ETV Bharat / state

ଓମସା ଡାକ୍ତରଙ୍କ ଚେତାବନୀ ! ଜାନୁଆରୀ 5ରୁ ଦୁଇ ଘଣ୍ଟିଆ OPD ବନ୍ଦ, ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କଲା ଓମସା

ରାଜ୍ୟରେ ଓମସାରେ ଥିବା ଡାକ୍ତରଙ୍କ ପଦବୀ ପାଖାପାଖି ୧୫ ହଜାର ରହିଥିବା ବେଳେ ବର୍ତ୍ତମାନ ସମୟରେ ରହିଛନ୍ତି ମାତ୍ର ୬ ହଜାର ।

OMSA DOCTORS STRIKE
ଓଡିଶା ମେଡିକାଲ ସେବା ସଂଘ (ETV Bharat Odisha)
author img

By ETV Bharat Odisha Team

Published : December 30, 2025 at 6:29 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରମାନେ ଦେଲେ ଚେତାବନୀ । ଯଦି ଦାବି ପୁରାଣ ନହୁଏ ତେବେ ଆଗାମୀ ଦିନରେ ହେବ ସଂଘାତିକ ପ୍ରତିବାଦ । ବର୍ତ୍ତମାନ ଓମସା ଡାକ୍ତରମାନେ ଦିନକୁ ଏକ ଘଂଟା ଓପିଡି ବନ୍ଦ କରୁଥିବା ବେଳେ ଜାନୁଆରୀ ୫ ତାରିଖ ଠାରୁ ଦିନକୁ ଦୁଇ ଘଣ୍ଟା (ସକାଳ 9ଟାରୁ ଦିନ 11ଟା) ବନ୍ଦ ରଖିବେ ଓପିଡି । କେବଳ ସେତିକି ନୁହେଁ ବିଭାଗୀୟ ଅଧିକାରୀ କିମ୍ବା ମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ଆଲୋଚନା କରିନଥିବାରୁ ସମୁହିକ ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା ।

ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି, "ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା । ନୂଆ ବର୍ଷ ପରେ ଓମସା ଡାକ୍ତରମାନେ ସମୂହ ଇସ୍ତଫା ପତ୍ର ଓମସା ପାଖରେ ଦଖଲ କରିବେ । ଓମସା ଏହି ଇସ୍ତଫାପତ୍ର ସରକାରଙ୍କ ପାଖକୁ ପଠାଇବେ । ସରକାର ଏ ଯାଏଁ ଡାକ୍ତରଙ୍କ ଦାବି ଉପରେ ଆଲୋଚନା କରି ନଥିବାରୁ ଆଉ ସରକାରୀ ଚାକିରୀରେ ରହିବେନି ଡାକ୍ତର । ଜାନୁଆରୀ ୫ ଯାଏଁ ଡେଡଲାଇନ ଦେଇଛି ଓମସା । ବର୍ତମାନ ସକାଳ ୧୦ ରୁ ୧୧ ପର୍ଯ୍ୟନ୍ତ ବନ୍ଦ ରହୁଛି OPD । ଆସନ୍ତା ଜାନୁଆରୀ ୫ ରୁ ସକାଳ ୯ ରୁ ୧୧ ଯାଏଁ ଦୁଇ ଘଣ୍ଟା ଧରି ବନ୍ଦ କରାଯିବ OPD ।"

ଜାନୁଆରୀ 5ରୁ ଦୁଇ ଘଣ୍ଟିଆ ଓପିଡି ବନ୍ଦ (ETV Bharat Odisha)



ଓମସାର ସାଧାରଣ ସମ୍ପାଦକ ଡାକ୍ତର ସଂଜୀବ ପ୍ରଧାନ କହିଛନ୍ତି, "ସାରା ରାଜ୍ୟରେ ଖାଲିପଡ଼ିଛି ଡାକ୍ତର ପଦବୀ ତାହାକୁ ତୁରନ୍ତ ପୂରଣ କରିବା ଆବଶ୍ୟକ, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା ଆବଶ୍ୟକ, କ୍ୟାଡର ପୁନର୍ଗଠନ କରିବା ଆବଶ୍ୟକ, ଦାନ୍ତ ଡାକ୍ତର ମାନଙ୍କୁ ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ପାଞ୍ଚ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି ପରି ଦାବି ରଖିଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସରକାର ଦାବି ଗୁଡିକ ନ ଶୁଣନ୍ତି ତେବେ ଆଗାମୀ ଦିନରେ ବଡ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସଙ୍ଘ ।



