଷଜ ଚିକିତ୍ସକ ଅମୂଲ୍ୟ ମିଶ୍ରଙ୍କ କହିବା କଥା,"ଆମେ ଜନସାଧାରଣଙ୍କୁ ସଠିକ୍ ସେବା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଏବଂ ରେଗୀଙ୍କୁ ନିଶ୍ଚିତ ଭାବେ ଚିକିତ୍ସା କରି ହିଁ ଘରକୁ ଫେରୁଛୁ । ହେଲେ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଦିଆଯାଉଥିବା ସେଣ୍ଟ୍ରାଲ ରେଟ୍ ରେ ଡି.ଏସ୍.ପି ଦିଆଯାଉ ବୋଲି ଦାବୀ କରାଯାଉଥିବା ବେଳେ ପୂର୍ବରୁ ଅଧିକାଂଶ ସମୟରେ ସରକାର ଆମ ଦାବୀକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଚଳିତଥର ମଧ୍ୟ ସରକାର ଗୁରୁତ୍ୱ ଦେବେବୋଲି ବିଶ୍ୱାସ ରହିଥିବା," ସେ କହିଛନ୍ତି ।

ସେପଟେ ବ୍ରହ୍ମପୁର ସହରର ମାନବାଧିକାର ସୁରକ୍ଷା ମଞ୍ଚର ସଭାପତି ଅବନୀ କୁମାର ଗୟାଙ୍କ କହିବା କଥା,"ଡାକ୍ତରଙ୍କ ଦାବୀ ଯୁକ୍ତିଯୁକ୍ତ, ହେଲେ ରାଜ୍ୟରେ ସ୍ୱାସ୍ଥସେବା ଅତ୍ୟନ୍ତ ବିପର୍ଯ୍ୟସ୍ଥ ରହିଥିବା ବେଳେ ଏଭଳି ସମୟରେ ଡାକ୍ତର ଅଭାବ ସମୟରେ ଏଭଳି ଆନ୍ଦୋଳନ ରୋଗୀ ସେବା କ୍ଷେତ୍ରରେ ପ୍ରଭାବ ପଡିଥିବା," ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଡାକ୍ତରଙ୍କ ଆନ୍ଦୋଳନ ପରେ କଠୋର ହେଲେ ସରକାର; ୬ ମାସ ଏସମା ଲାଗୁ
ଏହା ମଧ୍ୟ ପଢ଼ନ୍ତୁ- 2 ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର, କାର୍ଯ୍ୟରେ ଯୋଗଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ
ଏହା ମଧ୍ୟ ପଢ଼ନ୍ତୁ- ଓମସା ଡାକ୍ତରଙ୍କ ଚେତାବନୀ ! ଜାନୁଆରୀ 5ରୁ ଦୁଇ ଘଣ୍ଟିଆ OPD ବନ୍ଦ, ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କଲା ଓମସା
ଇଟିଭି ଭାରତ, ବ୍ରହ୍ମପୁର

