ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ, ଆନ୍ଦୋଳନରୁ ଓହରିଲେ ଓମସା ଡାକ୍ତର
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଓମସା ସଂଘର ଆଲୋଚନା ସଫଳ । ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ । ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ବାସ୍ଥ୍ୟସେବା । ଗତ ଡିସେମ୍ବର 26ରୁ ଆନ୍ଦୋଳନରେ ବସିଥିଲେ ଡାକ୍ତର ।

Published : January 8, 2026 at 5:16 PM IST
ଭୁବନେଶ୍ବର: ପ୍ରତିଶ୍ରୁତି ଦେଲେ ସରକାର, ଆସନ୍ତାକାଲିଠୁ ସ୍ବାଭାବିକ ହେବ ଓପିଡି ସେବା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ । ଗତ ଡିସେମ୍ବର ୨୬ରୁ ଘଣ୍ଟିକିଆ ଏବଂ ଜାନୁଆରୀ ୫ରୁ ୨ ଘଣ୍ଟିଆ ଓପିଡି ବନ୍ଦ କରି ଆନ୍ଦୋଳନ କରୁଥିଲେ ଡାକ୍ତର ସଂଘ ।
ଆସନ୍ତାକାଲିଠୁ ସେବା ସ୍ବାଭାବିକ:
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହେବା ପରେ ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି, ‘ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ସକରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଆସନ୍ତାକାଲିଠୁ ସବୁ କିଛି ସ୍ଵାଭାବିକ ହେବ ।’
ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ:
ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ‘ଡାକ୍ତର ସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି । ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଦାବି ପୂରଣ ନେଇ କମିଟି ଗଠନ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ସଚିବ ରହିଛନ୍ତି । ସେମାନଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ ।’

ଡାକ୍ତରଙ୍କ ଦାବି କ'ଣ ?
- ବିନା ସର୍ତ୍ତାବଳୀରେ କେନ୍ଦ୍ରୀୟ ହାରରେ DACP ପ୍ରଦାନ କରାଯାଉ
- ଓଡି଼ଶା ସରକାରଙ୍କର ଅନ୍ୟ ପ୍ରଥମ ଶ୍ରେଣୀ କନିଷ୍ଟ ବର୍ଗଙ୍କ ଭଳି ପେ ଷ୍ଟ୍ରକ୍ଟର ଏବଂ DACPରେ ଦରମା ନିର୍ଦ୍ଧାରଣ ବେଳେ ଲେଭଲ ୧୫କୁ ବାଦ ଦିଆଯାଉ ।
- OMHS ଓ ଦନ୍ତ ଚିକିତ୍ସକଙ୍କର କ୍ୟାଡର ପୁନର୍ବିଚାର କରାଯାଉ
- କେବିକେ ଅଞ୍ଚଳରେ ପାଞ୍ଚ ବର୍ଷରୁ ଅଧିକ ଚାକିରି କରିଥିବା ଡାକ୍ତରଙ୍କୁ ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଣିବାକୁ ନିଶ୍ଚିତ କରାଯାଉ ।
- ପୋଷ୍ଟ ମୋର୍ଟମ ଭତ୍ତା ବୃଦ୍ଧି କରାଯାଉ।
- ଅଗ୍ରାଧିକାର ଭିତ୍ତିରେ ଡାକ୍ତରୀ ଖାଲି ପଦବୀ ପୂରଣ କରାଯାଉ ।
- ଏହା ସହିତ ପ୍ରତିବର୍ଷ ବିଭାଗୀୟ ପଦୋନ୍ନତି କମିଟି ବସାଇ ପଦୋନ୍ନତି ଦିଆଯାଉ ।
- କାର୍ଯ୍ୟରତ ଡାକ୍ତରଙ୍କୁ କଡା ସୁରକ୍ଷା ଦିଆଯାଉ ।
- ସଙ୍କଟପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ଦିଆଯାଉ
- ସବୁ ଡାକ୍ତରଖାନାରେ ଡାକ୍ତରଙ୍କ ପାଇଁ ବାସଗୃହ ନିର୍ମାଣ କରାଯାଉ ।
- ADHOC ଡାକ୍ତରଙ୍କୁ ନିୟମିତ କରାଯାଉ
- ADHOC ଡାକ୍ତରଙ୍କ ଚାକିରି କାଳକୁ DACPରେ ଗଣନା କରାଯାଉ
ସୂଚନା ଅନୁଯାୟୀ, ଜାନୁଆରୀ ୫ରୁ ସମସ୍ତ ସରକାରୀ ହସ୍ପିଟାଲ ଗୁଡିକରେ ସକାଳ ୯ଟାରୁ ମଧ୍ୟାହ୍ନ ୧୧ ଟା ପର୍ଯ୍ୟନ୍ତ ଓପିଡ଼ି ବନ୍ଦ କରିଥିଲେ ଡାକ୍ତର ସଂଘ । ଯାହା ଫଳରେ ଅନେକ ସ୍ଥାନରେ ରୋଗୀ ସେବା ବ୍ୟାହତ ହେଉଥିଲା । ଏପରିକି ସରକାର ଏସମା ଲାଗୁ କରିଥିଲେ । ଏହାକୁ ଖାତିର ନକରି ଆନ୍ଦୋଳନ ଜାରି ରଖିଥିଲେ ଓମସା ଡାକ୍ତର ସଂଘ ।
ଇଟିଭି ଭାରତ, ଭୁବନେଶ୍ବର