ଡାକ୍ତରମାନଙ୍କ ଦାବି ମଧ୍ୟରେ ରହିଛି ବିନା ସର୍ତ୍ତାବଳୀରେ କେନ୍ଦ୍ରୀୟ ହାରରେ DACP ପ୍ରଦାନ, ଓଡିଶା ସରକାରଙ୍କର ଅନ୍ୟ ପ୍ରଥମ ଶ୍ରେଣୀ କନିଷ୍ଟ ବର୍ଗଙ୍କ ଭଳି PAY STRUCTURE ଏବଂ DACPରେ ଦରମା ନିର୍ଦ୍ଧାରଣ ବେଳେ LEVEL ୧୫କୁ ବାଦ ଦିଆଯାଉ, OMHS ଓ ଦନ୍ତ ଚିକିତ୍ସକଙ୍କର କ୍ୟାଡର ପୁନର୍ବିଚାର କରାଯାଉ, KBK ଅଞ୍ଚଳରେ ୫ ବର୍ଷରୁ ଅଧିକ ଚାକିରୀ କରିଥିବା ଡାକ୍ତରଙ୍କୁ ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଣିବା ପାଇଁ ନିଶ୍ଚିତ କରାଯାଉ, ପୋଷ୍ଟ ମୋର୍ଟମ ଭତ୍ତା ବୃଦ୍ଧି କରାଯାଉ, ଅଗ୍ରାଧିକାର ଭିତ୍ତିରେ ଡାକ୍ତରୀ ଖାଲି ପଦବୀ ପୂରଣ କରାଯାଉ । ଏହା ସହିତ ପ୍ରତିବର୍ଷ ବିଭାଗୀୟ ପଦୋନ୍ନତି କମିଟି ବସାଇ ପଦୋନ୍ନତି ଦିଆଯାଉ, କାର୍ଯ୍ୟରତ ଡାକ୍ତରଙ୍କୁ କଡା ସୁରକ୍ଷା ଦିଆଯାଉ, ସଙ୍କଟପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ଦିଆଯାଉ, ସବୁ ଡାକ୍ତରଖାନାରେ ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଉ, ADHOC ଡାକ୍ତରମାନଙ୍କୁ ନିୟମିତ କରାଯାଉ ଓ ତାଙ୍କର ଚାକିରି କାଳକୁ DACPରେ ଗଣନା କରାଯାଉ ଭଳି ଅନେକ ଦାବି ରଖିଛି ସଂଘ ।



ଏପଟେ ରାଜ୍ୟରେ ଓମସାରେ ଥିବା ଡାକ୍ତରଙ୍କ ପଦବୀ ପାଖାପାଖି ୧୫ ହଜାର ରହିଥିବା ବେଳେ ବର୍ତ୍ତମାନ ସମୟରେ ରହିଛନ୍ତି ମାତ୍ର ୬ ହଜାର । ସରକାର ଡାକ୍ତରଙ୍କ ପଦବୀକୁ ପୂରଣ କରୁନଥିବା ମଧ୍ୟ କୁହାଯାଉଛି । ଏନେଇ ଆଜି ଓମସା କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲାର ଡାକ୍ତରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହା ଏସବୁ ସେହି ବୈଠକରେ ସମସ୍ତ ଡାକ୍ତରଙ୍କ ସହମତି ଅନୁସାରେ ନିଷ୍ପତ୍ତି ନିଆଯାଇଥିବା କହିଛି ଓମସା ।

ଏହା ବି ପଢନ୍ତୁ- ଡାକ୍ତରଙ୍କୁ ମିଳିପାରୁନି ସରକାରୀ କ୍ବାର୍ଟର; ରୋଗୀସେବା କରିବାକୁ ହଟହଟା ଦ୍ଵିତୀୟ ଭଗବାନ

ଇଟିଭି ଭାରତ, ଭୁବନେଶ୍ୱର